ଅବିଶ୍ବସ୍ତ ଇଭିଏମ୍?
ଲଣ୍ଡନ ସାମ୍ବାଦିକ ସମ୍ମିଳନୀରେ ଜଣେ ‘ସାଇବର ବିଶେଷଜ୍ଞ’ ୨୦୧୪ ନିର୍ବାଚନରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ (ଇଭିଏମ୍) ହ୍ୟାକ୍ ହୋଇଥିଲା ବୋଲି ଯେଉଁ ଅଭିଯୋଗ ଆଣିଛନ୍ତି, ତାହା ଯଦି ସତ୍ୟ ହୋଇଥାଏ, ତେବେ ନିଶ୍ଚିତଭାବେ ଖୁବ୍ ସାଙ୍ଘାତିକ। ତେବେ, ସେ ଇଭିଏମ୍ର ଅବିଶ୍ବସ୍ତତାକୁ ପ୍ରମାଣ କରିବାଭଳି କୌଣସି ତଥ୍ୟ ଉପସ୍ଥାପନ କରିନଥିବାରୁ ଏଭଳି ଅଭିଯୋଗର ଭିତ୍ତି ଅଛି ନା ନାହିଁ, ତାହା ବିଚାରଯୋଗ୍ୟ। ନିର୍ବାଚନ ଆୟୋଗ ଏହି ଘଟଣାକୁ ଗୁରୁତର ସହ ନେବା ଉଲ୍ଲେଖନୀୟ। ଆୟୋଗ ପୂର୍ବପରି ଇଭିଏମ୍ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ବିଶ୍ବସ୍ତ ବୋଲି କହିବା ସହ ଅଭିଯୋଗ ବାଢ଼ିଥିବା ‘ସାଇବର ବିଶେଷଜ୍ଞ’ଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିବାକୁ ଦିଲ୍ଲୀ ପୁଲିସ ନିକଟକୁ ଚିଠି ଲେଖିଛନ୍ତି ଓ ଏହାର ତଦନ୍ତ କରାଯିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଆୟୋଗଙ୍କ ଏହି ପଦକ୍ଷେପ ସ୍ବାଗତଯୋଗ୍ୟ; କାରଣ ଏହା ନହେଲେ ଜନସାଧାରଣଙ୍କ ମନରେ ଅଯଥା ସଂଶୟ ସୃଷ୍ଟି ହେବାର ଆଶଙ୍କା ବେଶି ରହିଛି।
ଭାରତରେ ପ୍ରାୟ ସବୁ ନିର୍ବାଚନରେ ଇଭିଏମ୍କୁ ନେଇ ଅଭିଯୋଗ ହୋଇଆସୁଛି। ସାମଗ୍ରିକ ଭାବେ ନିର୍ବାଚନରେ ପରାଜିତ ଦଳଗୁଡ଼ିକ ହିଁ ଏଭଳି ଅଭିଯୋଗ କରିଥାନ୍ତି, କିନ୍ତୁ ସେମାନେ ପ୍ରମାଣ କରିବା ଭଳି ତଥ୍ୟ ଦେଇନଥାନ୍ତି। ତେଣୁ ଆୟୋଗ ସେଗୁଡ଼ିକୁ ସହଜରେ ଖାରଜ କରିଦିଅନ୍ତି। ପ୍ରାୟ ସବୁଦଳ ଇଭିଏମ୍ ମାଧ୍ୟମ ମତଦାନରେ ଜିତିଛନ୍ତି ଓ ହାରିଛନ୍ତି। ଏହା ସତ୍ତ୍ବେ ଏହାର ବିଶ୍ବସନୀୟତାକୁ ନେଇ ଏତେ ବିବାଦ କାହିଁକି? ଅବଶ୍ୟ ପ୍ରାୟ ସବୁ ନିର୍ବାଚନରେ ଇଭିଏମ୍ରେ ତ୍ରୁଟି ଥିବାରୁ ଲୋକେ ଭୋଟ ଦେଇପାରିନଥିବା କିମ୍ବା ବିଳମ୍ବ ହେଉଥିବା ଭଳି ଖବର ଆସେ। ଗତ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ୨୩୦ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ୨୦୪ଟିରେ ଭୋଟର ଦେଇଥିବା ଭୋଟ ଓ ଗଣନା ହୋଇଥିବା ଭୋଟ ଭିତରେ ସାମଞ୍ଜସ୍ୟ ନଥିବା ଜଣାପଡ଼ିଥିଲା। ତେଣୁ ଆୟୋଗ ଯେ ଏ ପର୍ଯ୍ୟନ୍ତ ତ୍ରୁଟିଶୂନ୍ୟ ଇଭିଏମ୍ ଯୋଗାଇବାରେ ବିଫଳ ହୋଇଛି, ସେଥିରେ ଆଦୌ ସନ୍ଦେହ ନାହିଁ। ଏପରି ତ୍ରୁଟିଯୁକ୍ତ ଇଭିଏମ୍ ହିଁ ଏହାର ବିଶ୍ବସନୀୟତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ଅନୁମେୟ। ଆୟୋଗ ପ୍ରତ୍ୟେକ ଭୋଟଗ୍ରହଣ କେନ୍ଦ୍ରରେ ଯେଭଳି ସଂପୂର୍ଣ୍ଣ ତ୍ରୁଟିଶୂନ୍ୟ ଇଭିଏମ୍ ରହିବ, ସେଥିପ୍ରତି ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ଇଭିଏମ୍କୁ ହ୍ୟାକ୍ କରାଯାଇ ସେଥିରେ ଗଡ଼ବଡ଼ କରାଯିବା ଭଳି ପ୍ରମାଣ ଏ ପର୍ଯ୍ୟନ୍ତ ମିଳିନାହିଁ। ଅତୀତରେ କେତେକ ରାଜନୀତିକ ଦଳ ଏଭଳି ହ୍ୟାକ୍ କରିହେବ ବୋଲି ଅଭିଯୋଗ ବାଢ଼ିବା ସହ ପ୍ରମାଣ କରିଦେଖାଇବେ ବୋଲି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ହେଁ ସେମାନେ ଠିକ୍ଭାବେ ତାହା ପ୍ରମାଣ କରିପାରିନାହାନ୍ତି। ତେଣୁ ଇଭିଏମ୍ର ବିଶ୍ବସନୀୟତା ଏବେ ବି ବଜାୟ ରହିଛି ବୋଲି କୁହାଯାଇପାରେ।
ଏହାସତ୍ତ୍ବେ କେବଳ ଭାରତ ନୁହେଁ, ବିଶ୍ବର ଅନେକ ଦେଶରେ ଇଭିଏମ୍ର ବିଶ୍ବସନୀୟତା ନେଇ ବାରମ୍ବାର ପ୍ରଶ୍ନ ଉଠିଛି। ୨୦୦୯ ମସିହାରେ ଜର୍ମାନୀରେ ତ ସ୍ବଚ୍ଛତା, ପ୍ରମାଣସାଧ୍ୟତା ଓ ଗୋପନୀୟତାର ପରୀକ୍ଷାରେ ଇଭିଏମ୍ ବିଫଳ ହେବାର ପ୍ରମାଣ ମିଳିଥିବା ସେଠାକାର ସାମ୍ବିଧାନିକ ଅଦାଲତ ରାୟ ଦେବାପରେ ସେଠାରେ ଇଭିଏମ୍ ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା ଓ ତା’ ବଦଳରେ ପେପର୍ ବାଲଟ୍ ପୁଣି ବ୍ୟବହାର ହୋଇଆସୁଛି। ସେହିପରି ନେଦରଲାଣ୍ଡ, ଆୟାର୍ଲାଣ୍ଡ ଭଳି ପ୍ରଯୁକ୍ତିପ୍ରବୀଣ ଦେଶଗୁଡ଼ିକ ମଧ୍ୟ ନିର୍ବାଚନରେ ଇଭିଏମ୍ ବ୍ୟବହାର କରୁନାହାନ୍ତି।
ଇଭିଏମ୍ର ସ୍ବଚ୍ଛତା ଓ ପ୍ରମାଣସାଧ୍ୟତା ନଥିବା ନେଇ କେବଳ ରାଜନୈତିକ ଦଳ ନୁହନ୍ତି, କେତେକ ବିଶେଷଜ୍ଞ ମଧ୍ୟ କହିଆସିଛନ୍ତି। ସେମାନଙ୍କ ଯୁକ୍ତି ହେଲା, ଇଭିଏମ୍ରେ ଭୋଟର ନିଜର ଭୋଟ ରେକର୍ଡ ବା ଲିପିବଦ୍ଧ ହେଲା ନା ନାହିଁ, ତାହା ଦେଖିପାରେ ନାହିଁ କିମ୍ବା ଠିକ୍ଭାବେ ଲିପିବଦ୍ଧ ହୋଇଥିବା ନେଇ ପରେ ତାକୁ ପରଖା ଯାଇପାରେନାହିଁ। କେବଳ ମୋଟ କେତୋଟି ଭୋଟ ପଡ଼ିଛି, ତାହା ହିଁ ପରଖାଯାଇପାରେ ବା ଯାଞ୍ଚ କରାଯାଇପାରେ। ପ୍ରତ୍ୟେକ ଭୋଟକୁ ସେଥିରେ ଯାଞ୍ଚ କରିହୁଏ ନାହିଁ। ଏହି ସମସ୍ୟାର ସମାଧାନ ପାଇଁ ଭୋଟର ଭେରିଫିଏବଲ ପେପର୍ ଅଡିଟ୍ ଟ୍ରାଏଲ୍ (ଭିଭିପାଟ୍) ବ୍ୟବସ୍ଥା କରାଗଲା। କିନ୍ତୁ ଇଭିଏମ୍ର ସ୍ବଚ୍ଛତା ଓ ପ୍ରମାଣସାଧ୍ୟତା ସମସ୍ୟା ପାଇଁ ଭିଭିପାଟ୍ କେବଳ ଆଂଶିକ ସମାଧାନ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଏହା କେବଳ ଭୋଟିଂ ଅଂଶଟିର ହିଁ ସମାଧାନ କରିପାରିଛି। ଗଣତି ଅଂଶଟି ଏବେ ବି ଅପାରଦର୍ଶୀ। ଏହାର କାରଣ ହେଲା, ଯଦି କେହି ଗଣତିରେ ତ୍ରୁଟି ଅଛି ବୋଲି ଅଭିଯୋଗ କରେ, ତେବେ ତା’ର ଯାଞ୍ଚପାଇଁ କିଛି ଉପାୟ ନାହିଁ। ତେବେ କେତେକଙ୍କ ବିଶ୍ବାସ ଯେ ପରିସଂଖ୍ୟାନ ଦ୍ବାରା ଏହି ସମସ୍ୟାର ସମାଧାନ ସମ୍ଭବ। ବର୍ତ୍ତମାନ ଆୟୋଗର ଭିଭିପାଟ୍ ଅଡିଟ୍ ନିର୍ବାଚନମଣ୍ଡଳୀର ଗୋଟିଏ ମନୋନୀତ ଭୋଟଗ୍ରହଣ କେନ୍ଦ୍ରରେ ହିଁ ସୀମିତ। ଏତିକି ନମୁନା ଅଡିଟ୍ରୁ ଇଭିଏମ୍ର ତ୍ରୁଟିବିଚ୍ୟୁତିକୁ ଖୋଜି ପାଇବା ଆଦୌ ସମ୍ଭବ ନୁହେଁ ବୋଲି ଏବେ ଜଣେ ବିଶେଷଜ୍ଞ ତାଙ୍କ ଲେଖାରେ ସପ୍ରମାଣ ଦର୍ଶାଇଛନ୍ତି। ସେହିପରି ଗୋପନୀୟତା ରକ୍ଷା କ୍ଷେତ୍ରରେ ମଧ୍ୟ ଇଭିଏମ୍ର ଦୁର୍ବଳତା ରହିଥିବା କୁହାଯାଉଛି। ପେପର୍ ବାଲଟ ବ୍ୟବସ୍ଥାରେ ଆୟୋଗ ଅଲଗାଅଲଗା ଭୋଟଗ୍ରହଣ କେନ୍ଦ୍ରରୁ ଆସିଥିବା ବାଲାଟ୍ ପେପର୍କୁ ମିଶାଇ ଗଣନା କରିପାରନ୍ତି; କିନ୍ତୁ ଇଭିଏମ୍ରେ ସେପରି ସୁବିଧା ନାହିଁ। ସେଥିରେ ପ୍ରତ୍ୟେକ ଭୋଟଗ୍ରହଣ କେନ୍ଦ୍ରର ଗଣନା ହୋଇଥାଏ, ଯେଉଁଥିରୁ ଜଣେ ଭୋଟିଂର ଧାରାକୁ ସହଜରେ ଅନୁମାନ କରିପାରିବ। ‘ଟୋଟାଲାଇଜର୍ ମେସିନ’ ଏହି ସମସ୍ୟାର ସମାଧାନ କରିପାରନ୍ତା, କିନ୍ତୁ ଆୟୋଗ ଏ ପର୍ଯ୍ୟନ୍ତ ସେ ନେଇ ଚିନ୍ତା କରିନାହିଁ।
ସେ ଯାହାହେଉ, ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରତ୍ୟେକ ଭୋଟ ଗୁରୁତ୍ବପୂର୍ଣ୍ଣ। ତେଣୁ ଭୋଟିଂବ୍ୟବସ୍ଥାରେ କୌଣସି ପ୍ରକାରର ତ୍ରୁଟିବିଚ୍ୟୁତି ଆଦୌ ଗ୍ରହଣୀୟ ନୁହେଁ। ମେସିନରେ ସହଜରେ ଭୋଟ୍ ଗ୍ରହଣ ଓ ଗଣତି କରାଯାଇପାରୁଛି ବୋଲି ତାହା ଯେ ଗ୍ରହଣଯୋଗ୍ୟ, ତାହା ଭାବିବା ଠିକ୍ ନୁହେଁ। ଅନ୍ୟପକ୍ଷରେ, ପ୍ରମାଣ ନଥାଇ ଅଭିଯୋଗ କରିବା ମଧ୍ୟ ବାଞ୍ଛନୀୟ ନୁହେଁ। ଏ ନେଇ ସମସ୍ତେ ସଚେତନ ହେଲେ ଭଲ ହେବ।