କଏଦୀଙ୍କୁ କୃପା
ମହାତ୍ମା ଗାନ୍ଧୀଙ୍କ ଦେଢ଼ଶହତମ ଜୟନ୍ତୀ ବର୍ଷ ପାଳନ ଅବସରରେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ ଦଣ୍ଡର ଅଧା ଅବଧି ପୂରଣ କରିଥିବା ୬୦ ବର୍ଷରୁ ଊର୍ଦ୍ଧ୍ବ ପୁରୁଷ ବନ୍ଦୀ ଓ ୫୫ ବର୍ଷରୁ ଊର୍ଦ୍ଧ୍ବ ମହିଳା ବନ୍ଦୀମାନଙ୍କୁ କାରାଗାରମୁକ୍ତ କରାଯିବ। ଏଭଳି ସରକାରୀ କୃପା କିନ୍ନର, ଦିବ୍ୟାଙ୍ଗ ଓ ଗୁରୁତର ବ୍ୟାଧିପୀଡ଼ିତ କଏଦୀଙ୍କୁ ମଧ୍ୟ ମିଳିବ। ଏହା ଭଲ କଥା ଯେ ବାପୁଙ୍କ ସମ୍ମାନରେ ଘୋଷିତ ଏହି ଯୋଜନାରେ ବହୁ କଏଦୀ କାରାବାସରୁ ମୁକ୍ତି ପାଇବେ ଓ ସମାଜରେ ଅନ୍ୟମାନଙ୍କ ପରି ସାଧାରଣ ଜୀବନ ବିତାଇପାରିବେ।
ଉତ୍ତମ ବ୍ୟବହାର ଓ ଚାଲିଚଳଣି ଆଧାରରେ କାରାଗାରରୁ ମୁକ୍ତ କରିବାର ବ୍ୟବସ୍ଥା ପୂର୍ବରୁ ରହିଛି। ତେବେ ତାହା କମ୍ କଏଦୀଙ୍କ କ୍ଷେତ୍ରରେ ହିଁ ଲାଗୁ କରାଯାଇଥାଏ। ଏଭଳି ସାର୍ବଜନୀନ କୃପାମୁକ୍ତି ସେହି ଦୃଷ୍ଟିରୁ ଉଲ୍ଲେଖନୀୟ। ଏହାଦ୍ବାରା କାରାଗାରଗୁଡ଼ିକରୁ କିଛିଟା ବୋଝ ମଧ୍ୟ ହାଲୁକା ହୋଇଯିବ; କାରଣ ବର୍ତ୍ତମାନ ଦେଶର ପ୍ରାୟ ପ୍ରତ୍ୟେକ କାରାଗାରରେ ବ୍ୟବସ୍ଥା ଅନୁସାରେ ଯେତିକି କଏଦୀ ରହିବା କଥା, ତା’ଠାରୁ ଅଧିକ କଏଦୀ ରହୁଛନ୍ତି। ୨୦୧୫ର ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ତଥ୍ୟ ଅନୁଯାୟୀ, ଜେଲଗୁଡ଼ିକର କ୍ଷମତାଠାରୁ ୧୪ଗୁଣ ଅଧିକ କଏଦୀ ରହୁଛନ୍ତି। ଏଥିପାଇଁ ମଧ୍ୟ ଆମ ଜଟିଳ ନ୍ୟାୟିକ ବ୍ୟବସ୍ଥା ଦାୟୀ। ବହୁ ସଂଖ୍ୟାରେ ଲୋକେ ବିନା ଅଭିଯୋଗପତ୍ର, ଶୁଣାଣି ଓ ଜାମିନ ନେଇ ନପାରୁଥିବାରୁ ବନ୍ଦୀ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି। ପ୍ରତି ତିନିଜଣରୁ ଦୁଇଜଣ କଏଦୀ ବିଚାରାଧୀନ ଶ୍ରେଣୀର। ଏମାନଙ୍କ ଭିତରୁ ଅଧିକାଂଶ ସାମାଜିକ ଓ ଆର୍ଥିକ ଭାବେ ବଞ୍ଚିତ ବର୍ଗର ହୋଇଥିବାରୁ ସେମାନଙ୍କୁ ସମୁଚିତ ଆଇନଗତ ସହାୟତା ମିଳିପାରେ ନାହିଁ। କାରାଗାରଗୁଡ଼ିକ ସୁଧାର ଗୃହ ହେବା ବଦଳରେ ଧୀରେଧୀରେ ଯାତନା ଓ ଅପରାଧ କେନ୍ଦ୍ର ପାଲଟୁଛି। ଏହା ବର୍ତ୍ତମାନ ଏକ ବଡ଼ ଆହ୍ବାନ ହେଲାଣି। ତେଣୁ ଏଭଳି ସାର୍ବଜନୀନ ମୁକ୍ତି ଉଦ୍ୟମ ସ୍ବାଗତଯୋଗ୍ୟ। ତେବେ ଏଥିସହ ସରକାର ଦୀର୍ଘଦିନ ଧରି ପଡ଼ିରହିଥିବା କାରାଗାର ସଂସ୍କାରକୁ ମଧ୍ୟ କାର୍ଯ୍ୟକାରୀ କରିବା ଆବଶ୍ୟକ।