www.samajalive.in
Monday, December 8, 2025
14.1 C
Bhubaneswar

ସତର୍କତା ହିଁ ସୁରକ୍ଷା

ନୂଆବର୍ଷ ଆରମ୍ଭରୁ ପୁଣି ଏକ ଦୁଃଖଦ ଡଙ୍ଗାବୁଡ଼ି ଘଟନା ଘଟିଛି। ବୁଧବାର ସନ୍ଧ୍ୟାରେ ଜଗତସିଂହପୁର ଜିଲା ହସିଣା ଗାଁର ୧୯ଟି ପରିବାର କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳର ହୁକିଟୋଲା ଦ୍ବୀପରୁ ବଣଭୋଜି ସାରି ଫେରୁଥିବାବେଳେ ମହାନଦୀରେ ଡଙ୍ଗା ବୁଡ଼ିଯାଇଥିଲା। ଏଥିରେ ୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଶିଶୁ ଏବେସୁଦ୍ଧା ନିଖୋଜ ଅଛି (ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି)। ଏହି ମର୍ମାନ୍ତିକ ଦୁର୍ଘଟଣାକୁ ଭଲଭାବେ ଅନୁଧ୍ୟାନ କଲେ ଯାହା ସାମ୍ନାକୁ ଆସେ, ତାହା ହେଲା ଆମର ଅସତର୍କତା ଓ ଅସଚେତନତା। ପ୍ରଥମତଃ, କ୍ଷମତାଠାରୁ ଅଧିକ ଲୋକ ଡଙ୍ଗାରେ ବସିବା ଫଳରେ ଡଙ୍ଗା ଅଳ୍ପରେ ନିୟନ୍ତ୍ରଣ ହରାଇଥିଲା। ଦ୍ବିତୀୟତଃ, ଯାତ୍ରୀମାନେ କେହି ମଧ୍ୟ ଜୀବନରକ୍ଷାକାରୀ ଜ୍ୟାକେଟ୍ ପିନ୍ଧିନଥିଲେ, ବା ସେହିପରି କିଛି ବ୍ୟବସ୍ଥା ନଥିଲା। କୁହାଯାଏ ଯେ ପାଣି ଓ ନିଆଁରେ ମଣିଷର ବହପ ଚାଲେ ନାହିଁ। ଏହା ସମସ୍ତଙ୍କୁ ଜଣା ଥିବା ସତ୍ତ୍ବେ ଅନେକ ସମୟରେ ଲୋକେ ଆଦୌ ସତର୍କତା ଅବଲମ୍ବନ କରୁନାହାନ୍ତି। ଫଳରେ ବାରମ୍ବାର ଏପରି ଦୁର୍ଘଟଣାରେ ଲୋକେ ପ୍ରାଣ ହରାଉଛନ୍ତି। ବିଶେଷକରି ଗତ କେଇବର୍ଷ ଭିତରେ ଆମ ରାଜ୍ୟରେ ଡଙ୍ଗାବୁଡ଼ିରେ ପଚାଶରୁ ଅଧିକ ଲୋକଙ୍କ ଜୀବନ ଚାଲିଗଲାଣି। ଚାରିବର୍ଷ ତଳେ ୨୦୧୪ରେ ହୀରାକୁଦରେ ଘଟିଥିବା ଭୟାବହ ଡଙ୍ଗାବୁଡ଼ି ଘଟନାର ସ୍ମୃତି ଏବେ ବି ଉଜ୍ଜୀବିତ ରହିଛି, ଯେଉଁଥିରେ ୩୧ ଜଣ ପ୍ରାଣ ହରାଇଥିଲେ। ସେହି ଲୋକେ ବି ବଣଭୋଜି କରି ଘରକୁ ଫେରୁଥିଲେ। ସେହି ଡଙ୍ଗାବୁଡ଼ିର କାରଣ ବି ଥିଲା କ୍ଷମତାଠାରୁ ବହୁତ ଅଧିକ ଯାତ୍ରୀ ଯାତ୍ରା କରିବା। ​‌େ​‌ସହି ଡଙ୍ଗାରେ ସାଧାରଣ ସୁରକ୍ଷା ବ୍ୟବସ୍ଥା ମଧ୍ୟ ନଥିଲା। ୨୦୧୬ରେ ଢେଙ୍କାନାଳ ଜିଲାର ବ୍ରାହ୍ମଣୀ ନଦୀରେ ୩୫ ଜଣଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ିଯିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଥିଲା। ଗତବର୍ଷ ସେପ୍ଟେମ୍ବରରେ ବାଲିମେଳା ନଦୀବନ୍ଧରେ ଡଙ୍ଗା ବୁଡ଼ି ୪ ଜଣଙ୍କ ଜୀବନ ଯାଇଥିଲା। ସେହିପରି ଜୁନ ମାସରେ ଏକ ଡଙ୍ଗା ବୁଡ଼ିଯିବାରୁ ଚିଲିକା ହ୍ରଦକୁ ବୁଲିଯାଇଥିବା ୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ ଓ ଅଳ୍ପକେ ୧୨ ଜଣ ବର୍ତ୍ତିଯାଇଥିଲେ। ପରେ ଜଣାପଡ଼ିଥିଲା ଯେ ସେମାନଙ୍କ ନିକଟରେ ଜୀବନରକ୍ଷାକାରୀ କୌଣସି ସୁବିଧା ନଥିଲା। ସେମାନେ ତାଲିମପ୍ରାପ୍ତ ନୌକାଚାଳକଙ୍କ ନୌକାରେ ଯାଇନଥିଲେ। ଉଲ୍ଲେଖଯୋଗ୍ୟ, ବୁଧବାର ମଧ୍ୟ ଚିଲିକା​‌େ​‌ର ଏକ ଡଙ୍ଗା ବୁଡ଼ିଯାଇଥିଲା; ତେବେ ପର୍ଯ୍ୟଟକମାନେ ଜୀବନରକ୍ଷାକାରୀ ଜ୍ୟାକେଟ୍ ପିନ୍ଧିଥିବାରୁ ଅଳ୍ପକେ ବର୍ତ୍ତିଯାଇଥିଲେ। ସେମାନେ ଯଦି ଆଗରୁ ସେହି ସତର୍କତା ଅବଲମ୍ବନ କରିନଥା’ନ୍ତେ, ତେବେ ମୃତ୍ୟୁ ତ ନିଶ୍ଚିତ ଥିଲା କହିଲେ ଚଳେ।
ଆମେ ଉପରୋକ୍ତ ସମସ୍ତ ଘଟନାରୁ ଶିଖିବାର ଅଛି। ଯେଉଁଠିକୁ ବି ଡଙ୍ଗା ସାହାଯ୍ୟରେ ଯାଉଥିଲେ ପ୍ରଥମେ ତା’ର ସୁରକ୍ଷା ବ୍ୟବସ୍ଥା ଠିକ୍ ଅଛି ନା ନାହିଁ, ତାହା ତଦାରଖ କରିବା ଜରୁରୀ। ଅନ୍ତତଃ ଜ୍ୟାକେଟ୍ ପିନ୍ଧିବା ନିହାତି ଆବଶ୍ୟକ। ଚିଲିକା ହ୍ରଦକୁ ପ୍ରତିବର୍ଷ ହଜାରହଜାର ପର୍ଯ୍ୟଟକ ଆସିଥାନ୍ତି; କିନ୍ତୁ ସେଠାରେ ମଧ୍ୟ ସବୁବେଳେ ସୁରକ୍ଷା ବ୍ୟବସ୍ଥା ଢିଲା ରହୁଥିବା ଦେଖାଯାଉଛି। ବିଶେଷକରି ବଡ଼ ନୌକା ନେଲେ ଅଧିକ ଭଡ଼ା ପଡ଼ୁଥିବାରୁ ପର୍ଯ୍ୟଟକମାନେ ସ୍ଥାନୀୟ ମାଛଧରା ଡଙ୍ଗାରେ ହ୍ରଦ ଭିତରକୁ ବୁଲିବାକୁ ଯାଉଛନ୍ତି। ସେସବୁ ଡଙ୍ଗାରେ ପ୍ରଶିକ୍ଷିତ ନୌଚାଳକ ନଥା’ନ୍ତି କି ସୁରକ୍ଷା ବ୍ୟବସ୍ଥା ମଧ୍ୟ ନଥାଏ। ତେଣୁ ଦୁର୍ଘଟଣା ଘଟିବାର ବେଶି ଆଶଙ୍କା ରହିଥାଏ। ଜଳଯାତ୍ରାରେ ଯିବାବେଳେ ପ୍ରତ୍ୟେକ ବ୍ୟକ୍ତି ଏଥିପ୍ରତି ସଚେତନ ଓ ସତର୍କ ହେବା ଦରକାର। ଭୁଲିବା ଉଚିତ ନୁହେଁ ଯେ ସତର୍କତା ହିଁ ଆମ ସୁରକ୍ଷା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories