ଡ୍ରଗ ଅପବ୍ୟବହାର ନିଷେଧ ଉପରେ ସଚେତନତା କାର୍ଯ୍ୟକ୍ରମ
ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ସ୍ଥିତ ସାଙ୍ଗାନା ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ଡ୍ରଗ ଅପବ୍ୟବହାର ନିଷେଧ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଗୋଷ୍ଠୀ ଶିକ୍ଷାଧିକାରୀ କୈଳାଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଜିଲା ଅତିରିକ୍ତ ଶିକ୍ଷା ଅଧିକାରୀ ଅର୍ପିତା ପ୍ରଧାନ ଯୋଗ ଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ନବ କିଶୋର କୁଣ୍ଡୁ, ତହସିଲଦାର ନିର୍ମଳ କୁମାର ନାୟକ, ଥାନା ଅଧିକାରୀ ସୁଜ୍ଞାନୀ ସାହୁ, ଅବକାରୀ ବିଭାଗ ସବ୍ ଇନ୍ସପେକ୍ଟର ମନୋଜ କୁମାର ପ୍ରଧାନ, ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ,ଏବିଇଓ ବିଭୂତି ଭୂଷଣ ତାକ୍ରୀ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ଆବାହକ ଜିଲା ବିଜ୍ଞାନ ପରିଦର୍ଶକ ଅନନ୍ତ କୁମାର ଦଳପତି ବିବରଣୀ ପ୍ରଦାନ କରିବା ପରେ କୁଣ୍ଡୁ ଡ୍ରଗ ସେବନ ଦ୍ବାରା ବିଭିନ୍ନ ରୋଗର ଶିକାର, ଧନ ଜୀବନ ହାନି ସମ୍ପର୍କରେ କହିଥିଲେ।
ତହସିଲଦାର ନାୟକ ଗଞ୍ଜାଇ ଚାଷ ନିଷେଧ, ଅବକାରୀ ସବ୍ ଇନ୍ସପେକ୍ଟର ଶ୍ରୀ ପ୍ରଧାନ ବିଭିନ୍ନ ଆଇନ କାନୁନ, ଥାନାଧିକାରୀ ଶ୍ରୀମତୀ ସାହୁ ବିଭିନ୍ନ ଦଣ୍ଡ ବିଧାନ, ପ୍ରଧାନ ଶିକ୍ଷକ ଶ୍ରୀ ମଣ୍ଡଳ ସଚେତନତା ଉପରେ ଆଲୋଚନା କରିଥିଲେ। ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ସଭା ପରିଚାଳନା କରିଥିବାବେଳେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ତଥା ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ଶେଷରେ ଡ୍ରଗ ଅପବ୍ୟବହାର ନିଷେଧ ସଚେତନତା ଉପରେ ଏକ ଶପଥ ପାଠ କରାଯାଇଥିଲା। ଏବିଇଓ ଶ୍ରୀ ଟାକ୍ରି ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.