ହକି: ନ୍ୟୁଜିଲାଣ୍ଡକୁ ୪-୨ରେ ହରାଇଲା ଭାରତ

0

ବାଙ୍ଗାଲୋର : ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍‍ ଜିତିନେଇଛି ଭାରତୀୟ ପୁରୁଷ ହକି ଦଳ। ଗୁରୁବାର ଏଠାରେ ଖେଳା ଯାଇଥିବା ୩ ମ୍ୟାଚ୍‍ ବିଶିଷ୍ଟ ଟେଷ୍ଟ ସିରିଜ୍‍ର ପ୍ରଥମ ମ୍ୟାଚ୍‍ରେ ନ୍ୟୁଜିଲାଣ୍ଡକୁ ୪-୨ ଗୋଲ୍‍ରେ ଭାରତ ପରାସ୍ତକରି ସିରିଜ୍‍ରେ ୧-୦ରେ ଆଗୁଆ ହୋଇଛି। ରୁପିନ୍ଦର ପାଲ ସିଂହ ପେନାଲ୍‍ଟି କର୍ଣ୍ଣରରୁ ୨ଟି ଗୋଲ୍‍ଦେଇ ଭାରତର ଏହି ବିଜୟରେ ହିରୋ ସାଜିଛନ୍ତି। ୨୧ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୨ୟ ମ୍ୟାଚ୍‍ ଖେଳିବ।
ମ୍ୟାଚ୍‍ ଆରମ୍ଭରୁ ଭାରତ ଆକ୍ରମଣାତ୍ମକ ହକି ଖେଳିଥିଲା। ଫଳତଃ ପ୍ରଥମ ମିନିଟରେ ଭାରତକୁ ପ୍ରଥମ ପେନାଲ୍‍ଟି କର୍ଣ୍ଣର ମିଳିଥିଲା। ଗୋଲ୍‍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପରେ ଭାରତୀୟ ଦଳକୁ ଫେରିଥିବା ଡ୍ରାଗ୍‍ଫ୍ଲିକର ରୁପିନ୍ଦର ପାଲ ସିଂହ ପେନାଲ୍‍ଟି କର୍ଣ୍ଣରରୁ ଜୋର୍‍ଦାର ହିଟ୍‍ ମାରି ଗୋଲ୍‍ ଦେଇଥିଲେ। ୭ମ ମିନିଟରେ ନ୍ୟୁଜିଲାଣ୍ଡକୁ ଗୋଲ୍‍ଦେବାର ସୁଯୋଗ ମିଳିଥିଲେ ହେଁ ଭାରତୀୟ ଗୋଲ୍‍ରକ୍ଷକ କ୍ରିଷନ ପାଠକଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଗୋଲ୍‍ ହୋଇନଥିଲା। ୧୫ ମିନିଟରେ ଭାରତ ୨-୦ ଗୋଲ୍‍ରେ ଆଗୁଆ ହୋଇ ଯାଇଥିଲା। ମନପ୍ରୀତ ସିଂହଙ୍କ କ୍ରସ୍‍ରୁ ଯୁବ ଭାରତୀୟ ଷ୍ଟ୍ରାଇକର ମନଦୀପ ସିଂହ ଗୋଲ୍‍ ଦେଇଥିଲେ। ୨୬ ମିନିଟରେ ନ୍ୟୁଜିଲାଣ୍ଡ ଏକ ଗୋଲ୍‍ ସୁଝାଇ ଦେଇଥିଲା। ଷ୍ଟିଫେନ୍‍ ଜେନିସ୍‍ ଏକ ଚମତ୍କାର ଫିଲ୍‍ଡ ଗୋଲ୍‍ ଦେଇଥିଲେ। ପ୍ରଥମାର୍ଦ୍ଧରେ ଭାରତ ୨-୧ ଗୋଲ୍‍ରେ ଆଗୁଆ ରହିଥିଲା। ୩୪ ମିନିଟରେ ଭାରତ ପାଇଁ ପେନାଲ୍‍ଟି କର୍ଣ୍ଣର ଅର୍ଜନ କରିଥିଲେ ଏସ୍‍.ଭି. ସୁନୀଲ। ଏଥିରୁ ରୁପିନ୍ଦର ପାଲ ସିଂହ ବ୍ୟକ୍ତିଗତ ୨ୟ ଏବଂ ଦଳ ପାଇଁ ୩ୟ ଗୋଲ୍‍ ଦେଇଥିଲେ। ୩୮ ମିନିଟରେ ସୁନୀଲଙ୍କ ପ୍ରୟାସ ଯୋଗୁଁ ଭାରତକୁ ଆଉ ଏକ ପେନାଲ୍‍ଟି କର୍ଣ୍ଣର ମିଳିଥିଲା। ଏଥିରୁ ହରମନପ୍ରୀତ ସିଂହ ଗୋଲ୍‍ଦେବାରେ ଆଦୌ ତ୍ରୁଟି କରିନଥିଲେ। ଭାରତ ୪-୧ ଗୋଲ୍‍ରେ ଆଗୁଆ ହେବା ପରେ ଗୋଲ୍‍ଦେବା ପ୍ରୟାସରେ ନ୍ୟୁଜିଲାଣ୍ଡ ଆକ୍ରମଣାତ୍ମକ ହକି ଖେଳିଥିଲା। ୫୫ ମିନିଟରେ ନ୍ୟୁଜିଲାଣ୍ଡକୁ ସଫଳତା ମିଳିଥିଲା। ଷ୍ଟିଫେନ୍‍ ଜେନିସ୍‍ ବ୍ୟକ୍ତିଗତ ତଥା ଦଳ ପାଇଁ ୨ୟ ଗୋଲ୍‍ ସ୍କୋର୍‍ କରିଥିଲେ। ମ୍ୟାଚ୍‍ର ଶେଷ ମିନିଟରେ ନ୍ୟୁଜିଲାଣ୍ଡ କ୍ରମାଗତ ୨ଟି ପେନାଲ୍‍ଟି କର୍ଣ୍ଣର ପାଇଥିବା ବେଳେ ଭାରତୀୟ ଗୋଲ୍‍ରକ୍ଷକ ସୂରଜ କେରକେରା ଚମତ୍କାର ଭାବେ ଉଭୟ ପ୍ରୟାସକୁ ବେକାର କରି ଦେଇଥିଲେ।

Leave A Reply