ଜୁଭେନାଇଲ କ୍ଲବର ସଫଳତା-ଓଡ଼ିଶା ରଣଜୀ ଦଳରେ ଦୁଇ କ୍ରିକେଟର
କଟକ : ବିସିସିଆଇର ପ୍ରମୁଖ ଘରୋଇ ତଥା ପ୍ରଥମଶ୍ରେଣୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି ଜାନୁଆରୀ ୫ରୁ ଆରମ୍ଭ ହେବାକୁ ଯାଉଛି। ୨୦୨୩-୨୪ ଋତୁର ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଏଲିଟ୍ ଗ୍ରୁପ୍ ‘ଡି’ରେ ରହିଛି। ଜାନୁଆରୀ ୫ରେ ଘରୋଇ ବରୋଦା ବିପକ୍ଷରେ ମୋତିବାଗ ଷ୍ଟାଡିୟମ୍ରେ ପ୍ରଥମ ମ୍ୟାଚ୍ ଖେଳିବା ପରେ ୧୨ରୁ ଘରୋଇ ମଧ୍ୟପ୍ରଦେଶ ବିପକ୍ଷରେ ଇନ୍ଦୋରରେ ଓଡ଼ିଶା ୨ୟ ମ୍ୟାଚ୍ ଖେଳିବ।
ଏହି ୨ଟି ମ୍ୟାଚ୍ ଲାଗି ଓଡ଼ିଶାର ରଣଜୀ ଟ୍ରଫି ଦଳ ଘୋଷଣା କରାଯାଇଛି। ଦଳରେ କଟକ ଜୁଭେନାଇଲ କ୍ରିକେଟ କ୍ଲବର ଦୁଇ ଖେଳାଳି ଆଶୀର୍ବାଦ ସ୍ବାଇଁ ଓ ସୁମିତ ଶର୍ମା ସ୍ଥାନ ପାଇଛନ୍ତି। ବାମହାତୀ ସ୍ପିନର ସୁମିତ ଓ ବ୍ୟାଟସମ୍ୟାନ ଆଶୀର୍ବାଦ ସ୍ବାଇଁ ଜୁନିୟର କ୍ରିକେଟରେ ଭଲ ପ୍ରଦର୍ଶନ କରି ସିନିୟର ରଣଜୀ ଦଳରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। ସେହିପରି କ୍ଲବର ଅନ୍ୟ ଦୁଇ ଖେଳାଳି ବ୍ୟାଟ୍ସମ୍ୟାନ ସାଇଦୀପ୍ ମହାପାତ୍ର ଓ ଅନୀଲ ପରିଡ଼ା ୨୩ ବର୍ଷରୁ କମ୍ କର୍ନେଲ ସିକେ ନାଇଡୁ ଟ୍ରଫି ଖେଳିବା ଲାଗି ଓଡ଼ିଶା ଦଳରେ ସ୍ଥାନ ପାଇଛନ୍ତି।
ଓଡ଼ିଶା ରଣଜୀ ଦଳରେ ସ୍ଥାନ ପାଇଥିବା ଆଶୀର୍ବାଦ ସ୍ବାଇଁ ଓ ସୁମିତ ଶର୍ମାଙ୍କ ସହ ସିକେ ନାଇଡୁ ଟ୍ରଫି ଲାଗି ଓଡ଼ିଶା ଦଳରେ ସ୍ଥାନ ପାଇଥିବା ସାଇଦୀପ୍ ମହାପାତ୍ର ଓ ଅନୀଲ ପରିଡ଼ାଙ୍କୁ କ୍ଲବର କର୍ମକର୍ତ୍ତା ଶୁଭେଚ୍ଛା ଜଣାଇବା ସହ ସଫଳତା କାମନା କରିଛନ୍ତି।
Comments are closed.