୨୦୧୮ ରେ ୧୦୦ କୋଟି କ୍ଲବରେ ପ୍ରବେଶ କରିଥିବା ୫ ବଲିଉଡ ଚଳଚ୍ଚିତ୍ର

0

ମୁମ୍ବଇ : ଚଳିତବର୍ଷ ମୁକ୍ତିଲାଭ କରିଥିବା ୨୦ ବଲିଉଡ ଚଳଚ୍ଚିତ୍ର ମଧ୍ୟରୁ ପାଞ୍ଚଟି ଚଳଚ୍ଚିତ୍ର ୧୦୦ କୋଟି କ୍ଲବରେ ପ୍ରବେଶ କରିଛନ୍ତି। କେତେକ କମ୍‍ ବଜେଟର ଚଳଚ୍ଚିତ୍ର ଏହି କ୍ଲବରେ ସାମିଲ ହେବାକୁ ସକ୍ଷମ ହୋଇଛି। ପ୍ରଖ୍ୟାତ ଅଭିନେତାଙ୍କ ଚଳଚ୍ଚିତ୍ର ଏହି କ୍ଲବରେ ସାମିଲ ହୋଇନଥିବା ବେଳେ କେତେକ ନୂଆ କଳାକାରଙ୍କ ଚଳଚ୍ଚିତ୍ର ଏହି କ୍ଲବ୍‍ରେ ପ୍ରବେଶ କରିବା ଓ ଆଶାଠାରୁ ଅଧିକ ବେପାର କରିବା ଆଶ୍ଚର୍ଯ୍ୟଜନକ ବୋଲି ଚଳଚ୍ଚିତ୍ର ସମୀକ୍ଷକ ମତବ୍ୟକ୍ତ କରିଛନ୍ତି। ବ୍ୟୟବହୁଳ ଚଳଚ୍ଚିତ୍ର କିମ୍ବା ବଡ଼ ତାରକାଙ୍କ ଦ୍ୱାରା ପ୍ରଚାର ପ୍ରସାର ଅପେକ୍ଷା ଲୋକେ କାହାଣୀ ଏବଂ ଅଭିନୟକୁ ଅଧିକ ଗୁରୁତ୍ୱ ଦେଉଥିବା ଏଥିରୁ ପ୍ରମାଣିତ ହୋଇଛି।

prayash
  • ଆସନ୍ତୁ ଜାଣିବା ଏହି ପାଞ୍ଚଟି ଚଳଚିତ୍ର ବିଷୟରେ…
    ପଦ୍ମାବତ : ସଂଜୟ ଲୀଲା ବଂଶାଲୀଙ୍କ ନିର୍ଦେଶିତ ପଦ୍ମାବତ ପ୍ରଥମ ଚଳଚ୍ଚିତ୍ର ଭାବେ ଚଳିତ ବର୍ଷ ୧୦୦କୋଟି କ୍ଲବରେ ପ୍ରବେଶ କରିଥିଲା। ଏହି ଚଳଚ୍ଚିତ୍ରରେ ରାଜପୁତ ଚିତୋରଗଡ଼ ରାଣୀ ପଦ୍ମିନୀ ଭୂମିକାରେ ଅଭିନେତ୍ରୀ ଦୀପିକା ପାଦୁକୋନ, ଦିଲ୍ଲୀ ସୁଲତାନ ଆଲ୍ଲାଉଦ୍ଦିନ ଖିଲଜୀଙ୍କ ଭୂମିକାରେ ଅଭିନେତା ରାଣବୀର ସିଂ ଏବଂ ରାଜପୁତ ଚିତୋରଗଡ଼ ରାଜା ରାଣା ରତନ ସିଂ ଚରିତ୍ରରେ ସାହିଦ କାପୁରଙ୍କୁ ଦର୍ଶକ ଦେଖିବାକୁ ପାଇଥିଲେ। କରଣୀ ସେନା ଏବଂ ବିଭିନ୍ନ ରାଜ୍ୟରେ ରାଜପୁତ ସଂଗଠନ ଏହି ଚଳଚ୍ଚିତ୍ରକୁ ବିରୋଧ କରିଥିଲେ ମଧ୍ୟ ଏହା ୧୦୦ କୋଟିରୁ ଅଧିକ ବେପାର କରିଥିଲା।
    ସୋନୁ କେ ଟିଟୁ କେ ସୁଇଟି : ନିର୍ଦେଶକ ଲଭ ରାଜନଙ୍କ ଚଳଚ୍ଚିତ୍ର ସୋନୁ କେ ଟିଟୁ କେ ସୁଇଟି ୧୦୦ କୋଟି କ୍ଲବରେ ସାମିଲ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଚଳଚ୍ଚିତ୍ରରେ ଦର୍ଶକ କାର୍ତ୍ତିକ ଆରୟାନ, ନୁସରତ ଭରୁତା ଏବଂ ସନି ସିଂଙ୍କୁ ଦେଖିବାକୁ ମିଳିଥିଲା। ୩୦କୋଟି ବଜେଟରେ ପ୍ରସ୍ତୁତ ସୋନୁ କେ ଟିଟୁ କେ ସୁଇଟି ଚଳଚ୍ଚିତ୍ର ୨୫ଦିନ ମଧ୍ୟରେ ୧୦୦କୋଟି କ୍ଲବରେ ପ୍ରବେଶ କରିଥିଲା।
    ବାଗି-୨ : ଅଭିନେତା ଟାଇଗର ସ୍ରଫ ଓ ଅଭିନେତ୍ରୀ କ୍ରୀତି ସନନଙ୍କ ଅଭିନୀତ ବାଗି-୨ ପ୍ରଥମ ଦିନରେ ହିଁ ୨୫କୋଟି ଆୟରୁ ବେପାର ଆରମ୍ଭ କରି ୧୦୦ କୋଟି କ୍ଲବରେ ପ୍ରବେଶ କରିଥିଲା। ନିର୍ଦେଶକ ଅହମଦ ଖାନ ଏବଂ ପ୍ରଯୋଜକ ସାଜିଦ ନାଡିୱାଲାଙ୍କ ଏହି ଚଳଚ୍ଚିତ୍ର ୨୦୧୬ ବାଗି ଚଳଚ୍ଚିତ୍ରର ପରବର୍ତ୍ତୀ ଘଟଣାକୁ ନେଇ ଏହି ଚଳଚ୍ଚିତ୍ର କାହାଣୀ ପ୍ରସ୍ତୁତ ହୋଇଥିଲା।
    ରେଡ : ଚଳିତବର୍ଷର ଚତୁର୍ଥ ଚଳଚ୍ଚିତ୍ର ଭାବେ ନିର୍ଦେଶକ ରାଜ କୁମାର ଗୁପ୍ତାଙ୍କ ରେଡ ୧୦୦ କୋଟି କ୍ଲବରେ ପ୍ରବେଶ କରିଥିଲା। ସତ୍ୟ ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ରକୁ ଏହି କ୍ଲବ୍‍ରେ ସାମିଲ ହେବା ପାଇଁ ୨୨ଦିନ ସମୟ ଲାଗିଥିଲା। ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ ଇଲିଆନା ଡି କ୍ରୁଜ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଅଭିନେତା ଅଜୟ ଦେବଗନଙ୍କ ଏହା ଅଷ୍ଟମ ଚଳଚ୍ଚିତ୍ର ଯାହା ୧୦୦ କୋଟି କ୍ଲବରେ ସାମିଲ ହୋଇଛି।
    ରାଜି : ପାକିସ୍ତାନ-ଭାରତ ଗୁପ୍ତଚର କାହାଣୀକୁ ନେଇ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ଭିକି କୌଶଲଙ୍କ ଅଭିନୀତ ରାଜି ଚଳଚ୍ଚିତ୍ରକୁ ଦର୍ଶକ ବେଶ୍‍ ପସନ୍ଦ କରୁଛନ୍ତି। ରବିବାର ସୁଦ୍ଧା ଏହି ଚଳଚ୍ଚିତ୍ର ୧୦୦କୋଟି କ୍ଲବରେ ସାମିଲ ହୋଇଛି। ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଏହା ପଞ୍ଚମ ଚଳଚ୍ଚିତ୍ର ଯାହା ଏହି କ୍ଲବରେ ସାମିଲ ହେଇଛି।

Leave A Reply