www.samajalive.in
Sunday, December 7, 2025
14.1 C
Bhubaneswar

ରାଜ୍ୟ ଦୃଷ୍ଟି ଦିଅନ୍ତୁ

ରାସ୍ତା ଦୁର୍ଘଟଣାର ଭୟାବହତା ବିଷୟରେ ଆମେ ସଭିଏଁ ଅବଗତ; କାରଣ ଆମ ଦେଶରେ କେବଳ ରାସ୍ତା ଦୁର୍ଘଟଣାରେ ପ୍ରତି ଦଶ ମିନିଟରେ ୩ ଜଣଙ୍କ ଜୀବନ ଚାଲିଯାଏ। ଏହା ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ପରିବହନ ଗବେଷଣା ବିଭାଗ ଦ୍ବାରା ପ୍ରସ୍ତୁତ ରିପୋର୍ଟ କହୁଛି। ଏହା ଅନୁସାରେ ୨୦୧୭ ମସିହା, ଅର୍ଥାତ ଗତବର୍ଷ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ମୋଟ ୪,୬୪,୯୧୦ଟି ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ୧,୪୭,୯୧୩ ଜଣଙ୍କ ପ୍ରାଣହାନି ହୋଇଥିବାବେଳେ ୪,୭୦,୯୭୫ ଜଣ ଆହତ ହୋଇଥିଲେ। ଏଥିରୁ ଆମ ଦେଶରେ ରାସ୍ତା ଦୁର୍ଘଟଣା ଯେ ଏକ ମହାମାରୀ ସାବ୍ୟସ୍ତ ହେଉଛି, ତାହା ଅନାୟାସରେ ବୁଝିହେବ। ତେବେ ରାସ୍ତା ଦୁର୍ଘଟଣା ପରେ ମୃତକ ବା ପୀଡ଼ିତଙ୍କ ପରିବାର ଲୋକଙ୍କୁ ଯେଉଁ କ୍ଷତିପୂରଣ ମିଳିବା କଥା, ତାହା ଆହୁରି ପୀଡ଼ାଦାୟକ। ଏଥିରେ ଯେଉଁ ଆଇନଗତ ସମସ୍ୟାମାନ ରହିଛି, ତା’ର ସମାଧାନ କରିବା ସାଧାରଣ ଲୋକଟି ପକ୍ଷରେ ଆଦୌ ସହଜ ହୁଏ ନାହିଁ। ଏପରିକି ଅନେକଙ୍କୁ କ୍ଷତିପୂରଣ ମଧ୍ୟ ମିଳିପାରିନଥାଏ। ବହୁ କ୍ଷେତ୍ରରେ କେବଳ ଏଥିପାଇଁ କ୍ଷତିପୂରଣ ମିଳେନାହିଁ ଯେ ପୀଡ଼ିତକୁ ଯେଉଁ ବାହନ ଠୋକର୍ ମାରିଲା ବା ମୃତ୍ୟୁର କାରଣ ହେଲା, ସେହି ବାହନର ବୀମା ନଥିଲା।
ଏବେ ସର୍ବୋଚ୍ଚ ନ୍ୟାୟାଳୟ ଏପରି ପୀଡ଼ିତଙ୍କୁ ଆଶ୍ବସ୍ତ କଲାଭଳି ରାୟ ପ୍ରଦାନ କରିଛନ୍ତି। ନ୍ୟାୟାଳୟ କହିଛନ୍ତି ଯେ ବୀମାନଥିବା ବାହନ ସହ ଯଦି କୌଣସି ଦୁର୍ଘଟନା ଘଟେ, ତେବେ ସେହି ବାହନର ନିଲାମ କରାଯାଉ ଓ ନିଲାମ ଅର୍ଥ ପୀଡ଼ିତର କ୍ଷତିପୂରଣରେ ବ୍ୟବହାର ହେଉ। ଅଦାଲତ ସ୍ପଷ୍ଟ କରିଦେଇଛନ୍ତି ଯେ ଏହି ବ୍ୟବସ୍ଥା ସମସ୍ତ ପ୍ରକାରର ରାସ୍ତା ଦୁର୍ଘଟଣା ନିମନ୍ତେ ଲାଗୁ ହେବ। ଦୁର୍ଘଟଣା ଘଟାଇଥିବା ବାହନର ନିଲାମୀ ଅର୍ଥ ମୋଟର ବାହନ ଦୁର୍ଘଟଣା ଦାବି ନ୍ୟାୟାଧିକରଣରେ ଜମା କରିବାକୁ ହେବ। ରାସ୍ତା ଦୁର୍ଘଟଣାରେ ଜଣେ ପୀଡ଼ିତଙ୍କ ପତ୍ନୀ କରିଥିବା ଏକ ମୋକଦ୍ଦମାର ଫଇସଲା ଶୁଣାଇ ସର୍ବୋଚ୍ଚ ନ୍ୟାୟାଳୟ ଏହି ରାୟ ଦେଇଛନ୍ତି। ପୀଡ଼ିତର ପତ୍ନୀକୁ ନ୍ୟାୟାଧିକରଣ କ୍ଷତିପୂରଣ ଦେବାପାଇଁ ମନା କରିଦେଇଥିଲା, କାରଣ ସଂପୃକ୍ତ ବାହନର ବୀମା ନଥିଲା। ନ୍ୟାୟାଳୟଙ୍କ ଏହି ନିଷ୍ପତ୍ତି ବିନା ବୀମାରେ ଚଳପ୍ରଚଳ କରୁଥିବା ବାହନଗୁଡ଼ିକର ସମସ୍ୟା ସମାଧାନରେ ମଧ୍ୟ କିଛିଟା ସାହାଯ୍ୟ କରିବ।
ସର୍ବୋଚ୍ଚ ନ୍ୟାୟାଳୟ ଏହି ଆଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଦେଶର ସମସ୍ତ ରାଜ୍ୟକୁ ବାର ସପ୍ତାହ ସମୟ ଦେଇଛନ୍ତି। ଏହାରି ଭିତରେ ଆଇନରେ ସଂଶୋଧନ କରିବାକୁ କୁହାଯାଇଛି। ବର୍ତ୍ତମାନ ଏଭଳି ଆଇନ କେବଳ ଦିଲ୍ଲୀରେ ହିଁ ରହିଛି। ରାଜ୍ୟଗୁଡ଼ିକ ଯଦି ଆଗରୁ ଚାହିଁଥା’ନ୍ତେ, ତେବେ ସେମାନେ ନିଜେ ମଧ୍ୟ ଦିଲ୍ଲୀ ଭଳି ଏହି ବ୍ୟବସ୍ଥାଟିକୁ ନିଜ ଆଇନରେ ଅନ୍ତର୍ଭୁକ୍ତ କରିପାରିଥା’ନ୍ତେ; ମାତ୍ର ସେଥିପ୍ରତି ସେମାନଙ୍କର ଦୃଷ୍ଟି ନାହିଁ। ନ୍ୟାୟାଳୟଙ୍କ ନିର୍ଦେଶ ପରେ ରାଜ୍ୟଗୁଡ଼ିକ ଏଥିପ୍ରତି ସମୁଚିତ ଦୃଷ୍ଟି ଦେବା ଆବଶ୍ୟକ। ରାସ୍ତା ଦୁର୍ଘଟଣାର ପୀଡ଼ିତଟିଏ କ୍ଷତିପୂରଣ ପାଇଁ ବାରମ୍ବାର ସରକାରୀ କାର୍ଯ୍ୟାଳୟ ଓ ଅଦାଲତକୁ ଦୌଡ଼ିବା ଆମ ବ୍ୟବସ୍ଥାର ଯେ ଏକ ବଡ଼ ଦୋଷ, ତାହା କହିବା ବାହୁଲ୍ୟ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories