ଜଙ୍ଗଲ ନିଆଁ: ଅଣାୟତ୍ତ ହେବା ଆଗରୁ ପ୍ରତିକାର ଆବଶ୍ୟକ

ଭୁବନେଶ୍ବର : ନିଆଁର ଆଁରେ ଜଙ୍ଗଲ। ଖରା ଆରମ୍ଭରୁ ଜଳିଲାଣି। ମୟୂରଭଞ୍ଜ, ସୁନ୍ଦରଗଡ଼଼, ରାୟଗଡ଼଼ା, ବୌଦ୍ଧର ଜାମୁଖୋଲ, ବାଲେଶ୍ବର ଜିଲା ନୀଳଗିରିର ସ୍ବର୍ଣ୍ଣଚୂଡ଼ ବନାଞ୍ଚଳ ଜଳୁଛି। ଧୀରେ ଧୀରେ ଉଗ୍ର ରୂପ ଧାରଣ କରୁଛି। ଜନବସତି ଆଡ଼କୁ ମୁହାଁଇଲାଣି। ହେକ୍ଟର ହେକ୍ଟର ଅଞ୍ଚଳ ଜଳି ପୋଡ଼ି ପାଉଁଶ। ରାଜ୍ୟର ବିଭିନ୍ନ ଜିଲାର ପ୍ରାୟ ୩୦୦ରୁ ଅଧିକ ସ୍ଥାନରେ ବନାଗ୍ନି। ସରକାରୀ ତଥ୍ୟ ଅନୁସାରେ ଦେଶରେ ଦ୍ୱିତୀୟ ସ୍ଥାନରେ ଓଡ଼ିଶାର ଜଙ୍ଗଲ ନିଆଁ। ବନାଗ୍ନି ଫଳରେ ଯେଉଁ ଜୈବ ବିବିଧତା ନଷ୍ଟ ହେଉଛି ପରିଶେଷରେ ଅଙ୍ଗାରକାମ୍ଳ ଶୋଷଣର କ୍ଷମତା କମୁଛି, ମୃତ୍ତିକା କ୍ଷୟ ସାଙ୍ଗକୁ ମୃତ୍ତିକାର ଉର୍ବରତା ହ୍ରାସ ପାଉଛି। ଏହାଦ୍ୱାରା ଜଳବାୟୁରେ ବିଭ୍ରାଟ ଦେଖାଦେବା ସାଙ୍ଗକୁ ପରିବେଶ ଅସୁରକ୍ଷିତ ହୋଇପଡ଼ୁଛି। ଜଳବାୟୁର ଆର୍ଦ୍ରତା ଓ ପବନର ବେଗ ଉପରେ ପ୍ରାକୃତିକ ବନାଗ୍ନି ନିର୍ଭର କରିଥାଏ।
ଓଡ଼ିଶାରେ ୧୯୮୮ ପ୍ରଣୀତ ଜାତୀୟ ଜଙ୍ଗଲ ନୀତିରେ ଜଙ୍ଗଲ ନିଆଁ କୁ ରୋକିବା ସହ ଏହାକୁ ପରିଚାଳନା ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସବିଶେଷ ମାର୍ଗଦର୍ଶିକା ରହିଛି। ସାମ୍ପ୍ରତିକ ସୂଚନା ପ୍ରଯୁକ୍ତିର ଜ୍ଞାନକୌଶଳ ଦ୍ୱାରା ଜଙ୍ଗଲ ନିଆଁ ଉପରେ ରୋକ୍ ଲଗାଇବା ସହ କେନ୍ଦ୍ର ସରକାର ୨୦୦୦ ମସିହାରେ ଏ ନେଇ କିଛି ନିୟମ ଜାରି କରିଛନ୍ତି। ସେହିପରି ଭାରତୀୟ ଜଙ୍ଗଲ ଆଇନରେ ଜଙ୍ଗଲରେ ନିଆଁ ଲଗାଇବା ଏକ ଦଣ୍ଡନୀୟ ଅପରାଧ ଭାବେ କଡ଼ାକଡ଼ି ଉଲ୍ଲେଖ ରହିଛି। ଏଥିରେ ଜଙ୍ଗଲ ଉପରେ ନିର୍ଭରଶୀଳ ସ୍ଥାନୀୟ ଲୋକଙ୍କୁ ଜଙ୍ଗଲ ନିଆଁ ରୋକିବା ପାଇଁ ସାମିଲ କରିବାକୁ ବ୍ୟବସ୍ଥା ରହିଛି। ଜଙ୍ଗଲ ପୋଡ଼ି ରୋକିବାକୁ ଓଡ଼ିଶା ଜଙ୍ଗଲ ଅଧିନିୟମ ୧୯୭୯ ବିଶେଷ ଭାବେ ପ୍ରସ୍ତୁତ ହୋଇଛି। ଏଥିରେ ସଂରକ୍ଷିତ ଓ ଖୋଲା ଜଙ୍ଗଲରେ ନିଆଁ ଲଗାଇବାକୁ ସମ୍ପୂର୍ଣ୍ଣ ନିଷେଧ କରାଯିବା ସହ ଜଙ୍ଗଲ ପାଖରେ ନିଆଁର ବ୍ୟବହାର ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଓଡ଼ିଶା ଜଙ୍ଗଲ (ସଂଶୋଧନ) ଆଇନ ୨୦୦୧ର ୨୭ ଧାରାର ଉପଧାରା (କ)୧ ରେ ଜଙ୍ଗଲରେ ନିଆଁ ଲଗାଇବା ଓ ଜଳନ୍ତା ନିଆଁକୁ ଛାଡ଼ି ଆସିବା ଭଳି କାର୍ୟ୍ୟ କଲେ ଜେଲ ଓ େଜାରିମାନାର ବ୍ୟବସ୍ଥା ମଧ୍ୟ ରହିଛି। ଜଙ୍ଗଲରେ କୌଣସି କାରଣ ବଶତଃ ଅଗ୍ନି ଦେଖାଯିବା ମାତ୍ରେ ନିକଟସ୍ଥ ଗ୍ରାମଗୋଷ୍ଠୀକୁ ସୂଚିତ କରାଇବା ଦ୍ୱାରା ସେମାନେ ନିଆଁ ଲିଭାଇବାକୁ ଉଦ୍ୟମ କରିବା, ଗ୍ରାମରେ ଆଇନ କରି ଜଙ୍ଗଲ ନିଆଁ ଆଇନ ଉଲ୍ଲଂଘନକାରୀଙ୍କୁ ଦଣ୍ଡିତ କରିବା, ଶିକାର, ଲଘୁବନଜାତ ଦ୍ରବ୍ୟ ସଂଗ୍ରହ, ଫସଲ ସୁରକ୍ଷା, ପୋଡ଼ୁଚାଷ ପାଇଁ ନିଆଁର ବ୍ୟବହାରକୁ ନିଷିଦ୍ଧ କରିବା ସକାଶେ କ୍ଷମତା ପ୍ରଦାନ କରାଯାଇଛି।
ଆମ୍ଭେମାନେ ପ୍ରକୃତିଦତ୍ତ ଜଙ୍ଗଲ ସମ୍ପଦ ନଷ୍ଟ କରୁଥିବାରୁ ପ୍ରାକୃତିକ ବିପର୍ୟ୍ୟୟକୁ ସାମ୍ନା କରୁଛୁ। କେବଳ ଭାରତରେ ନୁହେଁ, ଭୟାବହ ଜଙ୍ଗଲ ନିଆଁ, ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଅପୂରଣୀୟ କ୍ଷତି କରୁଛି। ବହୁ ବିଳମ୍ବରେ ହେଲେ ବି ଭାରତରେ ଅତ୍ୟାଧୁନିକ ବ୍ୟବସ୍ଥା ଏଆଇ ମାଧ୍ୟମରେ ଜଙ୍ଗଲ ନିଆଁକୁ ଆୟତ୍ତ କରିବାର ବ୍ୟବସ୍ଥା କାର୍ୟ୍ୟକାରୀ କରାଯାଉଛି। ବିଭିନ୍ନ କାରଣରୁ ଓଡ଼ିଶାର ଜଙ୍ଗଲରେ ନିଆଁ ଲାଗୁଛି। ତେବେ ଜଙ୍ଗଲ ନିଆଁକୁ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଯଥେଷ୍ଟ ହୋଇପାରୁନାହିଁ। କେବଳ ଯେ ବନ ବିଭାଗ ଉପରକୁ ଦୋଷ ଠେଲିଦେଇ ହାତ ଝାଡ଼ି ବସିଲେ ହେବନି। ଆମ୍ଭେମାନେ ବନାଗ୍ନି ପ୍ରତିହତ ପାଇଁ ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା ଆବଶ୍ୟକ।
କମଳଲୋଚନ ପଣ୍ଡା, ନୀଳଗିରି, ବାଲେଶ୍ବର
ପାନୀୟଜଳ ବଣ୍ଟନ ହେଉ
ଗ୍ରୀଷ୍ମପ୍ରବାହ ଅଧିକ ହେଉଥିବାରୁ ରାସ୍ତାପାର୍ଶ୍ବରେ ଦହିପାଣି, ଲେମ୍ବୁପାଣି ଏବଂ ଥଣ୍ଡାପାଣିରେ ବରଫ ପକାଇ ବଣ୍ଟନ ବ୍ୟବସ୍ଥା କରାଯାଉ। ଗାଈଗୋରୁଙ୍କ ପାଇଁ କୁଣ୍ଡରେ ପାଣି ରଖିବା ବ୍ୟବସ୍ଥା ହେଉ। ବାଟୋଇମାନେ ଖରାଦାଉରୁ ରକ୍ଷା ପାଇବାପାଇଁ ସହାୟକ ହେବ। ବୃଦ୍ଧ-ବୃଦ୍ଧା, ସ୍କୁଲପିଲା ଏବଂ ରୋଗୀମାନେ ସାଙ୍ଗରେ ପାଣିବୋତଲ ନେଇ ବାହାରକୁ ବାହାରିବା ଆବଶ୍ୟକ।
ରମେଶ ଚନ୍ଦ୍ର ବେହେରା, ଆୟତପୁର, କଟକ
Comments are closed.