ଭାରତ-ଆୟରଲାଣ୍ଡ ପ୍ରଥମ ଟ୍ବେଣ୍ଟି-୨୦ ଆଜି
୧୧ ମାସ ପରେ ଦଳକୁ ଫେରିଥିବା ବୁମ୍ରାଙ୍କ ଉପରେ ସମସ୍ତଙ୍କ ନଜର
ଡବ୍ଲିନ୍ : ୱେଷ୍ଟଇଣ୍ଡିଜ୍ଠାରୁ ଟ୍ବେଣ୍ଟି-୨୦ଶୃଙ୍ଖଳା ହାରିବାର ୫ ଦିନ ପରେ ଶୁକ୍ରବାର ଏଠାରେ ଘରୋଇ ଆୟରଲାଣ୍ଡ ବିପକ୍ଷରେ ଭାରତ ୩ ମ୍ୟାଚ୍ର ଶୃଙ୍ଖଳାର ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳାଯିବ । ଟି-୨୦ରେ ଭାରତ ପରୀକ୍ଷା ନିରୀକ୍ଷା ଜାରିରଖିବା ସହ ଏକାଧିକ ଯୁବ ଓ ନବାଗତ ଖେଳାଳିଙ୍କୁ ସୁଯୋଗ ଦେଇଛି । ତେବେ ଏହି ଶୃଙ୍ଖଳାରେ ସମସ୍ତଙ୍କ ନଜର ରହିବ ଯଶପ୍ରୀତ ବୁମ୍ରାଙ୍କ ଉପରେ। ଦୀର୍ଘ ୧୧ ମାସ ପରେ ବୁମ୍ରା ଭାରତୀୟ ଦଳକୁ ଫେରିଛନ୍ତି। ଆୟରଲାଣ୍ଡ ବିପକ୍ଷ ଟ୍ବେଣ୍ଟି୨୦ ଶୃଙ୍ଖଳାରେ ବୁମ୍ରା ଦଳର ନେତୃତ୍ବ ନେବେ। ଗତବର୍ଷ ସେପ୍ଟେମ୍ବରରୁ ବୁମ୍ରା ଖେଳିନାହାନ୍ତି। ମାର୍ଚ୍ଚରେ ତାଙ୍କ ପିଠିରେ ଅେସ୍ତ୍ରାପଚାର କରା ଯାଇଥିଲା। ହେଲେ ବର୍ଷା ବୁମ୍ରାଙ୍କ ପ୍ରତ୍ୟାବର୍ତ୍ତନରେ ପାଣି ପୂରାଇପାରେ। ତାଙ୍କ ବୋଲିଂ ପୂର୍ବ ଭଲି ଶାଣିତ ଅଛି କି ନାହିଁ; ତାହା ଦେଖିବାର କଥା। ଏହି ଶୃଙ୍ଖଳା ଖେଳି ଏସିଆ କପ୍ ଓ ବିଶ୍ବକପ୍ ଖେଳିବା ଲାଗି ବୁମ୍ରା ପ୍ରସ୍ତୁତ ହେବେ। ତେଣୁ ତାଙ୍କ ବୋଲିଂ ଓ ଫିଟ୍ନେସ୍ ଉପରେ ସମସ୍ତଙ୍କ ନଜର ରହିବ।
ଭାରତୀୟ ଦଳରେ ନବାଗତ ଭାବେ ଜିତେଶ ଶର୍ମା ଓ ରିଙ୍କୁ ସିଂହ ସ୍ଥାନ ପାଇଛନ୍ତି। ୱେଷ୍ଟଇଣ୍ଡିଜ୍ରୁ ଯଶସ୍ବୀ ଜୟସୱାଲ, ତିଳକ ବର୍ମା, ଆଭେସ୍ ଶର୍ମା, ମୁକେଶ କୁମାର, ଅର୍ଶଦୀପ ସିଂହ ଓ ସଞ୍ଜୁ ସାମ୍ସନ ଇଣ୍ଡିଜ୍ରୁ ଯାଇ ଆୟରଲାଣ୍ଡରେ ପହଞ୍ଚିଛନ୍ତି। ପୁଣି ଶିବମ୍ ଦୁବେ, ପ୍ରସିଦ୍ଧ କ୍ରିଷ୍ଣା ଓ ୱାଶିଂଟନ ସୁନ୍ଦର ଦୀର୍ଘ ଦିନ ପରେ ଟ୍ବେଣ୍ଟି୨୦ ଦଳକୁ ଫେରିଛନ୍ତି। ଆକଳନ କରାଯାଉଛି ଯେ ଆୟରଲାଣ୍ଡକୁ ଭାରତ ସହଜରେ ପରାସ୍ତ କରିପାରିବ। ଅଦ୍ୟାବଧି ଉଭୟ ଦଳଙ୍କ ମଧ୍ୟରେ ୫ଟି ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳାଯାଇଛି। ୨୦୧୯ ବିଶ୍ବକପ୍ରେ ଭାରତ ୮ ୱିକେଟରେ ଜିତିଥିଲା। ୨୦୧୮ ଓ ୨୦୨୨ ଆୟରଲାଣ୍ଡ ଗସ୍ତରେ ଭାରତ ୨ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି୨୦ ଶୃଙ୍ଖଳାକୁ ପୋଛି ନେଇଥିଲା। ନିକଟରେ ଭାରତକୁ ଟ୍ବେଣ୍ଟି୨୦ ଶୃଙ୍ଖଳା ଖେଳିବାର ନାହିଁ। ତେଣୁ ଏହି ଶୃଙ୍ଖଳାରେ ଭାରତୀୟ ଯୁବ ଖେଳାଳି ଭଲ ପ୍ରଦର୍ଶନ କରି ଆସନ୍ତାବର୍ଷ ହେବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍ ପାଇଁ ଦାବି ଉପସ୍ଥାପନ କରିବେ। ଭାରତ ପାଇଁ ଯଶସ୍ବୀ ଜୟସୱାଲ ଓ ଉପଅଧିନାୟକ ଋତୁରାଜ ଗାଏକ୍ୱାଡ୍ ଇନିଂସ ଓପନ୍ କରିବେ। ମଧ୍ୟକ୍ରମରେ ତିଳକ ବର୍ମା, ରିଙ୍କୁ ସିଂହ, ଶିବମ୍ ଦୁବେ ଖେଳିବେ। ୱିକେଟ୍ ରକ୍ଷକ ସ୍ଥାନ ପାଇଁ ସଞ୍ଜୁ ସାମ୍ସନ ଓ ଜିତେଶ ଶର୍ମାଙ୍କ ମଧ୍ୟରେ ମୁକାବିଲା ହେବ। ପୁଣି ଅଲ୍ରାଉଣ୍ଡର ଭାବେ ୱାଶିଂଟନ ସୁନ୍ଦର ଓ ଶାହ୍ବାଜ ଅହମ୍ମଦଙ୍କ ମଧ୍ୟରୁ ଜଣେ ଖେଳିପାରନ୍ତି। ସ୍ପିନର ଭାବେ ରବି ବିଷ୍ଣୋଇ ଖେଳିବେ। ପେସ୍ ବୋଲର ଭାବେ ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା ଓ ବୁମ୍ରା ଖେଳିବେ। ଆୟରଲାଣ୍ଡ ଦଳରେ ମଧ୍ୟ ଭଲ ଟ୍ବେଣ୍ଟି୨୦ ଖେଳାଳି ଅଛନ୍ତି। ଅଧିନାୟକ ପଲ୍ ଷ୍ଟର୍ଲିଂ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍। ତାଙ୍କୁ ଛାଡ଼ି ଆଣ୍ଡି ବାଲ୍ବର୍ନି, ହ୍ୟାରି ଟେକ୍ଟର, ଲୋର୍କାନ୍ ଟକର, କର୍ଟିସ୍ କାମ୍ଫର ମଧ୍ୟ ଭଲ ବ୍ୟାଟିଂ କରିପାରନ୍ତି। ପେସ୍ ବୋଲର ମାର୍କ ଆଡାୟର ଚଳିତବର୍ଷ ୧୧ଟି ଟ୍ବେଣ୍ଟି୨୦ରୁ ୨୩ଟି ୱିକେଟ ନେଇ ୩ୟ ସ୍ଥାନରେ ରହିଛନ୍ତି। ଆଉ ୩ଟି ୱିକେଟ ନେଲେ ଆୟରଲାଣ୍ଡର ପ୍ରଥମ ବୋଲର ଭାବେ ଆଡାୟର ୧୦୦ ଟି୨୦ ୱିକେଟ ନେବେ। ବୁମ୍ରା ଭାରତର ୧୧ଶ ଟ୍ବେଣ୍ଟି୨୦ ଅଧିନାୟକ ହେବେ। ମ୍ୟାଚ୍ର ୨ୟ ଇନିଂସରେ ବର୍ଷା ହେବାର ଶତ ପ୍ରତିଶତ ସମ୍ଭାବନା ରହିଛି।
Comments are closed.