BJD Bijuli 480×75 Mob

ଯାହା କହିବି, ସତ କହିବି

BJD Bijuli 480×75 Mob
0

ପ୍ରଭାସ ଆଚାର୍ଯ୍ୟ

ଚଳଚ୍ଚିତ୍ରରେ ଯେତେବେଳେ ଆମେ କୌଣସି ବିଚାରାଳୟର ଦୃଶ୍ୟ ଦେଖୁ, ସେଥିରେ ନାଲି କପଡ଼ାରେ ଗୁଡ଼ା ହୋଇଥିବା ବହି ଉପରେ ହାତ ଥୋଇ କଳାକାରମାନେ ସତ୍ୟବଚନର ସତ୍ୟପାଠ କରିଥାଆନ୍ତି। ଜଣେ ଅଦାଲତର କର୍ମଚାରୀ ତାହା କାଠଗଡ଼ାରେ ଠିଆ ହୋଇଥିବା ବ୍ୟକ୍ତି ନିକଟକୁ ଆଣିଥାନ୍ତି ଓ ଶପଥ ଶେଷ ହେଲାପରେ ଯଥାସ୍ଥାନକୁ ନେଇଯାଆନ୍ତି। ଧର୍ମ ନାମରେ ବା ଧର୍ମଗ୍ରନ୍ଥ ସ୍ପର୍ଶ କରିବା ସମୟରେ ଅନ୍ତତଃ ଜଣେ ଯେଉଁ ବାକ୍ୟ ବିନିମୟ କରିବ ତାହା ମିଥ୍ୟା ହୋଇ ନ ପାରେ ବୋଲି ଆମର ଯେଉଁ ଧାରଣା ଅଛି, ତାହାରି ଉପରେ ଏହା ପର୍ଯ୍ୟବସିତ। ଚଳଚ୍ଚିତ୍ର ନି‌େ‌ର୍ଦଶକମାନେ ଦୃଶ୍ୟାବଳୀରେ ନାଟକୀୟତାର ଅନ୍ତଃକ୍ଷେପ ନିମିତ୍ତ ଏପରି କରିଥାଆନ୍ତି। ବାସ୍ତବରେ ଅଦାଲତରେ ଏପରି କିଛି ହୁଏ ନାହିଁ। ତେବେ ସାକ୍ଷ୍ୟ ଦେବା ପୂର୍ବରୁ ସାକ୍ଷୀମାନେ ସତ୍ୟ-ସାକ୍ଷ୍ୟ ପ୍ରଦାନ ନିମିତ୍ତ ସତ୍ୟପାଠ କରନ୍ତି।
ଧର୍ମଗ୍ରନ୍ଥକୁ ସ୍ପର୍ଶକରି ଶପଥ ନେବାର ଏହି ଧାରା ମୋଗଲମାନଙ୍କ ସମୟରୁ ଆରମ୍ଭ ହୋଇଥିବାର ଜଣାଯାଏ। ହିନ୍ଦୁମାନେ ଗୀତା, ମୁସଲମାନମାନେ କୋରାନ ଛୁଇଁ ଶପଥ ନେଉଥିଲେ। ମୋଗଲ ସାମ୍ରାଜ୍ୟରେ ‘ଭାରତୀୟ ଶପଥ ଅଧିନିୟମ ୧୮୭୩’ର ପ୍ରଚଳନ ହୋଇ ବ୍ରିଟିଶ ଶାସନକାଳରେ ମଧ୍ୟ ଜାରି ରହିଲା। ତେବେ ଆଧୁନିକ ସମୟରେ କୌଣସି ନିର୍ଦିଷ୍ଟ ଧର୍ମଗ୍ରନ୍ଥର ନାମ ନ ନେଇ କୁହାଯାଏ ‘ମୁଁ ଈଶ୍ୱରଙ୍କ ନାମରେ ଶପଥ କରୁଛି ଯେ ଯାହା କହିବି ସତ କହିବି, ସମ୍ପୂର୍ଣ୍ଣ ସତ୍ୟ ଏବଂ ସତ ବ୍ୟତୀତ ଆଉ କିଛି ନୁହେଁ।’ ଏହାକୁ ସଂକ୍ଷିପ୍ତ କରି ଏବେ ଅଦାଲତରେ ସାକ୍ଷ୍ୟ ପୂର୍ବରୁ ‘ଯାହା କହିବି ସତ କହିବି’ ଏତିକିରେ କାମ ଚଳି ଯାଉଛି। ନ୍ୟାୟାଳୟରେ କିନ୍ତୁ ବିଚାରପତିଙ୍କ ସମ୍ମୁଖରେ ଏପରି ଶପଥ ନେବା ପରେ ସାକ୍ଷ୍ୟ ପ୍ରଦାନ କରୁଥିବା କେତେଜଣ ବାସ୍ତବରେ ସତ୍ୟ ବଚନ ହିଁ କହିଥାନ୍ତି ତାହା ଆଲୋଚନାର ବିଷୟ। ମିଥ୍ୟାର ଆଶ୍ରୟ ନେଇ ସେହି ମିଥ୍ୟା ସାକ୍ଷ୍ୟ ବଳରେ ମାମଲାରେ ବିଜୟଲାଭ କରିବା ପ୍ରାଧାନ୍ୟ ଲାଭ କରିବ ନା ସତ୍ୟର ଅବତାରଣା କରି ପରାଜୟ ଲାଭ କରିବା ଶ୍ରେୟସ୍କର ମଣିବା ତାହା ଯୁଗଧର୍ମ ହିଁ ଦିଶା ନିର୍ଦେଶ କରିଥାଏ।
ଆମ ଶାସ୍ତ୍ର ପୁରାଣରେ ଯେକୌଣସି ନୀତିକୁ ବ୍ୟାଖ୍ୟା କଲାବେଳେ ତାହାର ସକାରାତ୍ମକ ଓ ନକାରାତ୍ମକ, ଏଭଳି ଦୁଇଟି ଦିଗ ପାଇଁ ଢଗଢମାଳି ମାଧ୍ୟମରେ ଦିଗ ନି​‌େ​‌ର୍ଦଶ ମିଳିଥାଏ। ନିଜ ସ୍ୱାର୍ଥକୁ ଆଗରେ ରଖୁଥିବା ବ୍ୟକ୍ତି ‘ଆପେ ବଞ୍ଚିଲେ ବାପର ନାଅାଁ’ କହୁଥିବା ବେଳେ ଆଉ କେହି “ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ” ଭଳି ଉକ୍ତିକୁ ଆପଣେଇଥାନ୍ତି। ସାମାଜିକ ଜୀବନର ଅଧଃପତନ ସମାଜର ସବୁ ଦିଗକୁ ବ୍ୟାପିବା ସ୍ୱାଭାବିକ। ତେଣୁ ମିଥ୍ୟା, ଠକାମି ଯଦି ସାଧାରଣ ଜୀବନର ଧାରା ହୋଇଯାଏ, ତା’ହେଲେ ତାହା ଅଦାଲତରେ ପହଞ୍ଚିବ ନାହିଁ କାହିଁକି? ଅନେକ ସମୟରେ ଅଦାଲତମାନଙ୍କର ସାକ୍ଷ୍ୟ ପ୍ରଦାନ କରିବା ପାଇଁ ପେସାଗତ ଠକ ମଧ୍ୟ ଭଡ଼ାରେ ମିଳନ୍ତି ଯେଉଁମାନେ ଅର୍ଥ ବିନିମୟରେ ସାକ୍ଷ୍ୟ ପ୍ରଦାନ କରିଥାନ୍ତି। ସେହିପରି ଜିମାରେ ନେବାକୁ ଗ୍ୟାରେଣ୍ଟର ମଧ୍ୟ ଆଜିକାଲି ଅର୍ଥ ବିନିମୟରେ ମିଳନ୍ତି ଓ ସେମାନେ ଅଧିବକ୍ତାମାନଙ୍କର ଅନେକ ସମସ୍ୟାର ଆଶୁ ସମାଧାନ କରିବା ସହ ମହକିଲଙ୍କ ପାଇଁ ମହାର୍ଘ ହୋଇଥାନ୍ତି।
ମିଥ୍ୟା ସାକ୍ଷ୍ୟ ଦ୍ୱାରା ମାମଲାକୁ ଭିନ୍ନ ମୋଡ଼ ଦେଇ ଓ ଅନେକ ସମୟରେ ମାମଲା ଜିତିବାରେ ସହାୟତା କରିଥିଲେ ମଧ୍ୟ ସେହି ମିଥ୍ୟାବାଦୀଙ୍କର କିଛି କ୍ଷତି ହୋଇ ନ ଥାଏ। ସରକାରୀ କର୍ମଚାରୀଙ୍କୁ ମିଥ୍ୟା ତଥ୍ୟ ପ୍ରଦାନ ଭାରତୀୟ ପିଙ୍ଗଳ କୋଡ୍‌ର ୧୭୭ଧାରା ଅନୁସାରେ ଏକ ଅପରାଧ। ଜଣେ ସରକାରୀ କର୍ମଚାରୀଙ୍କୁ ଆଇନ ଅନୁସାରେ ତଥ୍ୟ ପ୍ରଦାନ ପାଇଁ ଯିଏ ବାଧ୍ୟ, ସେ ଯଦି ମିଥ୍ୟା କଥା ଜାଣି ବା ଜାଣିଥିବା ଭଳି ପରିସ୍ଥିତିରେ ତାହାକୁ ସତ୍ୟ ବୋଲି ଉପସ୍ଥାପନ କରେ, ସେ ଦଣ୍ଡ ପାଇବା ଯୋଗ୍ୟ। ସେହିପରି, ଆଇନାନୁଯାୟୀ ଜଣେ ସରକାରୀ ଅଧିକାରୀ ବା ଆଇନ ଦ୍ୱାରା ଅଧିକୃତ ବ୍ୟକ୍ତିଙ୍କ ପାଖରେ ତଥ୍ୟ ପ୍ରଦାନ ପାଇଁ ବାଧ୍ୟବ୍ୟକ୍ତି ଯଦି ଅସତ୍ୟ, ମିଥ୍ୟା ବା ମିଥ୍ୟା ପରି ତାଙ୍କୁ ପ୍ରତୀୟମାନ ତଥ୍ୟ ଉପସ୍ଥାପନ କରନ୍ତି ସେ ମଧ୍ୟ ଧାରା ୧୮୧ ଅନୁଯାୟୀ ଅପରାଧୀ ଭାବେ ଦଣ୍ଡିତ ହେବେ। ଆଇନ ଅନୁଯାୟୀ ସତ୍ୟପାଠ ମାଧ୍ୟମରେ କୌଣସି ବିଷୟରେ ସତ୍ୟର ଉଦ୍‌ଘୋଷଣା ପାଇଁ ବାଧ୍ୟ ବ୍ୟକ୍ତିଟିଏ ଯଦି ଜ୍ଞାତସାରରେ ବା ମିଥ୍ୟା ସମ୍ପର୍କରେ ଜାଣିଶୁଣି ମିଥ୍ୟା ପ୍ରମାଣ ଦେଇଥାଏ ତାହା ପିଙ୍ଗଳ କୋଡ଼ର ୧୯୧ ଧାରା ଅନୁସାରେ ସତ୍ୟପାଠକୁ ‘ମିଥ୍ୟା ପ୍ରମାଣ’ ଭାବେ ଗ୍ରହଣ କରାଯାଇ ଦଣ୍ଡବିଧାନ କରାଯାଇପାରେ। ନ ଜାଣିଥିବା କଥାକୁ ଜାଣିଥିବା ଓ ଅବିଶ୍ୱାସ କରୁଥିବା ତଥ୍ୟକୁ ବିଶ୍ୱାସ କରୁଥିବା କହିବା ମଧ୍ୟ ଏଭଳି ମିଥ୍ୟା ପ୍ରମାଣର ଅନ୍ତର୍ଭୁକ୍ତ।
ବିଚାରାଳୟର ପ୍ରମାଣ ଭାବେ ଉପସ୍ଥାପିତ ହେବାକୁ ଥିବା ଖାତା, ପୁସ୍ତିକା, ରେକର୍ଡ ବା ଇଲେକ୍ଟ୍ରୋନିକ ରେକର୍ଡ଼କୁ ଯଦି ମିଥ୍ୟା ବା ଅସତ୍ୟ ତଥ୍ୟ ଦ୍ୱାରା ପ୍ରସ୍ତୁତ କରାଯାଇଥାଏ ତା’ହେଲେ ଭାରତୀୟ ପିଙ୍ଗଳ କୋଡର ଧାରା ୧୯୨ ଲାଗୁ ହୋଇ ଧାରା ୧୯୩ ଅନୁସାରେ ଦଣ୍ଡିତ ହେବେ। ଅଦାଲତ ଓ ଅଦାଲତ ବାହାରେ ସରକାରୀ କାର୍ଯ୍ୟକ୍ରମରେ ବିବିଧ ସତ୍ୟପାଠରେ ଅସତ୍ୟ ବା ମିଥ୍ୟାର ପ୍ରୟୋଗ କରୁଥିବା ଅସଂଖ୍ୟ ଘଟଣାରେ କିନ୍ତୁ ଏହି ଆଇନର ପ୍ରୟୋଗ ନଗଣ୍ୟ। ଫଳସ୍ୱରୂପ, ମିଥ୍ୟା ତଥ୍ୟ ପ୍ରଦାନ ଓ ମିଥ୍ୟା ସତ୍ୟପାଠର କ୍ରମବର୍ଦ୍ଧିଷ୍ଣୁ ଦୃଷ୍ଟାନ୍ତ ଆମ ଆଗରେ ଅଗଣିତ।
ନିକଟ ଅତୀତରେ ମିଥ୍ୟା ସାକ୍ଷ୍ୟ ପ୍ରଦାନ ସମ୍ବନ୍ଧରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଯେଉଁ ରାୟ ଦେଇଛନ୍ତି ତାହା ସ୍ୱାଗତଯୋଗ୍ୟ। ଗୋଟିଏ ସ୍ଥାୟୀ ନିଷେଧାଦେଶ ନିମିତ୍ତ ଦାଖଲ ହୋଇଥିବା ଏକ ମକଦ୍ଦମାର ବିଚାର ଅବସରରେ ପ୍ରତିପକ୍ଷ ଦେଇଥିବା ଏକ ମନ୍ତବ୍ୟ ଅସତ୍ୟ ବୋଲି ପରବର୍ତ୍ତୀ ସମୟରେ ନ୍ୟାୟାଳୟ ଦ୍ୱାରା ନିଯୁକ୍ତ ଆୟୁକ୍ତ ଜାଣିବାକୁ ପାଇଲେ। ଆବେଦନକାରୀ ଏହାକୁ ନ୍ୟାୟାଳୟରେ ପ୍ରତିପକ୍ଷଙ୍କ ଦ୍ୱାରା ଅବମାନନା ଦର୍ଶାଇ ପୁଣି ଏକ ଅର୍ଜି ଦାଖଲ କଲେ। ପ୍ରତିପକ୍ଷଙ୍କ ଓକିଲ କହିଲେ ଯେ, ମହକିଲ ଖୋଲା ଅଦାଲତରେ କାହାକୁ ମାରି ନାହାନ୍ତି ବା ବିଚାରପତିଙ୍କୁ ତ ଅପମାନ କରିନାହାନ୍ତି। ଏପରିକି ନ୍ୟାୟ ପରିଚାଳନାରେ ବି କୌଣସି ବାଧା ସୃଷ୍ଟି କରିନାହାନ୍ତି। ତେଣୁ ବିଚାରାଳୟରେ ଏହା ଅଦାଲତ ଅବମାନନା ହେବ କେମିତି? ଏହି ପରିସ୍ଥିତିରେ ଉଚ୍ଚନ୍ୟାୟାଳୟ ସୁପ୍ରିମକୋର୍ଟଙ୍କ ଦ୍ୱାରା ‘ଧନଞ୍ଜୟ ଶର୍ମା ଓ ଷ୍ଟେଟ ଅଫ ହରିଆଣା’ ମାମଲାର ରାୟକୁ ଦୃଷ୍ଟାନ୍ତ ଭାବେ ଗ୍ରହଣ କରି ବିଚାର କରିଥିଲେ। ଧନଞ୍ଜୟ ଶର୍ମା ମାମଲାରେ ସୁପ୍ରିମକୋର୍ଟ ଜଣେ ମକଦ୍ଦମାବାଜଙ୍କୁ ମିଥ୍ୟା ସତ୍ୟପାଠ ଦେବା ଘଟଣାକୁ ଅଦାଲତ ଅବମାନନା ଭାବେ ଗ୍ରହଣ କରି ଦଣ୍ଡବିଧାନ କରିଥିଲେ। କୌତୂହଳର ବିଷୟ ହେଲା ଯେ, ସେ ମାମଲାରେ ପ୍ରତିପକ୍ଷଙ୍କ ଓକିଲ ନିତିନ ମେହେଟ୍ଟା ମଧ୍ୟ ତାଙ୍କ ମହକିଲ ମିଥ୍ୟା ସତ୍ୟପାଠ କରିଥିବା କଥା ସ୍ୱୀକାର କରିଥିଲେ ଯାହାକୁ ନ୍ୟାୟମୂର୍ତ୍ତି ମନମୋହନ ଉଚ୍ଚ ପ୍ରଶଂସା କରିଥିଲେ। ଏହି ଦୃଷ୍ଟାନ୍ତ ଅନୁଯାୟୀ ମାମଲା ଗ୍ରହଣ କରି ଉଚ୍ଚ ନ୍ୟାୟାଳୟ କହିଲେ ଯେ ଏପରି କ୍ଷେତ୍ରରେ ତ୍ରୁଟି ସମୂହ ପ୍ରସ୍ତୁତି ଓ ବିଚାର କରିବାର ବିସ୍ତୃତ ଆୟୋଜନର ଆବଶ୍ୟକତା ନାହିଁ। ବିଚାରାଳୟ ସମ୍ମୁଖରେ ମିଥ୍ୟା ସତ୍ୟପାଠ ସ୍ପଷ୍ଟ ହୋଇଗଲେ, ବିଚାରପତି ଏହାକୁ ନିଜ କ୍ଷେତ୍ରାଧିକାରରେ ଅବମାନନା ଭାବେ ଗ୍ରହଣ କରି ଦୋଷୀକୁ ଦଣ୍ଡ ଦେଇପାରିବେ। ତଦନୁଯାୟୀ ସେହି ମାମଲାରେ ମିଥ୍ୟା ସତ୍ୟପାଠକାରୀଙ୍କୁ ଏକମାସ ଜେଲ ସହ ୨୦୦୦ଟଙ୍କା ଜୋରିମାନାରେ ଦଣ୍ଡିତ କଲେ।
ବିଚାରାଳୟ ଉପରେ ଲୋକଙ୍କର ଯେଉଁ ପ୍ରଗାଢ଼ ଆସ୍ଥା ରହିଛି, ସେହି ବିଶ୍ୱାସ ଉପରେ ମିଥ୍ୟା ସତ୍ୟପାଠ ଏକ ପ୍ରଚଣ୍ଡ ଧକ୍‌କା। ଏପରି ସତ୍ୟପାଠ ଲୋକଙ୍କ ବିଶ୍ୱାସକୁ ଦୋହଲାଇ ଦେବା ସହ ସାଧାରଣ ଜୀବନକୁ ମଧ୍ୟ ପ୍ରଭାବିତ କରେ। ନ୍ୟାୟର ଧାରାକୁ ପବିତ୍ର ରଖିବାକୁ ହେଲେ ଏପରି ଧାରାକୁ ସମ୍ପୂର୍ଣ୍ଣ ଭାଙ୍ଗିବାକୁ ପଡ଼ିବ। ଯେଉଁମାନେ ଗଣତନ୍ତ୍ରର ସବୁଠାରୁ ସଶକ୍ତ ଖମ୍ବକୁ ଦୁର୍ବଳ କରିବାର ଅପଚେଷ୍ଟା କରୁଛନ୍ତି, ସେମାନଙ୍କୁ ଶୃଙ୍ଖଳାର ରଜ୍ଜୁରେ ବାନ୍ଧିବା, ସମୟର ଏକ ବଡ ଆହ୍ୱାନ। ମିଥ୍ୟା ସତ୍ୟପାଠ ମାଧ୍ୟମରେ ନ୍ୟାୟର ଏହି ଝରଣା ଜଳକୁ ବିଷାକ୍ତ କରୁଥିବା ଉପାଦାନକୁ ସମୂଳେ ନଷ୍ଟ ନ କଲେ ଏହା ସାଧାରଣ ଜୀବନର ଏକ ଦୁର୍ଭାଗ୍ୟ ଓ ଦୁର୍ଦଶା ଭାବେ ଉଭା ହେବ। ତେଣୁ ‘ପାର୍‌ଜୁରୀ’ ବା ମିଥ୍ୟା ସାକ୍ଷୀ ଭାବରେ ହେଉଥିବା ଜାତୀୟ କଳଙ୍କର ମୂ‌େ​‌ଳାତ୍ପାଟନ ପାଇଁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଓ ସର୍ବୋଚ୍ଚ ନ୍ୟାୟାଳୟର ଦୃଷ୍ଟାନ୍ତ ସମଗ୍ର ଦେଶର ସମସ୍ତ ନ୍ୟାୟାଳୟ ପାଇଁ ଦୃଷ୍ଟାନ୍ତ ହେବା ଉଚିତ୍‌।

Leave A Reply