ଦିନ ଥିଲା ମାଆଙ୍କ ସହ ବୁଲି ଚୁଡ଼ି ବିକୁଥିଲେ, ଏବେ ଆଇଏଏସ ଅଫିସର ରମେଶ ଘୋଲପ
ମୁମ୍ବଇ: କୁହାଯାଏ ଦୃଢ ମନୋବଳ ଓ କଠୋର ପରିଶ୍ରମ ଆଗରେ ଭାଗ୍ୟ ବି ବାଧ୍ୟ ହୁଏ ବଦଳିବାକୁ। ଏହା ସତ ସାବ୍ୟସ୍ତ ହୋଇଛି ଆଇଏଏସ୍ ରମେଶ ଘୋଲପଙ୍କ ପାଇଁ। ମହାରାଷ୍ଟ୍ରର ସୋଲାପୁର ଜିଲା ସ୍ଥିତ ଏକ ଛୋଟ ଗାଁ ମହଗାଓଁ ନିବାସୀ ରମେଶ ନିଜ ପିଲାଦିନ ଖୁବ୍ ଅଭାବ ଅନଟନରେ ବିତାଇଛନ୍ତି। ଖୁବ୍ କମ୍ ବୟସରୁ ମୁଣ୍ଡ ଉପରୁ ବାପାଙ୍କ ହାତ ଉଠିଯିବା ପରେ ରମେଶ ଘର ଖର୍ଚ୍ଚ ପାଇଁ ନିଜ ମାଆଙ୍କ ସହ ଗାଁ ଗାଁ ବୁଲି ଚୁଡ଼ି ବିକୁଥିଲେ। କେବଳ ଏତିକି ନୁହେଁ ତାଙ୍କ ବାମ ଗୋଡ଼ରେ ପୋଲିଓ ମଧ୍ୟ ହୋଇଗଲା, ତଥାପି ସେ ହାର୍ ମାନି ନ ଥିଲେ। ୨୦୧୨ରେ ସିଭିଲ୍ ସର୍ଭିସ ପରୀକ୍ଷାରେ ସେ ୨୮୭ତମ ସ୍ଥାନ ଅଧିକାର କଲେ। ଆସନ୍ତୁ ଜାଣିବା ତାଙ୍କ ସଫଳତାର କାହାଣୀ–
ଦାଦାଙ୍କ ପାଖେ ରହି ପଢୁଥିଲେ:
ରମେଶ ଏହା ଭଲ ଭାବେ ଜାଣିଥିଲେ ଯେ, କେବଳ ଶିକ୍ଷା ହିଁ ତାଙ୍କ ପରିବାରର ଦାରିଦ୍ର୍ୟତାକୁ ଦୂର କରିପାରିବ। ଗାଁରେ ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ଉଚ୍ଚ ଶିକ୍ଷା ପାଇଁ ସେ ତାଙ୍କ ଦାଦାଙ୍କ ସହ ବର୍ଶୀ ଚାଲିଗଲେ। ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପ୍ରସ୍ତୁତି ସମୟରେ ହିଁ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା। ଏହା ସତ୍ତେ୍ୱ ସେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୮୮.୫ ପ୍ରତିଶତ ନମ୍ବର ରଖିଥିଲେ।
ଶିକ୍ଷକ ଭାବେ କ୍ୟାରିୟର ଆରମ୍ଭ କରିଥିଲେ:
ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ଶୀଘ୍ର ରୋଜଗାର କରି ପରିବାରକୁ ସାହାୟ ହେବା ଉଦ୍ଦେଶ୍ୟରେ ସେ ଡିପ୍ଲୋମା ଇନ୍ ଏଜୁକେସନ୍(ଡି.ଏଡ଼୍) କରିବାକୁ ଚିନ୍ତାକଲେ। ଡି.ଏଡ଼୍ କରିବା ସଙ୍ଗେ ସଙ୍ଗେ ସେ ଓପନ୍ ୟୁନିଭର୍ସିଟିରୁ କଳା(ଆର୍ଟସ)ରେ ବ୍ୟାଚଲର୍ ଡିଗ୍ରୀ ହାସଲ କଲେ ଓ ୨୦୦୯ରେ ଶିକ୍ଷକ ଭାବେ ନିଜ କ୍ୟାରିୟର ଆରମ୍ଭ କଲେ। ତାଙ୍କ ମୁଣ୍ଡରେ ସାହେବ ହେବାର ଜିଦ୍ ଥିଲା ତେଣୁ ଅଧିକ ଦିନ ସେ ଏହି ବୃତ୍ତିରେ ରହିପାରିଲେ ନାହିଁ। ରମେଶ ଚାକିରୀ ଛାଡ଼ିଦେଲେ ଓ ଦିନ ରାତି ଏକ କରି ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଲେ।
ପ୍ରଥମ ଥର ମିଳିଲାନି ସଫଳତା:
ମାଆଙ୍କୁ ଗାଈ କିଣିବାକୁ ମିଳିଥିବା ଋଣ ଟଙ୍କାରେ ରମେଶ ଆଇଏଏସ୍ ପାଇଁ ପ୍ରସ୍ତୁତି ଆରମ୍ଭ କଲେ। ପୁଣେର କୋଚିଂ ସେଣ୍ଟରରୁ ଶିକ୍ଷା ଗ୍ରହଣ କରିବା ପରେ ୨୦୧୦ରେ ପ୍ରଥମ ଥର ସେ ୟୁପିଏସସି ପରୀକ୍ଷା ପାଇଁ ଆବେଦନ କଲେ କିନ୍ତୁ ତାଙ୍କୁ ସଫଳତା ମିଳି ନ ଥିଲା। ଏହାପରେ ମଧ୍ୟ ହତାଶ ନ ହୋଇ ଦୁଇ ଗୁଣ ଅଧିକ ପରିଶ୍ରମ କରି ଆଉଥରେ ପ୍ରସ୍ତୁତି ଆରମ୍ଭ କଲେ। ମାତ୍ର ଦ୍ୱିତୀୟ ଥର ସେ କୌଣସି କୋଚିଂ ସେଣ୍ଟରର ସାହାଯ୍ୟ ନେଇ ନ ଥିଲେ। କଠୋରେ ପରିଶ୍ରମ ବଳରେ ଶେଷରେ ସେ ୨୦୧୨ରେ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ୨୮୭ତମ ର୍ୟାଙ୍କ୍ ହାସଲ କଲେ।
ପ୍ରତିଭା ତ ଆଗକୁ ବଢିବ ହିଁ ବଢିବ:
ବର୍ତ୍ତମାନ ଝାଡ଼ଖଣ୍ଡର ଖୁଣ୍ଟି ଜିଲାର ସବ୍ ଡିଭିଜନାଲ୍ ମାଜିଷ୍ଟ୍ରେଟ୍(ଏସଡିଏମ) ଭାବେ ନିଯୁକ୍ତ ରମେଶ ଘୋଲପଙ୍କ କହିବାନୁସାରେ, ପ୍ରତିଭାକୁ ଆଗକୁ ବଢିବାରେ କେହି ଅଟକାଇ ପାରିବେ ନାହିଁ। ଯେଉଁ ବ୍ୟକ୍ତି ପାଖରେ ପ୍ରତିଭାର କୌଣସି ଅଭାବ ନାହିଁ ସେ ବାକି ସମସ୍ତ ଅଭାବକୁ ଦୃଢତାର ସହ ସାମ୍ନା କରିପାରିବ। ତାଙ୍କ କହିବା ମୁତାବକ, ନିଜ ଲକ୍ଷ୍ୟ ପ୍ରତି ସମର୍ପଣ ଭାବ ରହିବା ନିହାତି ଆବଶ୍ୟକ।
Comments are closed.