ଅନଶନରୁ ଓହରିଲେ କେଜରିୱାଲ
ନୂଆଦିଲ୍ଲୀ : ଅନେକ ବାଦ ବିବାଦ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଅନ୍ୟ ମନ୍ତ୍ରୀମାନେ ଉପରାଜ୍ୟପାଳ ଅନିଲ ବୈଜାଲଙ୍କ ବାସଭବନରେ ଚଳାଇଥିବା ଅନଶନରୁ ଓହରିଛନ୍ତି। କେଜରିୱାଲ ଓ ଅନ୍ୟ ମନ୍ତ୍ରୀମାନେ ନବମ ଦିନରେ ଅନଶନରୁ ଓହରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କେଜରିୱାଲଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ, ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଓ ଉନ୍ନୟନ ମନ୍ତ୍ରୀ ଗୋପାଳ ରାୟ ଦୀର୍ଘ ୯ ଦିନ ଧରି ଉପରାଜ୍ୟପାଳଙ୍କ ଘରେ ଅନଶନ ଚଳାଇଥିଲେ। ଦିଲ୍ଲୀର ଆଇଏଏସ୍ ଅଫିସରମାନେ ଚଳାଇଥିବା ଧର୍ମଘଟର ଅବସାନ ଘଟାଇବାକୁ ଉପରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କରି ସେମାନେ ଅନଶନରେ ବସିଥିଲେ। ରବିବାର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବଂ ସୋମବାର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହା ପୂର୍ବରୁ ସେମାନେ ଏକ ପତ୍ର ଲେଖି ଉପରାଜ୍ୟାପାଳଙ୍କ ଉପସ୍ଥିତିରେ ଆଇଏସ୍ ଅଧିକାରୀଙ୍କ ସହ ବୈଠକ କରିବାକୁ ଦାବି କରିଥିଲେ। ମଙ୍ଗଳବାର ଉପରାଜ୍ୟପାଳ ଅନିଲ ବୈଜାଲ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ଯେ ସେ ତତ୍କାଳ ସଚିବାଳୟରେ ଅଧିକାରୀଙ୍କ ସହ ବୈଠକ କରନ୍ତୁ। ସେ ଉକ୍ତ ବୈଠକରେ ଉପସ୍ଥିତ ରହି ଉଭୟ ପକ୍ଷ (କେଜେରିୱାଲ ଏବଂ ଆଇଏସ୍ ଅଫିସର)ଙ୍କ ମଧ୍ୟରେ ରହିଥିବା ମତଭେଦକୁ ଦୂର କରିବେ। ଏହାପରେ ଅରବିନ୍ଦ କେଜରିୱାଲ ଓ ଅନ୍ୟ ମନ୍ତ୍ରୀମାନେ ଅନଶନରୁ ଓହରିବା ନେଇ ଘୋଷଣା କରିଥିଲେ। ଏପଟେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଲିଖିତ ସୁରକ୍ଷା ପ୍ରତିଶ୍ରୁତି ପରେ ଆଇଏସ୍ ଅଧିକାରୀମାନେ ସକରାତ୍ମକ ଭାବ ପ୍ରଦର୍ଶନ କରିଛନ୍ତି। ଫଳରେ ଦିଲ୍ଲୀ ସରକାର ଏବଂ ଆଇଏସ୍ ଅଧିକାରୀଙ୍କ ମଧ୍ୟରେ ଜାରି ରହିଥିବା ଅଚଳାବସ୍ଥା ଦୂର ହେବାକୁ ଯାଉଛି ବୋଲି କୁହାଯାଉଛି।