www.samajalive.in
Saturday, December 13, 2025
23.1 C
Bhubaneswar

ସ୍ବାଭିମାନୀ ଯୋଦ୍ଧା

ମୋଗଲ ସମ୍ରାଟ ଆକବରଙ୍କ ଦରବାର ଚାଲିଥାଏ। ଏହି ସମୟରେ ଦ୍ବାରପାଳ ଆସି ବାଦ୍‌ଶାହଙ୍କୁ ଜଣାଇଲେ ଦୁଇ ରାଜପୁତ ଯୁବକ ତାଙ୍କୁ ସାକ୍ଷାତ୍‌ କରିବାକୁ ଚାହୁଁଛନ୍ତି।
ନିର୍ଦେଶ ଅନୁଯାୟୀ ସେମାନେ ବାଦ୍‌ଶାହଙ୍କ ସମ୍ମୁଖକୁ ଆସି ଅଭିବାଦନ ଜଣାଇଥିଲେ। ଦୁହିଁଙ୍କ ମଧ୍ୟରେ ଥିଲା ଅସମ୍ଭବ ପ୍ରକାର ସାମଞ୍ଜସ୍ୟ- ବଳିଷ୍ଠ, ଦୀର୍ଘକାୟ ବପୁ, ସୁଗଠିତ ଶରୀର। ହସହସ ମୁହଁରେ ଝଲସି ଉଠୁଥିଲା ବୀରତ୍ବର ଆଭା। ଏକ ହାତରେ ଥାଏ ଢ଼ାଲ, ଅନ୍ୟ ହାତରେ କୋଷବଦ୍ଧ ତରବାରୀ।
ଦୁହେଁ ନମ୍ରଭାବରେ ବାଦଶାହଙ୍କୁ କହିଥିଲେ- ଆମେ ଦୁହେଁ ରାଜପୁତ୍‌। ତରବାରୀ ଚାଳନାରେ ଆମର ଦକ୍ଷତା ଅଛି। ଆପଣଙ୍କ ସେନାରେ ସାମିଲ କରିନେବାକୁ ନିବେଦନ କରୁଛୁ। ଯଦି ସାମିଲ କରନ୍ତି, ତେବେ ସମୟ ଆସିଲେ ଆମେ ଦୁହେଁ ଆମ ବୀରତ୍ବର ପରାକାଷ୍ଠା ଦେଖାଇବାକୁ ଭୁଲିବୁ ନାହିଁ।
ଆକବର ଏହାଶୁଣି କହିଥିଲେ- ମୋର କିପରି ବିଶ୍ବାସ ହେବ ଯେ ତୁମେ ଦୁହେଁ ଅସାଧାରଣ ବୀର, ସାହସୀ? ଏହାର କିଛି ନିଦର୍ଶନ ଦେଖାଇ ପାରିବ?
ଏହାର କ’ଣ ପ୍ରମାଣ ଆପଣଙ୍କୁ ଦେବୁ ଆମେ ଜାଣିନୁ- ଦୁହେଁ ସମସ୍ବରରେ କହିଲେ।
ତା’ହେଲେ ମୋ ବିଚାରରେ ତୁମେ ଦୁହେଁ ଅସାଧାରଣ ନୁହଁ। ଏମିତି ତ ପ୍ରତ୍ୟେ‌େ‌କ ନିଜ ବିଷୟରେ ବାହାଦୁରି ଦେଖାଇବାକୁ ନିଜକୁ ଅସାଧାରଣ ଯୋଦ୍ଧା ବୋଲି କହିଥାନ୍ତି। ସେମାନଙ୍କୁ ସେନାବାହିନୀ​‌େ​‌ର ଭର୍ତ୍ତି କରିବାକୁ ମୁଁ ଉଚିତ ମଣେନାହିଁ- ଆକବର କହିଲେ।
ଆକବରଙ୍କ ଏଭଳି ବିଦ୍ରୂପାତ୍ମକ ମନ୍ତବ୍ୟ ସେମାନଙ୍କର ସ୍ବାଭିମାନ ପ୍ରତି ଗୁରୁତର ଆଘାତ ଥିଲା। ବିଶେଷ କରି ଯୋଦ୍ଧା ରାଜପୁତ ଜାତି ଭାବରେ ଏହାକୁ ସହ୍ୟ କରିଥାନ୍ତେ ବା କିପରି? ଦୁହେଁ ତରବାରୀ କୋଷମୁକ୍ତ କଲେ। ମା’ ଭବାନୀଙ୍କ ନାମୋଚ୍ଚାରଣ କରି ପରସ୍ପରକୁ ଆକ୍ରମଣ କରିଥିଲେ। ବିଦ୍ୟୁତ ବେଗରେ ଦୁହିଁଙ୍କର ତରବାରୀ ଚାଳିତ ହେଉଥାଏ। ଦୁହେଁ ବେଶ୍‌ କିଛିକ୍ଷଣ ପାଇଁ ଅଦ୍ଭୁତ ଯୁଦ୍ଧକୌଶଳ ପ୍ରଦର୍ଶନ କରିଥିଲେ। ଏହି ସମୟରେ ଜୟ ମା’ ଭବାନୀ କହି ଜଣେ ଯୋଦ୍ଧା ଅନ୍ୟଜଣେ ଯୋଦ୍ଧାକୁ ତରବାରୀରେ ଆଘାତ ଦେଇଥିଲା। ସେହି ଯୋଦ୍ଧା ଜଣକ ଧରାଶାୟୀ ହେବାପୂର୍ବରୁ ନିଜର ସମସ୍ତ ଶକ୍ତି ସଞ୍ଚୟ କରି ସାଥୀ ଯୋଦ୍ଧାଙ୍କୁ ତରବାରୀରେ ପ୍ରତ୍ୟାକ୍ରମଣ କରିଥିଲା। ଦୁହିଁଙ୍କ ଶରୀର ଚଟାଣରେ ଲୋଟି ପଡ଼ିଥିଲା।
ବାଦ୍‌ଶାହ ଆକବର ନିଜ ସମ୍ମୁଖରେ ଏଭଳି ଅବିଶ୍ବସନୀୟ, ମର୍ମନ୍ତୁଦ ଘଟଣା ଦେଖି ତତ୍‌କ୍ଷଣାତ ସିଂହାସନରୁ ଉଠି ସେମାନଙ୍କ ନିକଟକୁ ଧାଇଁ ଆସିଥିଲେ। ପ୍ରାଣତ୍ୟାଗ କରିବା ପୂର୍ବରୁ ଜଣେ ବାଦଶାହଙ୍କ ଉଦ୍ଦେଶ୍ୟରେ କହିଥିଲେ- ‘ଆମେ ଯୋଦ୍ଧା ରାଜପୁତ୍‌ ଜାତି, ଜୀବନ ମୃତ୍ୟୁ ମଧ୍ୟରେ କୌଣସି ଫଇସଲାକୁ ସ୍ବୀକାର କରିନଥାଉ। ବୀରତ୍ବର ପ୍ରମାଣ ଚାହୁଁଥିଲେ ନା? ବୀର ନିକଟରେ ବୀରତ୍ବର ପ୍ରମାଣ କ’ଣ ବା ଥାଇପାରେ? ଆମେ ତ ପ୍ରତିମୁହୂର୍ତ୍ତରେ ମୃତ୍ୟୁର ଶାଣିତ ତରବାରୀକୁ ମୁଣ୍ଡ ଉପରେ ଝୁଲାଇ ରଖିଥାଉ।’ ଆଉ କିଛି କହିବା ପୂର୍ବରୁ ତାଙ୍କର ଶରୀର ସ୍ପନ୍ଦନହୀନ ହୋଇଯାଇଥିଲା। ପୂର୍ବରୁ ଅନ୍ୟ ସାଥୀ ବୀରଗତି ଲଭିଥିଲେ।
ଆକବରଙ୍କ ସମେତ, ସମସ୍ତ ଦରବାରୀ ଏହି ଅଭାବନୀୟ ଦୃଶ୍ୟରେ ସ୍ତବ୍ଧ ହୋଇଯାଇଥିଲେ। କ୍ଷମାପ୍ରାର୍ଥନା ପୂର୍ବକ ବାଦଶାହ ଦୁହିଁଙ୍କ ପାର୍ଥିବ ଶରୀରକୁ ସଲାମ ଜଣାଇଥିଲେ ସେମାନଙ୍କର ଅସାଧାରଣ ବୀରତ୍ବ, ଅଦ୍ଭୁତ ତ୍ୟାଗ ନିମନ୍ତେ।

Hot this week

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

Related Articles

Popular Categories