Patra electronics

୨୩ କେଜି ଗଞ୍ଜେଇ ଓ ବିଦେଶୀ ମୁଦ୍ରା ଜବତ, ୨ ଆନ୍ତଃରାଜ୍ୟ ମାଫିଆ ସହ ୩ ଗିରଫ

0

କନ୍ଧମାଳରୁ ବିଦେଶକୁ ଲମ୍ବିଛି ଗଞ୍ଜେଇ କାରବାର
ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ଫାୟାରଷ୍ଟେସନ ଛକ ଠାରେ ଫିରିଙ୍ଗିଆ ପୁଲିସ ଆଜି ଚଢଉ କରି ୨୩ କିଗ୍ରା ଗଞ୍ଜେଇ ଜବତ କରିବା ସହିତ ଦୁଇ ଆନ୍ତଃ ରାଜ୍ୟ ଗଞ୍ଜେଇ ମାଫିଆ ସମେତ ତିନି ଜଣକୁ ଗିରଫ କରିଛି। ଗିରଫ ମାଫିଆଙ୍କ ଠାରୁ ବିଦେଶୀ ମୁଦ୍ରା ଜବତ ହେବା ପରେ ପୁଲିସର ଚିନ୍ତା ବଢିଯାଇଛି। ଦୁଇ ମାଫିଆଙ୍କ ଠାରୁ ବାଂଲାଦେଶ, କାତାର ଓ ଇରାନ ଦେଶର ମୁଦ୍ରା ମିଳିବା ପରେ ପୁଲିସ ତଦନ୍ତକୁ ଅଧିକ ବ୍ୟାପକ କରିଛି। ବିଦେଶୀ ମୁଦ୍ରା ଜବତ ହୋଇଥିବାରୁ ମାଫିଆଙ୍କ ସମ୍ପର୍କ ଅନ୍ୟଦେଶର ଡ୍ରଗ ମାଫିଆ କିମ୍ବା ଅନ୍ୟ ଅପରାଧୀଙ୍କ ସହିତ ଥିବା ପୁଲିସ ଆଶଙ୍କା କରୁଛି।
କନ୍ଧମାଳରୁ କର୍ଣ୍ଣାଟକକୁ ଗଞ୍ଜେଇ ଚାଲାଣ ହେଉଥବା ସୂଚନା ମିଳିବା ପରେ ଫିରିଙ୍ଗିଆ ଦମକଳ କେନ୍ଦ୍ର ଛକରେ ପୁଲିସ ଚଢଉ କରିଥିଲା। ମହାଲକ୍ଷ୍ମୀ ନାମକ ଘରୋଇ ବସରେ ଚଢୁଥିବା ବେଳେ ଦୁଇ ମାଫିଆଙ୍କୁ କାବୁ କରିଥିଲା ପୁଲିସ। ଗିରଫ ଦୁଇ ମାଫିଆ କର୍ଣ୍ଣାଟକର ବାଙ୍ଗାଲୋର ଜିଲା ଇଲୋକ୍ଟ୍ରୋନିକ୍ସ ସିଟି ଥାନା ଅନ୍ତର୍ଗତ ବେଟ୍ଟାଦାଶପୁର ଗାଁର ନଇମ୍‍ ଅହମଦ(୨୮) ଏବଂ ବୋମାସାଣ୍ଡ୍ରାର ଶଶିକୁମାର ଏସ.(୨୬)। ଏହାବ୍ୟତୀତ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଉପରପଡା ଗାଁର ବିଘ୍ନେଶ୍ୱର ବିନ୍ଧାଣୀକୁ ମଧ୍ୟ ପୁଲିସ ଗିରଫ କରିଛି।
ଗିରଫ ଯୁବକଙ୍କଠାରୁ ଠାରୁ ଦୁଇଟି ବ୍ୟାଗରେ ଆଠଟି ପ୍ୟାକେଟରେ ଥିବା ୨୩କିଗ୍ରା ଗଞ୍ଜେଇ ପୁଲିସ ଜବତ କରିଛି।ସେମାନଙ୍କ ଠାରୁ ନଗଦ ସତୁରି ହଜାର ଟଙ୍କା ସମେତ ମଧ୍ୟ ଜବତ କରାଯାଇଥିବା ବେଳେ ବାଂଲାଦେଶର ଦଶହଜାର ଟଙ୍କିଆ ନୋଟ,ଇରାନର ପାଞ୍ଚଶହ ନୋଟ ଏବଂ କାତାରର ଏକ ନୋଟ୍‍(ମୁଦ୍ରା) ଜବତ କରିଛି ପୁଲିସ। ଏ ସଂକ୍ରାନ୍ତରେ ଥାନାରେ କେଶ୍‍ ନଂ ୩୮-୨୦୧୮ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରିରହିଛି ବୋଲି କହିଛନ୍ତି ଥାନା ଅଧିକାରୀ ଧିରେନ କୁମାର ବେହେରା। ଗିରଫ ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ସ୍ଥାନୀୟ କୋର୍ଟ ସେମାନଙ୍କ ଜାମିନ ନାମଞ୍ଜୁର କରିଫଳରେ ସେମାନଙ୍କୁ ଜେଲ ହାଜତକୁ ପଠାଇଦିଆଯାଇଛି।

Leave A Reply