ନିର୍ବାଚନ ଓ ଟଙ୍କା
ପ୍ରକାଶ ଡାଭେ
ସବୁରି ମୂଳରେ ଅର୍ଥ। ଟଙ୍କା ବିନା ସବୁ କିଛି ଅସମ୍ଭବ, ତେବେ ଏତେ ବଡ଼ ନିର୍ବାଚନ ବା କିଭଳି ସମ୍ଭବ ହେବ ? ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତରେ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଯାଉଛି ଗଣତନ୍ତ୍ରର ମହାନ ପର୍ବ ସାଧାରଣ ନିର୍ବାଚନ। ପ୍ରାୟ ଅଢ଼େଇ ମାସ ଧରି ଏହି ପ୍ରକ୍ରିୟା ଚାଲୁ ରହିବ। ଏହାର ବିଭିନ୍ନ ଦିଗ ମଧ୍ୟରୁ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ହେଲା ଆର୍ଥିକ ଦିଗ। ନିର୍ବାଚନ ନିଶ୍ଚିତ ଭାବରେ ଏକ ବ୍ୟୟବହୁଳ ପ୍ରକ୍ରିୟା, କିନ୍ତୁ ଭାରତୀୟ ନିର୍ବାଚନକୁ ଦେଖିଲେ ଏହି ବ୍ୟୟବହୁଳ ଶବ୍ଦଟି ମଧ୍ୟ ନ୍ୟୂନ ଲାଗେ। ନିର୍ବାଚନ ଆସିଲେ ସତେ ଯେମିତି ଟଙ୍କାର ସୁଅ ଛୁଟେ।
ଏଥରର ନିର୍ବାଚନ ମଧ୍ୟ ଏହାର କୌଣସି ବ୍ୟତିକ୍ରମ ନୁେହଁ। ଏଥର ନିର୍ବାଚନରେ ଟଙ୍କାର ସୁଅ ନୁହେଁ, ବରଂ ବନ୍ୟାହେବାର ଅନୁମାନ କରାଯାଉଛି। ଭାରତ ଏକ ବିକାଶଶୀଳ ଦେଶ ଭାବରେ ପରିଗଣିତ ହେଉଥିଲେ ମଧ୍ୟ ଏହାର ଆଗାମୀ ନିର୍ବାଚନ ବିଶ୍ୱର ସବୁଠାରୁ ବ୍ୟୟବହୁଳ ନିର୍ବାଚନ ହେବାକୁ ଯାଉଛି। ଏକ ସର୍ବେକ୍ଷଣ ଏବଂ ଆକଳନରୁ ଜଣାଯାଇଛି ଯେ ଏହି ନିର୍ବାଚନରେ ପ୍ରାୟ ୭୦୦ କୋଟି ଡଲାର ଖର୍ଚ୍ଚ ହେବ, ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୫୦ ହଜାର କୋଟି ଟଙ୍କା ସହ ସମାନ। ଏହା ଗତ ୨୦୧୬ ମସିହାରେ ଅନୁଷ୍ଠିତ ହୋଇଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ଖର୍ଚ୍ଚ ଠାରୁ ପ୍ରାୟ ୫୦ କୋଟି ଡଲାର ଅଧିକ।
ସରକାର ନିର୍ବାଚନ ପରିଚାଳନା ପାଇଁ ଖର୍ଚ୍ଚ କରୁଥିବା ବେଳେ ପ୍ରାର୍ଥୀମାନେ ନିଜ ନିଜର ପ୍ରଚାର ପାଇଁ ଖର୍ଚ୍ଚ କରନ୍ତି ଏବଂ ତା’ ସହିତ ସେହି ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାର ପାଇଁ ବିଭିନ୍ନ ରାଜନୈତିକ ଦଳମାନେ ମଧ୍ୟ ଖର୍ଚ୍ଚ କରନ୍ତି। ତେବେ, ଏତେ ଟଙ୍କା ଆସୁଛି କେଉଠୁଁ ଏବଂ ଯାଉଛି କେଉଁଆଡ଼େ – ଏଭଳି ପ୍ରଶ୍ନ ପ୍ରତ୍ୟେକ ନାଗରିକ ମନରେ ଉଠିବା ସ୍ୱାଭାବିକ।
ଏକା ପ୍ରକାର ଚିନ୍ତାଧାରା ରହିଥିବା ବ୍ୟକ୍ତିମାନଙ୍କୁ ନେଇ ଗଠିତ ହୁଏ ରାଜନୈତିକ ଦଳ ଏବଂ ସେହି ଚିନ୍ତାଧାରା ରଖୁଥିବା ଦଳର ସମର୍ଥକମାନଙ୍କ ଆର୍ଥିକ ଯୋଗଦାନ ବା ଚାନ୍ଦା ହିଁ ରାଜନୈତିକ ଦଳମାନଙ୍କ ଆୟର ମୁଖ୍ୟ ସ୍ରୋତ। ପ୍ରାୟତଃ ବିଭିନ୍ନ ଧନଶାଳୀ ବ୍ୟକ୍ତିବିଶେଷ, ବ୍ୟବସାୟୀ ଏବଂ ଶିଳ୍ପପତିମାନେ ହିଁ ଏହି ଚାନ୍ଦା ଦେଇଥାନ୍ତି। ବିଭିନ୍ନ ପ୍ରାର୍ଥୀ ମଧ୍ୟ ଏହି ଭାରି ଖର୍ଚ୍ଚକୁ ତୁଲାଇବା ପାଇଁ ଏଭଳି ପନ୍ଥା ଅବଲମ୍ବନ କରିଥାନ୍ତି। ସଭାସମିତିର ଆୟୋଜନ ସାଙ୍ଗକୁ ରୋଡ଼ ଶୋ, ରାଲି, ଶୋଭାଯାତ୍ରା, ଗସ୍ତ, ଜନସମ୍ପର୍କ ଅଭିଯାନ, ହୋର୍ଡିଂ, କଟ୍-ଆଉଟ୍, ବ୍ୟାନର୍, ପୋଷ୍ଟର, ଲିଫ୍ଲେଟ୍, ପତାକା, ଟୋପି, ପୋଷାକ, ଖାଦ୍ୟପେୟ ଆଦିରେ ପ୍ରଚୁର ଅର୍ଥ ବ୍ୟୟ ହୋଇଥାଏ। ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କ ବ୍ୟତୀତ ରାଜନୈତିକ ଦଳମାନେ ମଧ୍ୟ ସଭାସମିତି ଆୟୋଜନ ପାଇଁ ବିପୁଳ ଅର୍ଥବ୍ୟୟ କରିଥାନ୍ତି। ଏବେ ଗଣମାଧ୍ୟମ କ୍ଷେତ୍ରରେ ହୋଇଥିବା ଅଭୂତପୂର୍ବ ଉନ୍ନତି ଏହି ପାରମ୍ପାରିକ ପ୍ରଚାର ଉପାୟଗୁଡ଼ିକୁ ପଛରେ ପକାଇ ଦେଇଛି। ଖବର କାଗଜଗୁଡ଼ିକରେ ବଡ଼ବଡ଼ ବିଜ୍ଞାପନ ସାଙ୍ଗକୁ ରେଡିଓ ଓ ଟେଲିଭିଜନକୁ ପ୍ରଚାରର ପ୍ରମୁଖ ମାଧ୍ୟମ କରାଯାଉଛି। ତା ଛଡ଼ା ଫେସ୍ବୁକ୍, ଟ୍ୱିଟର୍, ହ୍ୱାଟ୍ସଆପ୍ ଭଳି ସାମାଜିକ ଗଣମାଧ୍ୟମ ସତେ ଯେମିତି ପ୍ରଚାର ପାଇଁ ସାଜିଛି ଅମୋଘ ଅସ୍ତ୍ର। ଏ ସବୁରେ ବିଜ୍ଞାପନ ଦେବା ମଧ୍ୟ ଅତ୍ୟନ୍ତ ବ୍ୟୟସାପେକ୍ଷ।
ଏତଦ୍ବ୍ୟତୀତ ମୋଟ ଖର୍ଚ୍ଚର ଏକ ବଡ଼ ଭାଗ ହେଲା ସରକାରଙ୍କ ଦ୍ୱାରା କରାଯାଉଥିବା ନିର୍ବାଚନ ପରିଚାଳନା ଖର୍ଚ୍ଚ। ଲକ୍ଷଲକ୍ଷ ସରକାରୀ କର୍ମଚାରୀ, ହଜାରହଜାର ପର୍ଯ୍ୟବେକ୍ଷକ ଓ ଅଧିକାରୀଙ୍କୁ ତାଲିମ୍ ଓ ନିର୍ବାଚନ ସ୍ଥାନକୁ ପ୍ରେରଣରେ ମଧ୍ୟ ବହୁତ ଖର୍ଚ୍ଚ ହୋଇଥାଏ। ଇ.ଭି.ଏମ୍. ଏବଂ ଭିଭିପାଟ୍ ର ପ୍ରୟୋଗ ମଧ୍ୟ ଅନ୍ୟ ଏକ ବଡ଼ ଖର୍ଚ୍ଚ । ତେବେ ଅଧିକ ଖର୍ଚ୍ଚ ହୁଏ ସୁରକ୍ଷା ବ୍ୟବସ୍ଥାରେ। ନିର୍ବାଚନ ଆୟୋଗଙ୍କ ନିର୍ଦେଶକ୍ରମେ ଏହି ସମୟରେ ସ୍ଥାନୀୟ ପୁଲିସଠାରୁ ଆରମ୍ଭ କରି ଅର୍ଦ୍ଧସାମରିକ ବାହିନୀକୁ ମୁତୟନ କରାଯାଇଥାଏ। ମତଦାନ, ଭୋଟଗଣତି ଏବଂ ଚୂଡ଼ାନ୍ତ ଫଳାଫଳ ଘୋଷଣା ହେବା ପର୍ଯ୍ୟନ୍ତ ପ୍ରଶାସନ ତରଫରୁ ଅବଲମ୍ବନ କରାଯାଉଥିବା କଡ଼ା ସୁରକ୍ଷା ବ୍ୟବସ୍ଥା ପାଇଁ ସରକାରଙ୍କୁ ବହୁତ ଖର୍ଚ୍ଚାନ୍ତ ହେବାକୁ ପଡ଼େ।
ନିର୍ବାଚନ ପ୍ରଚାରରେ କଳାଟଙ୍କା କାରବାରକୁ ଅସ୍ୱୀକାର କରି ହେବ ନାହିଁ, କାରଣ, ପ୍ରାର୍ଥୀ ହୁଅନ୍ତୁ କିମ୍ବା ରାଜନୈତିକ ଦଳ, ସେମାନଙ୍କ ଆୟବ୍ୟୟ ହିସାବରେ ସ୍ୱଚ୍ଛତା ବା ଟ୍ରାନ୍ସପାରେନ୍ସି ଦେଖିବାକୁ ମିଳେନି। ଅବଶ୍ୟ, ଏ ସବୁକୁ ପ୍ରତିହତ କରିବା ପାଇଁ ନିର୍ବାଚନ ଆୟୋଗ ଦ୍ୱାରା ପ୍ରାର୍ଥୀମାନଙ୍କ ଖର୍ଚ୍ଚର ଏକ ସୀମା ନିର୍ଦ୍ଧାରଣ କରାଯାଇଛି। ବଡ଼ ରାଜ୍ୟରେ ଲୋକସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ ସର୍ବାଧିକ ୭୦ ଲକ୍ଷ ଟଙ୍କା ଓ ଛୋଟ ରାଜ୍ୟ ର ପ୍ରାର୍ଥୀଙ୍କ ପାଇଁ ଏହି ସୀମା ୫୪ ଲକ୍ଷ ଟଙ୍କା ରହିଛି। ସେହିପରି ବିଧାନ ସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ପାଇଁ ଏହି ସୀମା ୨୦ ରୁ ୨୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି, କିନ୍ତୁ ବାସ୍ତବ କ୍ଷେତ୍ରରେ ଏହା ଧାର୍ଯ୍ୟ ସୀମା ଠାରୁ ଢେର ଅଧିକ ହୋଇଥାଏ।
ତେବେ, ଦେଶର ଜନସାଧାରଣ ଯଦି ଏଭଳି ଗୋଟିଏ ସରକାର ପାଆନ୍ତି ଯିଏ ଦେଶକୁ ଉନ୍ନତିର ପଥରେ ଆଗେଇ ନେବ, ଯିଏ ଜନତାର ଦୁଃଖ-ଦୁର୍ଦଶାକୁ ଦୂର କରିପାରିବ, ଯିଏ ଦେଶକୁ ସୁରକ୍ଷିତ ରଖିପାରିବ, ତା’ହେଲେ ନିର୍ବାଚନରେ ହେଉଥିବା ଏହି ବିପୁଳ ବ୍ୟୟ ସାର୍ଥକ ହେବ। ଏଥିପାଇଁ ସମସ୍ତ ମତଦାତାଙ୍କୁ ସଚେତନ ହେବାକୁ ପଡ଼ିବ।
କଟକ – ୩
Comments are closed.