ସଭାରେ ସୀମିତ ସଡକ ସୁରକ୍ଷା,୧୯ବର୍ଷରେ ଗଡିଲାଣି ୫୩୮୬ମୁଣ୍ଡ

କେନ୍ଦୁଝରଗଡ଼: କେନ୍ଦୁଝର ଜିଲାରେ ସଡକଜନିତ ଦୁର୍ଘଟଣା ସାରା ରାଜ୍ୟରେ ଉଦ୍‍ବେଗର ବିଷୟ ପାଲଟିଛି। ଦୁର୍ଘଟଣାକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେ ନେଇ ଜିଲା ଓ ପୁଲିସ ପ୍ରଶାସନ ପକ୍ଷରୁ ବିିଭିନ୍ନ ସମୟରେ ସମୀକ୍ଷା ସହ ସଭାସମିତି ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଥିଲେ ହେଁ ଏହା ସତେଯେମିତି ସରକାରଙ୍କ ନାଲିଫିତା ତଳେ ରହିଯାଇଥିବା ପ୍ରତିବର୍ଷ ବୃଦ୍ଧି ପାଉଥିବା ଦୁର୍ଘଟଣାରୁ ପ୍ରମାଣିତ ହୋଇଛି। ‘ସଡ଼କ ସୁରକ୍ଷା-ଜୀବନ ରକ୍ଷା’ ରାଜ୍ୟ ସରକାରଙ୍କ ଏହି ସ୍ଲୋଗାନ କେନ୍ଦୁଝର ଜିଲାରେ ପ୍ରହସନରେ ପରିଣତ ହୋଇଛି। ୨୦୦୫ରୁ ୨୦୨୩ମସିହା ମଧ୍ୟରେ ବିଗତ ୧୯ବର୍ଷରେ ୧୦୫୪୪ଟି ସଡକଜନିତ ଦୁର୍ଘଟଣାରେ ୫୩୮୬ଜଣଙ୍କ ପ୍ରାଣହାନୀ ଘଟିବା କେନ୍ଦୁଝର ଜିଲାରେ ‘ସଡକ ସୁରକ୍ଷା-ଜୀବନ ରକ୍ଷା’ ଏଥିରୁ ବେଶ୍‍ ଅନୁମାନ କରାଯାଇପାରେ। ୨୦୨୩ରେ ଜିଲାରେ ସଡକଜନିତ ଦୁର୍ଘଟଣା ଓ ଏହି କାରଣରୁ ମୃତ୍ୟୁ ସଂଖ୍ୟା ସର୍ବକାଳୀନ ରେକର୍ଡ। ୨୦୨୩ରେ ୭୫୪ଟି ସଡକ ଦୁର୍ଘଟଣାରେ ୩୯୫ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ୩୧୭ଜଣ ଗୁରୁତର ଓ ୩୮୩ଜଣ ଆହତ ହେବା କେନ୍ଦୁଝର ଜିଲାରେ ତ୍ରୁଟିପୂର୍ଣ୍ଣ ଓ ଅସମ୍ପୂର୍ଣ୍ଣ ରାସ୍ତା ଏବଂ ଜିଲାବ୍ୟାପୀ ଜାତୀୟ ରାଜପଥ ମାନଙ୍କରେ ବେଆଇନ ହମ୍ପସ୍‍ ନିର୍ମାଣ ସାଙ୍ଗକୁ ରାଜପଥ ଉପରେ ବେଆଇନ ପାର୍କିଂ କାରଣରୁ ସଡକ ଦୁର୍ଘଟଣା ବୃଦ୍ଧିପାଇ ମୃତାହତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ଜିଲାବ୍ୟାପୀ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ୨୦୨୨ରେ ପୁଲିସ ପକ୍ଷରୁ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଯାନବାହନ ଯାଞ୍ଚ ସମୟରେ ୨୯୯୮୯ଟି ଭିସିଆର ମାଧ୍ୟମରେ ୧କୋଟି ୭୫ଲକ୍ଷ ୨୭ହଜାର ଟଙ୍କା ଜରିମାନା ଆଦାୟ ସହ ୨୯୯ଟି ଲାଇସେନ୍ସ ବାତିଲ କରାଯାଇଥିଲା। ତେବେ ୨୦୨୩ରେ ସଡକଜନିତ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ପୂର୍ବବର୍ଷ ମାନଙ୍କ ତୁଳନାରେ ଯଥେଷ୍ଟ ଅଧିକ ଥିଲେ ହେଁ ଆବଶ୍ୟକ ଯାଞ୍ଚ ଅଭାବରୁ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ୨୫୬୨୯ଟି ମାମଲା ରୁଜୁ ହୋଇ ୫୬ଲକ୍ଷ ୫୧ହଜାର ଟଙ୍କା ଜୋରିମାନା ଆଦାୟ ହୋଇଥିବା ବେଳେ ମାତ୍ର ୧୩ଟି ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଥିବା ଜଣାପଡିଛି।

ଦୁର୍ଘଟଣାଗ୍ରସ୍ତଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇବା ପାଇଁ ଜାତୀୟ ରାଜପଥରେ ପ୍ରତି ୬୦ କି.ମି.ବ୍ୟବଧାନରେ ଏକ ଟ୍ରମା କେୟାର ସେଣ୍ଟର କାର୍ଯ୍ୟକ୍ଷମ ନିୟମ ରହିଥିବା ବେଳେ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ସମଗ୍ର ଜିଲାରେ ଗୋଟିଏ ହେଲେ ଟ୍ରମା କେୟାର ସେଣ୍ଟର ନଥିବାରୁ ସଡକଜନିତ ଦୁର୍ଘଟଣାଗ୍ରସ୍ତଙ୍କୁ ସଠିକ୍‍ ସମୟରେ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇ ପାରୁନଥିବାରୁ ଜିଲାରେ ପ୍ରତିବର୍ଷ ଦୁର୍ଘଟଣାଜନିତ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବା ଜିଲାବାସୀଙ୍କୁ ନିରାଶ କରିଛି। ୨୦୨୩ରେ ଘଟିଥିବା ସମୁଦାୟ ୭୫୪ଟି ଦୁର୍ଘଟଣା ମଧ୍ୟରୁ କେବଳ ରାମଚନ୍ଦ୍ରପୁର ଠାରୁ ରିମୁଳି ୨୦ନଂ ଜାତୀୟ ରାଜପଥରେ ୧୭୮ଟି ଦୁର୍ଘଟଣାରେ ୮୧ଜଣ, ତୁରୁମୁଙ୍ଗାରୁ ବିଞ୍ଝବାହାଳ ପର୍ଯ୍ୟନ୍ତ ୪୯ନଂ ଜାତୀୟ ରାଜପଥରେ ୧୧୬ଟି ଦୁର୍ଘଟଣାରେ ୪୬ଜଣ ଏବଂ ରିମୁଳି ଠାରୁ ଗୁଆଲି ପର୍ଯ୍ୟନ୍ତ ୫୨୦ନଂ ଜାତୀୟ ରାଜପଥରେ ୯୫ଟି ଦୁର୍ଘଟଣାରେ ୫୧ଜଣଙ୍କୁ ମିଶାଇ ଜିଲାଦେଇ ଯାଇଥିବା କେବଳ ଜାତୀୟ ରାଜପଥରେ ୩୮୯ଟି ଦୁର୍ଘଟଣାରେ ୧୭୮ଜଣଙ୍କ ପ୍ରାଣହାନୀ ଘଟିବା ତ୍ରୁଟିପୂର୍ଣ୍ଣ ଓ ଅସମ୍ପୂର୍ଣ୍ଣ ରାସ୍ତା ନିର୍ମାଣ ସାଙ୍ଗକୁ ସାଙ୍କେତିକ ଚିହ୍ନ ନଥାଇ ଜିଲାବ୍ୟାପୀ ବେଆଇନ ହମ୍ପସ୍‍ ନିର୍ମାଣ ଏବଂ ଜାତୀୟ ରାଜପଥରେ ବେଆଇନ ପାର୍କିଂ ଦୁର୍ଘଟଣାର ମୁଖ୍ୟ କାରଣକୁ ସ୍ପଷ୍ଟ ପ୍ରମାଣିତ କରୁଛି।

ଜିଲାର ଜୀବନରେଖା କୁହାଯାଉଥିବା ପାଣିକୋଇଲି-ରାଜାମୁଣ୍ଡା ଜାତୀୟ ରାଜପଥର ବିଶେଷକରି କେନ୍ଦୁଝରରୁ ଯୋଡ଼ା-ବଡ଼ବିଲ ରାସ୍ତାରେ ସଡକଜନିତ ଦୁର୍ଘଟଣା ସର୍ବାଧିକ। ପାଣିକୋଇଲି ଠାରୁ ରିମୁଳି ପର୍ଯ୍ୟନ୍ତ ନବନିର୍ମିତ ୪ଲେନ ପର୍ଯ୍ୟାୟ ରାସ୍ତାର ତୃଟିପୂର୍ଣ୍ଣ ଓ ଅସମ୍ପୂର୍ଣ୍ଣ ନିର୍ମାଣ ଏବେ ଜିଲାବାସୀଙ୍କ ପାଇଁ କାଳ ପାଲଟିଛି। ଏତଦ୍‍ବ୍ୟତୀତ ଜିଲା ଦେଇ ଯାଇଥିବା ଅନ୍ୟ ଏକ ପ୍ରମୁଖ ୪୯ନଂ ଜାତୀୟ ରାଜପଥର ତୁରୁମୁଙ୍ଗା ଠାରୁ ବିଞ୍ଝବାହାଳ ପର୍ଯ୍ୟନ୍ତ ରାସ୍ତା ସମ୍ପୂର୍ଣ୍ଣ ମରଣଯନ୍ତା ପାଲଟିଥିବାରୁ ପ୍ରତିଦିନ ଛୋଟବଡ ଦୁର୍ଘଟଣା ଘଟି ବ୍ୟାପକ ଧନଜୀବନ ହାନୀ ହେଉଥିଲେ ହେଁ ଏଥିପ୍ରତି ବିଭାଗୀୟ ଅଧିକାରୀ ଆଖିବୁଜି ଦେବା ଜିଲାବାସୀଙ୍କୁ ନିରାଶ କରିଛି। କେବଳ ସେତିକିନୁହେଁ, ଜିଲାଦେଇ ଯାଇଥିବା ଏହି ଦୁଇ ପ୍ରମୁଖ ଜାତୀୟ ରାଜପଥ ପାଶ୍ୱର୍ରେ ଅବାଧରେ ଦେଶୀ ବିଦେଶୀ ମଦ ବ୍ୟବସାୟ ଯୋଗୁଁ ଚାଳକ ନିଶାସେବନ କରି ଯାନବାହାନ ଚଳାଚଳ କରୁଥିବାରୁ ଦୁର୍ଘଟଣା ବୃଦ୍ଧି ଆଉ ଏକ ପ୍ରମୁଖ କାରଣ।

ଦୁର୍ଘଟଣା ଯୋଗୁଁ ଅଧିକାଂଶ ସମୟରେ ସ୍ଥାନୀୟ ଜନତାଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇ ରାସ୍ତାରୋକ, ଯାନବାହାନ ପୋଡ଼ାଜଳା ଓ କର୍ମଚାରୀଙ୍କୁ ଆକ୍ରମଣ ଜିଲାରେ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ବିପର୍ଯ୍ୟସ୍ତ ସଡକପଥ ବ୍ୟବହାର ସାଙ୍ଗକୁ ବିନା ଲାଇସେନ୍ସରେ ଅନଭିଜ୍ଞ ଚାଳକଙ୍କ ଦୃତ ଓ ବେପରୁଆ ଗାଡିଚାଳନା ଏବଂ ସର୍ବୋପରି ଦାୟିତ୍ୱରେ ଥିବା ବିଭାଗୀୟ କର୍ମଚାରୀଙ୍କ ଆବଶ୍ୟକ ତଦାରଖ ଅଭାବ ଦୁର୍ଘଟଣା ବୃଦ୍ଧିର ପ୍ରମୁଖ କାରଣ କୁହାଯାଇପାରେ। ଜିଲାରେ ଆବଶ୍ୟକ ଭିତ୍ତିଭୂମି ନଥାଇ ଖଣି ଓ ଶିଳ୍ପାନୁଷ୍ଠାନ ମାନଙ୍କରୁ ସଡକପଥରେ ମାତ୍ରାଧିକ ଖଣିଜସମ୍ପଦ ବୋଝେଇ ଭାରିଯାନ ଚଳାଚଳ କାରଣରୁ ଜିଲାବ୍ୟାପୀ ଟ୍ରାଫିକ୍‍ ସମସ୍ୟା ବୃଦ୍ଧି ଯୋଗୁଁ ସଡକଜନିତ ଦୁର୍ଘଟଣା ବୃଦ୍ଧି ପାଇ ମୃତାହାତଙ୍କ ସଂଖ୍ୟା ଦିନକୁ ଦିନ ଚିନ୍ତାର କାରଣ ପାଲଟିଛି। ଖୋଦ୍‍ ଜିଲା ମୁଖ୍ୟାଳୟ ମୁଖ୍ୟ ରାସ୍ତା ଉପରେ ଯାତ୍ରିବାହୀ ଘରୋଇ ବସ୍‍ ଘଣ୍ଟା ଘଣ୍ଟା ଧରି ବେଆଇନ ପାର୍କିଂ ସାଙ୍ଗକୁ ଲାଇସେନ୍ସ ନଥାଇ ଅଟୋଚାଳକଙ୍କ ବେପରୁଆ ଚାଳନା ଏବଂ ରାସ୍ତା ଅବରୋଧକାରୀ ବ୍ୟବସାୟୀଙ୍କ ଯୋଗୁଁ ବର୍ଷତମାମ୍‍ ଟ୍ରାଫିକ୍‍ ସମସ୍ୟା ସୃଷ୍ଟି ହୋଇ ସହରରେ ଦୁର୍ଘଟଣା ବୃଦ୍ଧି ପାଇ ବ୍ୟାପକ ଧନଜୀବନ ହାନୀ ସତ୍ତେ୍ୱ ପ୍ରଶାସନର ନିଦ ନଭାଙ୍ଗିବା ପରୋକ୍ଷରେ ସହରବାସୀଙ୍କୁ ବାରମ୍ବାର ଆନ୍ଦୋଳନାତ୍ମକ ପରିସ୍ଥିତି ପାଇଁ ବାଧ୍ୟ କରିଆସୁଛି।

Comments are closed.