ଏନଏସି ସ୍ବଚ୍ଛତା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଆଠଗଡ : ଆଠଗଡ ଏନଏସିରେ ପରିବେଶ ପରିମଳ ବ୍ୟବସ୍ଥାକୁ ସରଳୀକରଣ କରିବା ପାଇଁ ଘରୋଇକରଣ କରାଯାଇଛି। ଘରୋଇକରଣ ପୂର୍ବରୁ ପରିବେଶ ପରିମଳ ପାଇଁ ହେଉଥିବା ଅର୍ଥଠାରୁ ବର୍ତ୍ତମାନ ଅଧିକ ଅର୍ଥ ବ୍ୟୟ ହେଉଛି। ସଫେଇ କର୍ମଚାରୀମାନଙ୍କ ସହ ମହିଳା ସ୍ବଚ୍ଛସାଥୀ, ସୁପରଭାଇଜର, ସ୍ୱଚ୍ଛ କର୍ମୀ, ବ୍ୟାଟେରୀ ଚାଳିତ ଅଳିଆ ଉଠା ଗାଡି ଚାଳକ ଏହି ଏନଏସିରେ କାର୍ଯ୍ୟରତ ଅଛନ୍ତି। ମାତ୍ର ଗତ ତିନିମାସ ହେଲା କାର୍ଯ୍ୟରତ ମୋଟ ୩୪ଜଣ ମହିଳା ସ୍ବଚ୍ଛସାଥୀ, ସୁପରଭାଇଜର, ଚାଳକ ଓ ସହାୟିକାଙ୍କୁ ବେତନ ମିଳିନାହିଁ। ଏ ବିଷୟରେ ବିଭିନ୍ନ ସମୟରେ ବିଭାଗୀୟ ଅଧିକାରୀ ମାନଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ଏପରିକି ୧୫ଦିନ ପୂର୍ବରୁ ସେମାନେ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କୁ ଭେଟି ୩ମାସ ବେତନ ପାଇନଥିବାରୁ ସେମାନଙ୍କ ଆର୍ଥିକ ଦୁର୍ଗତି ବିଷୟରେ ଅବଗତ କରାଇଥିଲେ ।

prayash

ସେମାନଙ୍କ ସମସ୍ୟା ସପ୍ତାହକ ମଧ୍ୟରେ ସମାଧାନ କରିବାକୁ ଏନଏସି ନିର୍ବାହୀ ଅଧିକାରୀଙ୍କୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ମଧ୍ଯ କୌଣସି ସୁଫଳ ମିଳିଲା ନାହିଁ। ଫଳରେ ମଙ୍ଗଳବାର ସକାଳୁ ସଂପୃକ୍ତ ସ୍ୱଚ୍ଛ କର୍ମଚାରୀମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ । ପରେ ପରିମଳ ନିରୀକ୍ଷକ ଲଲାଟେନ୍ଦୁ ବେହେରା ସେମାନଙ୍କ ସହ ଆଲୋଚନା କରି ସମସ୍ୟାର ତୁରନ୍ତ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା କେନ୍ଦ୍ର ସରକାରଙ୍କ ଯୋଜନା ଏବଂ କେନ୍ଦ୍ର ଅନୁଦାନ ଆସିନଥିବାରୁ ସେମାନଙ୍କୁ ବେତନ ଦିଆଯାଇ ପାରିନଥିଲା । ଖୁବଶୀଘ୍ର ଅନୁଦାନ ଆସିବ ଏବଂ ଆସନ୍ତା ସପ୍ତାହ ମଧ୍ଯରେ ସ୍ୱଚ୍ଛତା କର୍ମଚାରୀଙ୍କ ବକେୟା ୩ମାସର ବେତନ ପ୍ରଦାନ କରାଯିବ ବୋଲି ନିର୍ବାହୀ ଅଧିକାରୀ ଡ.ପ୍ରଦୀପ କୁମାର ସାହା ପ୍ରକାଶ କରିଛନ୍ତି । ତେବେ ସ୍ବଚ୍ଛତା କର୍ମଚାରୀ ଆନ୍ଦୋଳନରୁ ଓହରିବେ ନା କାର୍ଯ୍ୟବନ୍ଦ ଆନ୍ଦୋଳନ ଅବ୍ୟାହତ ରହିବ ତାହା ସେମାନେ ଆଲୋଚନା କରି ଆସନ୍ତାକାଲି ନିଷ୍ପତ୍ତି ନେବେ ବୋଲି କହିଛନ୍ତି।

Comments are closed.