ଜାପାନୀଙ୍କ ଦୀର୍ଘାୟୁ ପଛର କାରଣ !
ଜାପାନର ସଂଖ୍ୟାଧିକ ଲୋକେ ଦୀର୍ଘାୟୁ। ଏହା ପଛର ପ୍ରମୁଖ କାରଣ ହେଲା ସେମାନଙ୍କ ଜୀବନଶୈଳୀ। ଆଜି ପର୍ୟ୍ୟନ୍ତ ସେମାନେ ପୁରାତନ ପଦ୍ଧତିକୁ ଆପଣେଇ ଆଗେଇବାରେ ଲାଗିଛନ୍ତି। ସ୍ଥାନୀୟ ଜାପାନୀ ଲେଖକ ‘ଆୱେକନିଙ୍ଗ ଇୟାର ଇକିଗୋଇ’ ଏକ ପୁସ୍ତକ ଲେଖିଛନ୍ତି। ଜାପାନୀ ଭାଷାରେ ଇକିଗୋଇର ଅର୍ଥ ହେଉଛି ଜୀବନରେ ନିଜର ଲକ୍ଷ୍ୟ। ଜାପାନ ଲୋକେ ସକାଳୁ ଉଠିବା ପରେ କ’ଣ କରନ୍ତି। ଯେଉଁ କାରଣରୁ ପୂରା ଦିନ ସେମାନଙ୍କର ହସଖୁସିରେ ଅତିବାହିତ ହୋଇଥାଏ।
ସକାଳୁ ଶଯ୍ୟା ତ୍ୟାଗ ପରେ ସେମାନେ ନିଜ ମନ ପସନ୍ଦର କାମ ହିଁ କରନ୍ତି। ଏ ସମ୍ପର୍କରେ ୯୧ ବର୍ଷୀୟା ଜିନ୍ ତୁ କହିଛନ୍ତି, ଘରର ଅନ୍ୟ ସଦସ୍ୟଙ୍କୁ ସେମାନଙ୍କ ସହ ତାଳ ଦେଇ ଚାଲିବା ପାଇଁ ବାଧ୍ୟ କରାଯାଏ ନାହିଁ। ବରଂ ସମସ୍ତଙ୍କୁ ଯଥା ସ୍ବାଧୀନତା ମିଳିଥାଏ। ସେଠାରେ ବୟସ୍କ ଲୋକେ ମଧ୍ୟ ନିଜ କାମ ନିଜେ କରିବାକୁ ପ୍ରାଧାନ୍ୟ ଦେଇଥାନ୍ତି। ଯେଉଁଥିପାଇଁ ସେମାନେ କର୍ମତତ୍ପର ରହିଥାନ୍ତି। ସେମାନଙ୍କର ଅନ୍ୟ ପ୍ରିୟ କାମ ହେଉଛି ସକାଳ ଜଳଖିଆକୁ ମନଭରି ଖାଇବା। ବିଶେଷଜ୍ଞଙ୍କ ମତରେ ବିଶ୍ବର ଯେ କୌଣସି ପ୍ରାନ୍ତରେ ଥାଆନ୍ତୁ ନା କାହିଁକି, ନିଜ ମନପସନ୍ଦର ଜଳଖିଆ ମିଳିଗଲେ, ମସ୍ତିଷ୍କରୁ ଡୋପାମାଇନ୍ ନାମକ ତତ୍ତ୍ବ ବାହାରିଥାଏ। ଏହା ହିଁ ପୂରାଦିନ ଆମକୁ ଖୁସି ଓ ଚଳଚଞ୍ଚଳ ରଖେ।
ଏଭଳି ଆଦୌ ନୁହେଁ ଯେ ଜାପାନୀଲୋକେ ସକାଳୁ ଉଠିବା ମାତ୍ରେ ବ୍ୟାୟାମ କିମ୍ବା ଯୋଗାଭ୍ୟାସ କରନ୍ତି। ବରଂ ଅଧିକାଂଶ ଜାପାନ ବାସିନ୍ଦା ସକାଳବେଳା ସ୍ଥାନୀୟ ଜାପାନୀ ସତରଞ୍ଜ ଖେଳିବାକୁ ପସନ୍ଦ କରୁଥିବାର ଦେଖାଯାଇଛି। ଏସବୁ ମନପସନ୍ଦର କାମ କଲେ ତାଙ୍କ ଦିନଟି ସ୍ବାଭାବିକ ଠାରୁ ଅଧିକ ଭଲ ଭାବେ ଅତିବାହିତ ହୋଇଥାଏ।