୬୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ‘ରଙ୍ଗଶୁର’, ସିନେପ୍ରେମୀ କହିଲେ ସୁପରହିଟ୍
ଭୁବନେଶ୍ୱର : ୬୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ‘ରଙ୍ଗଶୁର’। ମହାରାଜା ସିନେମା ହଲରେ ଏହାର ପ୍ରିମିୟର ହୋଇଥିଲା। ଓଲିଉଡ଼ର ଅନେକ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ, ନିର୍ଦ୍ଦେଶକଙ୍କ ସମେତ ସିନେପ୍ରେମୀ ‘ରଙ୍ଗଶୁର’ ଦେଖି ଏଭଳି ଏକ ପରିକଳ୍ପନାକୁ ବହୁତ ପ୍ରଶଂସା କରିଛନ୍ତି। ସବୁରି ମୁହଁରେ ସୁପରହିଟ୍ ବୋଲି ଶୁଣିବାକୁ ମିଳିଛି।
ପ୍ରଥମଥର ପାଇଁ ସୋନୀ ପିକ୍ଚର୍ସ ଓଡ଼ିଆ ଫିଲ୍ମ ‘ରଙ୍ଗଶୁର’କୁ ଅନ୍ତର୍ଜାତୀୟ ସ୍ତରରେ ବିତରଣ ଦାୟିତ୍ୱ ନେଇଥିବା ବେଳେ ବାଙ୍ଗାଲୋର, ହାଇଦ୍ରାବାଦ, ଦିଲ୍ଲୀ, ମୁମ୍ବାଇ, ପୁଣେ, ସୁରଟ ଏବଂ ଚେନ୍ନାଇରେ ମୁକ୍ତିଲାଭ କରିଛି।
ପ୍ରକାଶ ଫିଲ୍ମ୍ସ ଏବଂ ମୁନ୍ ଟିଭି ମୁଭିଜର ମିଳିତ ପ୍ରଯୋଜନାରେ ନିର୍ମିତ ହୋଇଛି ନୂଆ ଓଡ଼ିଆ ଫିଲ୍ମ ‘ରଙ୍ଗଶୁର’। ରଙ୍ଗଶୁରର ପ୍ରଚାର ଓ ପ୍ରସାର ଏକ ନିଆରା ଢଙ୍ଗରେ ପାରମ୍ପରିକ ବାଘ ନାଚ ମାଧ୍ୟମରେ ବିଭିନ୍ନ ସ୍ଥାନରେ ହୋଇ ଥିଲା। ଏକାମ୍ର ଉତ୍ସବ, ମାଉସୀ ମା’ ମନ୍ଦିର ଭଳି ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ବାଘ ନାଚ ଶିଳ୍ପୀଙ୍କୁ ନେଇ ପ୍ରଯୋଜକ, ନିର୍ଦ୍ଦେଶକ ତଥା ଅଭିନେତା ଓ ଅଭିନେତ୍ରୀମାନେ ଜୋରଦାର ପ୍ରଚାର କରିଥିଲେ। ଦର୍ଶକମାନେ ମଧ୍ୟ ବହୁ ମାତ୍ରାରେ ଆକୃଷ୍ଟ ହୋଇ ସିନେମା ହଲରେ ଫିଲ୍ମ ଦେଖିବା ପାଇଁ ଭିଡ଼ ଜମାଇଥିଲେ। ବାଘ ନାଚ ଆମ ରାଜ୍ୟ ମାଟିର ନୃତ୍ୟ। ବିଲୁପ୍ତ ହେବାକୁ ଯାଉଥିବା ଏହି ବାଘ ନାଚ ଆମ ମାଟିର ବୀରତ୍ୱର ନାଚ। ଦିନେ ରାଜାମାନଙ୍କୁ ଏହି ବାଘ ନାଚ ସାହସ ଯୋଗାଉଥିଲା। ସୈନ୍ୟସାମନ୍ତଙ୍କୁ ନେଇ ଯୁଦ୍ଧକ୍ଷେତ୍ରକୁ ଯିବା ବେଳେ ଏହି ବାଘ ନାଚ ଉତ୍ସାହିତ କରୁଥିଲା। ଏଭଳି ପରିକଳ୍ପନାକୁ ନେଇ ପୂର୍ବରୁ ଆମ ଓଡ଼ିଆ ସିନେ ଜଗତରେ କୌଣସି ସିନେମା ନିର୍ମାଣ ହୋଇନାହିଁ ତେଣୁ ଏହାର ପ୍ରଚାର ଓ ପ୍ରସାର ଦେଖି ସିନେପ୍ରେମୀ ଉତ୍ସାହିତ ହୋଇ ଦେଖିବାକୁ ଆସୁଛନ୍ତି। ଏହି ବାଘ ନୃତ୍ୟ କେବଳ ବୀରତ୍ୱର ନାଚ ତାହା ନୁହେଁ ବରଂ ନାରୀ ସଶକ୍ତିକରଣଠୁ ନେଇ ଜଙ୍ଗଲ ବଞ୍ଚାଅ ଅଭିଯାନର ବାର୍ତ୍ତା ବହନ କରୁଛି।
‘ରଙ୍ଗଶୁର’ ଚଳଚ୍ଚିତ୍ରକୁ ନିର୍ଦ୍ଦେଶନା ଦେଇଛନ୍ତି ବହୁ ଅଭିଜ୍ଞ ଟେକ୍ନିସିଆନ ପ୍ରତାପ ରାଉତ। ସଚ୍ଚିକାନ୍ତ ଜେନା, ପ୍ରଶାନ୍ତ ବେହେରା ଏହାର ପ୍ରଯୋଜନା କରିଛନ୍ତି। ସୁନୀଲ ଯାଦବ ଏବଂ ପ୍ରତାପ ରାଉତ ସହ-ପ୍ରଯୋଜନା କରିଛନ୍ତି।
ଅଭିନତା ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟପ୍ରକାଶ ଦାସ, ସମରେଶ ରାଉତରାୟ, ଦୀପନ୍ୱିତ ଦାସ ମହାପାତ୍ର, ଶୁଭାଶିଷ ଶର୍ମା, ଜ୍ୟୋତି ନାୟକ, ସୂର୍ଯ୍ୟମୟୀ ମହାପାତ୍ର ଏବଂ ଶୁଭଶ୍ରୀ ଜେନା ପ୍ରମୁଖ ବହୁ ଅଭିଜ୍ଞ କଳାକାର ‘ରଙ୍ଗଶୁର’ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରର କ୍ରି୍ଏଟିଭ ହେଡ଼ ଅଛନ୍ତି ପ୍ରଣୟ ଜେଠୀ, ସଂଳାପ ରଚନା କରିଛନ୍ତି ଡଃ ରଜନୀ ରଞ୍ଜନ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଆନନ୍ଦ ଏବଂ ବାନି। ପ୍ରଚାର ଓ ପ୍ରସାରରେ ଅଛନ୍ତି ଓଲିଉଡ଼ କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ଏବଂ ସମ୍ବିତ ଜେନା।
Comments are closed.