କ୍ରୋଏସିଆ ଫୁଟବଲ ଦଳକୁ ଭବ୍ୟ ସ୍ୱାଗତ
ଜାଗରେବ : ରୁଷିଆରେ ଖେଳାଯାଇଥିବା ଫିଫା ବିଶ୍ୱକପ୍ରେ ଉପବିଜେତା ହୋଇଥିବା କ୍ରୋଏସିଆ ଦଳ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ବିମାନରୁ ଓହ୍ଲାଇଲା ପରେ ଖେଳାଳିଙ୍କୁ କ୍ରୋଏସିଆ ଫୁଟବଲ ଆସୋସିଏନ୍ ଓ ସରକାରଙ୍କ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହାପରେ ଗୋଲ୍ଡେନ୍ ବଲ୍ ବିଜେତା ଲୁକା ମୋଡି୍ରକ୍ ଏବଂ ଦଳର ଅନ୍ୟ ଖେଳାଳିମାନେ ଏକ ଖୋଲା ବସ୍ରେ ସହର ପରିକ୍ରମା କରିଥିଲେ। ସେମାନଙ୍କୁ ଦେଖିବାକୁ ପାଖାପାଖି ୧ ଲକ୍ଷ ପ୍ରଶଂସକ ରୁଣ୍ଡ ହୋଇଥିଲେ। ଖେଳାଳିମାନଙ୍କୁ ଦେଖିବାକୁ ବଜାର ପ୍ରତିଷ୍ଠାନ ବନ୍ଦ ରହିଥିଲା। ପ୍ରଶଂସକମାନେ ହାତରେ ଜାତୀୟ ପତାକା ଧରି ଗୀତ ଗାଇ ଖେଳାଳିଙ୍କୁ ସ୍ୱାଗତ କରିଥିଲେ। କ୍ରୋଏସିଆ ଖେଳାଳିମାନେ ବିଶ୍ୱ ଫୁଟବଲ ମାନଚିତ୍ରରେ ଦେଶର ନାମକୁ ଉଜ୍ଜ୍ୱଳ କରିଥିବା ପ୍ରଶଂସକମାନେ ମତ ଦେଇଥିଲେ।