Patra electronics

ଦୀର୍ଘଦିନ ଧରି ଅନୁପସ୍ଥିତ ଥିବା ଅଙ୍ଗନବାଡି କର୍ମୀଙ୍କୁ ପୁଣି ନିଯୁକ୍ତି ଦେବାକୁ ନେଇ ଗ୍ରାମବାସୀଙ୍କ ବିରୋଧ

ଝୁମ୍ପୁରା, : ଝୁମ୍ପୁରା ବ୍ଲକ ନାରଦପୁର ପଞ୍ଚାୟତର ବଳରାମପୁର ଅଙ୍ଗନବାଡି କେନ୍ଦ୍ରର କର୍ମୀ କୌଣସି କାରଣ ନଥାଇ ଦେଢବର୍ଷ କେନ୍ଦ୍ରରେ ଅନୁପସ୍ଥିତ ରହିଥିଲେ । ସେହି କର୍ମୀଙ୍କୁ ପୁଣିଥରେ ସିଡିପିଓ ନିଯୁକ୍ତି ଦେଇଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରିବା ସହିତ ଅଙ୍ଗନବାଡି କେନ୍ଦ୍ର ପରିସର ମଧ୍ୟରେ ସୋମବାର ଦିନ ଧାରଣ ଦେଇଥିବା ଦେଖିବାକୁ ମିଳିଥିଲା । ବଳରାମପୁର ଅଙ୍ଗନବାଡି କେନ୍ଦ୍ରରେ ଉକ୍ତ ଗ୍ରାମର ସରସ୍ୱତୀ ମୁଣ୍ଡା ଅଙ୍ଗନବାଡି କର୍ମୀ ଭାବରେ କାର୍ଯ୍ୟକରି ଆସୁଥିଲେ । କିନ୍ତୁ ସେ ୧୯.୮.୨୦୨୦ ରେ ଝୁମ୍ପୁରା ସିଡିପିଓଙ୍କୁ କିଛି ନଜଣାଇ ଅନ୍ୟତ୍ର ଚାଲିଯାଇ ଜଣେ ଯୁବକଙ୍କୁ ବିବାହ କରିଥିବା ସୂଚନା ମିଳିଥିଲା ।

ସେହି ଦିନ ଠାରୁ ଅଙ୍ଗନବାଡି କେନ୍ଦ୍ରକୁ ସେଠାକାର ସହାୟିକା ପରିଚାଳନା କରି ଆସୁଥିଲେ । ଅଙ୍ଗନବାଡି କେନ୍ଦ୍ରର କର୍ମୀଙ୍କୁ ବିଭାଗ ୨ ଥର ଚିଠି କରିଥିଲେ ମଧ୍ୟ ସରସ୍ୱତୀ ମୁଣ୍ଡା କାର୍ଯ୍ୟରେ ଯୋଗଦାନ କରିନଥିଲେ । ଗ୍ରାମବାସୀ ଗ୍ରାମରେ ରହିଥିବା ଅଙ୍ଗନବାଡି କେନ୍ଦ୍ର ନିମନ୍ତେ ନୂତନ ଭାବରେ କର୍ମୀ ନିଯୁକ୍ତି କରିବା ପାଇଁ ସିଡିପିଓ ଠାରୁ ଆରମ୍ଭ କରି ଚମ୍ପୁଆ ଉପ ଜିଲାପାଳ, ଏପରିକି ଜିଲାପାଳଙ୍କୁ ମଧ୍ୟ ଅବଗତ କରିଥିଲେ । ଗ୍ରାମବାସୀ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏହି କେନ୍ଦ୍ର ନିମନ୍ତେ ନୂତନ ଅଙ୍ଗନବାଡି କର୍ମୀ ନିଯୁକ୍ତି କରିନଥିଲେ । ସିଡିପିଓ ଉକ୍ତ କେନ୍ଦ୍ର ପାଇଁ ପୂର୍ବରୁ ନିଯୁକ୍ତି ପାଇଥିବା ସରସ୍ୱତୀଙ୍କୁ ପୁଣିଥରେ ଚଞ୍ଚକତା କରି ନିଯୁକ୍ତି ଦେଇଥିବାରୁ ଗ୍ରାମବାସୀମାନେ ଅଭିଯୋଗ କରିବା ସହ ଏହାକୁ ଘୋର ବିରୋଧ କରି ଉକ୍ତ କର୍ମୀଙ୍କୁ କେନ୍ଦ୍ରକୁ ପୂରାଇ ନଦେବା ପାଇଁ ଅଙ୍ଗନବାଡି କେନ୍ଦ୍ର ପରିସର ମଧ୍ୟରେ ଧାରଣା ଦେଇଥିଲେ ।

ଗ୍ରାମବାସୀ ଅଙ୍ଗନବାଡି କେନ୍ଦ୍ର ପରିସର ମଧ୍ୟରେ ଧାରଣା ଦେଇଥିବା ଖବର ପାଇ ଗୁମୁରା ସେକ୍ଟର ମହିଳା ପରିଦର୍ଶିକା ମାନସୀ ଦାସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ । ମହିଳା ପରିଦର୍ଶିକା ଗ୍ରାମବାସୀଙ୍କୁ ଏ ସମ୍ପର୍କରେ ସିଡିପିଓ ଓ ଊପ ଜିଲାପାଳଙ୍କ ସହିତ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେବାସହ, ଏହି କେନ୍ଦ୍ର ପାଇଁ ନୂତନ କର୍ମୀ ଚୟନ କରାଯିବ ବୋଲି କହିବା ପରେ ଗ୍ରାମବାସୀ ଧାରଣାରୁ ଓହରିଥିଲେ ।

Comments are closed.