କେରଳରେ ପ୍ରଥମ ଲିଙ୍ଗ ପରିବର୍ତ୍ତନକାରୀଙ୍କ ବିବାହ

0

ତିରୁଅନନ୍ତପୁରମ୍‌ : କେରଳରେ ଗୁରୁବାର ଅନୁଷ୍ଠିତ ହୋଇଛି ପ୍ରଥମ ଲିଙ୍ଗ ପରିବର୍ତ୍ତନକରୀଙ୍କ ବିବାହ। କେରଳ ପ୍ରଥମ ରାଜ୍ୟ ଭାବେ ସମଲିଙ୍ଗୀ ବିବାହ ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବା ପରେ ଇଶାନ୍‌ ଓ ସୂର୍ଯ୍ୟ ପରସ୍ପରଙ୍କୁ ସ୍ଥାନୀୟ ଏକ ଘରୋଇ କ୍ଲବରେ ବେଶ୍‌ ଜାକଜମକରେ ବିବାହ କରିଛନ୍ତି। ପାରମ୍ପରିକ ହିନ୍ଦୁ ରୀତିନୀତିରେ ଅନୁଷ୍ଠିତ ଏହି ବିବାହରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଉତ୍ସବ ପରେ ପ୍ରତିକ୍ରିୟା ପ୍ରକାଶ କରି ନବଦମ୍ପତି କହିଛନ୍ତି ଯେ ଦୀର୍ଘ ସାମାଜିକ ଓ ଆଇନଗତ ଲଢ଼େଇର ଫଳଶ୍ରୁତି ହେଉଛି ଏହି ବିବାହ। ଆଗକୁ ଏହା ଅନ୍ୟମାନଙ୍କୁ ମାର୍ଗଦର୍ଶନ କରିବ।
ଈଶାନ୍‌ ଜଣେ ବ୍ୟବସାୟୀ ହୋଇଥିବାବେଳେ ସୂର୍ଯ୍ୟ ହେଉଛନ୍ତି ଜଣେ ଟିଭି ଉପସ୍ଥାପକ ତଥା ସାମାଜିକ କର୍ମୀ। ଉଭୟ ସରକାରଙ୍କ ଦ୍ୱାରା ଦୁଇ ବର୍ଷ ପୂର୍ବେ ସ୍ଥାପିତ ସମଲିଙ୍ଗୀ ନ୍ୟାୟିକ ବୋର୍ଡର ସଦସ୍ୟ ଭାବେ କାର୍ଯ୍ୟରତ। ଏକ ସ୍ୱେଚ୍ଛାସେବୀ ସଂଗଠନରେ କାର୍ଯ୍ୟ କରୁଥିବା ସମୟରେ ଉଭୟଙ୍କ ମଧ୍ୟରେ ପରିଚୟ ହୋଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ୨୦୧୪ରେ ଅସ୍ତ୍ରୋପଚାର ମାଧ୍ୟମରେ ଲିଙ୍ଗ ପରିବର୍ତ୍ତନ କରାଇ ମହିଳା ହୋଇଥିଲେ। ଘରେ ଏହାକୁ ଗ୍ରହଣ ନ କରିବାରୁ ସେ ଘର ଛାଡ଼ି ଚାଲିଆସିଥିଲେ। ତାଙ୍କୁ ଏବେ ୩୧ବର୍ଷ। ସେହିପରି ତାଙ୍କ ସ୍ୱାମୀଙ୍କ ବୟସ ଏବେ ୩୪ ଓ ସେ ମୁସଲମାନ ସମ୍ପ୍ରଦାୟରୁ ଆସିଛନ୍ତି। ୨୦୧୫ରେ ସେ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର କରାଇଥିଲେ। ଦୁଇ ମାସ ପୂର୍ବେ ସେମାନେ ପରସ୍ପରଙ୍କୁ ବିବାହ କରୁଥିବା ଘୋଷଣା କରିବା ପରେ ଉଭୟଙ୍କ ପରିବାର ଏହାକୁ ସ୍ୱୀକୃତି ଦେଇଥିଲେ। ବିବାହ ଉତ୍ସବରେ ମଧ୍ୟ ଉଭୟଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଏବେ ୩୫ହଜାରରୁ ଊର୍ଦ୍ଧ୍ବ ତୃତୀୟ ଲିଙ୍ଗୀ ରହିଛନ୍ତି; ଯେଉଁମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବା ପାଇଁ ସରକାର ପ୍ରୟାସ ଚଳାଇଛନ୍ତି।

Leave A Reply