ଅଗ୍ନିକାଣ୍ଡଠୁ ବଳି ବିପତ୍ତି ନାହିଁ

ଜଳୁଛି ଜଙ୍ଗଲ। ବିପଦରେ ପ୍ରାକୃତିକ ସମ୍ପଦ ଓ ଜୀବଜନ୍ତୁ। ବନାଗ୍ନି ପ୍ରଶମନ ଯୋଜନା କେବଳ ପ୍ରଚାରସର୍ବସ୍ବ ପାଲଟିଛି। ରୋକିବାକୁ ଇନ୍ଦ୍ର ହିଁ ଭରସା।

ଅଗ୍ନିକାଣ୍ଡକୁ ସର୍ବାଧିକ ବିପତ୍ତି ବୋଲି ଏ ଦେଶରେ ଗ୍ରହଣ କରାଯାଇଥାଏ। କୁହାଯାଏ, ‘ଘରପୋଡ଼ିଠାରୁ ବିପତ୍ତି ନାହିଁ କି ଘୋଡ଼ାଚଢ଼ାଠାରୁ ସମ୍ପତ୍ତି ନାହିଁ।’ ଅଗ୍ନିଦେବତାଙ୍କ ପୂଜା ଓ ଶାନ୍ତି ପାଇଁ ଏବେ ବି ଗାଁଗଣ୍ଡାରେ ହିଙ୍ଗୁଳାଙ୍କ ପୂଜା ଅନୁଷ୍ଠିତ ହେଉଛି। ଅଗ୍ନିକାଣ୍ଡ ପ୍ରତି ସଚେତନତାର ଭାବ ୟାଠୁ ଅଧିକ କାଇଁ କିଏ କରୁଛି ନା କରିପାରୁଛି? ସବୁ ଖାଲି ଭାଷଣ, ଲୋକଦେଖାଣିଆ। ସତରେ ବଡ଼ ଦାରୁଣ ଏ ବିପତ୍ତି। ଆଜିର ସଂରକ୍ଷିତ ଜଙ୍ଗଲ (Reserve Forest) ପରି ଦେବରାଜ ଇନ୍ଦ୍ରଙ୍କର ବେଶ୍‌ ଫଳପୁଷ୍ପ ଓ ଦାମୀ ବୃକ୍ଷଲତାରେ ଭରା ଖାଣ୍ଡବ ବନ ଅଛି। ଅତ୍ୟଧିକ ଯଜ୍ଞାହୁତି ଘୃତ ପାନକରି ଅଗ୍ନିଦେବ ‘ଲୁଦୁପୁତୁ’ ରୋଗରେ ଆକ୍ରାନ୍ତ ହେଲେ ଓ ପ୍ରଚୁର ଉଦ୍ଭିଦ ଜାତୀୟ ଖାଦ୍ୟପାନରେ ତା’ ଉପଶମ ହେବା ପାଇଁ ଖାଣ୍ଡବ ବନରେ ଆଖି ପକେଇଲେ। ଇନ୍ଦ୍ରଙ୍କ ଜଙ୍ଗଲ। ଇନ୍ଦ୍ର ଏଥିରେ ଆକ୍ରମଣ କରିପାରନ୍ତି, ତେଣୁ ତାଙ୍କୁ ମନଇଚ୍ଛା ଖାଇବା ସୁରକ୍ଷା ଦେବାକୁ ଅର୍ଜୁନଙ୍କୁ ମଙ୍ଗାଇପାରିଲେ। ଜଙ୍ଗଲ ଦଗ୍ଧ ପାଇଁ ଅର୍ଜୁନଙ୍କ ଏପରି ସହାୟତାକୁ ନାପସନ୍ଦ କରାଗଲା ଓ ପରିଣତି ଭିନ୍ନ ହୋଇଥିଲା।

ଏବେ ଆମ ରାଜ୍ୟରେ ଜଙ୍ଗଲ ସମ୍ପଦ ଅନାଥ ଶିଶୁ ଭଳି ଯେପରି ଜଳୁଛି ସତେ ଯେମିତି ଜଣେ ସବ୍ୟସାଚୀ କିଏ ଏମିତି ବନାଗ୍ନିକୁ ସହାୟତା ଦେଉଥିବା ମନେହୁଏ। ଏବେ ଏ ରାଜ୍ୟର ମୂଲ୍ୟବାନ ସମ୍ପତ୍ତି ଶିମିଳିପାଳ ଅଭୟାରଣ୍ୟ ଯେମିତି ଅଣାୟତ୍ତ ହୋଇଛି ସେମିତି ପୁରୀ ବଡ଼ଦାଣ୍ଡରେ ବଜାରର କୋଠା ଚବିଶଘଣ୍ଟା ଧରି ଜଳୁଛି। ଜଙ୍ଗଲକୁ ସିନା ବାଟ ନାହିଁ ବୋଲି ସିଏ ଜଳୁଛି, ମାତ୍ର ବଡ଼ଦାଣ୍ଡ ବଜାର ସମୂହକୁ ବାଟ କ’ଣ ନାହିଁ ? ନା, ସତରେ ବାଟ ନାହିଁ। ଆମ ଅଗ୍ନିଶମ ବିଭାଗଙ୍କ ଛେନାରୁ ଚୋପାଛଡ଼ା ନିୟମ ମାନି କରି କୌଣସି ଶିଳ୍ପ, ଡାକ୍ତରଖାନା ଆଦି ନିର୍ମାଣ ବେଳେ ଏମିତି ଆଇନ ଜାଲ ଛନ୍ଦୁଛନ୍ତି ଯେ ତା ବର୍ଣ୍ଣନା ସମ୍ଭବ ନୁହେଁ। ଚାରିପଟେ ରାସ୍ତା ଅଛି କି ନାହିଁ, କୋଠାରୁ ହଳହଳ ନିଶୁଣି ବା ପାହାଚ ଅଛି କି ନାହିଁ, ତା’ର ଚୋପାଛଡ଼ା ବ୍ୟବସ୍ଥା ସତ୍ତ୍ବେ ଚାରିପଟେ ରାସ୍ତା ନଥିବ ଏ ସବୁ ଅାଜିଯାଏ ଅଛି କେମିତି? ସେମିତି ସବୁ କଥା। ପୁରୀ ଭଳି ପ୍ରଖ୍ୟାତ ଓ ଖୋଲା ସହରରେ ଚବିଶଘଣ୍ଟା ଧରି ଯଦି ନିଆଁ ନିଭାଯାଇ ପାରୁନି, ତେବେ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଗଲେ ତାକୁ ନ ଲିଭାଇପାରିବାର କୈଫିୟତ ତ ମିଳିବ। ତେବେ ଖୋଜାଯାଉ ଏ ଅର୍ଜୁନଙ୍କୁ ଯିଏ ଜଙ୍ଗଲକୁ ଅଗ୍ନି ଖୁଆଉଛି? ସରକାରୀ ହିସାବ ଅନୁସାରେ ଆମ ରାଜ୍ୟ ଓଡ଼ିଶା ଏବେ ସର୍ବାଧିକ ବନାଗ୍ନି ଚିହ୍ନିତ ରାଜ୍ୟ ଭାବେ ପରିଚିତ। ଓଡ଼ିଶାରେ ତା୯ରିଖ ଦିନ ୧୦୩ଟି ଅଞ୍ଚଳରେ ବନାଗ୍ନି ଲାଗିଥିବାବେଳେ, ମଣିପୁର ୫୪ଟି, କର୍ଣ୍ଣାଟକ ୪୨ଟି ଓ ଛତିଶଗଡ଼ରେ ୧୭ଟି ସ୍ଥାନରେ ବନାଗ୍ନି ଆକ୍ରାନ୍ତ ହୋଇ ସାରା ଦେଶରେ ଯଥାକ୍ରମେ ପ୍ରଥମ, ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି। ଏଥିରୁ ମପାଯାଉ ଜଙ୍ଗଲ ବିଭାଗର କାରଧାନୀ, ପଟୁତା ଓ ଦକ୍ଷତା। ଏପଟେ ବନ ବିଭାଗ ବନାଗ୍ନି ନିୟନ୍ତ୍ରଣ ଲାଗି ନିଜ ଅସହାୟତା ପ୍ରକାଶ କରୁଛି। ଇନ୍ଦ୍ର କୃପା କଲେ ହିଁ ବନାଗ୍ନି ଥମିବ ବୋଲି ଆଶା ରଖୁଛି। ପାଣିପାଗ ବିଭାଗର ପୂର୍ବାନୁମାନକୁ ନଜର ରଖିବା ହିଁ ଏକମାତ୍ର ଆଶ୍ରା ବୋଲି କୁହାଯାଉଛି। ତଥାପି କୁଆଡେ ରାଜ୍ୟ ସରକାର ବନାଗ୍ନି ନିୟନ୍ତ୍ରଣ ଲାଗି ଆଧୁନିକ ଜ୍ଞାନକୌଶଳ ପ୍ରୟୋଗର ବିଚାର କରୁଛନ୍ତି। ଏଣେ ଆମ ରାଜ୍ୟରେ ୩ ହଜାରରୁ ଅଧିକ ବନ କର୍ମଚାରୀ, ୧୬ ହଜାରରୁ ଅଧିକ ବନ ସୁରକ୍ଷା ସମିତିଙ୍କ ସହ ୨୮୦ ସ୍ବତନ୍ତ୍ର ଦଳ ଜଙ୍ଗଲ ନିଆଁ ରୋକିବାକୁ ନିୟୋଜିତ ଥିବା ସରକାର କହୁଛନ୍ତି। ଏପରି କି ବନାଗ୍ନି ପ୍ରଶମନ ତଥା ଏ ନେଇ ଜଙ୍ଗଲ ସୀମାବର୍ତ୍ତୀ ଜନପଦରେ ଜନସଚେତନତା ସୃଷ୍ଟି କରିବାକୁ ଏବେ ଏବେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ କୁଆଡେ ଦାୟିତ୍ବ ଦେଇଛନ୍ତି ସରକାର। ଏସବୁ ସତ୍ତ୍ବେ ଓଡ଼ିଶା ବନାଗ୍ନିରେ ଏକ ସପ୍ତାହ ଧରି ପ୍ରଥମ ସ୍ଥାନରେ ରହିଛି। ରାଜ୍ୟରେ ଜଙ୍ଗଲ ସମ୍ପଦ ମୋଟ ଭୌଗୋଳିକ କ୍ଷେତ୍ରର ୩୩ ପ୍ରତିଶତ ରହିଥିବା ଦାବି କରାଯାଉଥିଲେ ହେଁ ବାସ୍ତବ ସ୍ଥିତି ୨୨ ପ୍ରତିଶତରୁ କମ୍‌ ଥିବା ପରିବେଶବିତ୍‌ ମତ ଦେଉଛନ୍ତି। କଳକାରଖାନା, ଖଣିଖାଦାନ ଓ ଜନବସତିର ସଂଖ୍ୟା ଯେଭଳି ବଢୁଛି ତାହା ଜଙ୍ଗଲ ଓ ଜଳାଶୟ କ୍ଷେତ୍ରକୁ ଯେ ସର୍ବାଧିକ ପ୍ରଭାବିତ କରୁଛି ତାହା ନିଃସନ୍ଦେହ। ଏଭଳି ସ୍ଥିତି ସଭ୍ୟତାର ପ୍ରଥମ ଗୃହ ଜଙ୍ଗଲ ଯେ ବିପଦରେ ଓ ଏହାର ଜୀବଜନ୍ତୁ ଏବେ ସହରମୁହାଁ ହେଲେଣି ତାହାର ଚିତ୍ର ବଖାଣିବା ବୋଧେ ଆବଶ୍ୟକତା ନାହିଁ। ଏଣେ ଖାଲି ମହୁ, ଚନ୍ଦନ, ଶାଳ, ଶାଗୁଆନ କାଠ ଜବତର ସଂଖ୍ୟା କାଁଭାଁ ଥିଲାବେଳେ ପଟାସ, ଚାକୁଣ୍ଡା ଆଦି ଶସ୍ତା ଗଛ ଜବତର ଫଟୋ ଦେଖାଇ ବନରକ୍ଷୀ ଜଙ୍ଗଲ ସୁରକ୍ଷାର ମିଛ ବାହାବା ସାଉଣ୍ଟୁଛନ୍ତି। ଏ ବନାଗ୍ନି ଯଦି ଲାଗିରହେ, ଜଙ୍ଗଲ ସମ୍ପଦ ଲୋପପାଇଯିବ। ରାଜ୍ୟର ସର୍ବବୃହତ୍‌ ଜଙ୍ଗଲ ଶିମିଳିପାଳ। ଏପରି ବନାଗ୍ନି ଜାଣିଶୁଣି ଚୋରା ଜଙ୍ଗଲ ବେପାରୀଙ୍କ ଦ୍ବାରା କରାଯାଇଥାଏ। ଏ କଥା କ’ଣ ସେଠି ନିଯୁକ୍ତ ଜଙ୍ଗଲ କର୍ମଚାରୀ କର୍ମକର୍ତ୍ତାଙ୍କୁ ଅଜଣା?? ଆଦୌ ନୁହେଁ, ତା’ ପରେ ହୋଟେଲ, ରୋଷ୍ଟୁରାଣ୍ଟ ବା ବଡ଼ ବଡ଼ ବିପଣୀ ପେଣ୍ଠରେ ଅଗ୍ନିକାଣ୍ଡକୁ ବି ନିୟନ୍ତ୍ରଣ କରାଯାଇପାରୁନାହିଁ। ଏଥିରୁ ଅଗ୍ନିଶମ ବିଭାଗ ପଟୁତା ଆକଳନ ହେଉ। ଏମିତି ଚିଲେଇଲେ କ’ଣ ହେବ? ଶ୍ରୋତା ବକତା କେହି ନାହିଁ, ରୋଦନ କରୁ କାହିଁ ପାଇଁ??

Comments are closed.