‘ଏମର୍ଜେନ୍ସି’ ଟ୍ରେଲର-୨: ଗଣତନ୍ତ୍ରର ବିବାଦୀୟ ଇତିହାସକୁ ସାମ୍ନା କରିବାକୁ ହୋଇଯାଆନ୍ତୁ ପ୍ରସ୍ତୁତ
ସମାଜ ଡିଜିଟାଲ ଡେସ୍କ: କଙ୍ଗନା ରାଣାଓ୍ବତଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଏମର୍ଜେନ୍ସି’ର ଦ୍ଵିତୀୟ ଟ୍ରେଲର ରିଲିଜ୍ ହୋଇଛି। ଭାରତ ଇତିହାସର ଅନ୍ୟତମ ବିବାଦୀୟ ଅଧ୍ୟାୟକୁ ଲୋକଙ୍କ ସାମ୍ନାକୁ ଆଣିବ ଏହି ଚଳଚ୍ଚିତ୍ର। କଙ୍ଗନା ରାଣାୱତଙ୍କ ଦ୍ୱାରା ଲିଖିତ, ନିର୍ଦ୍ଦେଶିତ ‘ଏମର୍ଜେନ୍ସି’ରେ ୧୯୭୫ ମସିହାର ସେହି ଅଶାନ୍ତ ସମୟକୁ ଦର୍ଶାଯାଇଛି, ଯେତେବେଳେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଭାରତରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ।
View this post on Instagram
ଟ୍ରେଲର ଆରମ୍ଭ ହେଉଛି ଜୟପ୍ରକାଶ ନାରାୟଣଙ୍କ ଦ୍ଵାରା ଇନ୍ଦିରା ଗାନ୍ଧୀଙ୍କୁ ଲେଖାଯାଇଥିବା ଏକ ଚିଠିରୁ, ଯାହା ତାଙ୍କୁ ମନେପକାଇ ଦେଉଛି ଯେ ପ୍ରଧାନମନ୍ତ୍ରୀ ଆସନ ଏବେ କେବଳ ଏକ ସିଂହାସନ ନୁହେଁ, ବରଂ ଏକ ଉଗ୍ର ସିଂହ, ଯାହାର ଗର୍ଜନ ସମଗ୍ର ବିଶ୍ୱରେ ପ୍ରତିଧ୍ୱନିତ ହେବ। ଏଥିରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକୁ ପ୍ରାଧାନ୍ୟ ଦିଆଯାଇଛି, ଯାହାକି ଭାରତର ସ୍ୱାଧୀନତା ପରବର୍ତ୍ତୀ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଭାଗ। ଟ୍ରେଲରରେ କ୍ରୁରତା, ହିଂସା ଏବଂ ‘ଗଣତନ୍ତ୍ରର ହତ୍ୟା’ ଦୃଶ୍ୟ ଦେଖିବାକୁ ମିଳିଛି। ଇନ୍ଦିରା ଗାନ୍ଧୀ ଅବତାରରେ କଙ୍ଗନାଙ୍କ ଜବରଦସ୍ତ ଅଭିନୟର ଝଲକ୍ ଟ୍ରେଲରରେ ନଜର ଆସିଛି। କଙ୍ଗନାଙ୍କ ବ୍ୟତୀତ ଅଟଳ ବିହାରୀ ବାଜପେୟୀ ଭୂମିକାରେ ଶ୍ରେୟସ ତଲପଡ଼େ, ଫିଲ୍ଡ ମାର୍ଶଲ ସାମ୍ ମାନେକ୍ସା ଭୂମିକାରେ ମିଲିନ୍ଦ ସୋମନ ଏବଂ ସଞ୍ଜୟ ଗାନ୍ଧୀ ଭୂମିକାରେ ବିଶାଖ ନାୟର ପ୍ରମୁଖ କଳାକାରଙ୍କୁ ଦେଖିବାକୁ ମିଳିଛି। ଜାନୁଆରୀ ୧୭ରେ ପରଦାକୁ ଆସିବ ‘ଏମର୍ଜେନ୍ସି’।
Comments are closed.