ଜାପାନକୁ ହରାଇ କ୍ୱାର୍ଟରରେ ବେଲ୍‍ଜିୟମ୍‍

0

ରୋଷ୍ଟଭ୍‍-ଅନ୍‍-ଡନ୍‍ :  ଚଳିତ ଫିଫା ବିଶ୍ୱକପ୍‍ର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି ବିଶ୍ୱର ୩ନଂ ଦଳ ବେଲ୍‍ଜିୟମ୍‍। ସୋମବାର ରୋମାଞ୍ଚକର ୬ଷ୍ଠ ପ୍ରିକ୍ୱାର୍ଟରଫାଇନାଲ ମ୍ୟାଚ୍‍ରେ ଜାପାନକୁ ୩-୨ ଗୋଲ୍‍ରେ ବେଲ୍‍ଜିୟମ୍‍ ପରାସ୍ତ କରିଛି। ଜାପାନ ୨-୦ରେ ଆଗୁଆ ଥିବା ସତ୍ତ୍ବେ କ୍ରମାଗତ ୩ଟି ଗୋଲ୍‍ଦେଇ ବେଲ୍‍ଜିୟମ୍‍ ଏହି ବିଜୟ ହାସଲ କରିଛି। ସ୍କୋର୍‍ ୨-୨ ଥିବା ବେଳେ ଇଞ୍ଜ୍ୟୁରି ଟାଇମ୍‍ର ଅନ୍ତିମ ମିନିଟରେ ବେଲ୍‍ଜିୟମ୍‍ ପାଇଁ ନାସେର ଚାଦ୍‍ଲି ବିଜୟସୂଚକ ୩ୟ ଗୋଲ୍‍ ସ୍କୋର୍‍ କରିଥିଲେ। ଫଳରେ ୩ୟ ଥର ପାଇଁ ବେଲ୍‍ଜିୟମ୍‍ କ୍ୱାର୍ଟରଫାଇନାଲରେ ପହଞ୍ଚିଥିବା ବେଳେ ଜାପାନର ପ୍ରଥମଥର କ୍ୱାର୍ଟର ଖେଳିବା ଆଶା ଅପୂରଣୀୟ ରହିଛି। କ୍ୱାର୍ଟରଫାଇନାଲରେ ବ୍ରାଜିଲର ମୁକାବିଲା କରିବ ବେଲ୍‍ଜିୟମ୍‍।
ଏହି ମ୍ୟାଚ୍‍ର ବେଲ୍‍ଜିୟମ୍‍ ଦଳ ଫେଭରିଟ୍‍ ଥିଲେ ହେଁ ଜାପାନ ଦଳ ଆରମ୍ଭରୁ ଆକ୍ରମଣାତ୍ମକ ଫୁଟ୍‍ବଲ ଖେଳି ବେଲ୍‍ଜିୟମ୍‍କୁ ଚକିତ କରିଥିଲା। ପ୍ରଥମ ମିନିଟ୍‍ରେ ସିନ୍‍ଜି କାଗାୱାଙ୍କ ସଟ୍‍ ଗୋଲ୍‍ପୋଷ୍ଟ ବାହାରେ ଚାଲି ଯାଇଥିଲା। ଏହାପରେ ମଧ୍ୟ ଜାପାନର ଆକ୍ରମଣାତ୍ମକ ଫୁଟ୍‍ବଲ ଜାରି ରହିଥିଲା। ୧୦ମ ମିନିଟରେ ତାକାସି ଇନୁଇଙ୍କ କ୍ରସ୍‍କୁ ବେଲ୍‍ଜିୟମ୍‍ର ଭିନ୍‍ସେଣ୍ଟ କମ୍ପାନି ହେଡ୍‍କରି ବାହାର କରି ଦେଇଥିଲେ। ୨୦ ମିନିଟ ପରେ ମ୍ୟାଚ୍‍କୁ ବେଲ୍‍ଜିୟମ୍‍ ନିୟନ୍ତ୍ରଣରେ ରଖି ପାରିଥିଲା। ୨୭ ମିନିଟରେ ବେଲ୍‍ଜିୟମ୍‍ ଅଧିନାୟକ ତଥା ତାରକା ଷ୍ଟ୍ରାଇକର ଏଡେନ୍‍ ହାଜାର୍ଡ ଏକ ରକେଟ୍‍ମାର୍କ ସଟ୍‍ ମାରିଥିଲେ ହେଁ ବଲ୍‍କୁ ଜାପାନ ଗୋଲ୍‍ରକ୍ଷକ ଏଜି କାୱାସିମା ଡାଇଭ୍‍ମାରି ବଲ୍‍କୁ ବାହାର କରି ଦେଇଥିଲେ। ୨୮ ମିନିଟରେ କର୍ଣ୍ଣର କିକ୍‍ରୁ ବେଲ୍‍ଜିୟମ୍‍ର ଡି ବ୍ରୁଇନ୍‍ ମାରିଥିବା କ୍ରସ୍‍ରୁ ଭିନ୍‍ସେଣ୍ଟ କମ୍ପାନୀ ଭଲି ମାରିଥିଲେ ହେଁ ବଲ୍‍ ଗୋଲ୍‍ପୋଷ୍ଟ ବାହାରେ ଚାଲି ଯାଇଥିଲା। ୩୬ ମିନିଟ୍‍ରେ ବେଲ୍‍ଜିୟମ୍‍ର ଆକ୍ସେଲ ୱିଟ୍‍ସେଲଙ୍କ ସଟ୍‍ ଜାପାନ ଗୋଲ୍‍ପୋଷ୍ଟ ଉପରେ ଚାଲି ଯାଇଥିଲା। ୪୪ ମିନିଟରେ ଜାପାନ ଗୋଲ୍‍ଦେବାର ନିକଟବର୍ତ୍ତୀ ହୋଇଥିଲା। ଏକ ସହଜ ବଲ୍‍କୁ ବେଲ୍‍ଜିୟମ୍‍ ଗୋଲ୍‍ରକ୍ଷକ ଥିବାଓ କୋର୍ଟୋଆ ଧରି ପାରିନଥିଲେ। ବଲ୍‍ଟି ଗୋଲ୍‍ରେଖା ଅତିକ୍ରମ କରିବା ପୂର୍ବରୁ ଥିବାଓ ଏହାକୁ ପୁଣି ଧରି ନେଇଥିଲେ। ଏହିପରି ଆକ୍ରମଣାତ୍ମକ ଢଙ୍ଗରେ ପ୍ରଥମାର୍ଦ୍ଧ ଆରମ୍ଭ କରିଥିବା ଜାପାନ ପରେ ରକ୍ଷଣାତ୍ମକ ଫୁଟ୍‍ବଲ ଖେଳିବାକୁ ବାଧ୍ୟ ହୋଇଥିଲା। ପ୍ରଥମାର୍ଦ୍ଧ ଗୋଲ୍‍ଶୂନ୍ୟ ରହିଥିଲା।
ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ଜାପାନ ଗୋଲ୍‍ ସ୍କୋର୍‍କରି ବେଲ୍‍ଜିୟମ୍‍କୁ ସ୍ତବ୍‍ଧ କରି ଦେଇଥିଲା। ୪୮ ମିନିଟରେ ଏକ ଦର୍ଶନୀୟ ସଟ୍‍ମାରି ହେଙ୍କି ହାରାଗୁଚି ଜାପାନ ପାଇଁ ଗୋଲ୍‍ଦେଇ ଦଳକୁ ଆଗୁଆ କରିିଥିଲେ। ପରବର୍ତ୍ତୀ ମିନିଟରେ ବେଲ୍‍ଜିୟମ୍‍ ଅଧିନାୟକ ଏଡେନ୍‍ ହାଜାର୍ଡଙ୍କ ସଟ୍‍ ଗୋଲ୍‍ପୋଷ୍ଟରେ ବାଜିଥିଲା। ୫୨ ମିନିଟରେ ଜାପାନ ୨ୟ ଗୋଲ୍‍ ଦେଇଥିଲା। ବେଲ୍‍ଜିୟମ୍‍ ଡିଫେଣ୍ଡରଙ୍କ ତ୍ରୁଟିରୁ ଫାଇଦା ଉଠାଇ ତାକେସି ଇନୁଇ ଜୋର୍‍ଦାର ସଟ୍‍ମାରି ବେଲ୍‍ଜିୟମ୍‍ ଗୋଲ୍‍ରକ୍ଷକ କୋର୍ଟୋଆଙ୍କୁ ପରାସ୍ତ କରିଥିଲେ। ୪ ମିନିଟରେ ୨ଟି ଗୋଲ୍‍ ବରଣ କରିବା ପରେ ରେଡ୍‍ ଡେଭିଲ୍‍ସ ଭାବେ ପରିଚିତ ବେଲ୍‍ଜିୟମ୍‍ ଅଧିକ ଆକ୍ରମଣ କରିଥିଲା। ଜାପାନ ୪ ମିନିଟରେ ୨ଟି ଗୋଲ୍‍ ଦେଇଥିବା ବେଳେ ବେଲ୍‍ଜିୟମ୍‍ ୫ ମିନିଟରେ ୨ଟି ଗୋଲ୍‍ ସୁଝାଇ ଦେଇଥିଲା। ୬୯ ମିନିଟରେ ବେଲ୍‍ଜିୟମ୍‍ ପ୍ରଥମ ଗୋଲ୍‍ ସୁଝାଇଥିଲା। ଏକ କର୍ଣ୍ଣରରୁ ୟାନ୍‍ ଭଟୋଙ୍ଘେନ୍‍ ୧୫ ଗଜ ଦୂରରୁ ମାରିଥିବା ହେଡରକୁ ଜାପାନ ଗୋଲ୍‍ରକ୍ଷକ ବୁଝି ପାରିନଥିଲେ ଏବଂ ବଲ୍‍ ଗୋଲ୍‍ପୋଷ୍ଟ ଭିତରକୁ ଚାଲି ଯାଇଥିଲା। ୭୪ ମିନିଟରେ ବଦଳ ଖେଳାଳି ମାରାଓନୋ ଫେଲାଇନି ବେଲ୍‍ଜିୟମ୍‍ ପାଇଁ ୨ୟ ଗୋଲ୍‍ ସ୍କୋର୍‍ କରିଥିଲେ। ଏଡେନ୍‍ ହାଜାର୍ଡଙ୍କ କର୍ଣ୍ଣରକୁ ହେଡ୍‍କରି ଫେଲାଇନି ଏହି ଗୋଲ୍‍ଟି ଦେଇଥିଲେ। ଏହି ଗୋଲ୍‍ ପରେ ବେଲ୍‍ଜିୟମ୍‍ ଚାପ ପକାଇ ଖେଳିଥିଲା। ତେବେ ଜାପାନ ପ୍ରାଣପଣେ ଗୋଲ୍‍ ବଞ୍ଚାଇ ଚାଲିଥିଲା। ମ୍ୟାଚ୍‍ ଅତିରିକ୍ତ ସମୟ ଆଡ଼କୁ ଯାଉଥିବା ବେଳେ ଇଞ୍ଜ୍ୟୁରି ଟାଇମ୍‍ରେ ବେଲ୍‍ଜିୟମ୍‍ ବିଜୟସୂଚକ ୩ୟ ଗୋଲ୍‍ ଦେଇଥିଲା। ମ୍ୟାଚ୍‍ ସରିବାକୁ କେଇ ସେକେଣ୍ଡ ବାକିଥିବା ବେଳେ ବେଲ୍‍ଜିୟମ୍‍ର ନାସେର ଚାଦ୍‍ଲି ଏହି ଗୋଲ୍‍ଟି ଦେଇ ଦଳକୁ ଜିତାଇଥିଲେ।

kalyan agarbati
Leave A Reply