ରଥରେ ଦର୍ଶନ ସୁଯୋଗ ମିଳୁ

0

ନଟବର ଶତପଥୀ

prayash

ଶ୍ରୀଜଗନ୍ନାଥ ସଂସ୍କୃତିର ଦେବତା, ଧର୍ମର, ଦେବତା ନୁହନ୍ତି। ଅବଶ୍ୟ ବିଶ୍ବର ସବୁ ଦେବତାଙ୍କ ସହ କୌଣସି ନା କୌଣସି ଧର୍ମ ଜଡ଼ିତ। ଧର୍ମହିଁ ଦେବତାର ଜନ୍ମଦାତା। ସେହିସୂତ୍ରରେ ଦେବତା ଧର୍ମର ପ୍ରତିନିଧି ଓ ତାଙ୍କ ପୃଷ୍ଠଭୂମିରେ ବହୁ ଅଲୌକିକତା ଛପି ରହିଥାଏ। ଧର୍ମ ଓ ଅଲୌକିକତା ସହୋଦର ପରି ଅଭିନ୍ନ। ଅଭିନ୍ନତାର ବହୁ ଲକ୍ଷଣ ମଧ୍ୟରେ ଏଇଟି ମୁଖ୍ୟ। ପରବର୍ତ୍ତୀ କଥାଟି ବିଶ୍ବାସ ଓ ଚଳଣି। ଧର୍ମ ସହ ଯୋଡ଼ା ଦେବତା ଓ ତାଙ୍କର ମହିମା ଗ୍ରହଣୀୟ, ଯୁକ୍ତିତର୍କ ଏନେଇ ଅସହ୍ୟ ଓ ବେଳେବେଳେ ଅସୁନ୍ଦର; ଏପରି ଧାରଣା ରହିଛି। ସେହିପରି ମଧ୍ୟ ଧର୍ମ ପ୍ରସ୍ତୁତ କରିଛି କେତେକ ଚଳଣି ବା ଆଚରଣ। ଏହା ମଧ୍ୟ ଅଲଙ୍ଘନୀୟ। ଧର୍ମ ଓ ତା’ର ନୀତିନିୟମକୁ ସ୍ଥାୟୀ କରିବାକୁ ଯାଇ ଧର୍ମ କାର୍‌ପଟଦାରମାନେ ସଂସ୍କୃତରେ ନାନା ବିଧି ଲେଖନ୍ତି ଓ ତାହାକୁ ଶାସ୍ତ୍ରୀୟ ରୂପ ଦେବାପାଇଁ ଲାଗିପଡ଼ନ୍ତି। ଏହିପରି କିଛି ବ୍ୟକ୍ତିଙ୍କ ବାରବାର ଘୋଷଣା ଓ ତାର୍କିକ ସିଦ୍ଧାନ୍ତକୁ ଲୋକେ ଗ୍ରହଣ କରିବା ଛଡ଼ା ଅନ୍ୟ ଉପାୟ ନଥାଏ। ଶାସ୍ତ୍ରୀୟ କଥାଟି ଏଣୁ ବଡ଼ ରହସ୍ୟମୟ। ଏଥିରେ ସତ୍ୟତା ଖୋଜିଲେ ଧର୍ମଭୀରୁମାନେ ଖଡ୍‌ଗହସ୍ତ ହୁଅନ୍ତି, ସମସ୍ୟା ଜଟିଳ ହୁଏ।
ଜଗନ୍ନାଥଙ୍କ କ୍ଷେତ୍ରରେ ଏହାହିଁ
ହୋଇଛି। ତାଙ୍କର ମୂର୍ତ୍ତି କଳ୍ପନା, ସ୍ଥାପନର ଇତିହାସ, ରୀତିନୀତି ଏବଂ ସର୍ବୋପରି ରଥଯାତ୍ରା ସାକ୍ଷୀ ଦିଏ ଯେ ସେ ଶବର ସଂସ୍କୃତିରୁ ଉତ୍ପନ୍ନ। ଶବର ସଂସ୍କୃତି ସର୍ବୋଦୟର ପ୍ରତିନିଧି। ଶାସ୍ତ୍ରୀୟ ଧର୍ମ ବା ସଂସ୍କୃତିରେ ଏ ବିଚାର କେବେ ଥିଲା ଜଣାନାହିଁ; ଏବେ ତ ତାହା ଦୁଃସ୍ବପ୍ନ। ଜଗନ୍ନାଥଙ୍କ ସହ ଯୋଡ଼ା ସବୁ ବିଧାନ, ଯାନିଯାତ୍ରା, ବେଶଭୂଷା, ପର୍ବପର୍ବାଣୀ ଶବର ସଂସ୍କୃତିର ମୂଳମର୍ମରୁ କ୍ରମବିକଶିତ ହୋଇ ଲୌକିକ ହିନ୍ଦୁସଂସ୍କୃତିରେ ମିଶି ଯାଇଛି। ତାହା ପୁଣି ଓଡ଼ିଆର ପରମ୍ପରାର ବୋଲି ଚିହ୍ନିତ ହୋଇଛି। ଓଡ଼ିଆ ଭାଷାରେ ରଚିତ ଅନେକ ଭକ୍ତିରସାତ୍ମକ ଗ୍ରନ୍ଥ ସମେତ କାବ୍ୟାଦି ଓ ଲୋକଗୀତ, ଗଳ୍ପ, ବଚନିକାରେ ତା’ର ଦୃଷ୍ଟାନ୍ତ ରହିଛି। କବି ବଳରାମ ଦାସଙ୍କ ନଈବାଲିରେ ରଥ ତିଆରି ଘଟଣା ସମ୍ପର୍କିତ ଲୋକକାହାଣୀ ବା ‘ଦାର୍ଢ଼୍ୟତା ଭକ୍ତି’ର ଦାସିଆ ବାଉରି ହାତରୁ ନଡ଼ିଆ ନେବା କଥାଟି ଏହି ଶ୍ରେଣୀର। ତାତ୍ପର୍ଯ୍ୟ ହେଉଛି, ଲୋକବିଶ୍ବାସର ଯୁଗାନ୍ତର ବ୍ୟାପୀ ପ୍ରଭାବକୁ ଜଗନ୍ନାଥଙ୍କ ସେବାପୂଜା ସହ ଯୋଡ଼ି ଦିଆଯାଇଛି, ତା’ର ପ୍ରଚାର ମଧ୍ୟ କରାଯାଉଛି। ଲୋକଧର୍ମ ଓ ବିଶ୍ବାସ ଗୋଟିଏ ଭଲ କଥା, କିନ୍ତୁ ତା’ର ବିଚାର ସହ ଶାସ୍ତ୍ରକୁ ଯୋଡ଼ିବା ଅସଂଗତ। ଶାସ୍ତ୍ର ତା ସ୍ଥାନରେ ରହୁ, ଲୋକବିଶ୍ବାସ ତା ସ୍ଥାନରେ ରହୁ।
ରଥରେ ଭକ୍ତ ଚଢ଼ି ଅତି ନିକଟରୁ ତା’ର ପ୍ରଭୁଙ୍କୁ ଦର୍ଶନ କରିବା ଗୋଟିଏ ଲୋକପ୍ରଥା। ଏଥିରେ ଶାସ୍ତ୍ରର ହସ୍ତକ୍ଷେପ ଅନୁଚିତ। ଏହି ପ୍ରଥାର ମାନ୍ୟତା ବଳରାମ ଦାସଙ୍କ ସମ୍ପର୍କରେ ପ୍ରଚଳିତ କାହାଣୀରୁ ସିଦ୍ଧ ହୁଏ। ରଥକୁ ଚଢ଼ିବା ମନା କରୁଥିବା ବ୍ୟକ୍ତିମାନେ ପ୍ରଥାର ମହତ୍ତ୍ବ ବୁଝିବା ଉଚିତ। ପରମ ସମ୍ମାନନୀୟ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଓଡ଼ିଆ ପ୍ରଥାକୁ କେତେ ବୁଝିଛନ୍ତି ଜଣାପଡ଼ୁନାହିଁ। ସମ୍ମାନନୀୟ ଆଚାର୍ଯ୍ୟଙ୍କର ଶାସ୍ତ୍ରୀୟ ବ୍ୟୁତ୍ପତ୍ତି ପ୍ରଚଣ୍ଡ, ସେଥିରେ ଲୋକସଂସ୍କୃତିର ସ୍ଥାନ ନାହିଁ କହିଲେ ଠିକ୍‌ ହେବନାହିଁ। ଜଗନ୍ନାଥଙ୍କୁ ଯେତେଦିନ ଯାଏ ଶାସ୍ତ୍ରୀୟ ଧାରାରେ ବିଚାର କରାଯାଉଥିବ ଓ ତାହା ଯେଉଁମାନେ କରୁଥିବେ ଜଗନ୍ନାଥଙ୍କୁ ଲୋକପରମ୍ପରାରୁ ପୃଥକ କରି ବିଚାର ବ୍ୟାପକ ହେଉଥିବ। ସେଥିରେ ପୂର୍ଣ୍ଣଚ୍ଛେଦ ଦରକାର। ଆହୁରି ଆଶ୍ଚର୍ଯ୍ୟର ବିଷୟ, ରଥଯାତ୍ରାର ପ୍ରବଚନ- ଏହା ଧାରାବିବରଣୀ ନାମରେ ଚଳୁଛି। ବିବରଣୀଦାତାମାନେ ସଂସ୍କୃତିକୁ ଭୁଲି ଧର୍ମର ଶାସ୍ତ୍ରୀୟ ତତ୍ତ୍ବ କହନ୍ତି। ବିବରଣୀ ତତ୍ତ୍ବପାଣ୍ଡିତ୍ୟ ଆଧାରିତ, ଅନେକ ସ୍ଥଳେ ଶୁଷ୍କ, ବୃଥା ଶ୍ଳୋକ ଓ ମହିମା ପ୍ରଖ୍ୟାପନରେ ପୂର୍ଣ୍ଣ।
ରଥରେ ଭକ୍ତକୁ ଶୃଙ୍ଖଳାସହ ପ୍ରଭୁଦର୍ଶନ କରାଇବା ପ୍ରଶାସନ ଓ ସେବକମାନଙ୍କର କର୍ତ୍ତବ୍ୟ। ସେବକମାନେ ନିଜକୁ ଦେଖାନ୍ତୁ ନାହିଁ, ପ୍ରଭୁଙ୍କୁ ଦେଖାନ୍ତୁ ଭକ୍ତମାନଙ୍କୁ। ଶୃଙ୍ଖଳାସହ ଭକ୍ତିଯୋଗ। ଏହାକୁ ସ୍ଥାୟୀ କରିବା ପ୍ରଶାସନର କାମ, ସେବକ ଏଥିରେ ସାହାଯ୍ୟ କରି ଭକ୍ତ ମନୋବାଞ୍ଛା ପୂରଣ କରନ୍ତୁ। ଅର୍ଥ ଆଦାୟ ସେବାର ଧର୍ମ ନୁହେଁ। ଭକ୍ତ ଭଗବାନଙ୍କର ମିଳନର ସୁଯୋଗ ସେବାର ଉଦ୍ଦେଶ୍ୟ।
ସି-୧୧୬୭, ସେକ୍ଟର-୬, ସିଡିଏ, କଟକ

kalyan agarbati
Leave A Reply