ମୋଦୀ ଜିତିଲେ ଆଉ ସାଧାରଣ ନିର୍ବାଚନ ହେବନି: ଗେହଲଟ
ନୂଆଦିଲ୍ଲୀ : ବିଜେପି ସାଂସଦ ସାକ୍ଷୀ ମହାରାଜଙ୍କ ଉକ୍ତିକୁ ନକରାତ୍ମକ ଢ଼ଙ୍ଗରେ ଦୋହରାଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ‘ନରେନ୍ଦ୍ର ମୋଦୀ ପୁନର୍ବାର ପ୍ରଧାନମନ୍ତ୍ରୀ ହେଲେ ଭବିଷ୍ୟତରେ ଆଉ ସାଧାରଣ ନିର୍ବାଚନ ହେବ ନାହିଁ। କ୍ଷମତାରେ ରହିବା ପାଇଁ ସେ ଯେ କୌଣସି କାର୍ଯ୍ୟ କରିପାରନ୍ତି; ଆବଶ୍ୟକ ହେଲେ ପାକିସ୍ତାନ ସହ ଯୁଦ୍ଧ ମଧ୍ୟ ଲଗାଇ ଦେଇପାରନ୍ତି। ମୋଦୀ ମିଛର ସୌଦାଗର, ମିଛ ପ୍ରଚାର କରିବାରେ ସେ ଧୁରନ୍ଧର। ତାଙ୍କ ଶାସନରେ ଦେଶ ଓ ଗଣତନ୍ତ୍ର ଉଭୟ ବିପଦାପନ୍ନ’ ବୋଲି ଗେହଲଟ କହିଛନ୍ତି। କେବଳ ସେତିକି ନୁହେଁ; ‘ମୋଦୀ ପୁନର୍ବାର ପ୍ରଧାନମନ୍ତ୍ରୀ ହେଲେ ଚୀନ୍ ଓ ରୁଷ୍ ଶାସନ ଶୈଳୀ ଭାରତ ଅନୁସରଣ କରିବ, ସେହି ଢ଼ଙ୍ଗରେ ଭାରତରେ ନିର୍ବାଚନ ହେବ’ ବୋଲି ସେ କହିଛନ୍ତି। ଚୀନ୍ରେ ଗୋଟିଏ ଦସଳର ଶାସନ ଚାଲିଛି ଓ ରୁଷ୍ରେ ନାମକୁ ମାତ୍ର ନିର୍ବାଚନ ହେଉଛି ବୋଲି ଗେହଲଟ ଦର୍ଶାଇଛନ୍ତି।