‘ଖୁସି’ରୁ ହେବାକୁ ଥିବା ଦୁଃଖ ସମ୍ପର୍କରେ
ଘାସିରାମ ପଣ୍ଡା
ଅକ୍ଟୋବର ୨ ତାରିଖରୁ ରାଜ୍ୟରେ ଦୁଇଟି ବିଶେଷ ଯୋଜନା ଆରମ୍ଭ ହେବ । ଏହି ଦିନଠାରୁ ରାଜ୍ୟର ପ୍ରମୁଖ କିଛି ସହରରେ ପ୍ଲାଷ୍ଟିକ ନିଷିଦ୍ଧ ହେବ । ଏହି ଦିନଠାରୁ ‘ଖୁସି’ ଯୋଜନା ମଧ୍ୟ କାର୍ଯ୍ୟକାରୀ ହେବ। ଖୁସି ଯୋଜନାରେ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ସହାୟତାପ୍ରାପ୍ତ ବିଦ୍ୟାଳୟରେ ଷଷ୍ଠରୁ ଦ୍ୱାଦଶ ପର୍ଯ୍ୟନ୍ତ ପଢୁଥିବା ୧୭ ଲକ୍ଷ କିଶୋରୀଙ୍କୁ ସାମିଲ କରାଯିବ। ଋତୁସ୍ରାବ ସମୟରେ ବ୍ୟବହାର କରିବାକୁ ଏମାନଙ୍କୁ ମାଗଣାରେ ପ୍ୟାଡ ଯୋଗାଇ ଦିଆଯିବ । ଉଭୟ ବହୁ ପ୍ରତୀକ୍ଷିତ ଓ ସ୍ୱାଗତଯୋଗ୍ୟ ପଦକ୍ଷେପ ।
ଋତୁସ୍ରାବକୁ ନେଇ ଆମ ସମାଜରେ ଅନେକ ଭ୍ରାନ୍ତ ଧାରଣା ରହିଛି। ଋତୁସ୍ରାବ ସମୟରେ ମହିଳାଙ୍କୁ ଅଶୁଦ୍ଧ ଓ ଅଶୁଭ ମନେକରାଯାଏ। ଏହି ହେତୁ ପୂଜାସ୍ଥଳ, ରୋଷେଇ ଘର ପ୍ରଭୃତିଠୁ ସେମାନଙ୍କୁ ଦୂରେଇ ରଖାଯାଏ। କିଛି ଜାତିରେ ଥିବା ପରମ୍ପରା ଅନୁଯାୟୀ ଏହି ସମୟରେ ଘରେ ପ୍ରବେଶର ଅନୁମତି ନଥିବାରୁ ବାଳିକା ଓ ମହିଳାମାନଙ୍କୁ ଘର ବାହାରେ ଥିବା ଗୁହାଳ ପ୍ରଭୃତି ଅପରିଷ୍କାର ଓ ଅସୁରକ୍ଷିତ ଜାଗାରେ ରହିବାକୁ ପଡେ। ପ୍ରଚଳିତ ରୂଢ଼ିବାଦୀ ସାମାଜିକ ଓ ଧାର୍ମିକ ଚିନ୍ତାଧାରା ହେତୁ ଋତୁସ୍ରାବଜନିତ ଆଲୋଚନାକୁ ଅସଭ୍ୟ ଓ ଅସୌଜନ୍ୟ ମନେକରାଯାଏ। ଏଣୁ ଏନେଇ ଚର୍ଚ୍ଚା, ଆଲୋଚନାର ସୁଯୋଗ ମିଳେନାହିଁ। ଫଳରେ ଋତୁସ୍ରାବଜନିତ ପରିଚ୍ଛନ୍ନତା ସମ୍ପର୍କିତ ସଚେତନତା ମଧ୍ୟ ଅନେକଙ୍କଠାରେ ପହଞ୍ଚି ପାରି ନଥାଏ। ସ୍ରାବକୁ ରୋକିବା ପାଇଁ କେହିକେହି କୁଟା, ନଡା ବ୍ୟବହାର କରୁଥିବାର ନଜିର ଥିବାବେଳେ ଅନେକେ କନା ବ୍ୟବହାର କରନ୍ତି। ପରିଷ୍କାର କନା ବ୍ୟବହାର କରିବାରେ ଅସୁବିଧା ନାହିଁ। ହେଲେ ସଙ୍କୋଚବଶତଃ ବ୍ୟବହୃତ ଲୁଗାକୁ ସଫା କରିବା ଓ ସୂର୍ଯ୍ୟାଲୋକରେ ଶୁଖେଇବା ମହିଳାଙ୍କ ପକ୍ଷେ ସମ୍ଭବ ହୁଏ ନାହିଁ। ଅପରିଷ୍କାର କନାର ବାରମ୍ବାର ବ୍ୟବହାର ହେତୁ ସେମାନେ ସଂକ୍ରମିତ ଯୌନ ରୋଗର ଶିକାର ହୁଅନ୍ତି। ପ୍ୟାଡ ସବୁଠି ଉପଲବ୍ଧ ନୁହେଁ। କିଛି ଜାଗାରେ ମିଳୁଥିବା ସତ୍ତ୍ବେ ଆର୍ଥିକ ଅସୁବିଧା ହେତୁ କିଶୋରୀମାନଙ୍କର କିଣିବା କ୍ଷମତା ନଥାଏ। ଆଉ କିଛି ଜାଗାରେ ଦୋକାନକୁ ଯାଇ କିଣିବା ଭଳି ଅନୁକୂଳ ବାତାବରଣ ନଥିବାରୁ ଅନେକେ ଚାହିଁ ମଧ୍ୟ ବ୍ୟବହାର କରିପାରନ୍ତି ନାହିଁ। ଏଭଳି ସ୍ଥିତିରେ ଖୁସି ଭଳି ଏକ ଯୋଜନା କିଶୋରୀଙ୍କ ପାଇଁ ବିଶେଷ ସହାୟକ ହେବ। ଅତିକମରେ ବିଦ୍ୟାଳୟମାନଙ୍କରେ ଏହାର ଖୋଲା ବଣ୍ଟନ ସାମାଜିକ ଓ ଧାର୍ମିକ ରୂଢିବାଦକୁ ଦୂର କରିବାରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇପାରିବ।
ପ୍ଲାଷ୍ଟିକଜନିତ ଆବର୍ଜନା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। କ୍ରମବର୍ଦ୍ଧିଷ୍ଣୁ ପରିବେଶ ପ୍ରଦୂଷଣ, ମଣିଷ ଓ ପଶୁଙ୍କ ଜୀବନ ହାନି, ମାଟିର ଉର୍ବରତା ନଷ୍ଟର ଏହା ଏକ ପ୍ରମୁଖ କାରକ। ସହରାଞ୍ଚଳରେ ପ୍ଲାଷ୍ଟିକ ଓ ଅନ୍ୟ ବର୍ଜ୍ୟ ବସ୍ତୁର ପରିଚାଳନା ପାଇଁ ଆଇନ ଥିବାବେଳେ ଏପର୍ଯ୍ୟନ୍ତ ଠିକଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ। ଗାନ୍ଧୀ ଜୟନ୍ତୀଠାରୁ ପାଞ୍ଚଟି ପ୍ରମୁଖ ସହରରେ ପ୍ଲାଷ୍ଟିକ ନିଷିଦ୍ଧ କରାଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସହରାଞ୍ଚଳରେ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ରାଜନୈତିକ ଇଚ୍ଛାଶକ୍ତିର ପରିପ୍ରକାଶ। ପରେ ଏହା ସମଗ୍ର ରାଜ୍ୟକୁ ପରିବ୍ୟାପ୍ତ ହେବ ବୋଲି ସରକାର ଯୋଜନା କରିଥିବା ମଧ୍ୟ ଜଣାପଡିଛି।
ଗୋଟିଏ ଦିନରେ ଘୋଷିତ ଏହି ଦୁଇ ମହଦାକାଂକ୍ଷୀ ଯୋଜନା କିନ୍ତୁ ପରସ୍ପର ପ୍ରତି ଆହ୍ୱାନ ସୃଷ୍ଟି କରିବ। ଖୁସି ଯୋଜନାରେ ପ୍ରତି ମାସରେ ୧୭ ଲକ୍ଷ କିଶୋରୀଙ୍କୁ ପ୍ୟାଡ ବଣ୍ଟନ କରାଯିବ। ଋତୁସ୍ରାବ ସମୟରେ ଜଣେ ଅତିକମରେ ଆଠଟି ପ୍ୟାଡ ବ୍ୟବହାର କରିବେ। ଏଣୁ ମାସରେ ଏକ କୋଟି ଛତିଶ ଲକ୍ଷ ଓ ବର୍ଷରେ ଷୋହଳ କୋଟି ବତିଶ ଲକ୍ଷ ପ୍ୟାଡ ବ୍ୟବହୃତ ହେବ। ସରକାର ଏତେଗୁଡିଏ ପ୍ୟାଡ ଓଡିଶା ଔଷଧ ନିଗମ ମାଧ୍ୟମରେ କ୍ରୟ କରିବେ ଓ ଓପେପା ମାଧ୍ୟମରେ ବିଦ୍ୟାଳୟ ଦେଇ କିଶୋରୀଙ୍କ ପର୍ଯ୍ୟନ୍ତ ପହଞ୍ଚିବ। ଏହା ବ୍ୟତୀତ ବିଦ୍ୟାଳୟ ବାହାରେ ଥିବା ସାମାଜିକ ଓ ଆର୍ଥିକ ଦୁର୍ବଳ ବର୍ଗ ମହିଳାଙ୍କୁ ଏହା ଶସ୍ତାରେ ଯୋଗେଇ ଦିଆଯିବା ଘୋଷଣା ହୋଇଛି। ପ୍ୟାଡଗୁଡିକ ଥରେ ବ୍ୟବହାର କଲାପରେ ଆଉ କାମରେ ଆସିନଥାଏ। ଏଥିରେ ମହିଳାଙ୍କ ଗୁପ୍ତାଙ୍ଗ ରକ୍ତ ଲାଗୁଥିବାରୁ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅନେକେ ଏହାକୁ ପାଣିରେ ଫୋପାଡି ଦିଅନ୍ତି ତ କେହିକେହି ମାଟିରେ ପୋତି ଦିଅନ୍ତି। ଆଉ କେତେକ ଏହାକୁ ପୋଡି ମଧ୍ୟ ଦିଅନ୍ତି। ପ୍ୟାଡରେ ପ୍ଲାଷ୍ଟିକ ବ୍ୟବହୃତ ହେଉଥିବା କାରଣରୁ ପାଣିରେ ଫୋପାଡିଲେ ଅଥବା ମାଟିରେ ପୋତିଲେ ବି ଏହା ବିଘଟିତ ହୁଏ ନାହିଁ। ପୋଡିଦେବା ଦ୍ୱାରା ଏଥିରୁ ବିଷାକ୍ତ ବାଷ୍ପ ନିର୍ଗତ ହୋଇ ପ୍ରଦୂଷଣର ମାତ୍ରା ବଢେଇଥାଏ। ଖୁସି ବର୍ଷକରେ ଏତେ ବିପୁଳ ମାତ୍ରରେ ବିଘଟନ ଅଯୋଗ୍ୟ ବର୍ଜ୍ୟ ନିର୍ଗତ କରିବାକୁ ଥିବାରୁ ଠିକ ପରିଚାଳନା ନକଲେ ମାଟି ଉପରେ ବର୍ଜ୍ୟବସ୍ତୁର ଆସ୍ତରଣ ତିଆରି ହେବ। ଗୋଟିଏ ଯୋଜନା ପ୍ଲାଷ୍ଟିକମୁକ୍ତ ପାଇଁ ଆରମ୍ଭ ହେଲା ବେଳକୁ ଅପରଟି କୁଢକୁଢ ପ୍ଲାଷ୍ଟିକ ବର୍ଜ୍ୟ ନିର୍ଗତ କରିବ। ଏଣୁ ଯୋଜନା ଆରମ୍ଭରୁ ଠିକ ପରିଚାଳନା ବ୍ୟବସ୍ଥା କରିବାକୁ ହେବ। ଖୁସି ପାଇଁ କ୍ରୟ ହେବାକୁ ଥିବା ପ୍ୟାଡର କିଛି ବିକଳ୍ପ ମଧ୍ୟ ରହିଛି ଯାହା ପରିବେଶ ଅନୁକୂଳ। ଯେପରିକି ବାରମ୍ବାର ବ୍ୟବହାରଯୋଗ୍ୟ କନାର ପ୍ୟାଡ। ହେଲେ ଏହାକୁ ସବୁବେଳେ ସଫା କରି ରଖିବା, ସୁଖେଇବାରେ ସେହି ପୁରୁଣା ସମସ୍ୟା ଉପୁଜିବ। ଏଣୁ ଏହାକୁ ବିକଳ୍ପ ଭାବେ ଗ୍ରହଣ କରିବା ସୁବିଧାଜନକ ହୋଇ ନପାରେ। ହେଲେ ଏବେ ବଜାରରେ ବାରମ୍ବାର ବ୍ୟବହାର ଯୋଗ୍ୟ ‘ମେନସୁରାଲ କପ’ ମିଳୁଛି। ଏହା ଗୋଟାକୁ ୩୦୦ ରୁ ୫୦୦ ଟଙ୍କାରେ ମିଳେ ଓ ପାଞ୍ଚ-ଛଅ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରାଯାଇ ପାରିବ। ପ୍ରତି ଥର ଏତେ ସଂଖ୍ୟାରେ ପ୍ୟାଡ କିଣାଯିବା, ସବୁ ମାସରେ ବାଣ୍ଟିବା ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହି ‘କପ’ କିଣା ଯାଇ କିଶୋରୀଙ୍କ ଦିଆଯାଇ ପାରିବ। ଏହା ପ୍ୟାଡଜନିତ ବର୍ଜ୍ୟର ପରିମାଣକୁ ବହୁମାତ୍ରାରେ କମ କରିପାରିବ। କପର ବ୍ୟବହାର ତୁଳନାତ୍ମକ ଭାବେ ନୂଆ। ଏଣୁ ଏହାର ପିନ୍ଧିବା ଶୈଳୀ, ସଫା କରି ସାଇତି ରଖିବା ଓ ପୁନଃ ବ୍ୟବହାର ପ୍ରଣାଳୀ ବିଷୟରେ ସମସ୍ତଙ୍କୁ ଶିଖେଇବାକୁ ପଡିପାରେ। ଏସବୁ ବିକଳ୍ପ ସତ୍ୱେ ପ୍ୟାଡଜନିତ ବର୍ଜ୍ୟର ପରିଚାଳନା ଉପରେ ଗୁରୁତ୍ୱ ଦେବାକୁ ହେବ। ଖୁସିକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ବର୍ଷରେ ପ୍ରାୟ ୭୦ କୋଟି ବ୍ୟୟ କରିବେ। ଅାଉ ଅଧିକ କିଛି ବ୍ୟୟବରାଦ କରି ଆଞ୍ଚଳିକ ସ୍ତରରେ ବର୍ଜ୍ୟ ପରିଚାଳନା ସ୍ଥଳ ତିଆରି କରାଯିବା ଆବଶ୍ୟକତା ରହିଛି। କିଶୋରୀମାନଙ୍କ ନିକଟକୁ ପ୍ୟାଡ ପହଞ୍ଚାଇବାକୁ ସୁନିଶ୍ଚିତ କରିବା ପାଇଁ ଯେପରି ପ୍ରତ୍ୟେକ ସ୍ତରରେ ଦାୟିତ୍ୱ ଦିଆଯାଇଛି, ସେହିପରି ବ୍ୟବହୃତ ପ୍ୟାଡକୁ ସଂଗ୍ରହ କରି ଏହି ବର୍ଜ୍ୟ ପରିଚାଳନା ସ୍ଥଳମାନଙ୍କରେ ପହଞ୍ଚାଇବାର ଉତ୍ତରଦାୟିତ୍ୱ ମଧ୍ୟ ନ୍ୟସ୍ତ କରିବାକୁ ପଡିବ। ଖୁସିରୁ ହେବାକୁ ଥିବା ବର୍ଜ୍ୟ ସୁପରିଚାଳିତ ନହେଲେ ଦୁଃଖ ବଳେଇ ପଡିବ।
ସୁବର୍ଣ୍ଣପୁର
[email protected]