ବିଶ୍ବକପ୍ ଫୁଟବଲରୁ ଶିକ୍ଷା
ଏହି ମାସ ୧୫ ତାରିଖ ଦିନ ବିଶ୍ବକପ୍ ଫୁଟବଲ ପ୍ରତିଯୋଗିତା ୨୦୧୮ ସମାପ୍ତ ହେଲା। ହଇଚଇ ସରିଲା। ଫ୍ରାନ୍ସ ଚମ୍ପିଆନ ହେଲା। ସମାପନ ତଥା ପୁରସ୍କାର ବିତରଣ ଉତ୍ସବରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍ ପୁଟିନ୍, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, କ୍ରୋଏସିଆ(ରନର୍ସ-ଅପ୍ ଦଳ) ରାଷ୍ଟ୍ରପତି କୋଲିଣ୍ଡା ଗ୍ରାବାର-କିଟାରୋଭିଚ୍ ଏବଂ ବିଶ୍ବଫୁଟବଲ ସଂସ୍ଥା ‘ଫିଫା’ର ସଭାପତି ଜିଆନି ଇନ୍ଫାଣ୍ଟିଓ ଉପସ୍ଥିତ ଥିଲେ। ରୁଷିଆରେ ଅନୁଷ୍ଠିତ ବିଶ୍ବକପ୍ ଫୁଟବଲ ପ୍ରତିଯୋଗିତା ଅନେକ ଦୃଷ୍ଟିରୁ ମହତ୍ତ୍ବପୂର୍ଣ୍ଣ।
ପ୍ରଥମତଃ, ପୂର୍ବ ୟୁରୋପରେ ୟା ପୂର୍ବରୁ କେବେ ବି ବିଶ୍ବକପ୍ ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ନଥିଲା (ରୁଷିଆ ନିଜକୁ ୟୁରୋପୀୟ ଏବଂ ବିଶେଷତଃ, ପୂର୍ବ ୟୁରୋପୀୟ ଦେଶ ମନେକରେ)। ଏ ଦୃଷ୍ଟିରୁ ରୁଷିଆରେ ଆୟୋଜିତ ବିଶ୍ବକପ୍ ଫୁଟବଲ୍ ପ୍ରତିଯୋଗିତା ଏକ ଐତିହାସିକ ଘଟଣା। ଏହାଛଡ଼ା ଏହି ଆୟୋଜନ ରୁଷିଆ ପାଇଁ ବିଶେଷ ମହତ୍ତ୍ବ ବହନ କରେ। ୧୯୯୧ ମସିହାରେ ପତନ ପୂର୍ବରୁ ସୋଭିଏତ ୟୁନିୟନ୍ ପୃଥିବୀର କେବଳ ସାମରିକ ମହାଶକ୍ତି ହିଁ ନଥିଲା, ଖେଳକୁଦରେ ମଧ୍ୟ ମହାଶକ୍ତି ଥିଲା। ଅଲିମ୍ପିକ ଖେଳମାନଙ୍କରେ ସୋଭିଏତ୍ ପ୍ରତିଯୋଗୀମାନେ ପ୍ରଭୂତ ସଫଳତା ଅର୍ଜନ କରୁଥିଲେ। ସେ ସମୟରେ ଆମେରିକା ଏବଂ ସୋଭିଏତ ବ୍ୟବସ୍ଥା ଦୁଇ ପୃଥକ୍ ଦୃଷ୍ଟାନ୍ତ ଥିଲେ। ଆମେରିକାରେ ବଡ଼ବଡ଼ ବ୍ୟାବସାୟିକ ସଂସ୍ଥାସବୁ ଖେଳକୁଦକୁ ପ୍ରୋତ୍ସାହନ ଯୋଗାଇଥିଲେ ଏବଂ ଏହା ପ୍ରାୟ ସମ୍ପୂର୍ଣ୍ଣ ଭାବରେ ବେସରକାରୀ ପ୍ରୟାସ ଥିଲା। ଅନ୍ୟପକ୍ଷରେ ସୋଭିଏତ ବ୍ୟବସ୍ଥାରେ ଖେଳ ଏବଂ ଖେଳାଳିଙ୍କ ସମ୍ପୂର୍ଣ୍ଣ ଦାୟିତ୍ବ ସରକାର ବହନ କରୁଥିଲେ। ସେ ସମୟରେ ବିତର୍କ ହେଉଥିଲା, ସୋଭିଏତ୍ ବ୍ୟବସ୍ଥା ଭଲ ନା ଆମେରିକୀୟ ବ୍ୟବସ୍ଥା ଭଲ। ପରବର୍ତ୍ତୀ କାଳରେ, ସୋଭିଏତ ୟୁନିୟନ୍ର ପତନ ହେଲା ଏବଂ ଅନେକ ଭାଗ ସୋଭିଏତ୍ ବ୍ୟବସ୍ଥାରୁ ବାହାରିଯାଇ ସ୍ବାଧୀନ ଦେଶ ହେଲେ। ୟୁନିୟନ୍ ସବୁଠୁ ବଡ଼ ଭାଗ ‘ରୁଷିଆ’ ଏକ ସ୍ବତନ୍ତ୍ର ଓ ସ୍ବାଧୀନ ଦେଶ ଭାବରେ ଉଭା ହେଲା। ରୁଷିଆର ସାମରିକ ଶକ୍ତିରେ ବିଶେଷ କ୍ଷତି ହେଲା ନାହିଁ କିନ୍ତୁ ରୁଷିଆ ପୃଥିବୀର ଦ୍ବିତୀୟ ମହାଶକ୍ତି ହୋଇ ରହିଲାନାହିଁ। ବିଶ୍ବର କ୍ଷମତା ସମୀକରଣରେ ରୁଷିଆର ପ୍ରଭାବ ସଙ୍କୁଚିତ ହୋଇଗଲା। ଶୀତଳ ଯୁଦ୍ଧ ସମୟରେ ଆମେରିକା ଗୋଷ୍ଠୀର ତୀବ୍ର ପ୍ରତିଦ୍ବନ୍ଦ୍ବୀ ପୂର୍ବ ୟୁରୋପୀୟ ଗୋଷ୍ଠୀ ବିକ୍ଷିପ୍ତ ଓ କ୍ଷଣପ୍ରଭା ହୋଇପଡ଼ିଲେ। ଅଲିମ୍ପିକ ଖେଳମାନଙ୍କରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେଲା। ଏହା କେବଳ ପରିସଂଖ୍ୟାନର ବିଷୟ ନଥିଲା ଏଥିରେ ରୁଷିଆ ପାଇଁ ହୃତଗୌରବ ଫେରାଇ ଆଣିବାର ଏକ ଚାଲେଞ୍ଜ ସନ୍ନିହିତ ଥିଲା। ୧୯୯୧ ମସିହା ପରେ ବେଶ୍ କିଛିଦିନ ରୁଷିଆରେ ଅସ୍ଥିର ବାତାବରଣ ରହିଲା। ନୂଆ ବ୍ୟବସ୍ଥା କ’ଣ ଓ କିପରି ହେବ, ତାହା ନେଇ ଅସାମଞ୍ଜସ୍ୟ ଥିଲା। ଦେଶ ଓ ସମାଜରେ ସ୍ଥିରତା କାଏମ୍ କରିବା ତଥା ଏକ ନୂଆ ଢାଞ୍ଚା ଜରିଆରେ ଆଗକୁ ବଢ଼ିବା ଏକ ବଡ଼ ଆହ୍ବାନ ଥିଲା।
ଏ ସମ୍ବନ୍ଧରେ କେତୋଟି ବିଶେଷ ଘଟଣା ପ୍ରଣିଧାନଯୋଗ୍ୟ। ୧୯୭୯ ମସିହାରେ ସୋଭିଏତ୍ ସେନା ଆଫଗାନିସ୍ଥାନରେ ପ୍ରବେଶ କଲେ। ଆମେରିକାକୁ ଏହା ପସନ୍ଦ ହେଲାନାହିଁ। ଏଣୁ ଆମେରିକା ସୋଭିଏତ୍ ବିରୋଧୀ ଗୋଷ୍ଠୀମାନଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସାହାଯ୍ୟ କରିବାକୁ ଲାଗିଲା। ଫଳରେ ଆଫଗାନିସ୍ଥାନରେ ଏକ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେଲା। ଶେଷକୁ ୧୯୮୯ ମସିହାରେ ସୋଭିଏତ୍ ସେନା ଆଫଗାନିସ୍ଥାନରୁ ପ୍ରତ୍ୟାବର୍ତ୍ତନ କଲେ। ୟା ଭିତରେ ୧୯୮୦ ମସିହାରେ ସୋଭିଏତ ୟୁନିୟନ୍ (ଏବଂ ବର୍ତ୍ତମାନ ରୁଷିଆ)ର ରାଜଧାନୀ ମସ୍କୋଠାରେ ଅଲିମ୍ପିକ ଖେଳ ଆୟୋଜିତ ହେଲା। ସୋଭିଏତ ୟୁନିୟନ୍ର ଆଫଗାନିସ୍ଥାନ ନୀତିବିରୋଧର ପ୍ରତିବାଦ ସ୍ବରୂପ ଆମେରିକା ନେତୃତ୍ବରେ ଅନ୍ୟ ୬୫ଟି ଦେଶ ମସ୍କୋ ଅଲିମ୍ପିକକୁ ବର୍ଜନ କଲେ। ମସ୍କୋ ଅଲିମ୍ପିକ୍ରେ ଏହି ବର୍ଜନର ପ୍ରଭାବ ଅନୁଭୂତ ହେଲା ତା’ପର ଅଲିମ୍ପିକ ଖେଳ ୧୯୮୪ ମସିହାରେ ଆମେରିକାର ଲସ୍ ଆଞ୍ଜେଲିସ୍ ସହରରେ ଅନୁଷ୍ଠିତ ହେଲା। ଏଥର ସୋଭିଏତ୍ ୟୁନିୟନ ଏବଂ ପୂର୍ବୟୁରୋପୀୟ ଗୋଷ୍ଠୀର ଅନ୍ୟ ୧୩ଟି ଦେଶ ଲସ୍ ଆଞ୍ଜେଲିସ୍ ଖେଳକୁ ବର୍ଜନ କଲେ। ଅର୍ଥାତ୍, ଖେଳ କେବଳ ଖେଳ ନୁହେଁ। ଏହା ବୃହତ୍ତର ରାଜନୀତିର ଏକ ଅଙ୍ଗ।
‘ରୁଷିଆ’ ସୃଷ୍ଟି ପରେ ଯେଉଁ ଅସ୍ଥିର ପରିସ୍ଥିିତି ଉପୁଜିଥିଲା ଆସ୍ତେଆସ୍ତେ ସେଥିରେ ଉନ୍ନତି ପରିଲକ୍ଷିତ ହେଉଛି। ବିଶେଷତଃ ପୁଟିନଙ୍କ ନେତୃତ୍ବରେ ରୁଷିଆ ନିଜକୁ ବେଶ୍ ବ୍ୟବସ୍ଥିତ କରିପାରିଛି । ରୁଷିଆ ଆଉଥରେ ବିଶ୍ବ ରାଜନୀତିରେ ନିଜର ପ୍ରତିପତ୍ତି ସ୍ଥାପନ କରିବାକୁ ଚେଷ୍ଟା କରୁଛି। ମଧ୍ୟପ୍ରାଚ୍ୟର ଗୋଳିଆପାଣିରେ ରୁଷିଆ ପ୍ରତ୍ୟକ୍ଷ ହସ୍ତକ୍ଷେପ କରୁଛି। ଗତ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ରୁଷିଆର ନାଁ ବାରମ୍ବାର ଉଠୁଥିଲା। ଟ୍ରମ୍ପଙ୍କ ବିଜୟ ଏବଂ ଶ୍ରୀମତୀ କ୍ଲିଣ୍ଟନଙ୍କ ପରାଜୟରେ ରୁଷିଆର ଭୂମିକା ଥିବା କଥା ଆମେରିକା ତଥା ବିଶ୍ବ ଗଣମାଧ୍ୟମରେ ପ୍ରଚାର ହେଲା। ଟ୍ରମ୍ପଙ୍କ ବିଜୟ ପରେ ଆମେରିକାର ୧୭ଟି ଗୁଇନ୍ଦା ସଂସ୍ଥାଙ୍କ ଏକ ମିଳିତ ଅନୁସନ୍ଧାନ ଏଭଳି ରୁଷୀୟ ହସ୍ତକ୍ଷେପର ପ୍ରମାଣ ପାଇଥିବା କୁହାଯାଏ। ଯଦିଓ ପୁଟିନ୍ ବରାବର ଏବଂ ନିକଟରେ ହେଲ୍ସିକିଂରେ ଟ୍ରମ୍ପ, ଏଭଳି ହସ୍ତକ୍ଷେପକୁ ଅସ୍ବୀକାର କରିଛନ୍ତି, ତଥାପି ଗଣମାଧ୍ୟମର ଖବର ଅନୁସାରେ ଏହା ସତ କଥା। ଅର୍ଥାତ୍ ଏକ ଅତ୍ୟନ୍ତ ମୁମୂର୍ଷୁ ଅବସ୍ଥାରୁ ଆରମ୍ଭ କରି ଆମେରିକାର ରାଷ୍ଟ୍ରପତି ନିର୍ବାଚନକୁ ପ୍ରଭାବିତ କରିବା ପର୍ଯ୍ୟନ୍ତ, ଅଳ୍ପ ସମୟ ମଧ୍ୟରେ ରୁଷିଆର ଉଲ୍ଲେଖନୀୟ ଅଗ୍ରଗତି ହେଉଛି ମନେହୁଏ। ଏହି ପୃଷ୍ଠଭୂମିରେ ନିଜ ଦେଶରେ ବିଶ୍ବକପ୍ ଫୁଟବଲ ପ୍ରତିଯୋଗିତାର ସଫଳ ଆୟୋଜନକୁ ରୁଷିଆ ନିଜର ଏକ ବଡ଼ ଉପଲବ୍ଧି ମନେ କରୁଛି।
ଏହାକୁ ଅନ୍ୟ ଭାବରେ ଦେଖାଯାଇପାରେ। ଅନେକ ଉଚ୍ଚାକାଙ୍କ୍ଷୀ ଦେଶ ନିଜର ପରିଚିତି ସୃଷ୍ଟି କରିବା ପାଇଁ ଏବଂ ନିଜର ଉପସ୍ଥିତି ଜାହିର କରିବାପାଇଁ ବଡ଼ ଧରଣର କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବାକୁ ଚାହାଁନ୍ତି। ସିଓଲ ଅଲିମ୍ପିକ (୧୯୮୮), ବେଜିଙ୍ଗ ଅଲିମ୍ପିକ (୨୦୦୮), ରିଓ ଅଲିମ୍ପିକ (୨୦୧୬) ଇତ୍ୟାଦି ଏହି ପର୍ଯ୍ୟାୟର। ପୃଥିବୀର ଦୁଇ ପ୍ରମୁଖ କ୍ରୀଡ଼ା ପ୍ରତିଯୋଗିତା ହେଲା ବିଶ୍ବକପ୍ ଫୁଟବଲ୍ ଏବଂ ଅଲିମ୍ପିକ୍। ବିଶ୍ବକପ୍ ଫୁଟବଲ୍ ଅଲିମ୍ପିକଠୁ ଅଧିକ ଜନପ୍ରିୟ। ଏଣୁ ବିଶ୍ବକପ୍ ଫୁଟବଲ୍ ପ୍ରତିଯୋଗିତା ନିଜ ଦେଶରେ ଆୟୋଜନ କରିବା ରୁଷିଆ ପାଇଁ ଏକ ସମ୍ମାନର ପ୍ରଶ୍ନ ଥିଲା। ରୁଷିଆ ଏଥିପାଇଁ କେତେ ଆଗ୍ରହୀ ଥିଲା ଲକ୍ଷ୍ୟ କରନ୍ତୁୁ। ୨୦୧୮ ମସିହା ବିଶ୍ବକପ୍ କେଉଁ ଦେଶରେ ଖେଳାଯିବ ତା’ର ପ୍ରତିକ୍ରିୟା ୨୦୦୯ ମସିହାରେ ଆରମ୍ଭ ହୋଇଥିଲା। ପ୍ରଥମେ ନଅଟି ଦେଶ ଏ ବାବଦରେ ନିଜନିଜର ଦାବି ପେଶ କରିଥିଲେ। ସମୟକ୍ରମେ କେବଳ ଚାରିଟି ଦାବିଦାର ରହିଲେ- ଇଂଲଣ୍ଡ, ରୁଷିଆ, ନେଦରଲାଣ୍ଡସ୍, ବେଲଜିୟମ ଏବଂ ପର୍ତ୍ତୁଗାଲ/ସ୍ପେନ। ଫୁଟବଲ ଖେଳର ସୃଷ୍ଟି ଇଂଲଣ୍ଡରେ। ୧୯୬୬ ବିଶ୍ବକପ୍ ପରେ ଇଂଲଣ୍ଡ ଦ୍ବିତୀୟଥର ବିଶ୍ବକପ୍ ଆୟୋଜନ କରିବାର ଆଶା ବାନ୍ଧିଥିଲା। ଏଥିପାଇଁ ଇଂଲଣ୍ଡ ତୁଙ୍ଗ ସ୍ତରରେ ପ୍ରକ୍ରିୟା ମଧ୍ୟ ଆରମ୍ଭ କରି ଦେଇଥିଲା; କିନ୍ତୁ ଶେଷକୁ ରୁଷିଆ ସପକ୍ଷରେ ମତ ଗଲା। ଏହି ଚୟନ ପ୍ରକ୍ରିୟା ସ୍ପଷ୍ଟ ନଥିଲା ଏବଂ ରୁଷିଆ ଲାଞ୍ଚ କାରବାର କରି ନିଜ ସପକ୍ଷରେ ମତ ଜିଣିଥିବାର ଅଭିଯୋଗ ହେଲା। ଅଭିଯୋଗର ସତ୍ୟାସତ୍ୟ ଅଲଗା ବିଷୟ। ବିଚାର୍ଯ୍ୟ ବିଷୟ ହେଲା, ୨୦୧୮ ମସିହାର ବିଶ୍ବକପ୍ ଫୁଟବଲ ପ୍ରତିଯୋଗିତା ରୁଷିଆରେ ଅନୁଷ୍ଠିତ ହେଉ- ଏ କଥାଟା ରୁଷିଆପାଇଁ କେତେ ମୂଲ୍ୟବାନ ଥିଲା!
ଏହାଛଡ଼ା, ଆନ୍ତର୍ଜାତିକ ସ୍ତରରେ ନିଜ ଖେଳାଳିଙ୍କ ଦକ୍ଷତା ବୃଦ୍ଧି ପାଇଁ ରୁଷିଆ ନିଷିଦ୍ଧ ଔଷଧସବୁ ତିଆରି କରୁଥିବାର ବାରମ୍ବାର ଅଭିଯୋଗ ଆସୁଥିଲା। ଏଥିରେ ରୁଷୀୟ ସରକାରଙ୍କ ମଧ୍ୟ ହାତ ଥିବାର ସନ୍ଦେହ କରାଯାଉଥିଲା। ଶେଷକୁ ୨୦୧୫ ମସିହାରେ ୱାର୍ଲ୍ଡ ଆଣ୍ଟି-ଡୋପିଙ୍ଗ୍ ଏଜେନ୍ସି (ୱାଡା- ନିଷିଦ୍ଧ ଔଷଧ ବ୍ୟବହାର ବିରୋଧୀ ଆନ୍ତର୍ଜାତିକ ସଂସ୍ଥା) ରୁଷିଆର ଖେଳାଳିମାନଙ୍କୁ ୨୦୧୬ ରିଓ ଅଲିମ୍ପିକରୁ ନିଷେଧ କରିବାକୁ ସୁପାରିସ କରିଥିଲେ। ଅବଶ୍ୟ ଆନ୍ତର୍ଜାତିକ ଅଲିମ୍ପିକ୍ କମିଟି ଏହି ସୁପାରିସକୁ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରିନଥିଲେ। କିନ୍ତୁ ଅନେକ ରୁଷୀୟ ପ୍ରତିଯୋଗୀ ଏହି କାରଣ ଯୋଗୁଁ ବାଦ୍ ପଡ଼ିଥିଲେ। ଅନ୍ୟ ପକ୍ଷରେ ଆନ୍ତର୍ଜାତିକ ପାରାଲିମ୍ପିକ(ଭିନ୍ନକ୍ଷମଙ୍କ ଅଲିମ୍ପିକ୍) କମିଟି ଅନୁରୂପ କାରଣ ଯୋଗୁଁ ୨୦୧୬ ମସିହାର ଗ୍ରୀଷ୍ମକାଳୀନ ପାରାଲିମ୍ପିକ୍ ପ୍ରତିଯୋଗିତାରୁ ରୁଷିଆକୁ ବାଦ୍ ଦେଇଦେଲେ ଏବଂ ରୁଷୀୟ ପାରାଲିମ୍ପିକ୍ କମିଟିକୁ ନିଲମ୍ବିତ କରିଥିଲେ। ଫଳରେ କ୍ରୀଡ଼ା କ୍ଷେତ୍ରରେ ଆନ୍ତର୍ଜାତିକ ସ୍ତରରେ ରୁଷିଆର ଛବି ଖରାପ ହୋଇଥିଲା। ଆନ୍ତର୍ଜାତିକ ସ୍ତରରେ ସ୍ବଚ୍ଛତା (ଟ୍ରାନ୍ସ୍ପରେନ୍ସି) ଓ ସଂହତି (ଇଣ୍ଟେଗ୍ରିଟି) ଏକାନ୍ତ ଆବଶ୍ୟକ। ଏକ ସମୟରେ ରୁଷିଆ କଳେବଳେ କୌଶଳେ କ୍ରୀଡ଼ା କ୍ଷେତ୍ରରେ ନାଁ କରିବାକୁ ଚେଷ୍ଟା କରୁଥିଲା। ଏହି ଛବିରେ ପରିବର୍ତ୍ତନର ରୁଷିଆର ଏକ ଲକ୍ଷ୍ୟ ଥିଲା। ଏଣୁ ଗୋଟିଏ ଉନ୍ନତ ଓ ସଭ୍ୟ ଦେଶ ଭାବରେ ବିଶ୍ବକପ୍ ଫୁଟ୍ବଲ ପ୍ରତିଯୋଗିତାକୁ ଦକ୍ଷତା ଓ ସ୍ବଚ୍ଛତା ସହ ସମ୍ପନ୍ନ କରି ପାରିବା ରୁଷିଆ ପାଇଁ ପ୍ରତିଷ୍ଠାର ପ୍ରଶ୍ନ ଥିଲା। ଏହି ବିଶ୍ବକପ୍ ଆୟୋଜନ କରିବାରେ ପ୍ରାୟ ୧୪.୨ ବିଲିୟନ ଆମେରିକାନ୍ ଡଲାର ଖର୍ଚ୍ଚ ହୋଇଛି (ଏକଶହକୋଟି- ଏକ ବିଲିୟନ, ଏକ ଡଲାର= ପ୍ରାୟ ସତୁରି ଟଙ୍କା)। ପୃଥିବୀସାରା ୩ ବିଲିୟନରୁ ଅଧିକ ଲୋକେ ଏହି ଖେଳସବୁ ଦେଖିଥିବାର ଆକଳନ କରାଯାଏ। ଖେଳ ସୁରୁଖୁରୁରେ ସରିଛି। ରୁଷିଆ ପାଇଁ ଏବଂ ପୁଟିନ୍ଙ୍କ ପାଇଁ ଏହା ଏକ ବଡ଼ ସଫଳତା ବୋଲି କୁହାଯାଉଛି।
ଫ୍ରାନ୍ସ ଦ୍ବିତୀୟଥର ପାଇଁ ବିଶ୍ବକପ୍ ବିଜେତା ହେଲା। ବର୍ତ୍ତମାନର ବିଜୟୀ ଫରାସୀ ଦଳର କିଛି ବିଶେଷତ୍ବ ଅଛି। ଏହି ଦଳରେ ମନୋନୀତ ୨୩ଜଣ ଖେଳାଳିଙ୍କ ମଧ୍ୟରେ ୧୯ଜଣ ବହିରାଗତ ବା ବହିରାଗତଙ୍କ ସନ୍ତାନ। ୨୦୧୪ ମସିହାର ଜନଗଣନା ଅନୁସାରେ ଫ୍ରାନ୍ସର ଜନସଂଖ୍ୟାର ୯.୧ ପ୍ରତିଶତ ଅର୍ଥାତ୍ ପ୍ରାୟ ଷାଠିଏଲକ୍ଷ ଲୋକ ହେଲେ ବହିରାଗତ। ନୂତନତାରକା ଏମ୍ବାପେ ଜଣେ କୃଷ୍ଣକାୟ ଆଫ୍ରିକୀୟ ବଂଶୋଦ୍ଭବ। ଫରାସୀଦଳର ବହିରାଗତ ଖେଳାଳି ମଧ୍ୟରେ ସାତଜଣ ମୁସ୍ଲିମ୍। ଏଥିରୁ ନିଷ୍କର୍ଷ ହେଲା ଯେ ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ରାଷ୍ଟ୍ରୀୟ ଲକ୍ଷ୍ୟ ହାସଲ ପାଇଁ ଦକ୍ଷତା ଭିତ୍ତିରେ ସୁଯୋଗ ଦେବା ଉଚିତ। ଭେଦଭାବ ଉତ୍କର୍ଷ ହାସଲର ପରିପନ୍ଥୀ। ସେହିପରି ଦ୍ବିତୀୟ ସ୍ଥାନରେ ଥିବା କ୍ରୋଏସିଆର ନିଆରା କାହାଣୀ। କ୍ରୋଏସିଆ ଅବିଭକ୍ତ ୟୁଗୋସ୍ଲୋଭିଆର ଅଂଶଥିଲା। ନବେ ଦଶକରେ ୟୁଗୋସ୍ଲୋଭିଆ ଭାଗଭାଗ ହୋଇଗଲା। ୧୯୯୧ ମସିହାରେ କ୍ରୋଏସିଆ ସ୍ବାଧୀନ ଦେଶ ଭାବରେ ଜନ୍ମ ଲାଭକଲା। ପ୍ରଥମ କିଛି ବର୍ଷରେ ଯୁଦ୍ଧ ଓ ଅସ୍ଥିରତା ଲାଗି ରହିଲା। କ୍ରୋଏସିଆର ଜନସଂଖ୍ୟା ପ୍ରାୟ ଚାଳିଶ ଲକ୍ଷ ଏବଂ ଆୟତନ ୫୬,୫୯୪ ବର୍ଗ କି.ମି.। ଏଥର କ୍ରୋଏସିଆଦଳ ବିଶ୍ବକପ୍ ପ୍ରତିଯୋଗିତାମାନଙ୍କରେ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲା। ଅନେକେ କ୍ରୋଏସିଆ ବିଜୟୀ ହେବ ଆଶା କରୁଥିଲେ। ତେବେ, ଏତେ ଛୋଟ ଏବଂ ଏକ ନୂଆ ଦେଶ କେମିତି ଏତେ ସଫଳତା ଲାଭ କରି ପାରିଲା ଏକ ଶିକ୍ଷଣୀୟ ବିଷୟ।
ଉପସଂହାରକୁ ଆସିବା। ପେଲେ ତାଙ୍କ ଆତ୍ମଜୀବନୀର ନାଁ ରଖିଥିଲେ- ‘ମାଇଁ ଲାଇଫ୍ ଆଣ୍ଡ୍ ଦି ବିଉଟିଫୁଲ୍ ଗେମ୍’ ( ମୋ ଜୀବନ ଏବଂ ସେ ସୁନ୍ଦର ଖେଳ)। ଅନେକେ ଫୁଟବଲ୍କୁ ‘ଦି ବିଉଟିଫୁଲ ଗେମ୍’ ମନେ କରନ୍ତି। ନିଃସନ୍ଦେହରେ ଏହା ପୃଥିବୀର ସବୁଠୁ ଜନପ୍ରିୟ ଖେଳ। ଖେଳପଡ଼ିଆ ଭିତରେ ଓ ବାହାରେ ଖେଳନେଇ ହିଂସା ଓ ଅରାଜକତା ଅଛି। ଫିଫାରେ ଦୁର୍ନୀତି ଏକ ନିୟମିତ କାହାଣୀ। ୧୯୬୯ ମସିହାରେ ଯେତେବେଳେ ପେଲେ ନାଇଜେରିଆରେ ପ୍ରଦର୍ଶନୀ ଫୁଟବଲ୍ ଖେଳିବାକୁ ଯାଇଥିଲେ, ସେତେବେଳେ ସେଠିକାର ଗୃହଯୁଦ୍ଧରେ ୪୮ଘଣ୍ଟାର ବିରତି ଘୋଷଣା କରାହୋଇଥିଲା ପେଲେଙ୍କ ଖେଳ ଦେଖିବାକୁ! ଆମେରିକାର ରାଷ୍ଟ୍ରପତି ରେଗାନ୍ ପେଲେଙ୍କୁ ଭେଟି କହିଥିଲେ, ‘ମୋ ନାଁ ହେଲା ରୋନାଲ୍ଡ ରେଗାନ, ମୁଁ ହେଲି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି। ଆପଣଙ୍କୁ ନିଜ ପରିଚୟ ଦେବାର ଆବଶ୍ୟକତା ନାହିଁ, କାରଣ ସମସ୍ତେ ଜାଣନ୍ତି ପେଲେ କିଏ’।
ଭାରତରେ ମଧ୍ୟ ଫୁଟବଲ୍ ବେଶ୍ ଜନପ୍ରିୟ। ବିବେକାନନ୍ଦ କହୁଥିଲେ, ‘ଗୀତାପାଠ ମାଧ୍ୟମରେ ନୁହେଁ ତୁମେ ଫୁଟବଲ୍ ମାଧ୍ୟମରେ ସ୍ବର୍ଗର ନିକଟତର ହୋଇପାରିବ।’ ଆଶା, ଭାରତ ମଧ୍ୟ ନିକଟ ଭବିଷ୍ୟତରେ ବିଶ୍ବକପ୍ ଫୁଟବଲ୍ ପ୍ରତିଯୋଗିତା ଆୟୋଜନ କରିବ, ଭାରତୀୟ ରେଫରୀ ବିଶ୍ବକପ୍ ଫାଇନାଲ୍ରେ ରେଫରୀ ହେବେ ଏବଂ ଭାରତ ବିଶ୍ବକପ୍ ବିଜୟୀ ହେବ। ପ୍ରଶ୍ନ ହେଲା କେବେ?