ସୁପରବଗ୍ ସମସ୍ୟା
ଚିକିତ୍ସାକ୍ଷେତ୍ରରେ ଔଷଧର ପ୍ରଭାବକୁ ପ୍ରତିହତ କରୁଥିବା ଅତିଶକ୍ତିଶାଳୀ ବ୍ୟାକ୍ଟେରିଆ ବା ସୁପରବଗ୍ ନୂଆ ସମସ୍ୟା ଭାବେ ମୁଣ୍ଡ ଟେକିଛି। ଏହାଫଳରେ ଜୀବନ ବିପନ୍ନ କଲାଭଳି ସଂକ୍ରମଣ ବିରୋଧରେ ଯେଉଁ ଲଢ଼େଇ ବୈଜ୍ଞାନିକମାନେ ଚଳାଇଥିଲେ ତାହାକୁ ଶକ୍ତ ଧକ୍କା ଲାଗିଛି। ସୁପରବଗ୍ର କରାମତି ବୃଦ୍ଧି ଯୋଗୁଁ ବିଶ୍ବର ଅନ୍ୟତମ ବଡ଼ ଔଷଧ ପ୍ରସ୍ତୁତକାରୀ କମ୍ପାନୀ ନୋଭାର୍ଟିସ ତାହାର ବ୍ୟାେକ୍ଟରିଆ ବିରୋଧୀ ଗବେଷଣାକୁ ବନ୍ଦ କରିଦେବାସହ ଏ କ୍ଷେତ୍ରରେ ଆଉ ଆଗେଇ ପାରିବ ନାହିଁ ବୋଲି ଘୋଷଣା କରିଛି। ସମାନ କାରଣରୁ ଅଷ୍ଟ୍ରାଜେନେକା, କ୍ୟୁବିଷ୍ଟ, ସାନୋଫି, ଅଲରଗାନ, ଗ୍ଲାସକୋସ୍ମିଥକ୍ଲାଇନ୍ ଭଳି ପ୍ରତିଷ୍ଠିତ ଔଷଧ ତିଆରି କମ୍ପାନୀ ଆଣ୍ଟି-ବ୍ୟାକ୍ଟେରିୟାଲ ଓ ଆଣ୍ଟିଭାଇରାଲ ଗବେଷଣାକୁ ବନ୍ଦ କରିଦେଇଛନ୍ତି।
ଏବେ ପ୍ରଶ୍ନ ଉଠୁଛି ଯେ ସୁପରବଗଙ୍କ ଶକ୍ତି ବୃଦ୍ଧି ପରେ ଔଷଧ ନିର୍ମାତାମାନେ ପରାଜୟର ଶ୍ବେତପତାକା ଦେଖାଇବା ଅର୍ଥ କ’ଣ ବ୍ୟାଧି ଓ ସଂକ୍ରମଣର ଜୟଯାତ୍ରା ନିର୍ବିରୋଧ ଚାଲିବ? ପୃଥିବୀରେ ବିଭିନ୍ନ ପ୍ରକାର ସଂକ୍ରମଣ ଓ ବ୍ୟାଧି ଏକ ନିତିଦିନିଆ କଥା। ଏହାର ଚିକିତ୍ସା ପାଇଁ ପ୍ରଚଳିତ ଔଷଧ ବା ଆଣ୍ଟିବାୟୋଟିକ କାମ ନ’ଦେବା ଏବଂ ନୂଆ ଔଷଧ ବାହାର କରିବାର ଅସାମର୍ଥ୍ୟ ନିଶ୍ଚୟ ଚିକିତ୍ସାଜଗତ ପାଇଁ ଏକ ଚିନ୍ତା ଉଦ୍ରେକକାରୀ ଖବର। ଯେଉଁ ଔଷଧ କମ୍ପାନୀମାନେ ଏହି ଗବେଷଣା କରୁଥିଲେ ସେମାନଙ୍କ ଯୁକ୍ତିହେଲା ସୁପରବଗ୍କୁ ପ୍ରତିହତ କରିବା ପାଇଁ ଯେଉଁ ଆଣ୍ଟିବାୟୋଟିକ ପ୍ରସ୍ତୁତ କରିବାକୁ ସେମାନେ ପ୍ରୟାସ କରୁଛନ୍ତି ତାହା ସମୟସାପେକ୍ଷ ଓ ଅତ୍ୟନ୍ତ ବ୍ୟୟବହୁଳ। ଏଥିପାଇଁ ସେମାନଙ୍କ ପାଖରେ ଯଥେଷ୍ଟ ସମ୍ବଳ ନାହିଁ। ଏହାଛଡ଼ା ଗବେଷଣାର ପ୍ରଗତି ତୁଳନାରେ ସୁପରବଗ୍ଙ୍କ ରେଜିଷ୍ଟାନ୍ସ ବା ପ୍ରତିରୋଧଶକ୍ତି ଅଧିକ ବେଗରେ ବଢ଼ୁଛି। ତେଣୁ ପ୍ରତିଷେଧକ ଔଷଧ ପ୍ରସ୍ତୁତିରେ ସେମାନେ ବିଫଳ ହେଉଛନ୍ତି। ବାସ୍ତବରେ ମଣିଷ ସମାଜ ପାଇଁ ଏହା ଏକ ଦୁଃସମ୍ବାଦ।
ଔଷଧ ନିର୍ମାତାଙ୍କ ପାଇଁ ଆଉ ଏକ ଅସୁବିଧା ହେଲା ବହୁ ଅର୍ଥ ବ୍ୟୟ କରି ଯେଉଁ ନୂଆ ଆଣ୍ଟିବାୟୋଟିକ୍ସ ପ୍ରସ୍ତୁତ କରାଯିବ ତା’ପାଇଁ ହଠାତ୍ ଉତ୍ତମ ବଜାର ମିଳିବ ନାହିଁ। ନୂଆ ଆଣ୍ଟିବାୟୋଟିକକୁ ଦରକାର ନ’ପଡ଼ିଲେ ବ୍ୟବହାର କରାଯାଏ ନାହିଁ। ତେଣୁ ଏହାକୁ ମହଜୁଦ କରି ରଖିବାକୁ ପଡ଼େ। ଏହାର ତୁରନ୍ତ ପ୍ରୟୋଗ ଫଳରେ ରୋଗୀଠାରେ ପୁରୁଣା ଆଣ୍ଟିବାୟୋଟିକ୍ସ ଆଉ କାମ କରେନାହିଁ। ସୁପରବଗ୍ ବିରୋଧୀ ଆଣ୍ଟିବାୟୋଟିକ୍ସ ପ୍ରସ୍ତୁତି ପ୍ରସଙ୍ଗ ବିଶ୍ବ ଅର୍ଥନୈତିକ ଫୋରମ ବୈଠକରେ ଉଠିିଥିଲେ ମଧ୍ୟ ଏହାର ସମାଧାନ ରାସ୍ତା ବାହାରି ନାହିଁ। ସମଗ୍ର ମାନବ ସମାଜ ପାଇଁ ଆହ୍ବାନ ସୃଷ୍ଟି କରିଥିବା ଏହି ସମସ୍ୟାର ଯେ ସମାଧାନ ନାହିଁ ତାହା କୁହାଯାଇ ନ’ପାରେ। ବିଶ୍ବ ସମୁଦାୟ ମିଳିତଭାବେ ଏହାର ମୁକାବିଲା କରିବା ଆବଶ୍ୟକ।