ଚୀନରେ ମୁକ୍ତିଲାଭ କଲା ‘ବାହୁବଳୀ-୨’
ନୂଆଦିଲ୍ଲୀ : ଭାରତୀୟ ଚଳଚ୍ଚିତ୍ର ଜଗତରେ ରେକର୍ଡ ସୃଷ୍ଟି କରିଥିବା ‘ବାହୁବଳୀ’ କୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଗୁରୁବାର ୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ‘ବାହୁବଳୀ-୨’ କୁ ସର୍ବଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ର ଭାବେ ପୁରସ୍କାର ପ୍ରଦାନ କରାଯାଇଛି ।
ଅନ୍ୟପକ୍ଷରେ ଶୁକ୍ରବାର, ମଇ ୪ ତାରିଖରେ ଚୀନରେ ମୁକ୍ତିଲାଭ କରିଛି ‘ବାହୁବଳୀ-୨ ଦ କନକ୍ଲ୍ୟୁଜନ’ । ‘ବାହୁବଳୀ-୨’ ଦେଖିବା ପାଇଁ ସେଠାରେ ଦର୍ଶକଙ୍କ ଭିତରେ ପ୍ରବଳ ଉତ୍ସୁକତା ଭରି ରହିଛି । ପୂର୍ବରୁ ଅନେକ ଭାରତୀୟ ଚଳଚ୍ଚିତ୍ର ଚୀନରେ ରିଲିଜ ହୋଇ ଭଲ ବ୍ୟବସାୟ କରିଥିଲା । ଅମୀର ଖାଁଙ୍କ ’ଦଙ୍ଗଲ’ ଚୀନରେ ଅପାର ସଫଳତା ଲାଭ କରିଥିଲା।
ତେବେ ‘ବାହୁବଳୀ-୨’ ରିଲିଜ ହେବା ପୂର୍ବରୁ ଚୀନରେ ୨ଲକ୍ଷ ୫୦ ହଜାର ଡଲାରର ଆଗୁଆ ଟିକେଟ୍ ବୁକିଂ ହୋଇ ସାରିଛି । ଆଜି ୭୦୦୦ରୁ ଅଧିକ ଫିଲ୍ମ ହଲରେ ‘ବାହୁବଳୀ-୨’ ରିଲିଜ ହୋଇଛି।
ସୂଚନାଯୋଗ୍ୟ ଯେ ୨୦୧୭ ମେ’ ୨୮ ତାରିଖରେ ‘ବାହୁବଳୀ-୨’ ରିଲିଜ୍ ହୋଇଥିଲା। ଉଭୟ ବ୍ୟବସାୟିକ ଓ ଲୋକପ୍ରିୟତା ସମସ୍ତ ଦିଗରୁ ‘ବାହୁବଳୀ-୨’ ଅନେକ ରେକର୍ଡ ପ୍ରତିଷ୍ଠା କରିଥିଲା।