ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟବୀମା
ଅରବିନ୍ଦ ବେହେରା
କେନ୍ଦ୍ର ସରକାର ଘୋଷଣା କରିଥିବା ‘ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ ବା ‘ଆୟୁଷ୍ମାନ ଭାରତ’ ଯୋଜନା ବିଶ୍ୱର ସବୁଠାରୁ ବଡ ସ୍ୱାସ୍ଥ୍ୟ ବୀମା ଯୋଜନା ବୋଲି ଘୋଷଣା କରାଯାଇଛି। ଏହି ଯୋଜନାରେ ୧୦.୭୪ କୋଟି ପରିବାର ଅନ୍ତର୍ଭୁକ୍ତ ହେବେ ଏବଂ ପ୍ରତ୍ୟେକ ପରିବାର ପାଇଁ ବର୍ଷକୁ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ଧନ ରାଶି ସ୍ୱାସ୍ଥ୍ୟବୀମା ମାଧ୍ୟମରେ ଯୋଗାଇ ଦିଆଯାଇପାରିବ ବୋଲି ବ୍ୟବସ୍ଥା ରହିଛି। ଓଡିଶା ସରକାର କେନ୍ଦ୍ର ସରକାରଙ୍କର ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅଂଶଗ୍ରହଣ ନ କରି ନିଜ ରାଜ୍ୟର ଅଧିବାସୀଙ୍କ ପାଇଁ “ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା” ନାମରେ ଏକ ଉଚ୍ଚାଭିଳାଷୀ ବୀମା ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନାରେ ଅଧିକ ପରିବାର ଉପକୃତ ହେବେ ଏବଂ ମହିଳାମାନଙ୍କ ପାଇଁ ଅଧିକ ବୀମା ରାଶି ମିଳିବାର ପ୍ରତିଶ୍ରୁତି ରହିଛି। କେନ୍ଦ୍ରସରକାରଙ୍କ ଯୋଜନାରେ ସ୍ୱାସ୍ଥ୍ୟ ବୀମା ସହିତ ଦେଶବ୍ୟାପୀ ପ୍ରାଥମିକ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆମୂଳଚୂଳ ଦୃଢ଼ କରାଯିବ ବୋଲି କୁହାଯାଇଛି। ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକ ପରିଚିତ ହେବେ ହେଲ୍ଥ ଓ ୱେଲନେସ୍ କେନ୍ଦ୍ର ଭାବରେ। ‘ଆୟୁଷ୍ମାନ ଭାରତ’ ସଂପର୍କରେ ବିଭିନ୍ନ ପ୍ରକାର ମତ ଏହା ମଧ୍ୟରେ ପ୍ରକାଶ ପାଇଛି। ଯୋଜନା ସପକ୍ଷରେ କୁହାଯାଇଛି ଯେ ଏହା ହେବ ସମଗ୍ର ପୃଥିବୀର ବୃହତ୍ତମ ସ୍ୱାସ୍ଥ୍ୟ ବୀମା ଯୋଜନା ଏବଂ ଏହା ମାଧ୍ୟମରେ ସ୍ୱାସ୍ଥ୍ୟସେବାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇ ହେବ। ସମାଲୋଚକଙ୍କ ମତ ହେଲା ଏହି ଯୋଜନାର ଲାଭ ସବୁ ପରିବାରକୁ ମିଳିବ ନାହିଁ, ଘରୋଇ ଚିକିତ୍ସାଳୟଗୁଡିକ ଏଥିରୁ ବେଶୀ ଲାଭ ପାଇବେ। ଏଥିପାଇଁ ବଜେଟରେ ଯେଉଁ ବ୍ୟୟବରାଦ ହୋଇଛି ତାହା ଯଥେଷ୍ଟ ନୁହେଁ; ସମଗ୍ର ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ଭିତ୍ତିଭୂମିରେ ଉନ୍ନତି ନହେଲେ ଏହି ଯୋଜନା ସ୍ୱାସ୍ଥ୍ୟ ସମସ୍ୟାର ମାତ୍ର ଏକ କ୍ଷୁଦ୍ର ଅଂଶକୁ ସମାଧାନ କରିବାରେ ସାହାଯ୍ୟ କରିବ ଇତ୍ୟାଦି।
୨୦୦୮ ମସିହାରେ ପ୍ରଚଳିତ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ଅଧୀନରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପ୍ରତି ପରିବାର ଚିକିତ୍ସା ପାଇଁ ବାର୍ଷିକ ତିରିଶ ହଜାର ଟଙ୍କାର ସାହାଯ୍ୟ ପାଇବା ପାଇଁ ହକ୍ଦାର ଥିଲେ। ଅର୍ଥର ପରିମାଣ କେବଳ କମ୍ ନଥିଲା, ଏହି ଯୋଜନାଟି କାର୍ଯ୍ୟକାରୀ ହେବାରେ ମଧ୍ୟ ନାନା ପ୍ରକାର ଅସୁବିଧା ଦେଖାଯାଇଥିଲା। କର୍ଣ୍ଣାଟକରେ ନିକଟରେ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ ସାଧାରଣ ଲୋକେ ଏହି ଯୋଜନାରୁ ସେତେ ସୁଫଳ ପାଇନାହାନ୍ତି। ଏହି ଯୋଜନାରେ ମିଳୁଥିବା ହିତାଧିକାରୀ କାର୍ଡଟିକୁ କିପରି ବ୍ୟବହାର କରାଯିବ ତାହା ଅନେକ ଲୋକ ଜାଣି ନଥିଲେ। ଡାକ୍ତରଖାନାଗୁଡିକ ମଧ୍ୟ ମାଗଣାରେ ଚିକିତ୍ସା ସେବା ଦିଆଯାଉଛି ବୋଲି ରୋଗୀମାନଙ୍କୁ ଉପେକ୍ଷା କରୁଥିଲେ। ଅନେକ କ୍ଷେତ୍ରରେ କାର୍ଡ ଥାଇ ମଧ୍ୟ ହିତାଧିକାରୀମାନେ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଥିଲେ। ଓଡିଶାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ପୂର୍ବବର୍ତ୍ତୀ ସଂସ୍କରଣ ‘ବିଜୁ କୃଷକ କଲ୍ୟାଣ ଯୋଜନା’ର କାର୍ଯ୍ୟକାରିତା ସଂପର୍କରେ ନିରପେକ୍ଷ ଅଧ୍ୟୟନର କୌଣସି ସୂଚନା ନାହିଁ।
ଏହି ପ୍ରଚ୍ଛଦପଟରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କେତେ ସଫଳ ହେବ ସେ ସଂପର୍କରେ ପ୍ରଶ୍ନବାଚୀଟିଏ ଛିଡାହେବା ହେବା ସ୍ୱାଭାବିକ। ସ୍ୱାସ୍ଥ୍ୟସେବା କହିଲେ ଆମ ଦେଶରେ ସବୁବେଳେ ହାସ୍ପାତାଳଭିତ୍ତିକ ଆରୋଗ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି। ଆଜି ମଧ୍ୟ ଯାହା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ତାହା ହେଲା ବିଭିନ୍ନ ରୋଗ ପାଇଁ ଡାକ୍ତରଖାନାରେ ଦାଖଲ ଏବଂ ଆରୋଗ୍ୟମୂଳକ ସେବା। ରୋଗ ପ୍ରତିଷେଧକ ଓ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଉପରେ ଯେତିକି ଗୁରୁତ୍ୱ ରହିବା କଥା ତାହା କଦାପି ରହିନାହିଁ। ଏ ଦିଗରେ ପର୍ଯ୍ୟାପ୍ତ ପଦକ୍ଷେପର ଅଭାବରେ ଆମ ଦେଶର ଅଧିକରୁ ଅଧିକ ଜନସାଧାରଣ ବିଭିନ୍ନ ଦୁରାରୋଗ୍ୟ ରୋଗରେ ଆକ୍ରାନ୍ତ ହୋଇ ପଡୁଛନ୍ତି। ସଂକ୍ରାମକ ରୋଗର ପ୍ରଭାବ ଓ ପ୍ରାଦୁର୍ଭାବ ହ୍ରାସ ପାଇଥିଲେ ମଧ୍ୟ ବହୁମୂତ୍ର, ହୃଦ୍ରୋଗ, ଶ୍ୱାସ ରୋଗ, କିଡ୍ନୀଜନିତ ରୋଗ, କର୍କଟ ରୋଗ ଇତ୍ୟାଦି ଅଣ-ସଂକ୍ରାମକ ରୋଗର ପ୍ରାଦୁର୍ଭାବ ଦେଶର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବ୍ୟାପକ ଭାବରେ ପରିଲକ୍ଷିତ ହେଉଛି। ଜୀବନଶୈଳୀ ସଂପର୍କିତ ଏହି ରୋଗଗୁଡିକର ଚିକିତ୍ସା ଅଧିକ କଠିନ ଓ ବ୍ୟୟସାପେକ୍ଷ। ଏସବୁ ରୋଗର ପ୍ରତିଷେଧକ ବ୍ୟବସ୍ଥା ପାଇଁ ଯେତିକି ଉଦ୍ୟମ ଓ ସଚେତନତା ଆବଶ୍ୟକ ତାହାର ଅଭାବ ରହିଛି।
ଆୟୁଷ୍ମାନ ଭାରତ ଯୋଜନାରେ କେତେ ସଂଖ୍ୟାରେ ପରିବାର ଉପକୃତ ହେଉଛନ୍ତି ସେ ସଂପର୍କରେ କିଛି ସୂଚନା ମିଳିଛି, କିନ୍ତୁ ସଂପୂର୍ଣ୍ଣ ସୂଚନା ନିୟମିତ ବ୍ୟବଧାନରେ ମିଳିବା ଆବଶ୍ୟକ ଯାହାଦ୍ୱାରା ଏହି ବୀମା ଯୋଜନାରେ କେତେ ପରିବାର ଓ କେତେ ବ୍ୟକ୍ତି ଉପକୃତ ହେଉଛନ୍ତି ତାହା ସମସ୍ତେ ଜାଣି ପାରିବେ। ଓଡିଶାରେ କାର୍ଯ୍ୟକାରୀ ହେଉଥିବା ବିଜୁ ସ୍ୱାସ୍ଥ୍ୟ ଯୋଜନାରେ କେତେ ହିତାଧିକାରୀ ପରିବାର ଉପକୃତ ହେଲେଣି ସେ ସଂପର୍କରେ ରାଜ୍ୟ ସରକାରଙ୍କର ୱେବ୍ ସାଇଟ୍ରେ କୌଣସି ସୂଚନା ଏପର୍ଯ୍ୟନ୍ତ ଦିଆଯାଇ ନାହିଁ। କେନ୍ଦ୍ର ସରକାରଙ୍କ ଯୋଜନାରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରଗୁଡିକ ଅନ୍ତର୍ଭୁକ୍ତ ହେବେ। ଓଡିଶାର ନିଜସ୍ୱ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସବୁ ଶ୍ରେଣୀର ପରିବାର ଅନ୍ତର୍ଭୁକ୍ତ ହେବେ ବୋଲି ଘୋଷଣା କରାଯାଇଛି। କେନ୍ଦ୍ରୀୟ ଯୋଜନା ହେଉ ବା ରାଜ୍ୟସ୍ତରୀୟ ଯୋଜନା ହେଉ, ଉଭୟ କ୍ଷେତ୍ରରେ ରାଜ୍ୟ ସରକାରଙ୍କର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ। ଏହି ଭୂମିକାକୁ ରାଜ୍ୟ ସରକାରମାନେ କିପରି ନିର୍ବାହ କରୁଛନ୍ତି ତାହା ସମୟ ହିଁ କହିବ। ଉଭୟ ଭାରତ ସରକାର ଓ ଓଡ଼ିଶା ସରକାର ସ୍ୱାସ୍ଥ୍ୟ ବୀମା ଯୋଜନାକୁ ଖୁବ୍ ଗୁରୁତ୍ୱ ଦେଉଥିବା ଗଣମାଧ୍ୟମରେ ସେମାନଙ୍କ ସୂଚନା ଓ ପ୍ରଚାରରୁ ଜଣାପଡେ। ସେତିକି ଗୁରୁତ୍ୱର ସହ ଯୋଜନାଗୁଡିକ କାର୍ଯ୍ୟକାରୀ ହେବା ଆବଶ୍ୟକ । କେନ୍ଦ୍ର ସରକାର ଏଥିପାଇଁ ଏକ ସ୍ୱତନ୍ତ୍ର ଅନୁଷ୍ଠାନ ସ୍ଥାପନ କରିଛନ୍ତି, କିନ୍ତୁ ଓଡିଶା ସମେତ ଅନ୍ୟାନ୍ୟ ରାଜ୍ୟରେ ଏ ପ୍ରକାର ଅନୁଷ୍ଠାନ ସ୍ଥାପନ କରିବାକୁ ପଡିପାରେ। କେନ୍ଦ୍ର ସରକାରଙ୍କ ଦ୍ୱାରା ଏହି ଯୋଜନା ପାଇଁ ନିଯୁକ୍ତ ମୁଖ୍ୟ ନିର୍ବାହୀ ଅଧିକାରୀ ଇନ୍ଦୁଭୂଷଣ ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି ଯେ ପ୍ରତ୍ୟହ ଦଶ ହଜାର ପରିବାର ଏହି ଯୋଜନାର ଅନ୍ତର୍ଭୁକ୍ତ ହେବା ଆଶା କରାଯାଉଥିବାବେଳେ ଏହି ସଂଖ୍ୟା ଅକ୍ଟୋବର ମାସରେ ମାତ୍ର ଏକ ଶହ ରହିଥିଲା।
ସ୍ୱାସ୍ଥ୍ୟ କ୍ଷେତ୍ରରେ ବୀମା ଯୋଜନା କାର୍ଯ୍ୟକାରୀ କରିବା ଏକ ଜଟିଳ ବିଷୟ। କାର୍ଯ୍ୟକାରୀ ହେବା ପରେ ଯେଉଁସବୁ ସମସ୍ୟା ଉପୁଜିବ ସେଗୁଡିକର ସମାଧାନ ପାଇଁ କ୍ରମାଗତ ଉଦ୍ୟମ କରିବାକୁ ପଡିବ। ଚିକିତ୍ସା ଖର୍ଚ୍ଚ ବୀମା କମ୍ପାନୀମାନଙ୍କ ଜରିଆରେ ମିଳିବ ବା ଏଥିପାଇଁ ସ୍ୱତନ୍ତ୍ର ଭାବରେ ସ୍ଥାପିତ ନ୍ୟାସ ବା ଟ୍ରଷ୍ଟ ଜରିଆରେ ମିଳିବ ତାହା ରାଜ୍ୟ ସରକାରଙ୍କୁ ସ୍ଥିର କରିବାକୁ ପଡିବ। ସେତେବେଳେ ଯାଇ ସରକାରୀ ଯୋଜନା ବୀମା କମ୍ପାନୀମାନଙ୍କ ପାଇଁ ଲାଭଦାୟକ ହେବ ଯେତେବେଳେ ସେମାନେ ପାଇଥିବା ପ୍ରିମିୟମର ପରିମାଣ ଦେୟ ପରିମାଣଠାରୁ ଅଧିକ ହେବ। ତାହା ନହେଲେ ବୀମା କମ୍ପାନୀମାନେ ଏହି ଯୋଜନାରେ ଅଂଶଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ। ବୀମା କମ୍ପାନୀ ଓ ଘରୋଇ ହସ୍ପିଟାଲ ମଧ୍ୟରେ ଅସାଧୁ ମେଣ୍ଟକୁ ପ୍ରତିହତ କରିବା ତଥା ବୀମା ଅର୍ଥ ବ୍ୟୟର ସୁପରିଚାଳନା ପାଇଁ ନ୍ୟାସ ଜରିଆରେ ଯୋଜନାକୁ କାର୍ଯ୍ୟ କରିବା ସପକ୍ଷରେ ଯୁକ୍ତି କରାଯାଇପାରେ।
ପ୍ରାଥମିକ ଚିକିତ୍ସା ନୁହେଁ, ଦ୍ୱିତୀୟ ଓ ତୃତୀୟ ସ୍ତରୀୟ (ସେକେଣ୍ଡାରୀ ଓ ଟର୍ସିଆରୀ) ଚିକିତ୍ସା ପାଇଁ ସ୍ୱାସ୍ଥ୍ୟବୀମାର ଆବଶ୍ୟକତା ହୁଏତ ରହିଛି, କିନ୍ତୁ ସ୍ୱାସ୍ଥ୍ୟବୀମା ଯୋଜନା ଦ୍ୱାରା ଆମ ଦେଶର ସବୁ ଲୋକଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇପାରିବ- ଏପରି ଦାବିର କୌଣସି ଯଥାର୍ଥତା ନାହିଁ। ସମାଲୋଚକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସରକାର ସ୍ପଷ୍ଟ କରିଛନ୍ତି ଯେ ପ୍ରାଥମିକ ଚିକିତ୍ସା ଉପରେ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯିବ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକୁ ସ୍ୱାସ୍ଥ୍ୟ ଓ କଲ୍ୟାଣ (ୱେଲ୍ନେସ୍) କେନ୍ଦ୍ର ନାମରେ ନାମିତ କରାଯିବ। ଏଠାରେ ପ୍ରଶ୍ନ ଉଠେ ପ୍ରାଥମିକ ଚିକିତ୍ସାର ଯେଉଁ ଆନୁଷ୍ଠାନିକ ବ୍ୟବସ୍ଥା ସବୁ ଆମ ଦେଶରେ ରହିଛି, ସେଗୁଡିକ ଫଳପ୍ରଦ ଭାବରେ କାର୍ଯ୍ୟ କରୁଛନ୍ତି କି ? ଚିକିତ୍ସା ପାଇଁ ଆମ ଦେଶରେ, ବିଶେଷ ଭାବରେ ଗ୍ରାମାଞ୍ଚଳରେ, ଡାକ୍ତର ଓ ଚିକିତ୍ସା ସହାୟକମାନଙ୍କର ଅଭାବ ଏ ପର୍ଯ୍ୟନ୍ତ ଏକ ବଡ଼ ସମସ୍ୟା ହୋଇ ରହିଛି। ଗତ ଅଳ୍ପ କେତେ ବର୍ଷ ମଧ୍ୟରେ ଘରୋଇ ଓ ସରକାରୀ ମେଡିକାଲ କଲେଜଗୁଡିକର ସଂଖ୍ୟା ବଢ଼ିଛି, କିନ୍ତୁ ସେହି ଅନୁଷ୍ଠାନଗୁଡିକରେ ମେଡିକାଲ ଶିକ୍ଷାର ମାନ ସଂପର୍କରେ ଯଥେଷ୍ଟ ସମୀକ୍ଷାର ବ୍ୟବସ୍ଥା ବୋଧହୁଏ ନାହିଁ। ଏହା ବ୍ୟତୀତ ଉଚ୍ଚ ଅଙ୍କର ଅର୍ଥ ବ୍ୟୟ କରି ଘରୋଇ ମେଡିକାଲ କଲେଜରେ ପଢୁଥିବା ପିଲାମାନେ ଗ୍ରାମାଞ୍ଚଳ ବା ଛୋଟ ସହରରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ କାମ କରିବାକୁ କେବେହେଲେ ଚାହିଁବେ ନାହିଁ, ଏହା ସମସ୍ତଙ୍କୁ ଜଣା। ପ୍ରକୃତରେ ଏହି ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକୁ ଫଳପ୍ରଦ ଭାବରେ କାର୍ଯ୍ୟକ୍ଷମ କରିବାର କୌଣସି ପ୍ରଚେଷ୍ଟା ଦୃଷ୍ଟିଗୋଚର ହେଉନାହିଁ। କେବଳ ନାମଟିର ପରିବର୍ତ୍ତନ କରିଦେଲେ ବା ସାଇନ୍ବୋର୍ଡ ବଦଳାଇ ଦେଲେ ସମସ୍ୟାର ସମାଧାନ ହେବ ନାହିଁ। ଏଥିପାଇଁ ଏକ ସାମଗ୍ରିକ ଦୃଷ୍ଟିକୋଣର ଆବଶ୍ୟକତା ଅଛି; ବାସ୍ତବ ସମସ୍ୟାଗୁଡିକୁ ସମାଧାନ କରିବାର ଇଚ୍ଛାଶକ୍ତି ଓ ଆଭିମୁଖ୍ୟ ମଧ୍ୟ ଦରକାର।
ଦେଶର ନାଗରିକମାନେ ସୁସ୍ଥ ରହନ୍ତୁ, ଏହା ଯେ କୌଣସି ରାଷ୍ଟ୍ରର ପ୍ରାଥମିକ ଲକ୍ଷ୍ୟ ହେବା କଥା। କେବଳ ହସ୍ପିଟାଲ ଓ ଔଷଧଭିତ୍ତିକ ଚିକିତ୍ସା ନୁହେଁ, ପ୍ରତିଷେଧକ ବ୍ୟବସ୍ଥା ଉପରେ ମଧ୍ୟ ଯେତିକି ଗୁରୁତ୍ୱ ଦେବା କଥା ତାହା ଦିଆଯାଇ ପାରିନାହିଁ। ପୃଥିବୀରେ ମୃତ୍ୟୁହାର କମିବା ପଛରେ ଅଧିକ ଭୂମିକା ଥିଲା ସ୍ୱଚ୍ଛ ପାନୀୟ ଜଳ ସେବନ ଓ ମୌଳିକ ସ୍ୱାସ୍ଥ୍ୟ ରକ୍ଷାର ନିୟମ ପାଳନ। ସାଂପ୍ରତିକ ସମୟରେ ପରିବେଶ ପ୍ରଦୂଷଣ ଓ ନିରାପଦ ଖାଦ୍ୟ, ଏହି ଦୁଇଟି ବୃହତ୍ ସମସ୍ୟା ଭାବରେ ଉଭା ହେବା ରାଷ୍ଟ୍ର ଓ ସରକାରମାନଙ୍କ ପାଇଁ ଏକ ଆହ୍ୱାନ। ବାୟୁ ପ୍ରଦୂଷଣ ହେତୁ ଦେଶରେ ୧୨ଲକ୍ଷ ଲୋକଙ୍କର ମୃତ୍ୟୁ ହେବା କଥା ଲାନ୍ସେଟ୍ ରିପୋର୍ଟରୁ ଜଣାପଡିଛି। ବାୟୁ ପ୍ରଦୂଷଣ ଆମ ଦେଶର ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପାଇଁ ଏକ ବିଷମ ସମସ୍ୟା। ଏହା ଜଣାଥିଲେ ମଧ୍ୟ ଏ ଦିଗରେ କାର୍ଯ୍ୟାନୁଷ୍ଠାନର ଅଭାବ ରହିଛି। ସେହିପରି ଉତ୍ପାଦିତ ହେଉଥିବା ବିଭିନ୍ନ ଖାଦ୍ୟ ପଦାର୍ଥ, ଫଳ ଓ ପନିପରିବା ସ୍ୱାସ୍ଥ୍ୟ ପାଇଁ ଯେପରି ଅହିତକର ନ ହେବ, ସେଥିପାଇଁ ଯେଉଁ ନିୟନ୍ତ୍ରଣର ଆବଶ୍ୟକତା ରହିଛି ତାହାର କାଣିଚାଏ ମଧ୍ୟ ଦୃଷ୍ଟିଗୋଚର ହୁଏ ନାହିଁ।
ସମାଜରେ ରୋଗର ବୋଝ ହ୍ରାସ କରିବା ଓ ସ୍ୱାସ୍ଥ୍ୟସେବାକୁ ନାଗରିକର ମୌଳିକ ଅଧିକାର ଭାବରେ ଗ୍ରହଣ କରିବା ରାଷ୍ଟ୍ରର ସର୍ବାଦୌ କର୍ତ୍ତବ୍ୟ। ଏହି ଲକ୍ଷ୍ୟ ହାସଲ ଦିଗରେ ନିଷ୍ଠାପର ଉଦ୍ୟମ ହେଲେ ଆମ ଦେଶର ଜନସାଧାରଣ କେବଳ ନୀରୋଗ ହେବେ ନାହିଁ, ନିଜ ସମ୍ବଳ ମଧ୍ୟରେ ସମସ୍ତ ପ୍ରକାର ଚିକିତ୍ସାର ସୁଯୋଗ ସହିତ ଡାକ୍ତରଖାନାରେ ସମ୍ମାନଜନକ ବ୍ୟବହାର ମଧ୍ୟ ଆଶା କରିପାରିବେ। ନଚେତ୍ ସରକାରଙ୍କର ସମସ୍ତ ଆଡମ୍ବରପୂର୍ଣ୍ଣ ପ୍ରଚାର ପ୍ରତାରଣାରେ ପରିଣତ ହେବ।