ପ୍ରତାପଶାସନ ଗ୍ରୀଡ୍ରୁ ପିପିଲିକୁ ୩୩କେଭି ବିଦ୍ୟୁତ୍ ଯୋଗାଣ ଆରମ୍ଭ
ପିପିଲି: ପିପିଲିବାସୀଙ୍କ ପାଇଁ ଖୁସି ଖବର। ବାଳକାଟି ନିକଟ ପ୍ରତାପଶାସନସ୍ଥିତ ୨୨୦/୧୩୨/୩୩ କେଭି ବିଦ୍ୟୁତ୍ ଗ୍ରୀଡ୍ ସବ୍ଷ୍ଟେସନ୍ରୁ ପିପିଲିକୁ ନୂତନ କରି ୩୩ କେଭି ବିଦ୍ୟୁତ୍ ଯୋଗାଣ ଆରମ୍ଭ ହୋଇଛି। ପୂର୍ବରୁ ନିମାପଡ଼ାର ଦିଘାଳଠାରେ ଥିବା ୧୩୨/୩୩ କେଭି ବିଦ୍ୟୁତ୍ ଗ୍ରୀଡ୍ରୁ ପିପିଲି ବିଦ୍ୟୁତ୍ ସବ୍ଡିଭିଜନକୁ ୩୩ କେଭି ବିଦ୍ୟୁତ୍ ଆସୁଥିବାବେଳେ ଦୀର୍ଘ ୪୦ବର୍ଷ ପରେ ଅର୍ଥାତ୍ ଗତ ୨୦୨୩ ଅକ୍ଟୋବର ୭ ତାରିଖ ଦିନ ପିପିଲି ବ୍ଲକ ଅନ୍ତର୍ଗତ ଠଣଠଣାସ୍ଥିତ ୧୩୨/୩୩ କେଭି ବିଦ୍ୟୁତ୍ ଗ୍ରୀଡ୍ ସବ୍ଷ୍ଟେସନ୍ରୁ ପିପିଲିକୁ ଦ୍ୱିତୀୟ ୩୩କେଭି ଲାଇନ ସଂଯୋଗ ହୋଇଥିଲା। ଏବେ ପ୍ରତାପଶାସନ ଗ୍ରୀଡ୍କୁ ମିଶାଇ ୩ଟି ଗ୍ରୀଡ୍ ସବ୍ଷ୍ଟେସନ୍ରୁ ପିପିଲିକୁ ୩୩କେଭି ବିଦ୍ୟୁତ୍ ସଂଯୋଗ ହୋଇଛି। ଫଳରେ ଗୋଟିଏ ଗ୍ରୀଡ୍ରୁ ଅସୁବିଧା ହେଲେ ଅନ୍ୟ ଗ୍ରୀଡ୍ରୁ ପିପିଲିକୁ ୩୩କେଭି ବିଦ୍ୟୁତ୍ ଯୋଗାଣ ରହିବ। ଯାହାଫଳରେ ପିପିଲିର ୩୩କେଭି ବିଦ୍ୟୁତ୍ ସମସ୍ୟା ସଂପୂର୍ଣ୍ଣ ଭାବେ ଦୂର ହୋଇଥିବା ସୂଚନା ମିଳିଛି।
ପୂର୍ବରୁ ବାଲିପାଟଣା ପଞ୍ଚାୟତ ଅନ୍ତର୍ଗତ ତ୍ରାହିଅଚ୍ୟୁତନଗରସ୍ଥିତ ୩୩/୧୧ କେଭି ବିଦ୍ୟୁତ୍ ସବ୍ଷ୍ଟେସନକୁ ପିପିଲିରୁ ୩୩କେଭି ବିଦ୍ୟୁତ୍ ଯୋଗାଣ ହେଉଥିଲା। ଶନିବାର ପ୍ରତାପଶାସନସ୍ଥିତ ୨୨୦/୧୩୨/୩୩ କେଭି ବିଦ୍ୟୁତ୍ ଗ୍ରୀଡ୍ ସବ୍ଷ୍ଟେସନ୍ରୁ ତ୍ରାହିଅଚ୍ୟୁତନଗରସ୍ଥିତ ୩୩/୧୧ କେଭି ବିଦ୍ୟୁତ୍ ସବ୍ଷ୍ଟେସନକୁ ୩୩କେଭି ବିଦ୍ୟୁତ୍ ସଂଯୋଗ କରାଯାଇଥିଲା। ସେଠାରୁ ପିପିଲିକୁ ପୁରୁଣା ବିଦ୍ୟୁତ୍ ଲାଇନ୍ରେ ୩୩କେଭି ବିଦ୍ୟୁତ୍ ସଂଯୋଗ କରାଯାଇଛି। ଫଳରେ ଶନିବାରଠାରୁ ପ୍ରତାପଶାସନ ଗ୍ରୀଡ୍ରୁ ପିପିଲିକୁ ୩୩କେଭି ବିଦ୍ୟୁତ୍ ଯୋଗାଣ ଆରମ୍ଭ ହୋଇଛି। ଏହାକୁ ନେଇ ପିପିଲି ବିଦ୍ୟୁତ୍ ଉପଖଣ୍ଡ ଅଞ୍ଚଳର ୩୫ହଜାରରୁ ଊର୍ଦ୍ଧ୍ବ ଉପଭୋକ୍ତାଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି। ଏହି କାର୍ଯ୍ୟକ୍ରମରେ ଟିପିସିଓଡିଏଲ ଟିମ୍ ଲିଡ୍ ପ୍ରୋଜେକ୍ଟ ମୁଖ୍ୟ ଜିତେନ କୁମାର ମିଶ୍ର, ପ୍ରକଳ୍ପ ଯନ୍ତ୍ରୀ ସାନ୍ତନୁ ନାଥ, ପିପିଲି ବିଦ୍ୟୁତ୍ ଉପଖଣ୍ଡ ଅଧିକାରୀ ବିପିନ କୁମାର ସାହୁଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥିସହ ନିମାପଡ଼ାର ଦିଘାଳ ଠାରେ ଥିବା ୧୩୨/୩୩ କେଭି ବିଦ୍ୟୁତ୍ ଗ୍ରୀଡ୍ରୁ ଦୀର୍ଘ ୨୮ କିଲୋମିଟର ଅତିକ୍ରମ କରି ପିପିଲି ବିଦ୍ୟୁତ୍ ସବ୍ଡିଭିଜନକୁ ସଂଯୋଗ ହୋଇଥିବା ପୁରୁଣା ୩୩ କେଭି ବିଦ୍ୟୁତ୍ ଲାଇନର ନବୀକରଣ କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ମିଳିଛି। ଆସନ୍ତା ମାର୍ଚ୍ଚ ମାସସୁଦ୍ଧା ଏହି କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ଟିପିସିଓଡିଏଲ୍ ଟିମ୍ ଲିଡ୍ ପ୍ରୋଜେକ୍ଟ ମୁଖ୍ୟ ଜିତେନ କୁମାର ମିଶ୍ର ସୂଚନା ଦେଇଛନ୍ତି।
Comments are closed.