କଣ୍ଟେନରକୁ ପଛପଟୁ ଧକ୍କା ଦେଲା କାର: ଜଣେ ମୃତ ଓ ଜଣେ ଗୁରୁତର

କେନ୍ଦୁଝରଗଡ:ବାଂଶପାଳ ବ୍ଲକ ନୟାକୋଟ ଥାନା ଧାନଗଦି ପେଟ୍ରୋଲ ପମ୍ପ ନିକଟରେ ଶୁକ୍ରବାର ରାତିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ଗୁରୁତର ହୋଇଛନ୍ତି। ରାସ୍ତା ପାର୍ଶ୍ବରେ ଠିଡ଼ା ହୋଇଥିବା ଏକ କଣ୍ଟେନରକୁ କାରଟି ପଛ ପଟୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ କାରରେ ଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା ଏବଂ ଅନ୍ୟ ଜଣେ ମହିଳା ଗୁରୁତର ହୋଇଥିଲେ। କାରରେ ଥିବା ଅନ୍ୟ ୪ ଯାତ୍ରୀଙ୍କୁ ସ୍ଥାନୀୟ ଲୋକେ ଓ ପୁଲିସ ସୁରକ୍ଷିତ ଉଦ୍ଧାର କରିଥିବା ବେଳେ ମୃତ ମହିଳାଙ୍କ କୋଳରେ ଥିବା ବର୍ଷକର ଶିଶୁ ସାମାନ୍ୟ ଆହତ ହୋଇଥିଲେ ହେଁ ସୁରକ୍ଷିତ ଥିବା ଜଣାପଡିଛି। ମୃତକ ରାଉରକେଲା ଅଞ୍ଚଳର ଉଷାରାଣୀ ମୁଦୁଲି (୩୫) ବୋଲି ଜଣାପଡିଛି।

ସୂଚନା ଅନୁସାରେ ଶୁକ୍ରବାର ସନ୍ଧ୍ୟାରେ ରାଉରକେଲା ଅଞ୍ଚଳର ସୋମନାଥ ମୁଦୁଲି, ସ୍ତ୍ରୀ ଉଷାରାଣୀ ମୁଦୁଲି ଓ ୨ ଶିଶୁଙ୍କ ସମେତ ସମ୍ପର୍କୀୟ ବବିତା ସିଂ ଓ ପୁଅ ମିଶି ମା ତାରିଣୀଙ୍କୁ ଦର୍ଶନ ସାରି ଘଟଗାଁରୁ ରାଉରକେଲାକୁ କାର ଯୋଗେ ଫେରୁଥିଲେ। ବିଏସଏନଏଲ କେବୁଲ ମରାମତି କାମ କରୁଥିବା କଣ୍ଟେନର  ରାସ୍ତା ପାର୍ଶ୍ବରେ ଠିଆହୋଇ ଥିଲା। ସୋମନାଥଙ୍କ ହ୍ୟୁଣ୍ଡାଇ କାର ପଛ ପଟରୁ ଦୃତ ଗତିରେ ଆସି କଣ୍ଟେନରକୁ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ କାରଟି ଚୁରମାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ଉଷାରାଣୀଙ୍କ ମୃତ୍ୟୁ ଘଟିଥିଲା। ସମ୍ପର୍କୀୟ ବବିତା ସିଂଙ୍କୁ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ମୃତ ମହିଳାଙ୍କ କୋଳରେ ଥିବା ଏକ ୫ ବର୍ଷର ଝିଅ ସୁରକ୍ଷିତ ଥିବା ବେଳେ କୋଳରେ ଥିବା ଅନ୍ୟ ଏକ ବର୍ଷକର ଶିଶୁ ସାମାନ୍ୟ ଆହତ ହୋଇଥିଲେ ହେଁ ସୁରକ୍ଷିତ ଥିବା ଜଣାପଡିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ ପରେ ଅଧିକ ତଦନ୍ତ ଜାରି ରଖିଛି।

Comments are closed.