ମହାକାଶଯାନରୁ ଜରୁରୀ ଅବତରଣ ସମ୍ଭବ : ଡେମୋ ଦେଖାଇଲା ଇସ୍ରୋ

0

ନୂଆଦିଲ୍ଲୀ: ୨୦୧୮ ଜୁଲାଇ ୫ ଇସ୍ରୋ ପାଇଁ ଏକ ଐତିହାସିକ ଦିନ ଭାବେ ପ୍ରମାଣିତ ହୋଇଛି। କାରଣ ମହାକାଶ ବିଜ୍ଞାନରେ ଇସ୍ରୋକୁ ଆଜି ମିଳିଛି ଏକ ବଡ଼ ସଫଳତା। ଆଜିର ଦିନରେ “କ୍ରୁ ଏସକେପ୍‍ ସିଷ୍ଟମ୍‍’ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥାର ଡେମୋ ଦେଖାଇଛି ଇସ୍ରୋ। ଶ୍ରୀହରିକୋଟାସ୍ଥିତ ଇସ୍ରୋର ଶତିଶ ଧାୱନ ମହାକାଶ ବିଜ୍ଞାନ କେନ୍ଦ୍ରର ଲଞ୍ଚ ପ୍ୟାଡ଼ରୁ ଲଞ୍ଚ ହୋଇଥିବା ଏକ ମହାକାଶ ଯାନରୁ ଏଭଳି ବ୍ୟବସ୍ଥାକୁ ସଫଳତାର ସହ ସମ୍ପାଦିତ କରିଛି ଇସ୍ରୋ।
“କ୍ରୁ ଏସକେପ୍‍ ସିଷ୍ଟମ’ କ’ଣ?
ଯେ କୌଣସି ଯୁଦ୍ଧ ବିମାନରେ ହଠାତ୍‍ ଅଗ୍ନିକାଣ୍ଡ ହେଲେ କିମ୍ବା ବିମାନଟି ନିୟନ୍ତ୍ରଣ ହରାଇଲେ “କ୍ରୁ ଏସକେପ ସିଷ୍ଟମ’ ଦ୍ୱାରା ପାଇଲଟ ଓ ଅନ୍ୟାନ୍ୟ ଯାତ୍ରୀ ସଫଳତାର ସହ ବିମାନରୁ ବାହାରିବାର ବ୍ୟବସ୍ଥାକୁ କ୍ରୁ ଏସକେପ ସିଷ୍ଟମ କୁହାଯାଇ ଥାଏ। ଆଜିର ଯୁଗରେ ପ୍ରାୟ ସମସ୍ତ ଯୁଦ୍ଧ ବିମାନରେ ଏଭଳି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଛି। ହେଲେ ପ୍ରଥମ ଥର ପାଇଁ ଇସ୍ରୋ ମହାକାଶ ଯାନରେ ଏଭଳି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛି। ମହାକାଶ ଯାନରେ ହଠାତ୍‍ ନିଆଁ ଲାଗିଗଲେ କିମ୍ବା ନିୟନ୍ତ୍ରଣ ହରାଇଲେ ଏହି ବ୍ୟବସ୍ଥା ଦ୍ୱାରା ଯାନରେ ଥିବା ଯାତ୍ରୀ ସୁରକ୍ଷିତ ବାହାରକୁ ବାହାରି ପାରିବେ। ଏକ ନିର୍ଦ୍ଦିଷ୍ଟ ଚୌକିରେ ନିଜକୁ ବାନ୍ଧି “କ୍ରୁ ଏସକେପ ସିଷ୍ଟମ’କୁ କାର୍ଯ୍ୟକାରୀ କରାଯାଇ ଥାଏ। ଏହା ଦ୍ୱାରା ଯାତ୍ରୀ ମହାକାଶ ଯାନରୁ ସୁରକ୍ଷିତ ବାହାରକୁ ବାହାରି ଆସିଥାଏ। ଫଳରେ ମହାକାଶ ଯାନରେ ବିସ୍ଫୋରଣ ହେଲେ ମଧ୍ୟ ଯାତ୍ରୀ ସୁରକ୍ଷିତ ରହିଥାଏ।
ଯୁଦ୍ଧ ବିମାନରେ ଏଭଳି ବ୍ୟବସ୍ଥା ପ୍ରଚଳନ ହେଉଥିଲେ ମଧ୍ୟ ମହାକାଶ ଯାନରେ ଏଭଳି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଇସ୍ରୋ ପାଇଁ ବଡ଼ ଚ୍ୟାଲେଞ୍ଚ ପାଲଟିଥିଲା। କାରଣ ଯୁଦ୍ଧ ବିମାନ ବାୟୁମଣ୍ଡଳ ମଧ୍ୟରେ ଉଡ଼ୁଥିବାବେଳେ ମହାକାଶ ଯାନ ବାୟୁମଣ୍ଡଳ ବାହାରକୁ ଚାଲିଯାଇ ଥାଏ। ଏଭଳି କ୍ଷେତ୍ରରେ କେବଳ ଯାତ୍ରୀକୁ ସୁରକ୍ଷିତ ବାହାରକୁ ଆଣିବା ବ୍ୟତୀତ ଉକ୍ତ ବ୍ୟକ୍ତିଙ୍କୁ ଅମ୍ଳଜାନ ଯୋଗାଇବା ଓ ଯାତ୍ରୀଙ୍କୁ ସୁରକ୍ଷିତ ପୃଥିବୀ ପୃଷ୍ଠରେ ଅବତରଣ କରାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି। ଏସବୁ ଦିଗରେ ଦୀର୍ଘ ଦିନ ଧରି ଇସ୍ରୋ ଗବେଷଣା ଜାରି ରଖିଥିଲା।

ଏହି ପରୀକ୍ଷାକୁ ଚୂଡ଼ାନ୍ତ କରିବା ପାଇଁ ଆଜି ସତିଶ ଧୱନ ଲଞ୍ଚ ପ୍ୟାଡ଼ରୁ ସକାଳ ୭ଟାରେ ମହାକାଶ ଯାନକୁ ଉତ୍‍କ୍ଷେପଣ କରାଯାଇ ଥିଲା। ୨୫୯ସେକେଣ୍ଡ ମଧ୍ୟରେ ଏହି ପରୀକ୍ଷାକୁ କାର୍ଯ୍ୟକାରୀ କରାଯାଇ ଥିଲା। ୧୨.୬ଟନ ଓଜନ ବିଶିଷ୍ଟ ମହାକାଶ ଯାନରେ ବିସ୍ଫୋରଣ ହେବା ପୂର୍ବରୁ ଏଥିରେ ଥିବା ଡେମୋ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇ ବଙ୍ଗୋପସାଗର ଉପରେ ଅବତରଣ କରାଯାଇ ଥିଲା। ଯାତ୍ରୀଙ୍କ ଚୌକିରେ ଖଞ୍ଜା ଯାଇଥିବା ଏକ ମୋଟର ଯାତ୍ରୀଙ୍କୁ ମହାକାଶ ଯାନଠାରୁ ସୁରକ୍ଷିତ ଦୂରତାକୁ ନେଇ ଯାଇଥିଲା।

Leave A Reply