ବିଡ଼ମ୍ବିତ ନହେଉ ବନମହୋତ୍ସବ

0

ପ୍ରଫୁଲ୍ଲ କୁମାର ସାହୁ

ବୃକ୍ଷ ବିନା କଳ୍ପନା କରାଯାଇ ପାରିବ ନାହିଁ ମଣିଷର ଅସ୍ତିତ୍ୱ। ପ୍ରାଣ ସଞ୍ଚାର ପାଇଁ ପ୍ରଶ୍ୱାସରେ ବାୟୁଠାରୁ ଆରମ୍ଭ କରି ଖାଦ୍ୟ, ବସ୍ତ୍ର, ବାସ ଆଦି ପ୍ରତ୍ୟେକ କ୍ଷେତ୍ରରେ ବୃକ୍ଷର ଅବଦାନ ଅତୁଳନୀୟ। ଜୀବନଧାରଣ ପାଇଁ ଆମର ପ୍ରଥମ ଆବଶ୍ୟକତା ଅମ୍ଳଜାନ। ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ଆମକୁ ଏହା ଯୋଗାଇ ଦିଏ ବୃକ୍ଷ। ସେଥିପାଇଁ କୁହାଯାଏ ଜଙ୍ଗଲ ଆମ ଜୀବନ ନାଟିକା। ମାତ୍ର ଆମେ କେବେ ଜଙ୍ଗଲକୁ ଜୀବନ ନାଟିକା ଭାବରେ ଦେଖିନାହୁଁ, ବରଂ ଦେଖିଛୁ ଏକ ସମ୍ପଦ ଭାବରେ। ଅରଣ୍ୟ ସମ୍ପଦ କହି ତାକୁ ଲୁଟ କରିଚାଲିଛୁୁ ପାରୁ ପର୍ଯ୍ୟନ୍ତ। ଶିଳ୍ପାୟନ, ଖଣିଖନନ, ସହରୀକରଣ ଓ ରାସ୍ତା ସଂପ୍ରସାରଣ ନିମନ୍ତେ କୋହଳ ହୋଇଯାଏ ଆମ ପରିବେଶ ନୀତି। ବିକାଶ ଆଳରେ ବଳିପଡ଼େ ଅକଳନ ଗଛ। କ୍ରମାଗତ ଭାବେ ଜଙ୍ଗଲ ହ୍ରାସ ପାଇବା କାରଣରୁ ବିଷାକ୍ତ ହେଲାଣି ବାୟୁମଣ୍ଡଳ। ବିଶୁଦ୍ଧ ବାୟୁ ଟିକିଏ ପାଇବା ପାଇଁ ବିକଳ ହେଲାଣି ମଣିଷ। ଦିଲ୍ଲୀ ଭଳି ପ୍ରଦୂଷିତ ସହରରେ ଉପୁଜିଲାଣି ଅମ୍ଳଜାନ ଥଳି ଧରି ବୁଲିବା ସ୍ଥିତି।
ଜଣେ ସୁସ୍ଥ ମଣିଷ ଦିନକୁ ଗ୍ରହଣ କରେ ୫୫୦ ଲିଟର ଅମ୍ଳଜାନ। ୨.୭୫ ଲିଟର ଅମ୍ଳଜାନ ଥିବା ଏକ ସିଲିଣ୍ଡରର ବଜାର ମୂଲ୍ୟ ୬ଶହ ୫୦ଟଙ୍କା। ଅତଏବ ଜଣେ ପ୍ରତିଦିନ ଗ୍ରହଣ କରୁଥିବା ଅମ୍ଳଜାନର ବଜାର ମୂଲ୍ୟ ( ୬୫୦ x ୫୫୦) ୧ଲକ୍ଷ ୩୦ହଜାର ଟଙ୍କା ଏବଂ ଏହି ହିସାବରେ ସେ ଗୋଟିଏ ବର୍ଷରେ ଗ୍ରହଣ କରେ (୧ଲକ୍ଷ ୩୦ହଜାର x ୩୬୫) ୪କୋଟି ୭୪ଲକ୍ଷ ୫୦ହଜାର ଟଙ୍କାର ଅମ୍ଳଜାନ। ବୃକ୍ଷ ଯଦି ଆମକୁ ଏହା ମାଗଣାରେ ନଦିଅନ୍ତା, ତେବେ କ’ଣ ହୁଅନ୍ତା ଜୀବଜଗତର ଅବସ୍ଥା?
ଘଞ୍ଚ ଜଙ୍ଗଲ ଥିବା ଅଞ୍ଚଳର ବାୟୁମଣ୍ଡଳରେ କେବଳ ଅଧିକ ଅମ୍ଳଜାନ ନୁହେଁ, ଏଥିସହିତ ଥାଏ ବିଭିନ୍ନ ବୃକ୍ଷର ଫୁଲ, ପତ୍ର ଓ କଢରୁ ଝରୁଥିବା ସୂକ୍ଷ୍ମାତିସୂକ୍ଷ୍ମ ତୈଳ, ମଧୁକଣିକା ଓ ସୁଗନ୍ଧ। ତା’ର ସଂସ୍ପର୍ଶରେ ଆସିବା ଦ୍ୱାରା ସୁଦୃଢ ହୁଏ ଆମ ଶରୀରର ପ୍ରତିରକ୍ଷା ବ୍ୟବସ୍ଥା। ଆମର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟରକ୍ଷା ନିମନ୍ତେ ଅରଣ୍ୟର ଏହି ସ୍ୱୟଂକ୍ରିୟ ସୁରକ୍ଷା ବ୍ୟବସ୍ଥାକୁ କ’ଣ ମୂଲ୍ୟାୟନ କରାଯାଇ ପାରିବ କୌଣସି ସଂପଦର ପରିଭାଷାରେ?
ଗାଡ଼ିମଟର କଳକାରଖାନାରୁ ନିର୍ଗତ ବିଷାକ୍ତ ଧୂଳି-ଧୂଆଁର ପ୍ରବାହ ଏବଂ ଆମେ ନିଶ୍ୱାସରେ ଛାଡ଼ୁଥିବା ଅଙ୍ଗାରକାମ୍ଳକୁ ଶୋଷିନେବାରେ ଜଙ୍ଗଲ ନିର୍ବାହ କରେ ଏକ ଅଙ୍ଗାରକ କୁଣ୍ଡର ଭୂମିକା। ଏବେ କିନ୍ତୁ ଆବଶ୍ୟକ ପରିମାଣର ଜଙ୍ଗଲ ନଥିବାରୁ ବାୟୁମଣ୍ଡଳରେ ସୃଷ୍ଟି ହେଲାଣି ସବୁଜଗୃହ ବାଷ୍ପର ବଳୟ। ସେହି ବଳୟ ଭେଦ କରି ମହାକାଶକୁ ଆଉ ଯାଇପାରୁନି ପୃଥିବୀ ପୃଷ୍ଠରେ ସୃଷ୍ଟି ହୋଇଥିବା ଉତ୍ତାପ। ଫଳରେ ପୃଥିବୀର ତାପମାତ୍ରା ବୃଦ୍ଧି ପାଉଛି ଏବଂ ଏହାକୁ କୁହାଯାଉଛି ବିଶ୍ୱତାପନ ବା ଗ୍ଲୋବାଲ ୱାର୍ମିଂ।
ବିଶ୍ୱ ତାପନ ଯୋଗୁ ମେରୁ, ତରୁ, ମରୁ ଆଦି ସବୁ ତାତିବା ସାଙ୍ଗକୁ ତରଳିବାକୁ ଆରମ୍ଭ କଲାଣି ହିମାଳୟ ଏବଂ ଅନ୍ୟାନ୍ୟ ପର୍ବତମାଳାର ହିମବାହ। ବିଶ୍ୱ ତାପନରେ ପୀଡ଼ିତ ହୋଇ ପୃଥିବୀର ସବୁ ହିମବାହ ତରଳି ଯିବ ଏବଂ ଏଥିରେ ଜଳାର୍ଣ୍ଣବ ହୋଇ ପୃଥିବୀ ଧ୍ୱଂସ ପାଇପାରେ ବୋଲି କହି ସାରିଲେଣି ପୃଥିବୀର ବହୁ ପରିବେଶ ବିଜ୍ଞାନୀ। ଏଥିରୁ ନିସ୍ତାର ପାଇବାକୁ ହେଲେ ପୃଥିବୀ ସବୁଜ ବଳୟରେ ଆଚ୍ଛାଦିତ ହେବା ନିତାନ୍ତ ଜରୁରୀ ବୋଲି ସତର୍କ କରେଇ ଚାଲିଛନ୍ତି ବୈଜ୍ଞାନିକମାନେ। ଏହାକୁ ଦୃଷ୍ଟିରେ ରଖି ଆମ ଦେଶରେ ପ୍ରତିବର୍ଷ ଜୁଲାଇ ପ୍ରଥମ ସପ୍ତାହରେ ପାଳନ ହେଉଛି ବନମହୋତ୍ସବ। ବନ ବିଭାଗ ଦ୍ୱାରା ଆୟୋଜିତ ଏହି ଉତ୍ସବ ଅବସରରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଏବଂ ସ୍ୱେଚ୍ଛାସେବୀ ସଂଗଠନ ସହଯୋଗରେ ବନୀକରଣ ହେଉଛି ହଜାରହଜାର ହେକ୍ଟର ଜମି। ତଥାପି ସବୁଜ ବଳୟ ସୃଷ୍ଟି କରିବା କ୍ଷେତ୍ରରେ ଉଲ୍ଳେଖନୀୟ ସଫଳତା ହାସଲ କରି ପାରୁନି ଦେଶ। ପ୍ରତି ଦେଶରେ ମୁଣ୍ଡପିଛା କେତେ ଗଛ ଅଛି, ତା’ର ଏକ ସ​‌େ​‌ର୍ବକ୍ଷଣ ତଥ୍ୟରୁ ଜଣାଯାଏ ଯେ, କାନାଡ଼ାରେ ମୁଣ୍ଡପିଛା ଗଛସଂଖ୍ୟା ୮୯୫୩, ରୁଷିଆରେ ୪୪୬୧, ଆମେରିକାରେ ୭୧୬ ଓ ଚୀନରେ ୧୦୨ ହୋଇଥିବା ସ୍ଥଳେ ଭାରତର ଏହି ସଂଖ୍ୟା ମାତ୍ର ୨୮।
ପ୍ରାଚୀନ ଭାରତବର୍ଷରେ ବନୀକରଣ ଓ ଜଙ୍ଗଲ ସୁରକ୍ଷା ନିମନ୍ତେ ଆୟୋଜନ ହେଉନଥିଲା ବନମହୋତ୍ସବ। ସେତେବେଳେ ବୃକ୍ଷ ସହିତ ଯୋଡ଼ି ହୋଇ ରହିଥିଲା ଲୋକଙ୍କ ଧାର୍ମିକ ଭାବନା। ଲୋକେ ଧର୍ମ ଅର୍ଜନ ପାଇଁ ରାସ୍ତା କଡ଼ରେ ଓ ଖୋଲା ଜାଗାରେ ଚାରା ରୋପଣ କରୁଥିଲେ ଏବଂ ତା’ର ଯତ୍ନ ନେଉଥିଲେ ସ୍ୱତଃପ୍ରବୃତ୍ତ ଭାବରେ । ବୃକ୍ଷ ଛେଦନ କଥା ପଡ଼ିଲେ ସେମାନଙ୍କ ଭିତରେ ଜାଗି ଉଠୁଥିଲା ଏକ ଜୀବନ୍ତ ସତ୍ତାକୁ ହତ୍ୟାକରିବାର ଅପରାଧବୋଧ। ମାତ୍ର ଯେବେଠାରୁ ମଣିଷକୁ ଭୋଗବାଦୀ ମାନସିକତା ଗ୍ରାସ କଲା, ସେବେଠାରୁ ଜଙ୍ଗଲ ଉପରେ ପଡ଼ିଲା ଚଡ଼କ। ଦେଶରେ ଜଙ୍ଗଲର ସ୍ଥ୍ିତି ଜାଣିବା ପାଇଁ ସା​‌େ​‌ଟଲାଇଟ ଜରିଆରେ ସଦ୍ୟ କରାଯାଇଥିବା ସର୍ବେକ୍ଷଣ ତଥ୍ୟ ଅନୁସାରେ ଗଲା ଦୁଇବର୍ଷ ମଧ୍ୟରେ ୫୮୭୧ ବର୍ଗ କି.ମି. ଜଙ୍ଗଲ ସୃଷ୍ଟି ହୋଇଛି ଏବଂ ସେ ଜଙ୍ଗଲର ହାରାହାରି ସାନ୍ଦ୍ରତା ହେଉଛି ୨୦ ପ୍ରତିଶତ। ଅନ୍ୟ ପକ୍ଷରେ ଦେଶର ୧୯୯୧ ବର୍ଗ କି.ମି. ପୁରାତନ ଜଙ୍ଗଲ ଧ୍ୱଂସ ପାଇଛି, ଯାହାର ସାନ୍ଦ୍ରତା ୭୦ପ୍ରତିଶତରୁ ଅଧିକ। ଅର୍ଥାତ ଗୋଦରା କୋଡ଼େ ଯେତେ ମାଡ଼େ ସେତେ ନ୍ୟାୟରେ ଆମେ ଯେତିକି ନୂଆ ଜଙ୍ଗଲ ସୃଷ୍ଟି କରୁଛୁ ସେତିିକି ନିପାତ କରିଚାଲିଛୁ ପୁରାତନ ଜଙ୍ଗଲ। ଏହି ପରିପ୍ରେକ୍ଷୀରେ ବନମହୋତ୍ସବ ଆମ ପାଇଁ ସମୟର ଏକ ଆହ୍ୱାନ। ଏହି ଆହ୍ୱାନକୁ ଗ୍ରହଣ କରି ଆହୁରି ବ୍ୟାପକ ହେଉ ଦେଶର ହରିତ୍‌କରଣ ଅଭିଯାନ।
ବିଜୁପଟ୍ଟନାୟକ ନଗର, ଭଦ୍ରକ

Leave A Reply