ବାଜପେୟୀ ଓ ନାଇପଲ

0

ଶ୍ରୀକାନ୍ତ ଚାଟାର୍ଜୀ

prayash

ଅଟଳ ବିହାରୀ ବାଜ​‌େ​‌ପୟୀ ଜଣେ ଅତ୍ୟନ୍ତ ଜନପ୍ରିୟ ଓ ସଫଳ ରାଜନେତା- ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ। ସାର୍‌ ବିଦିଆଧର ସୁରଜ ପ୍ରସାଦ ନାଇପଲ୍‌ (ସାର୍‌ ବିଦିଆ) ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଲେଖକ। ବାଜ‌େ‌ପୟୀ ଭାରତୀୟ; ସାର ବିଦିଆ ଭାରତୀୟ ବଂଶୋଦ୍ଭବ। ଉଭୟେ ସାହିତ୍ୟରେ ରୁଚି ରଖୁଥିଲେ। ବାଜ‌େ‌ପୟୀ ହିନ୍ଦୀ ଭାଷାରେ ପଦ୍ୟ ଲେଖୁଥିଲେ;ନାଇପଲ୍‌ ଇଂରାଜୀ ଭାଷାରେ ଗଦ୍ୟ। ବାଜ‌େ‌ପୟୀ ହୃଦୟସ୍ପର୍ଶୀ କବିତା ଲେଖୁଥିଲେ; ନାଇପଲ୍‌ ମୁଖ୍ୟତଃ ଉପନ୍ୟାସ ଓ ଭ୍ରମଣକାହାଣୀ ଲେଖୁଥିଲେ। ବାଜ‌େ‌ପୟୀ ଦେଶାତ୍ମବୋଧକ ଓ ପ୍ରେରଣାଦାୟକ କବିତା ଲେଖୁଥିଲେ; ନାଇପଲ୍‌ଙ୍କୁ ସ୍ପଷ୍ଟବାଦୀ ଓ ବିବାଦୀୟ ଧରାଯାଏ। ଅର୍ଥାତ୍‌ ଦୁଇ ବିପରୀତମୁଖୀ ପ୍ରତିଭା। ଏ ଦୁଇ ବିପରୀତମୁଖୀ ପ୍ରତିଭାଙ୍କ ଏକ ବିରଳ ଆଦାନପ୍ରଦାନ ଭିତ୍ତିରେ କିଛି ଆଲୋଚନା କରିବା।
ସାର୍‌ ବିଦିଆଙ୍କ ପୂର୍ବଜମାନେ ଊନବିଂଶ ଶତାବ୍ଦୀର ଶେଷ ଆଡ଼କୁ ଉତ୍ତରପ୍ରଦେଶରୁ ତ୍ରିନିଦାଦ୍‌ (ୱେଷ୍ଟଇଣ୍ଡିଜ୍‌)କୁ ଆଖୁକିଆରିରେ କାମ କରିବାପାଇଁ ଚୁକ୍ତିବଦ୍ଧ ଶ୍ରମିକ (ଇନ୍‌ଡେଞ୍ଚର୍ଡ ଲେବରର) ଭାବେ ଯାଉଥିଲେ। ସାର୍‌ ବିଦିଆଙ୍କ ଜନ୍ମ ତ୍ରିନିଦାଦ୍‌ରେ ୧୯୩୨ ମସିହାରେ। ତାଙ୍କ ସ୍କୁଲ ଶିକ୍ଷା ସେଇଠି। ପରେ ଉଚ୍ଚଶିକ୍ଷା ପାଇଁ ସେ ଇଂଲଣ୍ଡ ଗଲେ ଏବଂ ସମୟକ୍ରମେ ଇଂଲଣ୍ଡରେ ହିଁ ରହିଗଲେ। ସେ କେବଳ ଇଂରାଜୀ ଭାଷାହିଁ ଜାଣନ୍ତି। ସେ ଇଂଲଣ୍ଡରେ ପାଠ ପଢ଼ିବା ସମୟଠୁ ଲେଖାଲେଖି ଆରମ୍ଭ କରି ଦେଇଥିଲେ। ହେଲେ, ତାଙ୍କୁ ପ୍ରଥମେ ରଙ୍ଗଭେଦଜନିତ କଟୁକଥା ସହିବାକୁ ପଡ଼ିଥିଲା। ଏସବୁ ଫଳରେ ଭାରତ ସହିତ ତାଙ୍କର ଅଦ୍ଭୁତ ସମ୍ପର୍କ ଥିଲା। ଭାରତ ଉପରେ ସେ ତିନିଟି ଭ୍ରମଣକାହାଣୀ ଲେଖିଛନ୍ତି- ‘ଆନ୍‌ ଏରିଆ ଅଫ୍‌ ଡାର୍କନେସ୍‌’(୧୯୬୪), ‘ଇଣ୍ଡିଆ: ଏ ଉଣ୍ଡେଡ ସିଭିଲାଇଜେସନ୍‌ (୧୯୭୭) ଏବଂ ‘ଇଣ୍ଡିଆ: ଏ ମିଲିୟନ୍‌ ମ୍ୟୁଟିନିଜ୍‌ ନାଓ’ (୧୯୯୦)। ପ୍ରଥମ ବହିରେ ତାଙ୍କ ପାଇଁ ଭାରତ ଏକ ‘ଅନ୍ଧାର ମୁଲକ’ ଥିଲା, ଦ୍ବିତୀୟ ବହିରେ ଭାରତ ‘ଏକ ଆହତ ସଭ୍ୟତା,’ ଏବଂ ତୃତୀୟ ବହିରେ ‘ଭାରତରେ ଦଶଲକ୍ଷ ବିପ୍ଳବ ହେଇସାରିଲାଣି’। ୧୯୬୨ ମସିହାରେ ନାଇପଲ୍‌ ପ୍ରଥମେ ଭାରତ ଭ୍ରମଣରେ ଆସିଲେ। ଭାରତ ଏବଂ ଭାରତୀୟଙ୍କ ବିଷୟରେ ତାଙ୍କର ଅତି ନକାରାତ୍ମକ ମନୋଭାବ ସୃଷ୍ଟି ହେଲା। ‘ଆନ୍‌ ଏରିଆ ଅଫ୍‌ ଡାର୍କନେସ୍‌’ରେ ନାଇପଲ୍‌ ଲେଖିଲେ, ‘ଭାରତୀୟମାନେ ସବୁଜାଗାରେ ମଳତ୍ୟାଗ କରନ୍ତି। ସେମାନେ ମୁଖ୍ୟତଃ ରେଳଲାଇନ୍‌ ପାଖରେ ମଳତ୍ୟାଗ କରନ୍ତି, କିନ୍ତୁ ସେମାନେ ସମୁଦ୍ରକୂଳରେ ମଧ୍ୟ ମଳତ୍ୟାଗ କରନ୍ତି, ସେମାନେ ପାହାଡ଼ ଉପରେ ମଳତ୍ୟାଗ କରନ୍ତି, ସେମାନେ ନଈକୂଳରେ ମଳତ୍ୟାଗ କରନ୍ତି; ସେମାନେ ରାସ୍ତା ଉପରେ ମଳତ୍ୟାଗ କରନ୍ତି; ସେମା‌େ‌ନ କେବେବି ନିଜକୁ ଢାଙ୍କିବାକୁ ଚେଷ୍ଟା କରନ୍ତି ନାହିଁ… କିନ୍ତୁ ସତକଥା କହିବାକୁ ଗଲେ ଭାରତୀୟମା‌େ‌ନ ଏଭଳି ନଗ୍ନ ବ୍ୟକ୍ତିମାନଙ୍କୁ ଦେଖି ହିଁ ପାରନ୍ତି ନାହିଁ ଏବଂ ହୁଏତ ସମ୍ପୂର୍ଣ୍ଣ ଆନ୍ତରିକତାର ସହିତ ଏଭଳି ବ୍ୟକ୍ତିଙ୍କ ଅସ୍ତିତ୍ବକୁ ଅସ୍ବୀକାର କରିବେ: ପ୍ରଦୂଷଣଜନିତ ଭାରତୀୟ ମାନସିକତାରୁ ଜାତ ଏହା ଏକ ସାମୂହିକ ଅନ୍ଧତ୍ବ ଏବଂ ତହିଁରୁ ଜାତ ଏକ ବିଶ୍ବାସ ଯେ ଭାରତୀୟମାନେ ପୃଥିବୀର ସବୁ ପରିଷ୍କାର ପରିଚ୍ଛନ୍ନ ଲୋକ…’ (ପୃ.୭୦)। ‘ଆହତ ସଭ୍ୟତା’ର ମୁଖବନ୍ଧରେ ନାଇପଲ୍‌ ଲେଖିଲେ, ‘(ଭାରତଛଡ଼ା) ଅନ୍ୟକୌଣସି ସଭ୍ୟତା ବାହ୍ୟ ଜଗତରୁ ମୁକାବିଲା ପାଇଁ ଏତେ କମ୍‌ ପ୍ରସ୍ତୁତ ନଥିଲା; ଅନ୍ୟ କୌଣସି ଦେଶ ଏତେ ସହଜରେ ଆକ୍ରମଣ ଓ ଲୁଣ୍ଠନର ଶିକାର ହୋଇନଥିଲା। ଅନ୍ୟ କୌଣସି ଦେଶ ବିପତ୍ତିରୁ ଏତେ କମ୍‌ ଶିକ୍ଷାଲାଭ କରିଥିଲା।’ (ପୃ.୭)। ଏ ସମୟରେ ଭାରତ ଉପରେ ନାଇପଲ୍‌ଙ୍କ ଅତି ନିମ୍ନମତ ଥିଲା। ‘ମିଲିୟନ ମ୍ୟୁଟିନିଜ୍‌’ ବେଳକୁ ଭାରତ ଉପରେ ନାଇପଲ୍‌ଙ୍କ ମତରେ କିଛି ପରିବର୍ତ୍ତନ ଲକ୍ଷ୍ୟ କରାଯାଏ। ତାଙ୍କରି ଭାଷାରେ, ‘ସିପାହୀ’ ବିଦ୍ରୋହ ପରର ପ୍ରାୟ ୧୩୦ ବର୍ଷ- ବ୍ରିଟିଶ ଶାସନର ଶେଷ ୯୦ ବର୍ଷ ଏବଂ ସ୍ବାଧୀନତା ପରର ପ୍ରଥମ ୪୦ବର୍ଷ ଗୋଟିଏ ଐତିହାସିକ ସମୟର ଅଂଶବିଶେଷ ଭଳି ପ୍ରତୀୟମାନ ହେବା ଆରମ୍ଭ କରେ- ସ୍ବାଧୀନତାର ଧାରଣା (ଆଇଡିଆ) ଭାରତର ଚାରିଆଡ଼େ ପ୍ରସାରିତ ହୋଇଛି। ମୋଟାମୋଟି ଭାବେ ଉଚ୍ଚସ୍ଥାନରେ ଥିବା ବ୍ୟକ୍ତିମାନେ ସ୍ବାଧୀନତା ଆଣିଲେ; ସେମାନେ ଯେଉଁ ସ୍ବାଧୀନତା ଆଣିଲେ ତାହା ତଳକୁତଳକୁ ଗତି କରିଛି’ (ପୃ-୫୧୭)।
ଅନ୍ୟପକ୍ଷରେ ବାଜ‌େ‌ପୟୀ ମାଟିର ମଣିଷ ଥିଲେ। ଦେଶପ୍ରତି ପୂର୍ଣ୍ଣମାତ୍ରାରେ ସମର୍ପିତ ଥିଲେ। ତାଙ୍କ ସାହିତ୍ୟକୃତି ଓ କବିତାମାନଙ୍କରେ ଏହି ମନୋଭାବର ପ୍ରକାଶ ଦେଖାଯାଏ। କିଛି ଉଦାହରଣ: ‘ଶୀର୍ଷକ’ ‘ଅମର ୍‌ ଆଗ୍‌ ହୈ’। କୋଟିକୋଟି ଆକୁଲ ହୃଦୟୋଁ ମେଁ/ ସୁଲଗ୍‌ ରହି ହୈ ଯୋ ଚିନ୍‌ଗାରୀ/ ଅମର ଆଗ୍‌ ହୈ, ଅମର ଆଗ୍‌ ହୈ। (କୋଟି-କୋଟି ଆକୁଳ ହୃଦୟରେ/ ଯେଉଁ ନିଆଁ କୁହୁଳୁଛି/ ତାହା ଅମର ନିଆଁ, ତାହା ଅମର ନିଆଁ।) ଆଉ ଏକ ଶୀର୍ଷକ: କୋଟି ଚରଣ ବଢ଼ ରହେ ଧ୍ୟେୟ କୀ ଓର୍‌ ନିରନ୍ତର:- ୟହ ପରମ୍ପରା କା ପ୍ରବାହ ହୈ, କଭି ନ ଖଣ୍ଡିତ ହୋଗା ପୁତ୍ରୋଁ କେ ବଲ୍‌ ପର୍‌ ହି ମାଁ କା ମସ୍ତକ ମଣ୍ଡିତ ହୋଗା (କୋଟି ଚରଣ ବଢ଼ୁଛନ୍ତି ଧ୍ୟେୟକୁ ଲକ୍ଷ୍ୟ କରି ନିରନ୍ତର: ଏହା ପରମ୍ପରାର ପ୍ରବାହ ଅଟେ, କେବେବି ଖଣ୍ଡିତ ହେବନାହିଁ। ପୁତ୍ରଙ୍କ ବଳରେ ହିଁ ମା’ର ମସ୍ତକ ମଣ୍ଡିତ ହେବ।’ ଏମିତି ଅନେକ କବିତା।
ସାହିତ୍ୟର ଆଭିମୁଖ୍ୟ ଏବଂ ଭାରତପ୍ରତି ମନୋଭାବ ଦୃଷ୍ଟିରୁ ବାଜ​‌େ​‌ପୟୀ ଏବଂ ନାଇପଲ୍‌ ପରସ୍ପର ପୃଥକ ଜଣାପଡ଼ନ୍ତି। ତେବେ, ନାଇପଲ୍‌ ଭାରତ ଉପରେ, ବିଶେଷତଃ ଉତ୍ତର ଭାରତରେ ମୁସଲିମ୍‌ ଆକ୍ରମଣ ସମୟକୁ ପଶ୍ଚିମର ‘ଡାର୍କ ଏଜ୍‌’ (ଅନ୍ଧାର ଯୁଗ) ସହିତ ସମାନ ମନେକରନ୍ତି। (ମିଲିୟନ୍‌ ମ୍ୟୁଟିନିଜ୍‌, ପୃ.୫୧୭)। ଫଳରେ ଅନେକ ନାଇପଲ୍‌ଙ୍କୁ ଦକ୍ଷିଣପନ୍ଥୀ ଚିନ୍ତାଧାରା ପ୍ରତି ସମବେଦନଶୀଳ ମନେ କରନ୍ତି। ୨୦୦୧ ମସିହାରେ ନାଇପଲ୍‌ଙ୍କୁ ସାହିତ୍ୟରେ ନୋବେଲ୍‌ ପୁରସ୍କାର ମିଳିଥିଲା। ରବୀନ୍ଦ୍ରନାଥଙ୍କ ପରେ ସେ ଦ୍ବିତୀୟ ଭାରତୀୟ, ଯାହାଙ୍କୁ ସାହିତ୍ୟରେ ନୋବେଲ ପୁରସ୍କାର ମିଳିଲା। ନାଇପଲ୍‌ଙ୍କୁ ସମ୍ମାନ ଜଣାଇବା ପାଇଁ ୨୦୦୨ ମସିହାରେ ଦିଲ୍ଲୀର ବିଜ୍ଞାନ ଭବନରେ ଏକ ପାଞ୍ଚଦିନଆ ସାହିତ୍ୟ ସମାରୋହ ଆୟୋଜନ କରାଯାଇଥିଲା। ରାଜନୀତି ଏବଂ ସାହିତ୍ୟ କ୍ଷେତ୍ରରେ ପ୍ରାୟ ସବୁ ତୁଙ୍ଗବ୍ୟକ୍ତି ଏହି ସମାରୋହରେ ଅଂଶ ଗ୍ରହଣ କରିଥିଲେ। ସଦ୍ୟ ନୋବେଲ ପୁରସ୍କାର ପାଇଥିବା ହେତୁ ସ୍ବଭାବତଃ ସାର୍‌ ବିଦିଆ ଏହି ସମାରୋହର ମୁଖ୍ୟ ଆକର୍ଷଣ ଥିଲେ। ସେ ସମୟରେ ବାଜ​‌େ​‌ପୟୀ ପ୍ରଧାନମନ୍ତ୍ରୀ ଥିଲେ। ବାଜ​‌େ​‌ପୟୀ ଏ ସମାରୋହରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଅର୍ଥାତ୍‌, ଗୋଟିଏ ସମାରୋହରେ ବାଜ‌େପୟୀ ଓ ନାଇପଲ୍‌। ଦୁଇ ଜଣଙ୍କ ମଧ୍ୟରେ ବେଶ ମତ ବିନିମୟ ହୋଇଥିଲା। ସାହିତ୍ୟ ଆଲୋଚନାରେ ଭାରତୀୟ ଭାଷାରେ ଲେଖାଯାଉଥିବା ସାହିତ୍ୟକୁ ‘ଭାଷା’ ସାହିତ୍ୟ କହନ୍ତି। ଅର୍ଥାତ୍‌ ଇଂରାଜୀରେ ଲେଖା ଅଲଗା ଏବଂ ‘ଭାଷା’ରେ ଲେଖା ଅଲଗା। ଇଂରାଜୀ ବନାମ୍‌ ଭାଷା ଥିଲା ବାଜ‌େପୟୀ-ନାଇପଲ୍‌ ସଂଳାପର ମୂଳ ତତ୍ତ୍ବ।
ସଭାକୁ ଉଦ୍‌ବୋଧନ ଦେଇ ବାଜ‌େ‌ପୟୀ ‘ଭାଷା’ ସାହିତ୍ୟ ଉପରେ ଆଲୋକପାତ କରିଥିଲେ। ଭାରତୀୟ ଭାଷାରେ ଲେଖୁଥିବା ସାହିତ୍ୟିକମାନଙ୍କ ଅସୁବିଧା ଓ ସମସ୍ୟା ବିଷୟରେ ମତ ରଖିଲେ। ଉତ୍ତରରେ ନାଇପଲ୍‌ କହିଲେ, ‘ପ୍ରଧାନମନ୍ତ୍ରୀ ଭାରତୀୟ ଭାଷାରେ ଲେଖା ଉପରେ ମର୍ମସ୍ପର୍ଶୀ ଭାଷଣ ଦେଲେ; କିନ୍ତୁ ଲେଖା ନିର୍ଭର କରେ ପାଠକଙ୍କ ଉପରେ। ଯଦି ଯଥେଷ୍ଟ ଲୋକ ତାଙ୍କ ଲେଖା ପଢ଼ୁ ନାହାନ୍ତି, ତେବେ କିଛି କରାଯାଇ ପାରିବ ନାହିଁ। ଏମିତି ନହେଲେ ଭଲ ହୁଅନ୍ତା’। ସେ ଆହୁରି କହିଲେ, ‘ଭଲ ସମାଲୋଚକ ନ ପାଇବା ପର୍ଯ୍ୟନ୍ତ ଆପଣ ଭାରତରେ ଭଲ ଲେଖା ପାଇବେ ନାହିଁ।’ ନାଇପଲ୍‌ ଆହୁରି ମତ ପ୍ରକାଶ କଲେ ଯେ ଭାରତର ଏକମାତ୍ର ଭଲ ସମାଲୋଚକ ହେଲେ ପଙ୍କଜ ମିଶ୍ର। ସଂଯୋଗକୁ ବା ଦୁର୍ଭାଗ୍ୟକୁ, ପଙ୍କଜ ମିଶ୍ର ସେ ସମାବେଶରେ ଉପସ୍ଥିତ ନଥିଲେ। ନାଇପଲ୍‌ କଟାକ୍ଷ କରି କହିଲେ ଯେ ଇଂରାଜୀର ଭାରତୀୟ ଲେଖା ‘ସମ୍ପୂର୍ଣ୍ଣ ଭାବେ ଭାରତ ବାହାରେ ଘଟୁଛି’।
ବାଜ​‌େ​‌ପୟୀ ଏବଂ ନାଇପଲ୍‌ଙ୍କ ମଧ୍ୟରେ ହୋଇଥିବା ଏହି ‘ଆଦାନ ପ୍ରଦାନ’ ଜିଜ୍ଞାସୁ ମନକୁ ଖୋରାକ ଯୋଗାଏ। ଭାଷା ସାହିତ୍ୟରେ ପାଠକଙ୍କ ଅଭାବ ଏକ ବଡ଼ ପ୍ରଶ୍ନ। ବହି ବିକ୍ରି ନହେବାରୁ ଲେଖକଙ୍କୁ ପାଉଣା କମ୍‌ ମିଳେ। ନାଁ ମଧ୍ୟ ସୀମିତ ହୁଏ। ଅନ୍ୟ ପକ୍ଷରେ ଯେଉଁମାନେ ଇଂରାଜୀରେ ଲେଖିଲେ, ଯଥା ନାଇପଲ୍‌, ସଲ୍‌ମାନ୍‌ ରୁଶ୍‌ଦୀ, ଅମିତାଭ ଘୋଷ, ଝୁମ୍ପା ଲାହିଡ଼ି ଇତ୍ୟାଦି ଆନ୍ତର୍ଜାତିକ ଖ୍ୟାତି ଅର୍ଜନ କଲେ ଏବଂ ଭଲ ଅର୍ଥ ଉପାର୍ଜନ କଲେ। ଏଣୁ ଇଂରାଜୀ ବନାମ୍‌ ଭାଷା ସାହିତ୍ୟର ଏକ ବିଚାର୍ଯ୍ୟ ବିଷୟ ଅଛି ଯାହା ଉକ୍ତ ବାଜ​‌େ​‌ପୟୀ-ନାଇପଲ୍‌ ସଂଳାପରୁ ସ୍ପଷ୍ଟ ହୁଏ। ବାଜ​‌େ​‌ପୟୀ ଭାଷା ସାହିତ୍ୟ, ଅର୍ଥାତ୍‌ ଦୁର୍ବଳର ସପକ୍ଷରେ ଠିଆହେଲେ ନାଇପଲ୍‌ ସବଳର ସପକ୍ଷରେ ଉପସଂହାରକୁ ଆସିବା। ବର୍ତ୍ତମାନ ଉଭୟ ବାଜ‌‌‌େପୟୀ ଓ ନାଇପଲ୍‌ ଆରପାରିରେ। ଦୁହେଁ ସାହିତ୍ୟାନୁରାଗୀ। ଦୁହେଁ ନିଜନିଜ କ୍ଷେତ୍ରରେ ପାରଙ୍ଗମ ଏବଂ ନିଜ ମତରେ ଅଟଳ। ମର୍ତ୍ତ୍ୟଲୋକରେ ଦୁହେଁ ଚରମ ଲୋକପ୍ରିୟତା ଓ ସଫଳତା ହାସଲ କରିଥିଲେ। ମନେହୁଏ, ଇଂରଜୀ ବନାମ୍‌ ଭାଷା ସାହିତ୍ୟ ନେଇ ତାଙ୍କ ଭିତରେ ନିରନ୍ତର ଆଲୋଚନା ଚାଲିଥିବ ଆର ପାରିରେ ମଧ୍ୟ।

Leave A Reply