ରାମାୟଣ କାଳର କେତୋଟି ଜାଣିବାର କଥା
ପ୍ରିୟବ୍ରତ ଦାସ
ରାମଙ୍କର ରାଜ୍ୟପ୍ରାପ୍ତି ପରେ ସମକାଳୀନ ମହର୍ଷି ବାଲ୍ମୀକି ‘ରାମାୟଣ’ ନାମକ ଏକ ଐତିହାସିକ କାବ୍ୟ ରଚନା କରିଥିଲେ। ‘ରାମାୟଣ’ (ରାମ+ଅୟନ) ରାମଙ୍କର ଜୟଯାତ୍ରା। ଆଧୁନିକ କାଳରେ ଯେଉଁମାନେ ବାଲ୍ମୀକିଙ୍କର ପୂର୍ବବର୍ତ୍ତୀ ଜୀବନକୁ ଲୁଣ୍ଠନକାରୀ ଡକାୟତ କହନ୍ତି, ସେମାନେ ରାମାୟଣରେ ଲିପିବଦ୍ଧ ଥିବା ସ୍ବୟଂ ବାଲ୍ମୀକିଙ୍କର ବଚନ ପଢ଼ନ୍ତୁ। ସେ ସୀତାଙ୍କର ପାତିବ୍ରତ୍ୟ ଓ ପବିତ୍ରତା ସମ୍ବନ୍ଧରେ ପ୍ରମାଣ ଦେବା ପରେ କହିଥିଲେ- ହେ ରାମ! ମୁଁ ପ୍ରଚେତସ ମୁନିଙ୍କର ପୁତ୍ର। ଜୀବନବ୍ୟାପୀ କେବେହେଲେ ମନ-ବଚନ-କର୍ମରେ ପାପାଚରଣ କରି ନାହିଁ। ସମ୍ଭବତଃ ବାଲ୍ମୀକି ନାମଧେୟ ଅନ୍ୟ କେହି ନିଜ ବାଲ୍ୟକାଳରେ ପଥଭ୍ରଷ୍ଟ ଥିଲେ।
କେତେକ ପାଶ୍ଚାତ୍ୟ ଲେଖକ ରାମାୟଣକୁ ମହାଭାରତର ପରବର୍ତ୍ତୀ ରଚନା ରୂପରେ ମନ୍ତବ୍ୟ ଦେଉଛନ୍ତି। ମହାଭାରତରେ ରାମାୟଣର କିଛି କଥା ଅଛି; ପରନ୍ତୁ ରାମାୟଣରେ ମହାଭାରତର ନାମ ଗନ୍ଧ ନାହିଁ। ସେହେତୁ ସେମାନଙ୍କର ମନ୍ତବ୍ୟ ଆଧାରଶୂନ୍ୟ। ରାମାୟଣ ଏକ କାବ୍ୟ ହେବା ଯୋଗୁଁ ସେଥିରେ କବିସୁଲଭ କେତେକ ଆଳଙ୍କାରିକ ବର୍ଣ୍ଣନା ରହିଥିବା ସ୍ବାଭାବିକ। ପରବର୍ତ୍ତୀ କାଳରେ ଭକ୍ତିରସର କବିମାନେ ସେଗୁଡ଼ିକର ଆଧାରରେ ରାମାୟଣ ବର୍ଣ୍ଣିତ ରାକ୍ଷାସମାନଙ୍କୁ ଭୟାନକ ଜୀବ ରୂପରେ, ବାନରମାନଙ୍କୁ ମାଙ୍କଡ଼ ଆକାରରେ, ରାମଙ୍କୁ ପରମାତ୍ମାଙ୍କର ଅବତାର ଭାବରେ ବର୍ଣ୍ଣନା କଲେ। ବେଦାନ୍ତୀମାନେ ଆହୁରି ଆଗକୁ ବଢ଼ି ସୀତାଙ୍କୁ ଚିତ୍କଳା, ରାବଣଙ୍କୁ ଅହଂକାର, ଲଙ୍କାକୁ ଲିଂଗଦେହ, ରାକ୍ଷସଙ୍କୁ ଷଡ୍ରିପୁ ଭାବରେ ବ୍ୟାଖ୍ୟାନ କଲେ। ଭାରତୀୟ ଜନ-ମାନସରେ ଦଶମୁଣ୍ଡର ରାବଣ, ଆକାଶରେ ଉଡ଼ୁଥିବା ମାଙ୍କଡ଼ ହନୁମାନ, ଭୂମିରୁ ଜନ୍ମିଥିବା ସୀତା, ଭାଲୁରୂପୀ ଜାମ୍ବବାନଙ୍କର ଚିତ୍ର ଆରୋପିତ ହେଲା। ମୂଳ ରାମାୟଣରେ ଅନେକ ଲୋକକଥା, କିମ୍ବଦନ୍ତୀ ଓ ଚମତ୍କାର ପୂରାଇ ଦିଆଗଲା। ସାଂପ୍ରଦାୟିକ ପ୍ରଚାରକମାନେ ବାଲ୍ମୀକିଙ୍କର ଛଅକାଣ୍ଡ ବିଶିଷ୍ଟ ରାମାୟଣର ଶେଷରେ ଉତ୍ତରାକାଣ୍ଡ ନାମରେ ଏକ ଅଧ୍ୟାୟ ଯୋଡ଼ିଦେଲେ। ଯୁଦ୍ଧକାଣ୍ଡରେ ରାମଙ୍କର ରାଜସିଂହାସନ ପ୍ରାପ୍ତି, ରାମରାଜ୍ୟର ବର୍ଣ୍ଣନା ଓ ରାମାୟଣର ଫଳଶ୍ରୁତି କହିବା ପରେ କାବ୍ୟର ସମାପ୍ତି ଘଟେ। ଏହାପରେ ଉତ୍ତରାକାଣ୍ଡ ରଚନା କରି ରାମଙ୍କ ରାଜ୍ୟପ୍ରାପ୍ତି, ଋଷିମୁନିମାନଙ୍କର ଅଭିନନ୍ଦନ, ରାଜ୍ୟାଭିଷେକ, ଲିଙ୍ଗପୂଜା ଆଦି ବର୍ଣ୍ଣନା ବାଲ୍ମୀକିଙ୍କର ପ୍ରସ୍ତୁତି ନଥିଲା। ଏହା ପରବର୍ତ୍ତୀ ମିଶ୍ରଣ। ପ୍ରଥମ ଛଅକାଣ୍ଡରେ ରାମଥିଲେ ନରପୁଙ୍ଗବ, ରାଘବ ଓ ରାଜେନ୍ଦ୍ର। ଉତ୍ତରାକାଣ୍ଡରେ ସେ ବିଷ୍ଣୁ ହୋଇଗଲେ। ପ୍ରଚଳିତ ମୂର୍ତ୍ତିପୂଜାର କିିଛି ସଂକେତ ଗ୍ରନ୍ଥରେ ସ୍ଥାନ ପାଇଲା। ଐତିହାସିକ କାବ୍ୟରେ ଥିବା ପୂର୍ବପୁରୁଷଙ୍କର ପ୍ରଭୁଭକ୍ତି, ରାଷ୍ଟ୍ରପ୍ରୀତି, ଇନ୍ଦ୍ରିୟସଂଯମ, ଗୁରୁଜନ ସେବା ଆଦି ମହତ୍ଗୁଣଗୁଡ଼ିକର ପ୍ରଚାର ହେଲାନାହିଁ।
ରାମଙ୍କର ସହସ୍ର ସହସ୍ୟ ବର୍ଷ ପରେ ଆଜିଠାରୁ ମାତ୍ର ପ୍ରାୟ ପାଞ୍ଚଶହ ବର୍ଷ ପୂର୍ବେ ତୁଳସୀଙ୍କ ରାମାୟଣ ଲିଖିତ ଓ ବହୁଳ ପ୍ରସାରିତ ହେଲା। ସେତେବେଳେ ବେଦ-ଉପନିଷଦ ଆଦି ସତ୍ଶାସ୍ତ୍ରଗୁଡ଼ିକର ପଠନ-ପାଠନ ଏକ ପ୍ରକାର ବନ୍ଦ ହୋଇଥିଲା। ଶୈବ, ବୈଷ୍ଣବ ଆଦି ପୌରାଣିକ ଗୋଷ୍ଠୀ ମଧ୍ୟରେ ନିଜନିଜ କଳ୍ପିତ ଦେବତାଙ୍କୁ ନେଇ ପ୍ରତିଦ୍ବନ୍ଦ୍ବିତ ଚାଲିଥିଲା। ତୁଳସୀ ସବୁଗୋଷ୍ଠୀ ମଧ୍ୟରେ ସମତା ରକ୍ଷାପାଇଁ ଲୋକସଭାରେ ଉକ୍ତିମୂଳକ ଓ ଭାବଗର୍ଭକ ରାମାୟଣଟିଏ ରଚନା କଲେ। ତାଙ୍କ ରାମାୟଣରେ ଇତିହାସର ସ୍ରୋତ ଶୁଖିଗଲା। ହନୁମାନ ଜନ୍ମରୁ ସୂର୍ଯ୍ୟଙ୍କୁ ଧରନ୍ତି, ଅଗସ୍ତ୍ୟ ମୁନି ସମୁଦ୍ର ଶୁଖାଇ ଦିଅନ୍ତି, ଯଯାତି ଦେହ ସହିତ ସ୍ବର୍ଗପୁରକୁ ଯାଆନ୍ତି, ସର୍ପ ପୃଥିବୀକୁ ଧାରଣ କରେ, ନାରୀନିନ୍ଦା, ଜନ୍ମଗତ ଜାତିପ୍ରଥା ପରି ଅନେକ ଅଯୌକ୍ତିକ କଥନରେ ତୁଳସୀ ରାମାୟଣ ଓତପ୍ରୋତ ଏବଂ ତାହା ବାଲ୍ମୀକି ରାମାୟଣର ଅଭିପ୍ରାୟଠାରୁ ବହୁ ଦୂରରେ। ବାଲ୍ମୀକି ଏକ ବିକାଶୋନ୍ମଖୀ ରାଷ୍ଟ୍ରର ବର୍ଣ୍ଣନା କରିଥିବାବେଳେ ତୁଳସୀ ରାମଙ୍କର ଚମତ୍କାରିକ ଲୀଳାଗାନରେ ସଚେଷ୍ଟ। ନିତ୍ୟ ଉପାସନା କରୁଥିବା ଐତିହାସିକ ରାମ ଯଦି ସ୍ବୟଂ ଭଗବାନ, ତାହାହେଲେ ମନୁଷ୍ୟ ଜାତି ତାଙ୍କ ନାମରେ ଅବ୍ଦ (କାଳମାନ) କାହିଁକି ପ୍ରଚଳନ କରିବ? ବରଂ ମନୁଷ୍ୟ ରୂପରେ ବର୍ଣ୍ଣିତ ଯିଶୁଙ୍କ ଅବ୍ଦ (ଖ୍ରୀଷ୍ଟାବ୍ଦ) ହିଁ ସମୀଚୀନ। ଆଜି ତାହା ହିଁ ସଂସାରବାସୀଙ୍କର ମାନ୍ୟ ସମ୍ବତ୍ସର। ରାମ ଭଗବାନ; ଆମେ ଭଗବାନଙ୍କର ଅନୁକରଣ କିପରି କରି ପାରିବା? ରାମ ଯଦି ବାଲ୍ମୀକିଙ୍କର ପୁରୁଷୋତ୍ତମ, ତାହାହେଲେ ସେ ନିଶ୍ଚିତ ଭାବରେ ଆଦର୍ଶ ଓ ଅନୁକରଣୀୟ।
ରାମାୟଣ କାଳରେ ରହିଥିବା ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ସମ୍ବନ୍ଧରେ ଆଧୁନିକ ପାଠକମାନେ ଧ୍ୟାନ ଦେବା ବାଞ୍ଛନୀୟ। ବସ୍ତୁତଃ ସେମାନଙ୍କ ମଧ୍ୟରେ ଥିବା ମିତ୍ରତା ଓ ବୈର ଭାବନା ହିଁ ସେକାଳକୁ ପ୍ରଭାବିତ କରିଥିଲା। ସେତେବେଳେ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ‘ଦେବ’, ଉତ୍ତର ଭାରତର ‘ନର’, ଦାକ୍ଷିଣାତ୍ୟର ‘ବାନର’ ଓ ଲଙ୍କାର ‘ରାକ୍ଷସ’ ନାମରେ ମନୁଷ୍ୟ ଜାତି ବାସ କରୁଥିଲେ। ସେ ଲଙ୍କା ଆଜି ନାହିଁ। ତାହାର ବିସ୍ତୃତ ଭାଗ ଆଜି ଜଳମଗ୍ନ। ଉକ୍ତ ଚାରି ମନୁଷ୍ୟ ଜାତିର ରାଜ୍ୟ, ସଭ୍ୟତା ଓ ସଂସ୍କୃତି ଭିନ୍ନଭିନ୍ନ ଥିଲା। ଦେବରାଷ୍ଟ୍ର ଓ ନରରାଷ୍ଟ୍ର ମଧ୍ୟରେ ସାମାଜିକ ସମ୍ବନ୍ଧ ରହିିଥିଲା। ବାନର ରାଜଧାନୀ କିଷ୍କିନ୍ଦା ଓ ରାକ୍ଷସ ରାଜଧାନୀ ଲଙ୍କା ସମୃଦ୍ଧିଶାଳୀ ଥିଲେ। ବାନରଙ୍କ ମଧ୍ୟରେ ଅନେକ ଜ୍ଞାନୀ, ପୁରୋହିତ, ଯୋଦ୍ଧା ଓ ଶିଳ୍ପୀ ଥିଲେ। ସେହିପରି ରାକ୍ଷସ ରାଷ୍ଟ୍ରରେ ଅନେକ ବିଖ୍ୟାତ ବୀର, ଚିତ୍ରକର, ଐନ୍ଦ୍ରଜାଲିକ ବାସ କରୁଥିଲେ। ଯୁଦ୍ଧ ପୂର୍ବରୁ ଦେବରାଷ୍ଟ୍ର ଓ ନରରାଷ୍ଟ୍ର ଏକ ପକ୍ଷରେ ଥିବାବେଳେ ବାନର ରାଷ୍ଟ୍ର ଓ ରାକ୍ଷସ ରାଷ୍ଟ୍ର ଅନ୍ୟ ପକ୍ଷରେ ଥିଲେ। ବାନର ରାଜା ବାଳୀ ଓ ରାକ୍ଷସ ରାଜା ରାବଣଙ୍କ ମଧ୍ୟରେ ସନ୍ଧି ସ୍ଥାପନ ହେବାପରେ ବାନର ରାଷ୍ଟ୍ରର ନାସିକଠାରେ ଚଉଦ ହଜାର ରାକ୍ଷସ ସେନା ଅବସ୍ଥାପିତ ହୋଇଥିଲେ। ବନବାସ ସମୟରେ ହନୁମାନ, ସୁଗ୍ରୀବ ଆଦି ବାନର ବୀରମାନେ ରାମଙ୍କର ସହଯୋଗୀ ହେବା ଫଳରେ ରାକ୍ଷସ ରାଷ୍ଟ୍ରର ଏକାକୀ ହୋଇଗଲା।
ହନୁମାନ ବାନର-ବେଶ ପରିବର୍ତ୍ତନ କରି ନରବେଶରେ ବନାଚାରୀ ରାମଲକ୍ଷ୍ମଣଙ୍କୁ ସାକ୍ଷାତ କରିଥିଲେ। ଯୁଦ୍ଧ ପୂର୍ବରୁ ରାମ ନିର୍ଦେଶ ଦେଇଥିଲେ- ‘ମୁଁ, ଲକ୍ଷ୍ମଣ, ବିଭୀଷଣ ଓ ଚାରିଜଣ ସେନାପତି ନରବେଶରେ ରହିବୁ। ଅନ୍ୟ ସମସ୍ତେ ବାନର-ବେଶରେ ଯୁଦ୍ଧରେ ଅବତୀର୍ଣ୍ଣ ହେବେ।’ ରାବଣଙ୍କର ଅନ୍ତଃପୁରରେ ଦେବ, ନର, ରାକ୍ଷସ ଓ ବାନର ପତ୍ନୀମାନେ ରହୁଥିଲେ। ଲଙ୍କା-ଅନୁସନ୍ଧାନ କାଳରେ ହନୁମାନ ଦେଖିଲେ ଯେ ସେମାନେ ଏକ ମାଳାପରି ଶୋଇଛନ୍ତି। ଅର୍ଥାତ୍ ସମସ୍ତେ ମନୁଷ୍ୟ ଥିଲେ। ରାବଣ ଲଙ୍କାରେ ହନୁମାନଙ୍କର ଲାଙ୍ଗୁଳରେ ଅଗ୍ନିସଂଯୋଗ ପାଇଁ ଆଦେଶ ଦେଇଥିଲେ। ସେତେବେଳେ ସେ କହିଥିଲେ- ‘ଲାଙ୍ଗୁଳ ବାନରମାନଙ୍କର ସମ୍ମାନର ଚିହ୍ନ। ତାହା ସେମାନଙ୍କର ଆଭୂଷଣ। ତେଣୁ ଏହି ଗୁପ୍ତଚରର ଲାଙ୍ଗୁଳରେ ଅଗ୍ନିସଂଯୋଗ କରି ତାକୁ ଜଳାଇ ଦିଅ। ଫଳରେ ତାହାର ସମ୍ମାନ ନାଶ ହେବ ଓ ସେ ପଳାୟନ କରିବ।’ ଯଦି ଲାଙ୍ଗୁଳ ହାତପାଦ ପରି ଦେହର ଅଂଶ ହୋଇ ଥାଆନ୍ତା, ତାହା ପୋଡ଼ିଯିବା ସମୟରେ ସେ ଯନ୍ତ୍ରଣା ପାଇ ଥାଆନ୍ତେ। ପୁନଶ୍ଚ ତାରା, ରୂମା ଆଦି ବାନର ସ୍ତ୍ରୀମାନଙ୍କର ଲାଙ୍ଗୁଳ ନଥିଲା। ଆଜି ହିନ୍ଦୁମାନେ ହନୁମାନଙ୍କୁ ମାଙ୍କଡ଼ ରୂପରେ ଚିତ୍ରଣ କରି ଉତ୍ତର ପୁରୁଷଙ୍କ ପାଇଁ କି ପ୍ରକାର ପ୍ରେରଣା ଦେଉଛନ୍ତି?
କିଛିଦିନ ପୂର୍ବେ ଉତ୍ତର ପ୍ରଦେଶର ଜଣେ ରାଜନେତା ସୀତାଙ୍କୁ ‘ଟେଷ୍ଟ ଟ୍ୟୁବ ବେବି’ କହି ବୈଜ୍ଞାନିକ ସମାଜରେ ଲୋକହସା ହୋଇଛନ୍ତି। କାବ୍ୟ ଚାତୁରୀରେ ସୀତା ଭୂମିରୁ ଉତ୍ପନ୍ନ ବୋଲି ଲେଖାଯାଇଛି, ସୀତାଙ୍କର ଜନନୀଙ୍କର ନାମ ଥିଲା ଧରଣୀ। ପୃଥିବୀର ଏକ ନାମ ମଧ୍ୟ ଧରଣୀ। ସୀତାଭକ୍ତମାନେ ଆଳଙ୍କାରିକ ଭାବରେ ସୀତାଙ୍କୁ ପୃଥିବୀ କନ୍ୟା ଓ ଅଯୋନିଜା କହିଛନ୍ତି। ପୃଥିବୀରୁ ମନୁଷ୍ୟ ଜାତ ହୁଏ କି? ସୀତା ବିବାହରେ କନ୍ୟାଦାନ କାଳରେ ଜନକ ପୂର୍ବପୁରୁଷଙ୍କର ନାମ ଉଚ୍ଚାରଣ କରିଥିଲେ। ସୀତା ଭୂମିରୁ ଜନ୍ମିଥିଲେ ସେ ସେତେବେଳେ ଏପରି ଏକ ଐତିହାସିକ ତାଲିକା କିପରି ଦିଅନ୍ତେ? ରାମାୟଣରେ ଜନକ ସୀତାଙ୍କୁ ଆତ୍ମଜା, ତନୟା, ସୂତା ନାମରେ କହିଛନ୍ତି। ସୀତା ମଧ୍ୟ ପିତାଙ୍କୁ ଜନକ, ମାତାଙ୍କୁ ଧରଣୀ ଓ ଊର୍ମିଳାଙ୍କୁ ଅନୁଜା ନାମରେ ସମ୍ବୋଧନ କରିଛନ୍ତି। ସୀତା ଭକ୍ତମାନେ ସୀତାଙ୍କର ଜନ୍ମ ବୃତ୍ତାନ୍ତରେ ଅନେକ ଚମତ୍କାର ଯୋଡ଼ିବା ପରି ତାଙ୍କର ଅଗ୍ନିପରୀକ୍ଷା ବିଷୟ ବର୍ଣ୍ଣନା କରନ୍ତି। ଅଗ୍ନି ମଧ୍ୟରୁ ସୀତା ରକ୍ଷା ପାଇବା ଓ ଅଗ୍ନି ଦେବତା ରାମଙ୍କୁ ପ୍ରାର୍ଥନା କରିବା- ଏସବୁ ଆଳଙ୍କାରିକ ବର୍ଣ୍ଣନା। ବସ୍ତୁତଃ ସୀତାଙ୍କର ସମଗ୍ର ଜୀବନ ଥିଲା ଅଗ୍ନି ପରୀକ୍ଷା। ଯୁବରାଣୀ ହୋଇ ବନବାସ କରିବା, ରାବଣ ଦ୍ବାରା ଅପହୃଦା ହେବା, ଲଙ୍କାରେ ନିଃସଙ୍ଗ ଜୀବନ କଟାଇବା- ଏ ସମସ୍ତ ସମସ୍ୟାକୁ ସେ ବୀରାଙ୍ଗନା ସଫଳତାର ସହିତ ସମ୍ମୁଖୀନ ହୋଇଥିଲେ।
ବାନର ବଂଶୀୟ ହନୁମାନ, ସୁଗ୍ରୀବ ଆଦି ବୀରମାନଙ୍କୁ ମାଙ୍କଡ଼ ରୂପ ଦେବାପରି ବୃଦ୍ଧ ଜଟାୟୁଙ୍କୁ ପକ୍ଷୀ ଭାବରେ ବର୍ଣ୍ଣନା କରାଯାଇଛି। ପ୍ରକୃତ ପକ୍ଷରେ ସେ ଥିଲେ ରାଜା ଅରୁଣଙ୍କ କନିଷ୍ଠ ପୁତ୍ର। ତାଙ୍କ ବଡ଼ ଭାଇଙ୍କ ନାମ ସଂପାତ। ସେ ସୀତାହରଣ ସମୟରେ ବାନପ୍ରସ୍ଥ ଦୀକ୍ଷା ନେଇ ସାରିଥିଲେ। ପ୍ରତ୍ୟହ ବୈଦିକ ରୀତିରେ ଦୈନିକ ସନ୍ଧ୍ୟା-ଉପାସନା ଓ ଅଗ୍ନିହୋତ୍ର ସଂପାଦନ କରୁଥିଲେ। ସୀତାହରଣ ସମୟରେ ରାବଣଙ୍କୁ ପ୍ରତିରୋଧ କରିଥିଲେ। ବାଲ୍ମୀକି ତାଙ୍କୁ ଆର୍ଯ୍ୟ, ତାତ, ସାଧୁ ଆଦି ସତ୍ପୁରୁଷ ନାମରେ ରାମାୟଣରେ ସମ୍ମାନିତ କରିଛନ୍ତି।
ସୂର୍ପଣଖାଙ୍କ ନାକ କଟିବା ଅନ୍ୟ ଏକ ଅଳଙ୍କାର। ରାକ୍ଷସ ବଂଶଜା, କାମାସକ୍ତା ଏହି କୁଳଟା ନାରୀ ରାମ-ଲକ୍ଷ୍ମଣଙ୍କର ବନବାସ କାଳରେ ସେମାନଙ୍କ ସମ୍ମୁଖକୁ ଯାଇ ନିଜ କାମବାସନା ପ୍ରତ୍ୟକ୍ଷ ରୂପରେ ପ୍ରକଟ କରିଥିଲା। ତେଣୁ ସେ ଦଣ୍ଡିତା ହେଲା। ଅପମାନିତ ହେବାକୁ ଅନ୍ୟ ଭାଷାରେ ନାକ କାଟିବା କୁହାଯାଏ। ସେପରି ଏକ କଳ୍ପିତ କାହାଣୀ ହେଉଛି କୁମ୍ଭକର୍ଣ୍ଣଙ୍କ ଛଅ ମାସ ପର୍ଯ୍ୟନ୍ତ ଶୋଇ ରହିବା। ଏହା କୌଣସି ଜୀବଧାରୀ ପକ୍ଷରେ ସମ୍ଭବ ନୁହେଁ। ପ୍ରକୃତ ପକ୍ଷରେ ସୀତାହରଣ ପାଇଁ ବିଭୀଷଣ ଓ ମନ୍ଦୋଦରୀଙ୍କ ପରି କୁମ୍ଭକର୍ଣ୍ଣ ମଧ୍ୟ ଅସନ୍ତୁଷ୍ଟ ଥିଲେ। ରାମଙ୍କର ସୈନ୍ୟମାନେ ଲଙ୍କା ଆକ୍ରମଣ କରିବା ସମୟରେ ରାବଣ କୁମ୍ଭକର୍ଣ୍ଣଙ୍କୁ ଯୁଦ୍ଧ ପାଇଁ ପ୍ରେରଣା ଦେଲେ। କୁମ୍ଭକର୍ଣ୍ଣ ସୀତାହରଣ ବିଷୟ ନ ଜାଣିବା ପରି ନୀରବ ରହିଲେ। ସେତେବେଳେ ରାବଣ ବିରକ୍ତ ହୋଇ କହିଲେ- ଛଅ ମାସ ହେଲା ଏହି ଘଟଣା ଘଟିଲାଣି। ତୁମେ କ’ଣ ଛଅମାସ ଧରି ଶୋଇ ରହିଥିଲ? ଏତକ କଥାରୁ କଳ୍ପନା କରାଗଲା ଯେ କୁମ୍ଭକର୍ଣ୍ଣ ବର୍ଷରେ ଛଅମାସ ଶୁଅନ୍ତି ଓ ଛଅମାସ ଜାଗ୍ରତ ରହନ୍ତି। ଏସବୁ ଶୁଣି ଆମର ବାଳକ-ବାଳିକାମାନେ କି ପ୍ରକାର ଜ୍ଞାନ-ବିଜ୍ଞାନର ଶିକ୍ଷା ପାଇବେ?
ଚତୁର୍ମୁଖ ବ୍ରହ୍ମା, ପଞ୍ଚନେତ୍ର ଶିବଙ୍କ ପରି ଦଶମୁଣ୍ଡିଆ ରାବଣଙ୍କ ଚିତ୍ର ଚାରିଆଡ଼େ ପ୍ରଦର୍ଶିତ ହେଉଛି। େଲାକେ ବିଭ୍ରାନ୍ତ ହେଉଛନ୍ତି। ଚାରିଟିଯାକ ବେଦର ପ୍ରଥମ ପ୍ରଚାରକ ଥିବା କାରଣରୁ ବ୍ରହ୍ମାଙ୍କୁ ଆଳଙ୍କାରିକ ଭାବରେ ଚତୁର୍ମୁଖ କୁହାଯାଏ। ସେପରି ଏକ ଅଳଙ୍କାର ଦଶାନନ। ହନୁମାନ ଲଙ୍କାରେ ପ୍ରବେଶକରି ରାବଣଙ୍କର ଦୀପ୍ତିମାନ ମୁଣ୍ଡର ଓ ଦୁଇ ଦକ୍ଷ ହାତର ବର୍ଣ୍ଣନା କରିଥିଲେ। ଯୁଦ୍ଧକ୍ଷେତ୍ରରେ ରାମ କହିଥିଲେ- ‘ହେ ଲଙ୍କେଶ! ମୋର ତୀକ୍ଷ୍ଣ ବାଣର ଆଘାତରେ ତୁମ ମୁଣ୍ଡଟି କଟିଯିବ।’ ଇନ୍ଦ୍ରଜିତ ନିହତ ହେବାପରେ ରାବଣଙ୍କର ଦୁଇ ନେତ୍ରରୁ ଲୋତକ-ଧାରା ପ୍ରବାହିତ ହେବା ବିଷୟ ରାମାୟଣରେ ଉଲ୍ଳେଖ ଅଛି। ସମର ବିଶେଷଜ୍ଞମାନେ କହନ୍ତି ଯେ ଯୁଦ୍ଧବେଳେ ବାଣଦ୍ବାରା ଗୋଟିଏ ମୁଖ ଉଠୁଥିଲା। ଦଶମୁଣ୍ଡ ମଧ୍ୟରୁ ଗୋଟିଏ ଥିଲା ପ୍ରକୃତ; ଅନ୍ୟ ନଅଟି କୃତ୍ରିମ। ଦ୍ବିତୀୟ ମହାସମର ସମୟରେ ହିଟଲର ନିଜ ଚେହେରା ମିଶୁଥିବା ଦଶ ଜଣ ମନୁଷ୍ୟଙ୍କୁ ରଖିଥିଲେ। ଫଳରେ କୌଣସି ଆତତାୟୀ ପ୍ରକୃତ ହିଟଲରଙ୍କୁ ଚିହ୍ନିବା ଦୁଷ୍କର ହେଉଥିଲା। ଦଶମୁଣ୍ଡ ଥିଲା ସାମରିକ କୌଶଳ।
ସନ୍ଧ୍ୟା-ଉପାସନା ଓ ଅଗ୍ନିହୋତ୍ର(ହୋମ) ସେକାଳର ଲୋକଙ୍କର ନିତ୍ୟକର୍ମ ଥିଲା। ଆଲୋକ-ଅନ୍ଧାରର ଦୁଇ ସନ୍ଧିବେଳାରେ ପ୍ରକୃତି ଶାନ୍ତ ଥାଏ। ସେତେବେଳେ ଧ୍ୟାନପୂର୍ବକ ପରମାତ୍ମାକୁ କୃତଜ୍ଞତା ଅର୍ପଣ କରିବାର ନାମ ସନ୍ଧ୍ୟା-ଉପାସନା ଅଥବା ସଂକ୍ଷେପରେ ସନ୍ଧ୍ୟା। ମନୁଷ୍ୟ ପ୍ରତ୍ୟହ ଅନ୍ୟ ଜୀବମାନଙ୍କ ଅପେକ୍ଷା ବାୟୁମଣ୍ଡଳକୁ ଅଧିକ ଦୂଷିତ କରେ, ତେଣୁ ପ୍ରାଚୀନ ଋଷିମାନେ ଅଗ୍ନିହୋତ୍ର ବା ହୋମଦ୍ବାରା ପ୍ରଦୂଷଣ ନାଶ ପାଇଁ ଉପଦେଶ ଦେଇଥିଲେ। ସେ କାଳର ନରନାରୀ ଉକ୍ତ ଦୁଇ ଅନୁଷ୍ଠାନରେ ଅଭ୍ୟସ୍ତ ଥିଲେ। ରାମ ବନବାସ ପୂର୍ବରୁ ମାତାଙ୍କୁ ସାକ୍ଷାତ ପାଇଁ ଯାଇଥିବା ସମୟରେ ‘କୌଶଲ୍ୟା ପ୍ରତିଦିନ ପରି ସେତେବେଳେ ଅଗ୍ନିହୋତ୍ର ଅନୁଷ୍ଠାନ କରୁଥିଲେ’- ଏପରି ଲେଖାଅଛି। ତେଣୁ ରାମ କିଛି ସମୟ ଅପେକ୍ଷା କରି ରହିଲେ। ହନୁମାନ ଲଙ୍କାରେ ପହଞ୍ଚି ସନ୍ଧ୍ୟା ସମୟରେ ନଦୀକୂଳରେ ବସିରହିଲେ। ଭାବିଲେ- ‘ମାତା ସୀତା ନିଶ୍ଚିତ ଭାବରେ ନଦୀକୂଳକୁ ଆସି ଆସନପୂର୍ବକ ସନ୍ଧ୍ୟା-ଉପାସନା କରିବେ। ସେତେବେଳେ ତାଙ୍କର ଦର୍ଶନ ମିଳିବ।’ ବିଶ୍ବାମିତ୍ର ରାମଙ୍କୁ କହିଥିଲେ- ‘ଶୀଘ୍ର ସ୍ନାନ କର। ସନ୍ଧ୍ୟା ଓ ଅଗ୍ନିହୋତ୍ର ପାଇଁ ପ୍ରସ୍ତୁତ ହୁଅ।’ ରାମ ବନରେ ଲକ୍ଷ୍ମଣଙ୍କୁ କହିଥିଲେ- ‘ହୋମର ସୁଗନ୍ଧ ଆସୁଅଛି। ଋଷି ନିଶ୍ଚୟ ଆଶ୍ରମରେ ଅଛନ୍ତି।’
ବାଲ୍ମୀକି ରାମଙ୍କୁ ଉତ୍ତମ ପୁରୁଷ ବା ପୁରୁଷୋତ୍ତମ କହିଛନ୍ତି। କାବ୍ୟର ଆରମ୍ଭରେ ହିଁ ସେ ନାରଦଙ୍କୁ ପ୍ରଶ୍ନ କରନ୍ତି- ‘ସାଂପ୍ରତିକ ସମାଜରେ ସର୍ବଶ୍ରେଷ୍ଠ ସଦାଚାରୀ, ବେଦଭକ୍ତ, ଧର୍ମଜ୍ଞ ମନୁଷ୍ୟ କିଏ?’ ନାରଦ ଉତ୍ତର ଦିଅନ୍ତି- ‘ସେ ସବୁ ଦୁର୍ଲ୍ଲଭ ଗୁଣର ଅଧିକାରୀ ଅଟନ୍ତି ରାମ’। ପ୍ରଶ୍ନକର୍ତ୍ତା ମାନବଙ୍କ ସମ୍ବନ୍ଧରେ ପ୍ରଶ୍ନ କରିଥିଲେ ଓ ଉତ୍ତର ପାଇଥିଲେ।’ ବନବାସ ନିଶ୍ଚିତ ହେବା ପରେ ରାମ ଲକ୍ଷ୍ମଣଙ୍କୁ କହିଥିଲେ- ‘ଦୈବ (ଈଶ୍ବରୀୟ ବ୍ୟବସ୍ଥା) ମୋ’ ବନବାସର କାରଣ। ଏଥିରେ ମୋର ବଶ ନାହିଁ’। ବିଜୟଲାଭ ପରେ ସେ ନମ୍ରତାପୂର୍ବକ ଘୋଷଣା କରିଥିଲେ- ‘ଆତ୍ମାନଂ ମାନୁଷଂ ମନ୍ୟେ ରାମଂ ଦଶରଥାତ୍ମଜମ୍’- ମୁଁ ନିଜକୁ ଦଶରଥଙ୍କ ପୁତ୍ର ସାଧାରଣ ମନୁଷ୍ୟ ମଣୁଅଛି। ସୀତାଙ୍କୁ ଉଦ୍ଧାର କରିବା ପରେ ସାନ୍ତ୍ବନା ପ୍ରଦାନ କରିଥିଲେ- ‘ ହେ ଉଦ୍ରେ! ଅପମାନରୁ ରକ୍ଷା ପାଇବା ନିମନ୍ତେ ମନୁଷ୍ୟ ଯେତିକି କରିପାରେ, ତାହା ମୁଁ କରିଛି।’
୧୩୯, ସହିଦନଗର, ଭୁବନେଶ୍ବର