ପିଆଜ ଚାଷ ପାଇଁ ମିଳୁନି ସରକାରୀ ବିହନ; ଚାଷୀ ହନ୍ତସନ୍ତ

ହରଭଙ୍ଗା: ରାଜ୍ୟରେ ପିଆଜ ଉତ୍ପାଦନ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ସବସିଡି ଜରିଆରେ କମ୍‌‌ ମୂଲ୍ୟରେ ଚାଷୀଙ୍କୁ ପିଆଜ ବିହନ ଯୋଗାଇଦେବାର ବ୍ୟବସ୍ଥା କରିଛନ୍ତି। ଏହା ସହିତ ପିଆଜ ଘର ମଧ୍ୟ ସବସିଡି ଆକାରରେ ଯୋଗାଇବାର ବ୍ୟବସ୍ଥା କରାଯାଇଛି। ମାତ୍ର ଚଳିତବର୍ଷ ରବି ଋତୁ ପ୍ରାରମ୍ଭରୁ ବୌଦ୍ଧ ଜିଲ୍ଲାରେ ପିଆଜ ବିହନର ଅଭାବ ପରିଲକ୍ଷିତ ହୋଇଛି। ପିଆଜ ଉତ୍ପାଦନରେ ଅଗ୍ରଣୀ ଲାଭ କରିଥିବା ଜିଲ୍ଲାରେ ରବି ଋତୁରେ ପିଆଜ ବିହନର କୃତ୍ରିମ ଅଭାବ ଯୋଗୁଁ ଏଥର ପିଆଜ ଉତ୍ପାଦନ ପ୍ରଭାବିତ ହେବା ସହିତ ପିଆଜ ଚାଷୀ କ୍ଷତି ସହିବା ଏକପ୍ରକାର ନିଶ୍ଚିତ ହୋଇଛି।

prayash

ପ୍ରକାଶ ଯେ, ଜିଲ୍ଲାର ବୌଦ୍ଧ, ହରଭଙ୍ଗା ଏବଂ କଣ୍ଟାମାଳ ଭଳି ତିନୋଟି ବ୍ଲକରେ ପ୍ରତିବର୍ଷ ୪ହଜାର ୩ଶହ ଏକର ଚାଷ ଜମିରେ ପିଆଜ ଚାଷ ହୋଇଥାଏ। ଚଳିତବର୍ଷ ରବି ଋତୁ ପାଇଁ ବିଭାଗ ପକ୍ଷରୁ ୩୦ କ୍ୱିଣ୍ଟାଲ ପିଆଜ ବିହନ ଇଣ୍ଡେନ କରାଯାଇଛି। ଏଯାବତ୍‌‌ ଜିଲ୍ଲାରେ ପିଆଜ ବିହନ ପହଞ୍ଚି ନଥିବା ଯୋଗୁଁ ଚାଷୀଙ୍କ ଚାହିଦା ପୂରଣ ହୋଇପାରିନାହିଁ। ବିଶେଷକରି ଚଳିତବର୍ଷ ଖରିଫ ଋତୁରେ ଆବଶ୍ୟକୀୟ ପିଆଜ ବିହନ ଯୋଗାଣ ହୋଇଥିଲେ ମଧ୍ୟ ବର୍ଷା ଯୋଗୁଁ ଖରିଫ ପିଆଜ ଚାଷ ଏଥର ଜିଲ୍ଲାରେ ସେତେଟା ଭଲ ହୋଇନଥିଲା। ଯାହାଫଳରେ ରବି ସମୟରେ ପିଆଜ ଚାଷ ପାଇଁ ଚାଷୀଙ୍କ ଆଗ୍ରହ ବୃଦ୍ଧି ହୋଇଥିଲା। ବିହନ ପାଇଁ ଗୋ-ସୁଗମ ପୋର୍ଟାଲରେ ଆବଶ୍ୟକୀୟଠାରୁ ଅଧିକ ଚାଷୀ ନାମ ପଞ୍ଜିକରଣ କରିଥିବା ଜଣାପଡ଼ିଛି। ଏଥିରୁ ଅନୁମାନ କଲେ ଜିଲ୍ଲାରେ ପିଆଜ ଚାଷ ପାଇଁ ଚାଷୀଙ୍କ ଆଗ୍ରହ ବୃଦ୍ଧି ପାଉଥିବା ସ୍ପଷ୍ଟ ହୋଇଥିଲା। ମାତ୍ର ପିଆଜ ତଳି ପକାଇବା ସମୟ ପାଖେଇ ଯାଇଥିବାବେଳେ ଚାଷୀଙ୍କୁ ସରକାରୀ ବିହନ ମିଳୁନଥିବା ଯୋଗୁଁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପଟେ ବିଭାଗ ପକ୍ଷରୁ ପିଆଜ ବିହନ କେବେ ମିଳିବ ସେଥିପ୍ରତି କୌଣସି ସଠିକ୍‌‌ ସୂଚନା ମିଳୁନାହିଁ।

ସୂଚନା ଅନୁସାରେ, ଡିସେମ୍ବର ୧୫ରୁ ଜାନୁୟାରୀ ୨୦ତାରିଖ ମଧ୍ୟରେ ରବି ପିଆଜ ଲଗାଯାଇଥାଏ।ପିଆଜ ତଳି ପାଇଁ କୋଡିଏଦିନ ପୂର୍ବରୁ ଚାଷୀଙ୍କୁ ବିହନ ନେଇ ତଳିପକାଇବାକୁ ପଡ଼ିଥାଏ। ଜିଲ୍ଲାରେ ଉଭୟ ଖରିଫ ଏବଂ ରବିରେ ପିଆଜ ଚାଷ ହୋଇଥାଏ। ଏପ୍ରିଲ ମାସ ଶେଷ ଆଡକୁ ପିଆଜ ଅମଳ ହୋଇଥାଏ। ଗୋଟିଏ ହେକ୍ଟର ଚାଷଜମିରୁ ରବି ଋତୁରେ ପାଖାପାଖି ଶହେ କ୍ୱିଣ୍ଟାଲ ପିଆଜ ଉତ୍ପାଦନ ହୋଇଥାଏ। ସେହିପରି ଖରିଫ ଋତୁରେ ଗୋଟିଏ ହେକ୍ଟର ଚାଷ ଜମିରୁ ପାଖାପାଖି ୬୦କ୍ୱିଣ୍ଟାଲ ପିଆଜ ଉତ୍ପାଦନ ହୋଇଥାଏ। ପ୍ରତିବର୍ଷ ଜିଲ୍ଲାରେ ୨ଲକ୍ଷ ୮୦ହଜାର କ୍ୱିଂଟାଲ ପିଆଜ ଉତ୍ପାଦନ ହେଉଥିବା ଜଣାପଡ଼ିଛି। ଜିଲ୍ଲାର ସବୁ ବ୍ଲକ ତୁଳନାରେ ହରଭଙ୍ଗା ବ୍ଲକର ଲୁଣିବାହାଲ ପଂଚାୟତର ତାରୁ ସିଂ, ଘଂଟପାଲୀ, କଂଟିଆପଦର, ତାଳପଦର, ଯୁବରାଜପୁର, ବଡବନ୍ଧ, ସୁକପାଲ୍ଲୀ, ବାରବାଣି, ତିଲେଶ୍ୱର, ମଥୁରା, ବୀରନରସିଂହପୁ, ଛତ୍ରଙ୍ଗ ଭଳି ପଂଚାୟତଗୁଡିକରେ ସବୁଠାରୁ ଅଧିକ ପରିମାଣରେ ପିଆଜ ଚାଷ ହେଉଥିବା ଜଣାପଡ଼ିଛି। ଅମଳ ସମୟରେ ପିଆଜ ଦର ପ୍ରାୟତଃ କମ୍‌‌ ରହୁଥିବାରୁ ଅମଳ ପରେ ଚାଷିକୁ ପିଆଜ ସାଇତି ରଖିବା ପାଇଁ ପ୍ରତିବର୍ଷ ରିହାତି ଦରରେ ପିଆଜ ଘର ଯୋଗାଇ ଦିଆଯାଉଛି। ଚାଷୀଙ୍କୁ ସବସିଡି ଆକାରରେ ୨୫ ମେଟ୍ରିକ ଟନ ବିଶିଷ୍ଟ ପିଆଜ ଘର ଯୋଗାଇ ଦିଆଯାଇଛି। ଅମଳ ପରେ ଦୀର୍ଘ ୬ମାସ ପିଆଜକୁ ସାଇତି ରଖି ଭଲଦରରେ ବିକ୍ରୀ କରିବା ପାଇଁ ଚାଷୀଙ୍କୁ ଏଭଳି ସରକାରୀ ସୁବିଧା ସୁଯୋଗ ଯୋଗାଇଦିଆଯାଉଛି। ଚଳିତବର୍ଷ ଜିଲ୍ଲାରେ ପିଆଜ ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଚାହିଦା ଅନୁସାରେ ବିହନ ନ ମିଳିବା ଘଟଣା ଚାଷଙ୍କୁ ହତୋତ୍ସାହିତ କରିଛି। ଏହା ସହିତ ଜିଲ୍ଲାର ପାଲଝରଠାରେ ପିଆଜ ଏବଂ ରସୁଣ ପାଇଁ ଏକ ଗବେଷଣା କେନ୍ଦ୍ର ରହିଛି। ଚଳିତବର୍ଷ ଗବେଷଣା କେନ୍ଦ୍ରରୁ ପିଆଜ ବିହନ ଜିଲ୍ଲା ଚାଷୀଙ୍କ ଚାହିଦାପୂରଣ କରିବାରେ ଅସର୍ମଥ ରହିଛି। ଯାହାଫଳରେ ଜିଲ୍ଲାରେ ଚଳିତବର୍ଷ ପିଆଜ ଉତ୍ପାଦନ ହ୍ରାସ ପାଇବା ଜଳ ଜଳ ହୋଇଦିଶୁଛି। ରବି ପିଆଜ ଚାଷ ପାଇଁ ଜିଲ୍ଲାରେ ପର୍ଯ୍ୟାପ୍ତ ଭିତିଭୂମି ସତ୍ୱେ ବିହନର ଏଭଳି ଅଭାବ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରବି ପିଆଜ ପାଇଁ କମ୍‌‌ ସମୟ ଥିବାରୁ ଜିଲ୍ଲାରେ ପଞ୍ଜିକୃତ ଚାଷୀଙ୍କୁ ଆବଶ୍ୟକୀୟ ବିହନ ଯୋଗାଇଦେବାକୁ ଚାଷୀ ମହଲରୁ ଦାବୀ ଉଠୁଛି। ଏ ଦିଗରେ ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଦାବୀ ଉଠୁଛି। ଏ ସମ୍ପର୍କରେ ହରଭଙ୍ଗା ସହକାରୀ ଉଦ୍ୟାନ ବିଭାଗ ଅଧିକାରୀ ଜ୍ଞାନରଞ୍ଜନ ଦିଗାଲଙ୍କୁ ପଚାରିବାରୁ ଆମ ବ୍ଲକପାଇଁ ୧୦ କ୍ୱିଣ୍ଟାଲ ପିଆଜ ବିହନ ଇଣ୍ଡେନ କରାଯାଇଛି। ବିହନ ପହଞ୍ଚି ନଥିବାରୁ ଚାଷୀ ତଳି ପକାଇବା ପାଇଁ ବାରମ୍ବାର ଅଫିସ ଦୌଡୁଥିବା କହିଥିଲେ। ବିହନ ଆସିବାପରେ ତୁରନ୍ତ ଚାଷୀଙ୍କୁ ଯୋଗାଇଦିଆଯିବ ବୋଲି କହିଥିଲେ।

 

 

Comments are closed.