ଶରତ ଓ ଆଶ୍ବିନର ବାର୍ତ୍ତାବହ କାଶତଣ୍ଡି ଫୁଲ
ଗୁଣୁପୁର: ଧବଳ କାଶତଣ୍ଡି ପ୍ରକୃତିର ଏକ ନୈସର୍ଗିକ ସୃଷ୍ଟି। ଶରତ ଆଗମନ ରେ ରାସ୍ତାଘାଟ, ନଈ ପଠା, ପୋଖରୀ ହୁଡା ସବୁଠି ଦେଖିବାକୁ ମିଳିଥାଏ କାଶତଣ୍ଡିର ସମ୍ଭାର। ଏହି ଅପୂର୍ବ ସମ୍ଭାର ହିଁ ମା ଜଗତଜନନୀଙ୍କ ଆଗମନ ର ପ୍ରାକ ସୂଚନା ଦେଇଥାଏ । ସଜେଇ ହୁଏ ଧରିତ୍ରୀ। ଲାଗେ ଧବଳ ବର୍ଣ୍ଣର ଚାଦର ଘୋଡେ଼ଇ ହୋଇ ନବ ବଧୂ ବେଶରେ ସଜ୍ଜିତ ହୋଇ ଅପେକ୍ଷା କରିଛି ମା’ଙ୍କୁ। ଶରତ ଆଗମନର ବର୍ତ୍ତାବହ କାଶତଣ୍ଡି। ପାର୍ବଣ ଆଗମନର ଖବର ନେଇ ଧରବତରଣ କରି ପୃଥିବୀ ପୃଷ୍ଠକୁ ଶୋଭା ମଣ୍ଡନ କରେ। ମା ଦୁର୍ଗାଙ୍କ ଶୁଭାଗମନର ବାର୍ତ୍ତା ନେଇ ଧରା ମଣ୍ଡନ କରୁଛି ଶୁଭ୍ର କାଶତଣ୍ଡି। ଏ ଦୃଶ୍ୟ ହେଉଛି ରାୟଗଡା ଜିଲ୍ଲା ଗୁଣୁପୁର ଅଞ୍ଚଳର। ପୂର୍ବଘାଟ ପର୍ବତମାଳା ର ପାଦ ଦେଶ ରେ ପ୍ରକୃତିରାଣୀ ର ସୌନ୍ଦର୍ଯ୍ୟ ପସରା। ବଂଶଧାରା ଅବବାହିକା, ରାସ୍ତାପାର୍ଶ୍ଵ, ପୋଖରୀ ହୁଡା ସବୁଠି ମାଳ ମାଳ କାଶତଣ୍ଡି ର ସମ୍ଭାର। ତା ସାଙ୍ଗକୁ ସୁଲୁସୁଲିଆ ପବନରେ ଦୋଳି ଖେଳି ଖିଲି ଖିଲି ହସୁଛି କାଶତଣ୍ଡି।
ଏହି ଅପୂର୍ବ ଦୃଶ୍ୟକୁ ଦେଖି ଅଟକି ଯାଉଛି ବାଟୋଇ। ଆନମନା ହେଉଛି କବି ପ୍ରାଣ। ପୁଲକିତ ହେଉଛି ଧରା। ଚଳଚଞ୍ଚଳ ହେଉଛି କବିର କବିତା। ନୂଆ ଭାବନା ଓ ସାହିତ୍ୟ ରଚନା କୁ ଉତ୍ସାହିତ କରୁଛି କାଶତଣ୍ଡି। ସୁନୀଳ ଆକାଶ ତଳେ ଦୂର ଦିଗବଳୟ ପର୍ଯ୍ୟନ୍ତ ବିସ୍ତାର ହୋଇଛି ଶୁଭ୍ର ବସ୍ତ୍ର ପରିଧାନ କରିଥିବା କାଶତଣ୍ଡି। ଓଡ଼ିଆ ସଂସ୍କୃତି ଓ କାଶତଣ୍ଡି ମଧ୍ୟରେ ରହିଛି ଅନେକ ନିବିଡ଼ତା। ରେଖା ପଞ୍ଚମୀରେ କାଶତଣ୍ଡି ଗୁଚ୍ଛ କୁ ଘର କବାଟ ରେ ବାନ୍ଧି ପୂଜା କରାଯାଏ। କାଶତଣ୍ଡିର ଆଲଟ ଚାମର ରେ ମା ଦୁର୍ଗାଙ୍କ ଧରବତାରଣ ହୁଏ। ଶରତ ଋତୁରେ ଆବିର୍ଭାବ ଠାରୁ ଆରମ୍ଭ କରି ଶାରଦୀୟ ଦୁର୍ଗାପୂଜା ର ପ୍ରତୀକ ହୋଇ ରହିଥାଏ କାଶତଣ୍ଡି। ପାର୍ବଣଋତୁର ବନ୍ଦନା ଗାଇବା ପାଇଁ ସତେଯେମିତି ଆନମନା ହୋଇଛି ପ୍ରକୃତିରାଣୀ।
ସୁଗନ୍ଧ ନଥାଏ ସିନା ରୂପ ତାର ଭାରି ମନଲୋଭା। ଭ୍ରମର କୁ ଆକର୍ଷିତ କରି ପାରେନି ସିନା କବି, ଭାବୁକ, ବାଟୋଇ ଓ ପ୍ରକୃତି ପ୍ରେମୀଙ୍କୁ ଦେଇଥାଏ ନୈସର୍ଗିକ ଆନନ୍ଦ ଓ ଉନ୍ମାଦନା। ଆଉ ଧରିତ୍ରୀ ମାଆକୁ କରିଦିଏ ମନ୍ତ୍ରମୁଗ୍ଧ।
Comments are closed.