’ଇଷ୍ଟର୍ଣ୍ଣ ପେରିଫେରାଲ୍‍ ଏକ୍ସପ୍ରେସ୍‍ ୱେ’ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ

0

ନୂଆଦିଲ୍ଲୀ : ଦେଶର ପ୍ରଥମ ସ୍ମାର୍ଟ ଗ୍ରୀନ୍‍ ହାଇୱେ -’ଇଷ୍ଟର୍ଣ୍ଣ ପେରିଫେରାଲ୍‍ ଏକ୍ସପ୍ରେସ୍‍ ୱେ’ ରବିବାର ଉଦଘାଟିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଉତ୍ତର ପ୍ରଦେଶର ବାଘ୍‍ପତ୍‍ଠାରେ ଏହି ପ୍ରଥମ ସ୍ମାର୍ଟ ଗ୍ରୀନ୍‍ ହାଇୱେକୁ ଉଦ୍‍ଘାଟନ କରିଛନ୍ତି। ଏହାକୁ ’ଇଷ୍ଟର୍ଣ୍ଣ ପେରିଫେରାଲ୍‍ ଏକ୍ସପ୍ରେସ୍‍ ୱେ’ ବୋଲି କୁହାଯାଉଛି। ୧୩୫ କିଲୋମିଟର ଦୀର୍ଘ ଏହି ୬ ଲେନ୍‍ ବିଶିଷ୍ଟ ସଡ଼କରେ ବିଶ୍ୱସ୍ତରୀୟ ନିରାପତ୍ତା ବ୍ୟବସ୍ଥା ରହିଛି ଏବଂ ଏହା ଅତ୍ୟନ୍ତ ପରିବେଶ ଅନୁକୂଳ। ଏହି ପଥଦେଇ ଗାଜିଆବାଦ୍‍, ଫରିଦାବାଦ, ଗୌତମବୁଦ୍ଧ ନଗର ଓ ପଲୁୱାଲ୍‍ ମଧ୍ୟରେ ନିର୍ବିଘ୍ନ ସଡ଼କ ଯୋଗାଯୋଗ ସମ୍ଭବ ହୋଇପାରିବ। ୨୦୧୫ ନଭେମ୍ବର ମାସରେ ଶ୍ରୀ ମୋଦି ଏହି ସଡ଼କ ପଥର ଶିଳାନ୍ୟାସ କରିଥିଲେ।

୯୧୦ ଦିନ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ଏହା ରେକର୍ଡ଼ ୫୦୦ ଦିନ ମଧ୍ୟରେ ଶେଷ ହୋଇଛି। ୧୧ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସଡ଼କ ପଥରେ ଦେଶରେ ପ୍ରଥମ ଥରପାଇଁ ସୌରଚାଳିତ ଆଲୋକ ବ୍ୟବସ୍ଥା, ବର୍ଷା ଜଳ ଅମଳ ଓ ଅନ୍ୟାନ୍ୟ ସୁବିଧା ରହିଛି। ଏହି ସଡ଼କ ପଥରେ ଥିବା ଟୋଲ୍‍ ପ୍ଲାଜାଗୁଡ଼ିକରେ ଇଲୋକ୍‍ଟ୍ରୋନିକ୍‍ ଟୋଲ୍‍ ଆଦାୟ ବ୍ୟବସ୍ଥା ରହିଛି। ଫଳରେ ଗାଡ଼ିଗୁଡ଼ିକୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ୁ ନାହିଁ। ଯେତିକି ପଥ ଅତିକ୍ରମ କରିବାକୁ ହେବ, ଗାଡ଼ିଗୁଡ଼ିକୁ କେବଳ ସେତିକି ପଥ ପାଇଁ ଟୋଲ୍‍ ଦେବାକୁ ପଡ଼ିବ।ଏହି ରାଜପଥରେ ଭାରତର ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ୩୬ଟି କୀର୍ତ୍ତିରାଜି ନିର୍ମାଣ କରାଯାଇଛି।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିଲ୍ଲୀ-ମିରଟ୍‍ ଏକ୍ସପ୍ରେସ୍‍ ସଡ଼କର ପ୍ରଥମ ପର୍ଯ୍ୟାୟକୁ ଉଦ୍‍ଘାଟନ କରିଛନ୍ତି। ପ୍ରାୟ ୯ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସଡ଼କ ଦିଲ୍ଲୀର ନିଜାମୁଦ୍ଦିନ୍‍ ସେତୁଠାରୁ ଉତ୍ତର ପ୍ରଦେଶ ସୀମାକୁ ଛୁଇଁଛି। ପ୍ରଧାନମନ୍ତ୍ରୀ ଏହି ସଡ଼କର ଉନ୍ମୋଚନ କରିବା ପରେ ଏହା ଉପରେ ଏକ ଖୋଲା ଜିପ୍‍ରେ ୬ କିଲୋମିଟର ପର୍ଯ୍ୟନ୍ତ ରୋଡ୍‍ ଶୋ’ରେ ଯାଇଥିଲେ। ୬ ଲେନ୍‍ ବିଶିଷ୍ଟ ଏହି ଏକ୍ସପ୍ରେସ୍‍ ସଡ଼କ ନିର୍ମାଣ ସମ୍ପୂର୍ଣ୍ଣ ହେଲେ ଦିଲ୍ଲୀ ଓ ମିରଟ୍‍ ମଧ୍ୟରେ ସଡ଼କ ଯୋଗାଯୋଗ ଅତ୍ୟନ୍ତ ସୁଗମ ହେବ। ଏବେ ଏହି ଦୁଇ ସହର ମଧ୍ୟରେ ସଡ଼କ ପଥରେ ଯାତ୍ରା କରିବାପାଇଁ ପ୍ରାୟ ୫ ଘଣ୍ଟା ସମୟ ଲାଗୁଥିବାବେଳେ ଏହି ନୂଆ ସଡ଼କଦ୍ୱାରା ଏହା ୪୫ ମିନିଟ୍‍କୁ ହ୍ରାସ ପାଇବ। ଏହାଫଳରେ ଯାତ୍ରୀମାନେ ବିଶେଷ ଉପକୃତ ହେବେ।

Leave A Reply