ଦୀର୍ଘତମ ଓ ବ୍ୟୟବହୁଳ

0

ବିଶ୍ବର ସର୍ବବୃହତ ଗଣତନ୍ତ୍ର ଭାରତରେ ସାଧାରଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ସପ୍ତଦଶ ଲୋକସଭା ଗଠନ ସହିତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ସିକ୍କିମ ଓ ଅରୁଣାଚଳପ୍ରଦେଶ ବିଧାନସଭା ପାଇଁ ଏହି ସମୟରେ ଏକସଙ୍ଗେ ଭୋଟଗ୍ରହଣ କରାଯିବ। ଦେଶର ପ୍ରାୟ ୯୦କୋଟି ଭୋଟରଙ୍କ ପାଇଁ ଏହା ନିଶ୍ଚିତ ଏକ ସର୍ବବୃହତ୍‌ ଗଣତାନ୍ତ୍ରିକ ଉତ୍ସବ। ଏଥର ସାଧାରଣ ନିର୍ବାଚନ ସାତ ପର୍ଯ୍ୟାୟରେ ଅନୁଷ୍ଠିତ ହେଉଥିବାବେଳେ ନିର୍ବାଚନ ପ୍ରକ୍ରିୟା ମୋଟ ୩୯ଦିନ ଚାଲିବ। ଏହାର ଅର୍ଥ ଭାରତର ନିର୍ବାଚନ ବ୍ୟବସ୍ଥାରେ ପ୍ରଥମ ସାଧାରଣ ନିର୍ବାଚନକୁ ବାଦ୍‌ ଦେଲେ ଏହା ହେବ ସବୁଠୁ ଦୀର୍ଘକାଳୀନ ପ୍ରକ୍ରିୟା। ପ୍ରଥମ ସାଧାରଣ ନିର୍ବାଚନ ପ୍ରକ୍ରିୟା (୧୯୫୧-୫୨) ୧୨୦ଦିନ ଧରି ଚାଲିବାର ଯଥାର୍ଥତା ଥିଲା; କାରଣ ଏହାଥିଲା ଭାରତୀୟ ଲୋକତନ୍ତ୍ରର ପ୍ରଥମ ସାବାଳକ ଭୋଟ ଦାନ ବ୍ୟବସ୍ଥା ଯାହା ବିଭିନ୍ନ ଦୃଷ୍ଟିରୁ ଅଧିକ ସମୟ ନେବାର ଯଥାର୍ଥତା ଥିଲା। ତା’ପରଠାରୁ, ଅର୍ଥାତ ଦ୍ବିତୀୟରୁ ନବମ ଲୋକସଭା ପାଇଁ ଯେଉଁ ନିର୍ବାଚନ ହୋଇଥିଲା ତାହାର ସମୟସୀମା ଯଥେଷ୍ଟ କମ୍‌ ରହିଥିଲା। ୧୯୫୭ ନିର୍ବାଚନ ପ୍ରକ୍ରିୟା ୧୯ ଦିନଧରି ଚାଲିଥିବାବେଳେ ୧୯୯୧ ଲୋକସଭା ନିର୍ବାଚନ ପାଇଁ ୩୪ ଦିନ ସମୟ ଧାର୍ଯ୍ୟ ହୋଇଥିଲା। ତା’ ଭିତରେ କେବଳ ପଞ୍ଚମ ଲୋକସଭା ନିର୍ବାଚନ ପ୍ରକ୍ରିୟା ମାତ୍ର ୧୫ଦିନ ଚାଲିଥିଲାବେଳେ ଅନ୍ୟ କୌଣସି ନିର୍ବାଚନ ଦୁଇଅଙ୍କ ବିଶିଷ୍ଟ ଦିବସ ଛୁଇଁ ନଥିଲା। ତଥ୍ୟ ଅନୁସାରେ ୧୯୯୬ ଲୋକସଭା ନିର୍ବାଚନ ପ୍ରକ୍ରିୟା ୩୪ଦିନ ଚାଲିଥିବାବେଳେ ୨୦୧୪ ନିର୍ବାଚନ ପ୍ରକ୍ରିୟା ୩୬ଦିନିଆ ଥିଲା। ଏଠାରେ ପ୍ରଶ୍ନ ଉଠୁଛି ଯେ ଗଣତନ୍ତ୍ର କ୍ରମଶଃ ପାକଳ ହେଉଥିବାବେଳେ ଜନତାନ୍ତ୍ରିକ ଅଭ୍ୟାସ ଦୃଷ୍ଟିରୁ ଲୋକେ ସଚେତନ ହେଉଛନ୍ତି ଓ ବ୍ୟବସ୍ଥା ପୋଖତ ହେଉଛି। ଏହା ସତ୍ତ୍ବେ ଏଥର ଏତେ ଦୀର୍ଘକାଳୀନ ନିର୍ବାଚନ କସରତର ଅର୍ଥ କ’ଣ ହୋଇପାରେ। ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶୃଙ୍ଖଳିତ କରିବାପାଇଁ ନିର୍ବାଚନ କମିସନ ଏଭଳି ବ୍ୟବସ୍ଥା କରିଛନ୍ତି ବୋଲି ସଫେଇ ଦେଇଛନ୍ତି।
ଏଭଳି ଏକ ଦୀର୍ଘ କାର୍ଯ୍ୟସୂଚୀ କ’ଣ ସୂଚନା ଦେଉଛି ଯେ ଦେଶର ଆଇନ ଶୃଙ୍ଖଳା ଭଲ ନାହିଁ ଏବଂ କମ୍‌ ସମୟରେ ନିରପେକ୍ଷ ନିର୍ବାଚନ ସମ୍ଭବ ନୁହେଁ? ନିଦାଘ ଭାରତୀୟ ଗ୍ରୀଷ୍ମକାଳରେ ଏଭଳି ଦୀର୍ଘ ପ୍ରଲମ୍ବିତ ନିର୍ବାଚନ ପ୍ରକ୍ରିୟା କେବଳ ରାଜନୈତିକ ଦଳମାନଙ୍କୁ ଚାପଗ୍ରସ୍ତ କରିବ ନାହିଁ, ଏହା ଭୋଟର, ସାଧାରଣ ଜନତା ଓ ନିର୍ବାଚନ ପ୍ରକ୍ରିୟାରେ ସହଯୋଗ କରୁଥିବା କର୍ମଚାରୀଙ୍କୁ ମଧ୍ୟ କ୍ଳାନ୍ତ ଓ ଚାପରେ ରଖିବ। ଦ୍ବିତୀୟତଃ ନିର୍ବାଚନ ପ୍ରକ୍ରିୟା ଯେତେ ଲମ୍ବା ହେବ ବିିଭିନ୍ନ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ଖର୍ଚ୍ଚ ମଧ୍ୟ ସେତେ ଅଧିକ ବଢ଼ିବ ଏବଂ ଏହା ପ୍ରକାରାନ୍ତରେ ଅଧିକ କଳାଟଙ୍କାକୁ ନିର୍ବାଚନ​‌େ​‌ର ଉପଯୋଗ କରିବାକୁ ସୁଯୋଗ ଦେବ। ଏକ ହିସାବ ଅନୁସାରେ ଏଥରର ଲୋକସଭା ନିର୍ବାଚନ ବିଶ୍ବର ସବୁଠୁ ବ୍ୟୟବହୁଳ ଗଣତାନ୍ତ୍ରିକ ଘଟଣା ହେବାକୁ ଯାଉଛି ଏବଂ ଏଥିରେ ୬୦ହଜାର କୋଟିଟଙ୍କାରୁ ଅଧିକ ଖର୍ଚ୍ଚ ହେବ। ଆମେରିକା ରାଷ୍ଟ୍ରପତି ନିର୍ବାଚନ ଖର୍ଚ୍ଚଠାରୁ ଏହା ବହୁ ଅଧିକ ହେବବୋଲି ଆକଳନ କରାଯାଇଛି। ଆହୁରି ମଧ୍ୟ ଏହି ସମୟରେ ନିର୍ବାଚନ ଆଚରଣବିଧି ବଳବତ୍ତର କାରଣରୁ ନୂଆ ସରକାରୀ କାର୍ଯ୍ୟକ୍ରମମାନ କାର୍ଯ୍ୟକାରୀ ହୋଇପାରିବ ନାହିଁ। ପୁନଶ୍ଚ ଏହି ସମୟରେ ରମଜାନ ଉପବାସ ମାସ ପଡ଼ୁଛି। ଏହା ମୁସଲମାନ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ। ସର୍ବୋପରି ଓଡ଼ିଶା ଭଳି ରାଜ୍ୟରେ ଚାରିପର୍ଯ୍ୟାୟ ନିର୍ବାଚନ କୌଣସି ଦୃଷ୍ଟିରୁ ଯଥାର୍ଥ ମନେ ହୁଏନା। ପଡ଼ୋଶୀ ଆନ୍ଧ୍ରରେ ଗୋଟିଏ ଦିନରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେଉଥିବାବେଳେ ଓଡ଼ିଶା କ୍ଷେତ୍ରରେ ଭିନ୍ନ ମାନଦଣ୍ଡ କାହିଁକି?
ତେଣୁ ଏକ ସୁଦୀର୍ଘ ନିର୍ବାଚନ ପ୍ରକ୍ରିୟା ଯେ ଗ୍ରହଣୀୟ ନୁହେଁ, ତାହା କହିବା ଭୁଲ ନୁହେଁ।​‌ ଆମ ନିର୍ବାଚନ ଆୟୋଗ ମୁଖ୍ୟତଃ ସେବାନିବୃତ୍ତ ସିଭିଲ ସର୍ଭାଣ୍ଟମାନଙ୍କ ଥଇଥାନ କେନ୍ଦ୍ର। ସେମାନଙ୍କୁ ପରାମର୍ଶ ଦେବାକୁ ଯେଉଁମାନେ ଅଛନ୍ତି ସେମାନେ ମୁଖ୍ୟତଃ ବିଭିନ୍ନ ବୃତ୍ତି ଓ ପେସାର ଲୋକ। ହେଲେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣରେ ଏମାନଙ୍କର କିଛି ଭୂମିକା ନଥାଏ। ନିର୍ବାଚନ ଆୟୋଗରେ ସିଭିଲ ସର୍ଭାଣ୍ଟଙ୍କ ବାହାରୁ ଅନ୍ୟ କ୍ଷେତ୍ରର ବିଶେଷଜ୍ଞ ଓ ବ୍ୟକ୍ତିବିଶେଷଙ୍କୁ ରଖି ଏହାର ସଭ୍ୟସଂଖ୍ୟା ବୃଦ୍ଧି କରିବାସହ ସେଠାରେ ମଧ୍ୟ ବୃହତ୍ତର ଗଣତାନ୍ତ୍ରିକ ବ୍ୟବସ୍ଥା ଓ ବିବିଧ ମତାମତକୁ ପ୍ରତିନିଧିତ୍ବ କରିବାର ସୁଯୋଗ ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି। ଏହା ଲୋକତନ୍ତ୍ରର ବିିଭିନ୍ନ ବର୍ଗର ପ୍ରତିନିଧିତ୍ବ କରିବାଉଚିତ। ସେ ବ୍ୟବସ୍ଥା ନଥିବାରୁ ନିର୍ବାଚନ କମିସନ ବେଳେବେଳେ ନିଚ୍ଛକ ବାସ୍ତବତାକୁ ଉପେକ୍ଷା କରି ଆପଣା ଢ଼ଙ୍ଗରେ କିମ୍ବା ଚାପରେ କାମ କରୁଛନ୍ତି।
ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ କରିବା ଆୟୋଗଙ୍କର ପ୍ରଥମ ଓ ପ୍ରଧାନଦାୟିତ୍ବ। ହେଲେ ଏହାକୁ ଏତେ ପ୍ରଲମ୍ବିତ କରିବାର ଯଥାର୍ଥତା ନଥିଲା। ନୂଆ ଟେକ୍‌ନୋଲୋଜି ଓ ପ୍ରଯୁକ୍ତିବିଦ୍ୟା ଆମ ଭୋଟଦାନ ବ୍ୟବସ୍ଥାକୁ ଅଧିକ ସହଜ ଓ ତ୍ରୁଟିଶୂନ୍ୟ କରୁଛି। ଆମେ ଆମ ନିର୍ବାଚନକୁ ଅଧିକ ଟେକନୋଲୋଜି ଅନୁକୂଳ କରିବା ପରିବର୍ତ୍ତେ ପୁଲିସ ଜଗାଇ ନିର୍ବାଚନ ଅବଧି ବଢ଼ାଇ ଭୋଟ ଗ୍ରହଣ ବ୍ୟବସ୍ଥା କଲେ ମତଦାନ ପ୍ରକ୍ରିୟା ସଂପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ଓ ନିରପେକ୍ଷ ହେବନାହିଁ। ଆଗକୁ ଉଭୟ ସରକାର ଓ ନିର୍ବାଚନ ଆୟୋଗ ଏ ଦିଗରେ ବିଚାର କରିବା ଉଚିତ।

kalyan agarbati
Leave A Reply