ଅରାଜକତା

0

ଯେତେବେଳେ ଆଇନକାନୁନର ଭୟ ଲୋକଙ୍କ ମନରେ ଆଦୌ ରହେ ନାହିଁ ଏବଂ ଆଇନର ରକ୍ଷକମାନେ ନିଜେ ଆଇନଭଙ୍ଗ କରନ୍ତି ଓ ନିଜ କର୍ତ୍ତବ୍ୟରୁ ବିଚ୍ୟୁତ ହୁଅନ୍ତି, ସେତେବେଳେ ଅରାଜକତା ସୃଷ୍ଟି ହେବା ସ୍ବାଭାବିକ। ରାଜସ୍ଥାନର ଅଲୱରଠାରେ ଠିକ୍ ଏହିପରି ଅରାଜକତା ହିଁ ଦେଖିବାକୁ ମିଳିଛି। ନ୍ୟାୟାଳୟ ଶକ୍ତ ଚେତାବନୀ ଦେବାର ସପ୍ତାହେ ନପୂରୁଣୁ ତଥାକଥିତ ଗୋରକ୍ଷା ନାମରେ ହିଂସ୍ରଲୋକେ ପୁଣି ଜଣେ ବ୍ୟକ୍ତିଙ୍କୁ ସେଠାରେ ହତ୍ୟା କରିଛନ୍ତି। ଯେଉଁମାନେ ରକବର ନାମକ ଏହି ଲୋକଟିକୁ ଅତି ନୃଶଂସ ଭାବେ ମାର୍‌ପିଟ୍ କରିଥିଲେ, ସେମାନଙ୍କ ଭିତରେ ଆଇନକାନୁନ ବା ପୁଲିସର ଭୟ ନିଶ୍ଚିତ ନଥିଲା। ପୁଲିସ ମଧ୍ୟ ନିଜର କର୍ତ୍ତବ୍ୟ ପାଳନ କଲା ନାହିଁ। ପୀଡ଼ିତକୁ ଛଅ କିଲୋମିଟର ଦୂରରେ ଥିବା ଡାକ୍ତରଖାନାରେ ପହଞ୍ଚାଇବାକୁ ତାକୁ ତିନିଘଣ୍ଟା ଲାଗିଲା। କେବଳ ସେତିକି ନୁହେଁ, ପୀଡ଼ିତକୁ ସାହାଯ୍ୟ କରିବା ବଦଳରେ ପୁଲିସ ନିଜେ ମାଡ଼ ମାରିଥିଲା। ଏଥିରୁ ଜଣାପଡ଼ୁଛି ଯେ ଅରାଜକ ତତ୍ତ୍ବ ସାଙ୍ଗରେ ମିଶି ପୁଲିସ ନିଜେ ବି ରକ୍ଷକରୁ ଭକ୍ଷକ ପାଲଟିଛି। ଅବଶ୍ୟ ପୁଲିସର ଏଭଳି ରୂପ ଆଦୌ ନୂଆ ନୁହେଁ; କିନ୍ତୁ ଯେଉଁଭଳି ଘଟନା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ବାରମ୍ବାର ଆଇନ ପ୍ରଣେତା ଓ ଆଇନଶୃଙ୍ଖଳା ରକ୍ଷାକାରୀଙ୍କୁ ଚେତାବନୀ ଦେଇଆସୁଛନ୍ତି, ସେମାନେ ହିଁ ଆଇନ ଭଙ୍ଗ କରିଚାଲିଛନ୍ତି। ଏହାଠାରୁ ବଡ଼ ବିଡ଼ମ୍ବନା କ’ଣ ଥାଇପାରେ।
ଉଚ୍ଛୃଙ୍ଖଳିତ ଲୋକେ ବାରମ୍ବାର ପିଟିପିଟି ଜଣକୁ ମାରିଦେବା ଭଳି ବର୍ବର ଘଟନାରେ ଭାଗୀଦାର ହେବାପାଇଁ କାହିଁକି ଚେଷ୍ଟା କରୁଛନ୍ତି ଓ ସେମାନଙ୍କୁ ସେପରି କରିବାକୁ ବିବେକ କାହିଁକି ବାଧା ଦେଉନାହିଁ? ସରକାର ମଧ୍ୟ ଏଭଳି ଘଟନାରେ ଯେପରି ଚିନ୍ତାପ୍ରକଟ କରିବା କଥା, କରୁନାହିଁ କାହିଁକି? ସରକାରର ମନ୍ତ୍ରୀମାନେ ଯଦି ଏଭଳି ବର୍ବର ହତ୍ୟାକାରୀଙ୍କ ସପକ୍ଷରେ ବକ୍ତବ୍ୟ ଦେବେ ଓ ପ୍ରୋତ୍ସାହନ ଯୋଗାଇବା ଭଳି କାର୍ଯ୍ୟ କରିବେ, ତେବେ ପରିସ୍ଥିତି ବଦଳିବ କେମିତି? ଏଭଳି ପ୍ରଶ୍ନଗୁଡ଼ିକର ଉତ୍ତର ଖୋଜିବାର ସମୟ ଆସିଛି। ସର୍ବୋଚ୍ଚ ନ୍ୟାୟାଳୟ ଏଭଳି ଘଟନା ନେଇ ଗଭୀର ଚିନ୍ତା ପ୍ରକଟ କରିବା ସହ ଏଭଳି ଗୋଷ୍ଠୀଗତ ହିଂସ୍ର ଆକ୍ରମଣକୁ ରୋକିବା ପାଇଁ ଦଣ୍ଡାତ୍ମକ ନିର୍ଦେଶାବଳୀ ଜାରି କରିଥିଲେ ଏବଂ କେନ୍ଦ୍ର ସରକାରଙ୍କୁ ସଂସଦରେ ଏଥିପାଇଁ ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରିବାକୁ କହିଥିଲେ। ଏବେ ସ୍ବରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ ଦରକାର ପଡ଼ିଲେ ଏଭଳି ଆଇନ ଅଣାଯିବ। ସେ ଯେଉଁ ଢଙ୍ଗରେ ଏଭଳି ବିବୃତି ଦେଇଛନ୍ତି, ସେଥିରୁ ସେ ଏହାକୁ ସେତେଟା ଗୁରୁତ୍ବ ଦେଉନଥିବା ପରି ମନେହେଉଛି। ଗତ ୨୦୧୪ ମସିହାଠାରୁ, ଅର୍ଥାତ ବର୍ତ୍ତମାନର ମୋଦୀ ସରକାର କ୍ଷମତାସୀନ ହେବା ପରଠାରୁ ଭାରତର ବିଭିନ୍ନ ଅଞ୍ଚଳରେ ବର୍ବର ଜନସମୂହ ଦ୍ବାରା ପିଟିପିଟି ହତ୍ୟା କରାଯିବା ଘଟନାରେ ଏ ପର୍ଯ୍ୟନ୍ତ ୮୮ ଜଣଙ୍କ ମୃତ୍ୟୁ ଘଟିଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି। ଆଉ କେତେଜଣଙ୍କୁ ହତ୍ୟା କରାଯିବା ପରେ ମନ୍ତ୍ରୀ ଆଇନ ଆଣିବା ‘ଦରକାରୀ’ ବୋଲି ଭାବିବେ? ଆମ ନେତୃବର୍ଗଙ୍କ ହିଂସା ଓ ଅରାଜକତା ପ୍ରତି ଏ ସହନଶୀଳତା ଦେଖି ପ୍ରକୃତରେ ଆଶ୍ଚର୍ଯ୍ୟ ନହୋଇ ରହିହେଉ ନାହିଁ। ଯଦି ସରକାର ଏଭଳି ଉଦାସୀନ ହୋଇ ରହିବେ ଓ କ୍ରମବର୍ଦ୍ଧିଷ୍ଣୁ ଅରାଜକତାକୁ ଦମନ କରିବାକୁ ପଦକ୍ଷେପ ନନେବେ, ତେବେ ସମାଜକୁ ଏହାର ବ୍ୟାପକ ଓ ଦୀର୍ଘକାଳୀନ ପରାଭବ ଭୋଗିବାକୁ ପଡ଼ିବ, ତାହା ନିଃସନ୍ଦେହ।

Leave A Reply