ଆରଜେଡି ଛାତ୍ର ସଂଗଠନରୁ ଇସ୍ତଫା ଦେଲେ ତେଜପ୍ରତାପ
ପାଟନା : ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟରେ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରେଜଡି)ରେ ବିଦ୍ରୋହ ସୃଷ୍ଟି ହୋଇଛି। ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ ବିଦ୍ରୋହର ନେତୃତ୍ୱ ନେଇଛନ୍ତି। ସେ ଆରଜେଡି ଛାତ୍ର ସଂଗଠନରୁ ଗୁରୁବାର ଇସ୍ତଫା ଦେଇଛନ୍ତି। ତେଜପ୍ରତାପ ଟ୍ୱିଟ୍ କରିଛନ୍ତି ଯେ ଛାତ୍ର ରାଷ୍ଟ୍ରୀୟ ଜନତା ଦଳର ସଂରକ୍ଷକ ପଦରୁ ଇସ୍ତଫା ଦେଉଛି। ମୋତେ ଅପରିପକ୍ୱ ଭାବୁଥିବା ଲୋକେ ନିଜେ ଅପରିପକ୍ୱ। କିଏ କେତେ ପାଣିରେ ଅଛି ସବୁ ଖବର ମୋ ପାଖରେ ଅଛି। କୁହାଯାଉଛି ବିହାରରେ ମହାମେଣ୍ଟର ଆସନ ଭାଗବଣ୍ଟାକୁ ନେଇ ତେଜପ୍ରତାପ ଅସନ୍ତୁଷ୍ଟ ଅଛନ୍ତି। ସେ ସାମ୍ବାଦିକ ସମ୍ମିଳନୀ କରି ଶିବହାର ଏବଂ ଜହାନାବାଦ ଲୋକସଭା ଆସନରୁ ପ୍ରାର୍ଥୀ ଦେବେ ବୋଲି ଶୁଣିବାକୁ ମିଳିଛି। ସେ ଏନେଇ ତେଜସ୍ୱୀ ଯାଦବଙ୍କୁ ଅବଗତ କରାଇଛନ୍ତି। ଏହାକୁ ନେଇ ଏବେ ଆରଜେଡିରେ ମାନସମନ୍ଥନ ଚାଲିଛି। ଦଳୀୟ ଅନ୍ତଃକନ୍ଦଳ ଆରଜେଡି ପାଇଁ ଭାରି ପଡ଼ିବ ବୋଲି କୁହାଯାଉଛି।