ସ୍କୁଲ ଯିବା ପାଇଁ ପିଲା ଭୟ କରୁଛନ୍ତି କି , ଭୟ ଦୂର ପାଇଁ ଆପଣାନ୍ତୁ ଏହି ଉପାୟ
ନୂଆଦିଲ୍ଲୀ: ଅନେକ ଛୋଟ ପିଲା ଅଛନ୍ତି ଯେଉଁମାନେ ବିଦ୍ୟାଳୟ ଯିବା ପାଇଁ ଭୟ କରନ୍ତି। ଏକ ଅଭିଭାବକ ହିସାବରେ ଆପଣଙ୍କ ଆଶାଠାରୁ ଅଧିକ ଛୁଆମାନେ କାନ୍ଦିଥାଆନ୍ତି, ଯାହା ଅଭିଭାବକ ମାନଙ୍କ ଚିନ୍ତାର କାରଣ ହୋଇଥାଏ। ବିଦ୍ୟାଳୟରେ ପ୍ରଥମ ଦିନର ଅନୁଭୂତି ଜାଣିବା ପାଇଁ ଅଭିଭାବକମାନେ ଆଗ୍ରହ ପ୍ରକାଶ କରିଥାଆନ୍ତି। ଛୁଆଟିର କିପରି ବୌଦ୍ଧିକ ବିକାଶ ହେବ, ଶିକ୍ଷାଲାଭ କ୍ଷେତ୍ରରେ ଅଗ୍ରଗତି କରିବ , ଜୀବନରେ ଆତ୍ମ ନିର୍ଭରଶୀଳ ହେବ ଏହି ଆଶା ରଖି ଅଭିଭାବକମାନେ ପିଲାମାନଙ୍କୁ ବିଦ୍ୟାଳୟରେ ଛାଡି ଥାଆନ୍ତି।
ଯେତେବେଳେ ଆପଣଙ୍କ ଛୁଆ ବିଦ୍ୟାଳୟ ଯିବାକୁ ଆରମ୍ଭ କରିଥାଏ ଏକ ଅଭିଭାବକ ହିସାବରେ ଆପଣଙ୍କର କ’ଣସବୁ କର୍ତ୍ତବ୍ୟ ରହିବା ଦରକାର ଆସନ୍ତୁ ଜାଣିବା।
ବିଦ୍ୟାଳୟ ପରିଦର୍ଶନ: ଆପଣଙ୍କ ଛୁଆକୁ ବିଦ୍ୟାଳୟରେ ନାମଲେଖାଇବା ଆଗରୁ ବିଭିନ୍ନ ବିଦ୍ୟାଳୟ ବୁଲିବା ଦେଖିବା ଦରକାର। ପିଲାକୁ ବିଦ୍ୟାଳୟରେ ଥିବା ଖେଳପଡିଆ, ବିଭିନ୍ନ ଚିତ୍ର, ଶ୍ରେଣୀଗୃହ, ଶୌଚାଳୟ ଆଦି ଦେଖାଇବା ସହ ଶିକ୍ଷକମାନଙ୍କ ସହ ପରିଚୟ କରାଇବା ଆବଶ୍ୟକ।
ବିଦ୍ୟାଳୟର ଗାଡି ସହ ପରିଚୟ: ଛୁଆମାନେ ସ୍କୁଲବସ୍ କିମ୍ବା ଅନ୍ୟ ଗାଡିରେ ବିଦ୍ୟାଳୟକୁ ଯାଉଥିଲେ ସେ ସମ୍ପର୍କରେ ସେମାନଙ୍କୁ ସମ୍ପୂର୍ଣ୍ଣ ଆବଗତ କରିବା ଆବଶ୍ୟକ।
ଗପ ବହିର ବ୍ୟବହାର : ପିଲାଟି ବିଦ୍ୟାଳୟ ଯିବାପୂର୍ବରୁ ବିଭିନ୍ନ ଗପ ବହି ପଢି ଗପ ଶୁଣାଇବା ଦରକାର। ଯାହାଦ୍ୱାରା ବହି ପ୍ରତି ପିଲାମାନଙ୍କର ଭୟ ଦୂର ହୋଇଥାଏ।
ବିଦ୍ୟାଳୟରେ ବ୍ୟବହୃତ ସମସ୍ତ ଜିନିଷ କିଣିବାପାଇଁ ଛୁଆକୁ ସାଥିରେ ନେଇ ବଜାର ଯିବା ଦରକାର। ଏହାଦ୍ୱାରା ଛୁଆଟିର ବିଦ୍ୟାଳୟ ପ୍ରତି ଆଗ୍ରହଭାବ ବଢିଥାଏ।
ଛୁଆର ବ୍ୟବହାର ଓ ସ୍ୱଭାବପ୍ରତି କିଛି ଗୁରୁତ୍ୱପୁର୍ଣ୍ଣ ଉପାୟ :
• ସମସ୍ତ ଅଭିଭାବକ ନିଜର ଛୁଆମାନଙ୍କୁ କିପରିଭାବରେ ଶୌଚାଳୟର ବ୍ୟବହାର କରିବା ଦରକାର ଏବଂ କିପରି ଭାବରେ ନିଜର ହାତକୁ ସଫାରଖିବା ଦରକାର ସେଥିପାଇଁ ସଚେତନ କରିବା ଆବଶ୍ୟକ।
• ପ୍ରଥମଦିନରେ ବିଦ୍ୟାଳୟ ଦ୍ୱାରା ଦିଆଯାଇଥିବା ସୂଚୀ ପତ୍ରକୁ ସମସ୍ତ ଅଭିଭାବକ ଗୁରୁତ୍ୱପୁର୍ଣ୍ଣ ସହକାରେ ଗ୍ରହଣ କରିବା ଦରକାର।
• ଆପଣଙ୍କ ଉତ୍ତମ ସ୍ୱଭାବ ଛୁଆମାନଙ୍କୁ ସଂସ୍କାରପୁର୍ଣ୍ଣ କରାଇଥାଏ। ତେଣୁ ଆପଣଙ୍କ ମଧ୍ୟରେ ଥିବା ବିରକ୍ତିଭାବ, ଚିଡିଚିଡା ପଣ ମନୋଭାବ ଛୁଆଙ୍କୁ ଦେଖାଇବେ ନାହିଁ।
ଶେଷରେ ବିଦ୍ୟାଳୟ ଛୁଟି ହେବାପରେ ଆପଣ ଛୁଆକୁ ବିଭିନ୍ନ ସକରାତ୍ମକ ପ୍ରଶ୍ନ ପଚାରିବା ଦରକାର, ଯେପରିକି କିଏ ଆଜି ତମ ସହ ଖେଳିଲା? ଶ୍ରେଣୀ ଗୃହରେ କଣସବୁ କାର୍ଯ୍ୟକ୍ରମ ହେଲା? ଆଦି? କିଛି ଛୁଆ ପ୍ରଥମେ ବିଦ୍ୟାଳୟ ଯିବାକୁ ଭୟ କରନ୍ତି, କିନ୍ତୁ ଆପଣ ଅଭିଭାବକ ହିସାବରେ ଛୁଆର ମନୋବଳ ଦୃଢକରିବା ଦରକାର। ଛୁଆର ସାଙ୍ଗମାନଙ୍କୁ ଘରକୁ ଡାକିବା ଦରକାର ଯାହାଦ୍ୱାରା ତାହାର ଭୟ ଦୂର ହୋଇଥାଏ।