ଗାନ୍ଧିଜୀ ଓ ଅନ୍ୟାନ୍ୟ ବରପୁତ୍ରଙ୍କ ଉପରେ ବୃତ୍ତଚିତ୍ର ପ୍ରଦର୍ଶିତ, ଦେଶାତ୍ମବୋଧକ ସଂଗୀତ ପରିବେଷଣ
ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ବିବିଧ କାର୍ଯ୍ୟକ୍ରମ
ଭୁବନେଶ୍ୱର: ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନ ପ୍ରେକ୍ଷାଳୟରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଓଡ଼ିଶାର ବରପୁତ୍ରମାନଙ୍କ ବିଷୟରେ ଅବଗତ କରାଇବା ଉଦ୍ଦେଶ୍ୟରେ ଆଜି ‘ଓଡ଼ିଶାରେ ଗାନ୍ଧିଜୀ’, ‘ଉତ୍କଳମଣି ଗୋପବନ୍ଧୁ ଦାସ’ ଏବଂ ‘ଶହୀଦ ବାଜିରାଉତ’ ତିନୋଟି ଶୀର୍ଷକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା।
ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନ ଏବଂ ସ୍ୱାଧୀନତା ସଂଗ୍ରାମର ବିଭିନ୍ନ ଘଟଣା ‘ଓଡ଼ିଶାରେ ଗାନ୍ଧିଜୀ’ ବୃତ୍ତଚିତ୍ରରେ ପ୍ରଦର୍ଶିତ ହୋଇଥିଲା। ସେହିପରି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୀବନୀ, ଶହୀଦ ବାଜିରାଉତଙ୍କ ବୀରତ୍ୱର କାହାଣୀକୁ ନେଇ ଅନ୍ୟ ଦୁଇଟି ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ‘ସ୍ୱରସୁଧା’ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସୌରଭ ନାୟକ, ଜୟଶ୍ରୀ ଜ୍ୟୋତିର୍ମୟୀ ସାହୁ, ବର୍ଣ୍ଣାଳି ହୋତା, ଗଣେଶ ମହାରଣା ଓ ସାଥି କଳାକାରମାନେ ଦେଶାତ୍ମବୋଧକ ସଂଗୀତ ପରିବେଷିତ ହୋଇଥିଲା।
ଏହି ବୃତ୍ତଚିତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମରେ ୟୁନିଟ୍-୨ କ୍ୟାପିଟାଲ୍ ବାଳିକା ହାଇସ୍କୁଲ, ମଦର୍ସ ପବ୍ଲିକ୍ ସ୍କୁଲ, ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ୟଙ୍ଗ୍ ଫେନିକ୍ସ ଏବଂ ଓପନ୍ ଲର୍ଣ୍ଣିଂ ସିଷ୍ଟମ ଆଦି ବିଭିନ୍ନ ବିଦ୍ୟାଳୟର ପ୍ରାୟ ୩୦୦ ଛାତ୍ରଛାତ୍ରୀମାନେ ଯୋଗଦେଇ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ସଂପର୍କିତ ଫଟୋ ଓ ତଥ୍ୟକୁ ନେଇ ଗତକାଲିଠାରୁ ଏଠାରେ ଆରମ୍ଭ ହୋଇଥିବା ତିନିଦିନିଆ ଫଟୋଚିତ୍ର ପ୍ରଦର୍ଶନୀକୁ ଛାତ୍ରଛାତ୍ରୀମାନେ ବୁଲି ଦେଖିଥିଲେ। ଆସନ୍ତାକାଲି ଅପରାହ୍ନ ୩ ଘଟିକା ସମୟରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଜୟଦେବ ଭବନଠାରେ ରିଚାର୍ଡ ଆଟେନ୍ବର୍ଗଙ୍କ ‘ଗାନ୍ଧୀ’ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ।
ଆଜିର ଉତ୍ସବରେ ବିଭାଗୀୟ ନିର୍ଦ୍ଦେଶକ ସରୋଜ କୁମାର ସାମଲ, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ସୂର୍ଯ୍ୟରଞ୍ଜନ ମହାନ୍ତି, ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
Comments are closed.