ଅଗ୍ନିପରୀକ୍ଷାର ବର୍ଷ

0

୨୦୧୯ରେ ଗଣତନ୍ତ୍ରର ଚକ ଘୂରିବ ଓ ନୂଆ ସରକାର କ୍ଷମତାସୀନ ହେବେ, କେବଳ ଭାରତ ନୁହେଁ, ଓଡ଼ିଶାରେ ବି। ତେଣୁ ଆମ ଦେଶ ଓ ରାଜ୍ୟ ପାଇଁ ଏବର୍ଷ ଅତୀବ ଗୁରୁତ୍ବପୂର୍ଣ୍ଣ। ବହୁ ଦୃଷ୍ଟିରୁ କେବଳ ରାଜନୈତିକ ଦଳ କି ରାଜନେତା ନୁହନ୍ତି, ମତଦାତାଙ୍କ ପାଇଁ ମଧ୍ୟ ଏହା ଅଗ୍ନିପରୀକ୍ଷାର ବର୍ଷ। ୨୦୧୪ ନିର୍ବାଚନଠୁ ଏଥରର ନିର୍ବାଚନ ଏକାଧିକ ଦୃଷ୍ଟିରୁ ଅଲଗା ହେବ, ଏହା ନିଶ୍ଚିତ। ବିଭିନ୍ନ ରାଜନୈତିକ ଦଳ ଊଣେଇଶ ନିର୍ବାଚନ ପାଇଁ ଗତବର୍ଷରୁ ହିଁ କସରତ ଆରମ୍ଭ କରିଦେଇଛନ୍ତି, ଯାହା ନିର୍ବାଚନ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ କ୍ଷମତାସୀନ ଦଳଗୁଡ଼ିକ ମତାଦାତାଙ୍କୁ ପ୍ରଲୁବ୍ଧ କରିବା ଭଳି ବିଭିନ୍ନ ପ୍ରକାରର ଯୋଜନା କରୁଛନ୍ତି, ଯାହା ଭାରତୀୟ ରାଜନୀତିର ଏକ ସ୍ବଭାବ କହିଲେ ଚଳେ। ତେବେ ଏଥରର ନିର୍ବାଚନରେ ଏହାର ପ୍ରଭାବ କେତେ ପଡ଼ିବ, ତାହା ଆକଳନ କରିବା କଷ୍ଟ। ଏହାର କାରଣ ହେଉଛି, ଏଥରର ମତଦାତା ଗତ ନିର୍ବାଚନଠାରୁ ନିଶ୍ଚିତଭାବେ ଅଧିକ ସଚେତନ, ସତର୍କ ଓ ବାସ୍ତବବାଦୀ। ବିଶେଷତଃ, ଯୁବ ମତଦାତାଙ୍କ ପାଖରେ ତଥ୍ୟ ବା ସୂଚନାର ଅଭାବ ନଥିବାବେଳେ ସେମାନଙ୍କ ନିକଟରେ ରାଜନୀତିକ ଦଳ ଓ ନେତାଙ୍କୁ ପରଖିବାର ସୁଯୋଗ ପୂର୍ବାପେକ୍ଷା ବହୁତ ବେଶୀ। ସେମାନଙ୍କୁ ପ୍ରଲୋଭିତ କରିବା ଏତେଟା ସହଜ ନୁହେଁ ନିଶ୍ଚୟ। ତେବେ ପାରିବାରିକ ରାଜନୀତିକ ସ୍ବୀକୃତି ସ୍ବାଧୀନ ମତଦାନ କ୍ଷେତ୍ରରେ ଏକ ବଡ଼ ପ୍ରତିବନ୍ଧକ; କାରଣ ପ୍ରତ୍ୟେକ ଦଳର କିଛିକିଛି ପାରମ୍ପରିକ ଭୋଟ ରହିଥାଏ। ତଥାପି ଯୁବ ମତଦାତା ଯେ ନିଜ ବୁଦ୍ଧିରେ ମନ ପସନ୍ଦର ପ୍ରାର୍ଥୀଙ୍କୁ ବାଛିବାକୁ ଚେଷ୍ଟା କରିବେ କିମ୍ବା କେହି ପସନ୍ଦ ନଥିଲେ ‘ନୋଟା’ର ସାହାରା ନେବେ, ତାହା ଆମେ ଆଶା କରିବା। ସୂଚନାଯୋଗ୍ୟ, ଏଥର ଯୁବ ମତଦାତାଙ୍କ ସଂଖ୍ୟା ପ୍ରାୟ ୧୩୩ ନିୟୁତ। ଏ ନିର୍ବାଚନରେ ମହିଳା ମତଦାତାଙ୍କ ଭୂମିକାକୁ ମଧ୍ୟ ଏଡ଼ାଇ ଦେଇହେବ ନାହିଁ। ଦେଶ ହେଉ ବା ରାଜ୍ୟ, ସେମାନଙ୍କ ପାଇଁ ଏବେ ବି ଯେଉଁ ଗଣତାନ୍ତ୍ରିକ ଅଧିକାର ମିଳିବା କଥା ତାହା ମିଳିନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ। ଆର୍ଥନୀତିକ ଓ ରାଜନୀତିକ ସ୍ବାଧୀନତା ପାଇଁ ସେମାନେ ଏବେ ବି ସଂଘର୍ଷରତ। ମହିଳାମାନେ ଯଦି ସାମୂହିକ ଭାବେ ସଚେତନ ହେବେ, ତେବେ ନିର୍ବାଚନ ଫଳାଫଳ ବଦଳିଯାଇପାରେ! ଏହାର କାରଣ ହେଉଛି, ୨୦୧୪ ଲୋକସଭା ନିର୍ବାଚନରେ ଅନେକ ରାଜ୍ୟରେ ପୁରୁଷ ମତଦାତାଙ୍କଠୁ ମହିଳା ମତଦାତାଙ୍କ ସଂଖ୍ୟା ଅଧିକ ରହିଥିଲା। ଏ ନିର୍ବାଚନରେ ଆହୁରି ବଢ଼ିପାରେ।
ସାଧାରଣତଃ କୁହାଯାଏ ଯେ ବିଧାନସଭା ନିର୍ବାଚନ ଫଳ ଲୋକସଭା ନିର୍ବାଚନ ଉପରେ ପଡ଼େନାହିଁ। ଏହା କେତେକାଂଶରେ ଠିକ୍‌ ହୋଇପାରେ। କିନ୍ତୁ ସବୁଠୁ ବଡ଼କଥା ହେଲା, ସଚେତନ ମତଦାତା କେବଳ ରାଜନୀତିକ ଦଳ ଦେଖନ୍ତି ନାହିଁ, ନେତୃତ୍ବର ବି ସମୀକ୍ଷା କରନ୍ତି। ତେଣୁ ଏହି ନିର୍ବାଚନରେ ପ୍ରତ୍ୟେକ ରାଜନୀତିକ ଦଳ ଓ ପ୍ରାର୍ଥୀଙ୍କୁ କଠିନ ପରୀକ୍ଷା ଦେବାକୁ ପଡ଼ିବ। ଗତ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିଜୟର ପ୍ରମୁଖ କାରଣ ଥିଲା ପୂର୍ବ ସରକାର-ବିରୋଧୀ ଦୃଷ୍ଟି, ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ମୋଦୀଙ୍କ ଅଭିନବ ପ୍ରଚାର କୌଶଳ, ହିନ୍ଦୁତ୍ବବାଦୀଙ୍କ ସମ୍ମିଳିତ ଉଦ୍ୟମ। ଏଥର ସେପରି ହେବାର ସମ୍ଭାବନା କ୍ଷୀଣ ବା ଆଦୌ ନାହିଁ କହିଲେ ଚଳେ; କାରଣ ମୋଦୀ ସରକାରଙ୍କ ଅମଳରେ ଏପରି କେତେକ ବିସଙ୍ଗତି ଦେଖାଯାଇଛି, ଯାହା କେବଳ ଶାସନକୁ ନୁହେଁ, ଦେଶର ନାଗରିକ, ସାଧାରଣ ଅନୁଷ୍ଠାନ, କଳା, ସାହିତ୍ୟ, ଶିକ୍ଷା, ସଂସ୍କୃତିକୁ ମଧ୍ୟ ବେଶ୍ ପ୍ରଭାବିତ କରିଛି। ତାକୁ ମତଦାତା ଯଦି ନକାରାତ୍ମକ ଦୃଷ୍ଟିରେ ଦେଖନ୍ତି, ତେବେ ବିଜେପି ପାଇଁ ଅଡ଼ୁଆ ବଢ଼ିପାରେ। ଏଥର ମୋଦୀଙ୍କ ସାମାଜିକ ଗଣମାଧ୍ୟମ ପ୍ରଚାର କିମ୍ବା ତାଙ୍କ ଭାବମୂର୍ତ୍ତି ଯେ କାମ ଦେବନାହିଁ, ତାହା ଗତ ପାଞ୍ଚବର୍ଷରେ ହୋଇଥିବା ବିଭିନ୍ନ ଉପନିର୍ବାଚନ ଓ ବିଧାନସଭା ନିର୍ବାଚନରୁ ସ୍ପଷ୍ଟ। ତେଣୁ ବିଜେପି ପାଇଁ ଏହି ନିର୍ବାଚନ ଯେ ଏକ ଅଗ୍ନିପରୀକ୍ଷା ତାହା କହିବା ବାହୁଲ୍ୟ ମାତ୍ର। ସେହିପରି କଂଗ୍ରେସ ପାଇଁ ମଧ୍ୟ ଏହା ବଡ଼ ଆହ୍ବାନ। ବିଧାନସଭା ନିର୍ବାଚନର ବିଜୟ ଯେ ତାକୁ ଲୋକସଭା ନିର୍ବାଚନର ବିଜୟ ଆଣିଦେବ, ତାହା ଆଦୌ ନୁହେଁ। ଜନମତ ତା’ ସପକ୍ଷରେ ରହିଲେ ଉପଯୁକ୍ତ ରଣନୀତିର ଅଭାବ କଂଗ୍ରେସକୁ ଲକ୍ଷ୍ୟଚ୍ୟୁତ କରିବାର ବେଶି ଆଶଙ୍କା ରହିଛି। କଂଗ୍ରେସ ପାଇଁ ଆଶ୍ବାସନାର କଥା ଯେ ରାହୁଳ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ମୋଦୀଙ୍କ ଚାଲେଞ୍ଜ୍‌ର ସମ୍ମୁଖୀନ ହେବାପାଇଁ ନିଜକୁ କେବଳ ପ୍ରସ୍ତୁତ କରିନାହାନ୍ତି, ପରାଜିତ କରିବାର ସାହସ ମଧ୍ୟ ଦେଖାଇଛନ୍ତି।
୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନ ଅନେକ ଦୃଷ୍ଟିରୁ ମୋଡ଼ ପରିବର୍ତ୍ତନକାରୀ ହେବାର ସମ୍ଭାବନା ରହିଛି। ଶାସକ ଦଳ ବିଜେଡି ପାଇଁ ଏହା ବାସ୍ତବରେ ଅଗ୍ନିପରୀକ୍ଷାର ବର୍ଷ। ଦୀର୍ଘ ୧୯ ବର୍ଷର ଶାସନ ପରେ ବିଜେଡି ପ୍ରତି ମତଦାତା କେତେ ଆକର୍ଷିତ ହେବେ, ତାହା ଆକଳନ କରିବା କଷ୍ଟ। ତେବେ ଏହାର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଯେ ଅସାଧ୍ୟ ସାଧନ କରିପାରିବ ଏକଥା ବିଜେଡି ନେତା ଓ କର୍ମୀ ଏବେ ବି ବିଶ୍ବାସ କରୁଛନ୍ତି। ଅନ୍ୟପକ୍ଷରେ ବିଜେପି ତା’ର ସବୁଯାକ କଳବଳକୌଶଳ ପ୍ରୟୋଗ କରୁଛି ଓ କରିବ; କିନ୍ତୁ ଏହାର ନେତୃତ୍ବ ଏ ପର୍ଯ୍ୟନ୍ତ ନବୀନଙ୍କ ତୁଳନୀୟ ହୋଇନପାରିବା ଏହି ଦଳପାଇଁ ମୁଣ୍ଡବ୍ୟଥାର କାରଣ ହୋଇପାରେ। ଅପରପକ୍ଷେ, ରାଜ୍ୟ କଂଗ୍ରେସର ନୂତନ ନେତୃତ୍ବ ଦଳ ଭିତରେ ନୂଆ ଆଶା ସଞ୍ଚାର କରିବାରେ ସଫଳ ହୋଇଥିଲେ ହେଁ ମତଦାତାଙ୍କ ଗ୍ରହଣୀୟତା ଏବେ ବି ପ୍ରଶ୍ନବାଚୀ। ଗତ ବିଧାନସଭା ନିର୍ବାଚନରେ କଂଗ୍ରେସର ତିନିଟି ରାଜ୍ୟ ଦଖଲ ଓଡ଼ିଶା ବିଧାନସଭା ନିର୍ବାଚନକୁ ସେପରି ପ୍ରଭାବିତ କରିନପାରେ; କାରଣ ସ୍ଥାନୀୟ ପ୍ରସଙ୍ଗ ଓ ଆଞ୍ଚଳିକ ଦଳକୁ ଏଠାକାର ମତଦାତା ଏବେ ବି ଉପେକ୍ଷା କରିବା ସ୍ଥିତିରେ ଥିବାଭଳି ମନେହେଉନାହିଁ।

kalyan agarbati
Leave A Reply