ସନ୍ଥ ଓ ପଦ୍ମ
ପ୍ରକୃତ ସାଧୁସନ୍ଥ ଓ ସନ୍ନ୍ୟାସୀମାନେ କାମନାବାସନାର ଊର୍ଦ୍ଧ୍ବରେ। ସେମାନେ ଜାଗତିକ ମୋହ ଓ ଆକର୍ଷଣରୁ ମୁକ୍ତ। ଏଭଳି ସ୍ଥଳେ ସରକାରୀ ସମ୍ମାନ, ପୁରସ୍କାର ପାଇଁ ସାଧୁସନ୍ଥଙ୍କୁ ବାଛିବା କେତେଦୂର ଯୁକ୍ତିଯୁକ୍ତ ତାହା ବିଚାରଯୋଗ୍ୟ। ଭାରତ ସରକାର ପଦ୍ମପୁରସ୍କାର ପ୍ରଦାନ କରି ଆସୁଛନ୍ତି। ‘ଭାରତରତ୍ନ’ ଠାରୁ ‘ପଦ୍ମଶ୍ରୀ’ ପର୍ଯ୍ୟନ୍ତ ଯେତେ ସବୁ ପୁରସ୍କାର ସରକାର ପ୍ରତିବର୍ଷ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଦେଇ ଆସୁଛନ୍ତି ସେସବୁ ଯେ ନିରପେକ୍ଷ ଭାବେ ଦିଆଯାଉଛି ଓ ବିବାଦର ଊର୍ଦ୍ଧ୍ବରେ, ଏହା କୁହାଯାଇ ନପାରେ। ସେ ଦୃଷ୍ଟିରୁ ଏକଦା କିଛିକାଳ ଏହି ପୁରସ୍କାରକୁ କେନ୍ଦ୍ର ସରକାର ବନ୍ଦ କରି ଦେଇଥିଲେ।
ଏବେ ଯୋଗଗୁରୁ ବାବା ରାମଦେବ କହିଛନ୍ତି ଯେ ପଦ୍ମପୁରସ୍କାର ପ୍ରଦାନରେ ସରକାର ଦେଶର ସାଧୁସନ୍ଥମାନଙ୍କୁ ଉପେକ୍ଷା କରୁଛନ୍ତି। ପ୍ରସଙ୍ଗ କ୍ରମେ ସେ ସ୍ବାମୀ ବିବେକାନନ୍ଦଙ୍କ ଭଳି କିଛି ଆଧ୍ୟାତ୍ମିକ ପୁରୁଷଙ୍କ ନାମ ଉଠାଇଛନ୍ତି। ଭାରତର ଆଧ୍ୟାତ୍ମିକ ପୁରୁଷ ଓ ମହାନ ସାଧୁସନ୍ଥଙ୍କୁ ସରକାର ପଦ୍ମପୁରସ୍କାରରେ ଅନ୍ତର୍ଭୁକ୍ତ କରୁନଥିବାରୁ ସେ ଦୁଃଖିତ ଓ କ୍ଷୁବ୍ଧ ମଧ୍ୟ। ଗୋଟିଏ ଦୃଷ୍ଟିରୁ ରାମଦେବଙ୍କ କଥା ଅଯୌକ୍ତିକ ନୁହେଁ। ଯଦି କଳା, ସାହିତ୍ୟ, ସମାଜସେବା, ଗୋଷ୍ଠୀ ନେତୃତ୍ବ, ରାଜନୀତି, କ୍ରୀଡ଼ା ଆଦି ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ପଦ୍ମପୁରସ୍କାର ମିଳୁଛି ତେବେ ଏଥିରେ ଆଧ୍ୟାତ୍ମିକତା କ୍ଷେତ୍ରଟିକୁ କାହିଁକି ଯୋଡ଼ା ଯାଉନାହିଁ?
ବାବାଙ୍କ ଯୁକ୍ତି ଠିକ୍ ଲାଗୁଥିଲେ ମଧ୍ୟ ପଦ୍ମପୁରସ୍କାର ସ୍ଥିତି ଓ ଏହି ମନୋନୟନ ପଛରେ ଥିବା ପଙ୍କିଳ ରାଜନୀତିକୁ ଦେଖିଲେ ମନେହୁଏ ଆମେ ଆମ ଆଧ୍ୟାତ୍ମିକ ବିଭୂତି ଓ ପ୍ରତିଭାଙ୍କୁ ଏହା ଭିତରକୁ ଟାଣି ପୁରସ୍କାର ଦେବା ଆଳରେ ସେମାନଙ୍କ ଭାବମୂର୍ତ୍ତିରେ କାହିଁକି ଅଯଥା ‘ପଦ୍ମ’ର ପଙ୍କ ବୋଳିବା? ଭାରତ ରୂପକ ପୁଷ୍କରିଣୀରେ ଆମର ମହାପୁରୁଷ ଓ ସିଦ୍ଧ ସାଧୁସନ୍ଥ ଓ ସନ୍ନ୍ୟାସୀମାନେ ଅମଳିନ କମଳ ସଦୃଶ ଶୋଭା ପାଉଛନ୍ତି। ସେମାନେ ଆମ ପୁରସ୍କାର ଓ ମୂଲ୍ୟାୟନଠାରୁ ବାସ୍ତବରେ ବହୁ ଊର୍ଦ୍ଧ୍ବରେ। ସେମାନଙ୍କ ପାଇଁ ଆମ ଦେଶ ଓ ସଂସ୍କୃତି ଗର୍ବିତ। ଏହି ପରମତ୍ୟାଗୀମାନଙ୍କୁ ସେମାନଙ୍କ ସ୍ଥାନରେ ବିବାଦର ଊର୍ଦ୍ଧ୍ବରେ ଶାନ୍ତିରେ ରହିବାକୁ ଦିଆଯାଉ। ପ୍ରତ୍ୟେକ ଭାରତୀୟ ସେମାନଙ୍କ ପଦବନ୍ଦନା ଓ ଆବାହନ କରି ଯେଉଁ ଆଧ୍ୟାତ୍ମିକ ଶାନ୍ତି ପାଉଛନ୍ତି ସେମାନଙ୍କୁ ‘ସରକାରୀ ପଦ୍ମ’ ସ୍ପର୍ଶ କଲେ ସେମାନଙ୍କ ମର୍ଯ୍ୟାଦା ବରଂ ହାନି ହେବ। ଏଭଳି ପ୍ରୟାସରୁ ବିରତ ରହିବା ବରଂ ଭଲ। ବାବା ରାମଦେବ ଏ ନେଇ ଆତ୍ମସମୀକ୍ଷା କରନ୍ତୁ।