‘୧୦୨ ନଟ୍‍ଆଉଟ୍‍’ – ପ୍ରଥମ ଦିନରେ ସାଢେ ତିନି କୋଟିର ଆୟ

0

ମୁମ୍ବଇ : ଅମିତାଭ ବଚ୍ଚନ ଓ ଋଷି କାପୁରଙ୍କ ଅଭିନୀତ ଚର୍ଚ୍ଚିତ ସିନେମା ‘୧୦୨ ନଟ୍‍ଆଉଟ୍‍’ ଶୁକ୍ରବାର ରିଲିଜ ହୋଇଛି। ପ୍ରଥମ ଦିନରୁ ହିଁ ଫିଲ୍ମଟି ଭଲ ବ୍ୟବସାୟ କରିଛି।  ‘୧୦୨ ନଟ୍‍ଆଉଟ୍‍’ ରିଲିଜ ଦିନ ହିଁ ସାଢେ ତିନି କୋଟି ଟଙ୍କା ଆୟ କରିଛି।                                                                                                         ଉମେଶ ଶୁକ୍ଳାଙ୍କ ନିର୍ଦେଶିତ କମେଡି ଡ୍ରାମା ‘୧୦୨ ନଟ୍‍ଆଉଟ୍‍’  ସବୁ ବର୍ଗର ଦର୍ଶକଙ୍କ ମନକୁ ଛୁଇଁଛି।  ପ୍ରଖ୍ୟାତ ଗୁଜରାଟୀ ନାଟ୍ୟକାର ସୌମ୍ୟ ଯୋଶୀଙ୍କ ଦ୍ୱାରା ରଚିତ ଏକ ନାଟକକୁ  ‘୧୦୨ ନଟ୍‍ଆଉଟ୍‍’ ନାମରେ ସିନେମାର ରୂପ ଦିଆଯାଇଛି। ଏଥିରେ ପ୍ରମୁଖ ଚରିତ୍ର ହେଉଛନ୍ତି ଦୁଇ ବୟୋବୃଦ୍ଧ ପିତାପୁତ୍ର । ୧୦୨ ବର୍ଷ ବୟସ୍କ ପିତା ଦତ୍ତରାୟ ଭଖାରିଆ ଚରିତ୍ରରେ ଅଭିନୟ କରିଛନ୍ତି ଅମିତାଭ ବଚ୍ଚନ; ଯିଏ କି ଦୁନିଆର ସବୁଠାରୁ ବୟସ୍କ ପୁରୁଷ ଭାବେ ବିଶ୍ୱ ରେକର୍ଡ କରିବା ଇଚ୍ଛାରେ ଅଛନ୍ତି। ତେବେ ତାଙ୍କ ୭୫ ବର୍ଷ ବୟସ୍କ ପୁତ୍ର ବାବୁଲାଲ ଭଖାରିଆର ଦୁଃଖ ଓ ଶୁଖିଲା ମୁହଁ, ତାଙ୍କୁ ଚିନ୍ତାରେ ପକାଉଛି। ଏହି ବାବୁଲାଲ ଭୂମିକାରେ ଅଛନ୍ତି ଋଷି କାପୁର।

ଦୀର୍ଘ ବର୍ଷ ପରେ ବଳିଉଡର ଏହି ଦୁଇ କଳାକାରଙ୍କୁ ଏକାଠି ଦେଖିବାକୁ ମିଳିଛି ।  ବୃଦ୍ଧ ପିତାପୁତ୍ର ଚରିତ୍ରରେ ଉଭୟ ବେଶ ଭଲ ଅଭିନୟ କରିଛନ୍ତି । ଅମିତାଭ ୧୦୨ ବର୍ଷର ବୟୋବୃଦ୍ଧ ପିତା  ଏବଂ ଋଷି କାପୁର ୭୫ ବର୍ଷର ପୁତ୍ର ଚରିତ୍ରରେ ଅଭିନୟ କରିଛନ୍ତି।  ଆଗାମୀ ଦିନରେ ‘୧୦୨ ନଟ୍‍ଆଉଟ୍‍’ ଆହୁରି ଭଲ ବ୍ୟବସାୟ କରିବ ବୋଲି ସମୀକ୍ଷକମାନେ  ମତ ଦେଇଛନ୍ତି।

Leave A Reply